ଫକୀରମୋହନ

ଉପନ୍ୟାସ ରୂପକଥା ନୂହେଁ ଯେ ନାୟକ ମରିବ ନାହିଁ l
ଉପନ୍ୟାସର ନାୟକ ମରନ୍ତି, ବାକି ପାର୍ଶ୍ଵଚରିତ୍ର ବି l
ଔପନ୍ୟାସିକ ଯେମିତି ତେମିତି ଭାବେ ଅନ୍ୟମନସ୍କ ହେଇ ମାରନ୍ତିନାହିଁ କାହାକୁ l ମାରନ୍ତି ବଡ ସାବଧାନରେ, ବଡ଼ ଯତ୍ନରେ l ସୁପରିକଳ୍ପିତ ଯୋଜନା ଅନୁସାରେ ମଧ୍ୟ l କାହାକୁ କେଉଠି କେମିତି ମାରିବେ ସବୁକଥା ତାଙ୍କୁ ପୂର୍ବରୁ ଜଣାଥାଏ l ପୁଣି ପ୍ରତ୍ୟେକ ଔପନ୍ୟାସିକର ମାରିବା ଢଙ୍ଗ ବି ନିଆରା ନିଆରା l ବାଲ୍ମିକୀ ରାବଣଙ୍କୁ ଯେମିତି ମାରିଲେ ତୁଳସୀ ଦାସ ସେମିତି ମାରିବେ ବୋଲି କିଛି ନିୟମ ନାହିଁ l ତୁଳସୀ ଦାସଙ୍କ ରାବଣ ବାନରଙ୍କ ଏତେ ନାତ, ଗୋଇଠା ଖାଇଚି ଯେ ମୃତ୍ୟୁ ପାଇଁ ରାମବାଣ ନିମତ୍ତ ମାତ୍ର l ଯାହା ବି ହେଉ ମୃତ୍ୟୁ ଅନିବାର୍ଯ୍ୟ l ତାହାର ପ୍ରକାର ଓ ପ୍ରକରଣ ଅଜସ୍ର ରକମର l ଔପନ୍ୟାସିକ ତାହାର ସୁଯୋଗ ନିଅନ୍ତି l
ଫକୀର ମୋହନ କେମିତି ମାରନ୍ତି?
ତାଙ୍କ ମୁତ୍ୟୁ ଉପସ୍ଥାପନା ଭଙ୍ଗୀ କେମିତି? ମାରିବାର ଉଦ୍ଦେଶ୍ୟ କଣ? ସେ ବୁଢ଼ା କରି ମାରିଛନ୍ତି କମ୍, ହତ୍ୟା ଓ ଆତ୍ମହତ୍ୟାର ସଦ୍ ବ୍ୟବହାର କରିଛନ୍ତି ବେଶୀ l ‘ରେବତୀ’ ଓ ‘ରାଣ୍ଡୀ ପୁଅ ଅନନ୍ତା ‘ ରେ ପୁରା ବଂଶ ସଫା କରିଦେଇଛନ୍ତି l ଉପନ୍ୟାସ ମାନଙ୍କରେ ସିଧା ବଂଶ ନିପାତ ଉଦ୍ୟମ ନାହିଁ l ‘ଲଛମା’ ରାହାଜାନିରୁ ଆରମ୍ଭ l ରାହାଜାନି ସହ ସଂଘର୍ଷ, ହଣାହଣି ଓତପ୍ରୋତ l ରୋଗ ଭୋଗି ମରିଛନ୍ତି ‘ମାମୁଁ’ର ପ୍ରତାପ ମଲ୍ଲ ରାୟ, ଦାଶରଥି ଦାସ ଓ ‘ପ୍ରାୟଶ୍ଚିତ’ର ସାନ୍ତାଣୀ l ନ ଖାଇ ନ ପିଇ ମରିଛନ୍ତି’ ଛ ମାଣ ଆଠଗୁଣ୍ଠ’ ର ସାନ୍ତାଣି ଓ ସାରିଆ l ମାଡ଼ରେ ମରିଛି ଗୋବରା ଜେନା l ଚମ୍ପା କୁ ହତ୍ୟା କରାଯାଇଛି l କୁମ୍ଭୀର ମୁହଁରେ ଯାଇଚି ଗୋବିନ୍ଦା ବାରିକ l ପାଣିରେ ବୁଡି ଆତ୍ମହତ୍ୟା କରିଛନ୍ତି ଇନ୍ଦୁମତୀ l ରାମଚନ୍ଦ୍ର ମଙ୍ଗରାଜ ଙ୍କ ମୃତ୍ୟୁର କାରଣ ନିର୍ଧୁମମାଡ, ପରବର୍ତ୍ତୀ ରୋଗ ଓ ଦୁଚିକିତ୍ସା l
ଦିନେ ମୃତ୍ୟୁ ଥିଲା କରୁଣରସର ଅଭିବ୍ୟକ୍ତି କ୍ଷେତ୍ରରେ ଆଲମ୍ବନ ବିଭାବ l ଫକୀରମୋହନଙ୍କ ଲେଖାରେ ଏମିତି କେତେ ମୁତ୍ୟୁ ପଢି ପଢି ବିଚଳିତ ହୋଇ ପଡ଼ିଛେ l ସାଧାରଣତଃ ପାଠକ ମନରେ ସାହିତ୍ୟିକ ପ୍ରଭାବ ସୃଷ୍ଟି କରିବାକୁ ସାହିତ୍ୟିକ ମାନେ ଚରିତ୍ର ମାନଙ୍କୁ ମାରିଥାନ୍ତି l ଏବେ ତ ଖବରକାଗଜ ଟିଭି ସିନେମା ସବୁଆଡ଼େ ଅଶାଳୀନ ଭାବେ ହତ୍ୟା ଆତ୍ମହତ୍ୟା ଓ ଦୂର୍ଘଟଣା ଜନିତ ମୃତ୍ୟୁ ଦେଖାଇ ଦେଖାଇ ମୃତ୍ୟୁ ପ୍ରତି ମଣିଷର ସମ୍ବେଦନଶୀଳତା କୁ ସମ୍ପୂର୍ଣ୍ଣ ଦନ୍ଥରା କରି ଦେଲାଣି l ମଣିଷ ଏବେ ଆଉ ମୃତ୍ୟୁକୁ ନେଇ ବିଚଳିତ ହେଉନାହିଁ l
ଭାରତୀୟ ଉପନ୍ୟାସରେ ସାମାଜିକ ବାସ୍ତବବାଦର ପ୍ରବର୍ତ୍ତକର କିର୍ତ୍ତୀ ଓ ସ୍ୱୀକୃତି ମିଳିଛି ଫକୀରମୋହନଙ୍କୁ l ବଙ୍କିମ ଯେବେ ଐତିହାସିକ ରୋମାନ୍ସର ପ୍ରବର୍ତ୍ତକ ହୁଅନ୍ତି, ଫକୀରମୋହନ ହୁଅନ୍ତି ସାମାଜିକ ବାସ୍ତବବାଦର ଉଦ୍ଗାତା l ତାଙ୍କରି ଧାରାଟି ଅଦ୍ୟାପି ବଞ୍ଚି ରହିଛି ଉତ୍ତରାଧିକାର ପାଇଁ l ବଙ୍କିମଙ୍କ ଧାରାଟି ବିଦାୟ ନେଇଚି l ‘ଛ ମାଣ ଆଠଗୁଣ୍ଠ’ ଶ୍ରେଷ୍ଠ ଉପନ୍ୟାସ, କିନ୍ତୁ ଏହା ଫକୀରମୋହନଙ୍କ କୃତିର ଭଗ୍ନାଂଶଟିଏ ପ୍ରତିନିଧିତ୍ଵ କରିଥାଏ ମାତ୍ର l ତାଙ୍କର ବାକି ଅନେକ କୃତି ପାଖେ ଆମେ ପହଂଚି ନ ପାରିଲେ ତାଙ୍କର ପରିପୂର୍ଣ୍ଣ ମହତ୍ତ୍ୱ ଅନବଧାରଣୀୟ ହୋଇ ରହିଯିବ l

by: Arjyadasra Itikatha

Comments

Latest Post
Most Read