N Aa

Shikar

Shikar
Bhagabati Charan Panigrahi

ଓଡ଼ିଶାରେ ସାମ୍ୟବାଦୀ ଦର୍ଶନର ପ୍ରଚାରକ ଭଗବତୀ ଚରଣ...

Hatudi O Daa

Hatudi O Daa
Bhagabati Charan Panigrahi

ମଣିଷର ଅସହାୟତାର ଫାଇଦା ନିଏ ଶୋଷକ ।...

Dokandar

Dokandar
Bhagabati Charan Panigrahi

ଜଣେ ମଦ୍ୟପର ନିଃସଙ୍ଗ ପୁଣି ସାଂସାରିକ କାହାଣୀ...

Samayatita

Samayatita
Bhagabati Charan Panigrahi

ଦୁଇଜଣ ତରୁଣ-ତରୁଣୀଙ୍କ ଆବେଗିକ ସମ୍ପର୍କ ଏବଂ ପରବର୍ତ୍ତୀ...

Jungli

Jungli
Bhagabati Charan Panigrahi

'ଜଙ୍ଗଲି' ଭଗବତୀ ଚରଣ ପାଣିଗ୍ରାହୀଙ୍କ ଏକ ଭିନ୍ନ...


01-Feb-1907 / 23-Oct-1943
Bhagabati Charan Panigrahi

ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନର ଅନ୍ୟତମ ଭଗୀରଥ ଭଗବତୀଚରଣ ପାଣିଗ୍ରାହୀଙ୍କର ଜନ୍ମ ପୁରୀ ଜିଲ୍ଲାର ବିଶ୍ୱନାଥପୁର ଶାସନରେ ୧ ଫେବୃଆରୀ ୧୯୦୭ ମସିହାରେ । ଗୋଟିଏ ସଂସ୍କୃତିସମ୍ପନ୍ନ ଓ ସାହିତ୍ୟିକ ପରିବାରର ସଂସ୍କାର ନେଇ ଜନ୍ମ ହୋଇଥିବାରୁ ସାହିତ୍ୟ ଏବଂ ସମାଜ ପ୍ରତି କର୍ତ୍ତବ୍ୟବୋଧକୁ ସେ ବିସ୍ମୃତ ହୋଇନଥିଲେ । ତାଙ୍କର ଦୁଇଜଣ ବଡ଼ଭାଇ ହେଉଛନ୍ତି ଦିବ୍ୟସିଂହ ପାଣିଗ୍ରାହୀ ଓ କାଳିନ୍ଦୀଚରଣ ପାଣିଗ୍ରାହୀ । ଉଭୟ ଭାଇଥିଲେ ସାହିତ୍ୟିକ । ତାଙ୍କର ଝିଆରୀ ନନ୍ଦିନୀ ଶତପଥୀ ଜଣେ ରାଜନୀତିକ ନେତ୍ରୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଲେ ହେଁ ସେ ମଧ୍ୟ ଥିଲେ ଜଣେ ସାହିତ୍ୟିକା । ପାଣିଗ୍ରାହୀ ପରିବାରର ରକ୍ତରେ ହିଁ ସାହିତ୍ୟ ରହିଥିଲା ।

ଭଗବତୀଚରଣ ଗୋଟିଏ ଲମ୍ବାଜୀବନ ପାଇନଥିଲେ । ମାତ୍ର ୩୬ ବର୍ଷ ବୟସରେ ୧୯୪୩ ମସିହା ଅକ୍ଟୋବର ୨୩ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । ତେବେ ଗୋଟିଏ ଲମ୍ବାଜୀବନ ଯେ ପ୍ରତିଭା ପାଇଁ ଅତ୍ୟନ୍ତ ଜରୁରୀ, ଏହା କୁହାଯାଇନପାରେ । ଓଡ଼ିଶା, ଭାରତ ଏପରିକି ବିଶ୍ୱର ବହୁ ଶ୍ରେଷ୍ଠ ସାହିତ୍ୟିକ ଓ ସମାଜସଂସ୍କାରକ ସ୍ୱଳ୍ପାୟୁ ହୋଇଥିଲେ ହେଁ, ସେମାନେ ନିଜର କାର୍ଯ୍ୟାବଳୀ ଯୋଗୁଁ ଏବେ ମଧ୍ୟ ଜନସାଧାରଣଙ୍କ ହୃଦୟରେ ବଞ୍ଚିରହିଛନ୍ତି । ଭଗବତୀଚରଣଙ୍କ କ୍ଷେତ୍ରରେ ମଧ୍ୟ ଏହାର ଯଥାର୍ଥତା ରହିଛି । ସେ ତାଙ୍କର ସ୍ୱଳ୍ପାୟୁ ଜୀବନରେ ବି ନିଜ ପ୍ରତିଭାର ଯେଉଁ ପରାକାଷ୍ଠା ଓ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଯାଇଛନ୍ତି, ସେଥିପାଇଁ ଏବେ ମଧ୍ୟ ସେ ଅମର ହୋଇ ରହିପାରିଛନ୍ତି । ଜଣେ ପ୍ରତିଭାବାନ୍ ଛାତ୍ର ଭାବରେ ସେ ପରିଗଣିତ ହେଉଥିଲେ । ସେ ଅର୍ଥନୀତିରେ ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିବା ପରେ ସରକାରୀ ଚାକିରିକୁ ଜୀବିକାର ମାଧ୍ୟମ ରୂପେ ଗ୍ରହଣ କରି ନ ଥିଲେ । ଛାତ୍ରାବସ୍ଥାରୁ ସେ ଥିଲେ ସ୍ୱାଧୀନଚେତା । ସମାଜ ପାଇଁ ଏବଂ ମଣିଷ ପାଇଁ କିଛି କରିବାର ନିଶା ତାଙ୍କୁ ସମାଜସେବା କ୍ଷେତ୍ରକୁ ଟାଣି ଆଣିଥିଲା । ପରାଧୀନ ଭାରତବର୍ଷର ଦୁର୍ଭାଗ୍ୟକୁ ନିଜ ଆଖିରେ ଦେଖିଥିଲେ । ଔପନିବେଶିକ ଶାସକଙ୍କ ଅମାନବିକ ଆଚରଣ ଓ ସ୍ୱାର୍ଥପର କାର୍ଯ୍ୟକଳାପକୁ ପ୍ରତ୍ୟକ୍ଷ କରିଥିଲେ । ଛାତ୍ରାବସ୍ଥାରୁ ମଣିଷର ମୁକ୍ତି ପାଇଁ ସଂଗ୍ରାମ କରିବାର ଇଚ୍ଛା ତାଙ୍କ ମନରେ ସୃଷ୍ଟି ହୋଇଥିଲା । ତାଙ୍କର ୧୦ବର୍ଷ ବୟସରେ ଋଷିଆରେ ଯେଉଁ କ୍ରାନ୍ତିକାରୀ ଆନ୍ଦୋଳନ ହୋଇଥିଲା, ବିଶ୍ୱ ଇତିହାସକୁ ତାହା ଅନେକାଂଶରେ ବଦଳାଇ ଦେଇଥିଲା । ଏହି ଆନ୍ଦୋଳନ ବଲ୍‌ସେଭିକ୍ ଆନ୍ଦୋଳନ ବା ଅକ୍ଟୋବର ବିପ୍ଳବ ଭାବରେ ବିଶ୍ୱ ଇତିହାସରେ ପ୍ରସିଦ୍ଧ । ଯଦିଓ ୧୦ ବର୍ଷ ବୟସରେ ସେ ଏହି ଆନ୍ଦୋଳନର ବିଶେଷତ୍ୱ ସମ୍ପର୍କରେ ଅବଗତ ହୋଇପାରି ନ ଥିଲେ, ପରବର୍ତ୍ତୀ କାଳରେ ଉଚ୍ଚତର ଅଧ୍ୟୟନ ସମୟରେ ଏହି ଆନ୍ଦୋଳନ ପଛରେ ରହିଥିବା ମହତୀ ଇଚ୍ଛାକୁ ଅନୁଭବ କରିପାରିଥିଲେ । ଛାତ୍ରାବସ୍ଥାରୁ ତେଣୁ ମାର୍କସବାଦୀ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ଏହି କାରଣରୁ ସରକାରୀ ଚାକିରି ଇଚ୍ଛା ବା ଗୋଲାମି କରିବାର ମନୋବୃତ୍ତି ତାଙ୍କୁ ପସନ୍ଦ ହୋଇ ନ ଥିଲା । ମଣିଷର ମୁକ୍ତି ପାଇଁ ସଂଗ୍ରାମ କରିବାକୁ ସେ ସ୍ଥିରସଂକଳ୍ପ କରିଥିଲେ । ତଥାକଥିତ ପୁଞ୍ଜିବାଦୀଗୋଷ୍ଠୀ ତାଙ୍କ ଦୃଷ୍ଟିରେ ଥିଲେ ଶୋଷକ ଶ୍ରେଣୀର ପ୍ରତିନିଧି । ଏପରି ଶାସନର ବିଲୋପ ନ ଘଟିଲେ ସାଧାରଣ ମଣିଷ ସେମାନଙ୍କର ଦାବି ଓ ନ୍ୟାୟ ପାଇପାରିବେ ନାହିଁ ବୋଲି ସେ ଥିଲେ ସ୍ଥିର ନିଶ୍ଚିତ । ସମାଜବାଦୀ ଶାସନକୁ ସେ ଆଦର୍ଶ ଶାସନ ଭାବରେ ଗ୍ରହଣ କରିଥିଲେ । ସର୍ବହରା ଓ ଖଟିଖିଆଙ୍କ ସପକ୍ଷରେ ତଥା ପୁଞ୍ଜିପତିଗୋଷ୍ଠୀଙ୍କ ବିପକ୍ଷରେ ସେ ଦେଇଥିଲେ ରଣହୁଙ୍କାର । ଓଡ଼ିଶାର ପ୍ରଥମ ବିଧିବଦ୍ଧ କମ୍ୟୁନିଷ୍ଟ ଭାବରେ ସେହି ଆଦର୍ଶର ପ୍ରଚାର ଓ ପ୍ରସାର ପାଇଁ ସେ ତାଙ୍କ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ।

ଓଡ଼ିଶାରେ ବାମପନ୍ଥୀ ଚିନ୍ତାଧାରା ପ୍ରସାରରେ ତାଙ୍କର ରହିଥିଲା ପ୍ରମୁଖ ଭୂମିକା । ୧୯୩୪-୩୫ ମସିହା ବେଳକୁ କଂଗ୍ରେସ ସୋସାଲିଷ୍ଟ ପାର୍ଟିର ସଭ୍ୟ ଭାବରେ ଗଣସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଥିଲେ । ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ୧୯୨୦ ମସିହା ବେଳକୁ ସ୍ୱାଧୀନତା ସଂଗ୍ରାମ ପ୍ରବଳ ହୋଇଥିଲା ଏବଂ ଏହି ସମୟରେ ଋଷ୍ ଆନ୍ଦୋଳନ ମଧ୍ୟ ବିଶ୍ୱ ଚିନ୍ତାଧାରାରେ ଗଭୀର ଆଲୋଡନ ସୃଷ୍ଟି କରିଥିଲା । ୧୯୩୦ ମସିହା ବେଳକୁ ଏହି ଆନ୍ଦୋଳନ କ୍ଷିପ୍ରଗତି ଧାରଣ କରିଥିଲା । ତେଇଶ ବର୍ଷର ଭଗବତୀଚରଣ ପାଣିଗ୍ରାହୀ କେବଳ ମାର୍କସବାଦୀ ଦର୍ଶନର ତତ୍ତ୍ୱ ବୁଝୁନଥିଲେ, ଏହାକୁ କିପରି ସାହିତ୍ୟରେ ପ୍ରୟୋଗ କରାଯାଇ ଜନମାନସକୁ ଆନ୍ଦୋଳିତ କରାଯାଇ ପାରିବ, ସେ ସମ୍ପର୍କରେ ବିଶେଷ ସଚେତନ ମଧ୍ୟ ଥିଲେ । ୧୯୩୨ ମସିହା ବେଳକୁ ଭଗବତୀ କମ୍ୟୁନିଷ୍ଟ ଆଦର୍ଶ ପ୍ରତି ସମ୍ପୂର୍ଣ୍ଣ ଅନୁପ୍ରାଣିତ ହୋଇଯାଇଥିଲେ । ସେହି ଆଦର୍ଶର ପରିପ୍ରସାର ପାଇଁ ସାହିତ୍ୟକୁ ଶ୍ରେଷ୍ଠ ମାଧ୍ୟମ ରୂପେ ସେ ବିବେଚନା କରୁଥିଲେ । ୧୯୩୬ ମସିହାରେ ସେହି ସମାଜବାଦୀ ଭାବଧାରା ଦ୍ୱାରା ପ୍ରଭାବିତ ହୋଇ ଭାରତରେ ପ୍ରଗତିଶୀଳ ଲେଖକ ସଂଘ ପ୍ରତିଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଯାହା ଘୋଷଣା କରାଯାଇଥିଲା, ପ୍ରାଣନାଥ ପଟ୍ଟନାୟକଙ୍କ ଭାଷାରେ କହିଲେ ତାହା ଏହା ହେବ- ‘ଆମେ ବିଶ୍ୱାସ କରୁ ଯେ, ଭାରତବର୍ଷର ନବୀନ ସାହିତ୍ୟକୁ ଆମର ବର୍ତ୍ତମାନ ଜୀବନର ମୂଳ ସମସ୍ୟା- କ୍ଷୁଧା, ଦାରିଦ୍ର୍ୟ, ସାମାଜିକ ପରାଙ୍‌ମୁଖତା, ରାଜନୈତିକ ପରାଧୀନତା ଘେନି ଆଲୋଚନା କରିବାକୁ ହେବ । ଆମ୍ଭେ ଚାହୁଁ ଜନସାଧାରଣଙ୍କ ଜୀବନ ସହିତ ସର୍ବବିଧ କଳାର ନିବିଡ଼ ସଂଯୋଗ । ଆମେ ଚାହୁଁ ଯେ, ସାହିତ୍ୟରେ ଦୈନନ୍ଦିନ ଜୀବନର ଚିତ୍ର ଫୁଟି ଉଠୁ ଏବଂ ଯେଉଁ ଭବିଷ୍ୟତର କଳ୍ପନା ଆମେ କରୁଛେ ତାକୁ ଆଗେଇ ଆଣୁ ।’

୧୯୩୬ ମସିହା ମେ ମାସରେ ଭାଗବତୀ ଚରଣଙ୍କ ନେତୃତ୍ୱରେ ପ୍ରକାଶ ପାଇଛି ‘ଆଧୁନିକ’ ନାମରେ ପ୍ରଗତିବାଦୀ ସାହିତ୍ୟ ପତ୍ରିକା । ଏହା ପୂର୍ବରୁ ୧୯୨୯ ମସିହାରେ ପ୍ରକାଶ ପାଏ ତାଙ୍କର ପ୍ରଥମ ଗଳ୍ପ ‘ଜଙ୍ଗଲି’ । ଏହା ଏକ ମନସ୍ତାତ୍ତ୍ୱିକ ଗଳ୍ପ ହେଲେ ହେଁ, ଦୃଷ୍ଟିଭଙ୍ଗୀରେ କେତେକାଂଶରେ ପ୍ରଗତିବାଦୀ ଚେତନାର ପ୍ରତିଫଳନ ଘଟିଛି । ମଣିଷ ସମାଜରେ ଧର୍ମ ଶୋଷଣର ପ୍ରଥମ କାରଣ ବୋଲି ତାଙ୍କର ବଦ୍ଧମୂଳ ଧାରଣା ହୋଇଛି । କାରଣ ଦାସତ୍ୱ ହେଉଛି ଧର୍ମର ସହଚର । ‘ଅର୍ଥ ଓ ପରାମାର୍ଥ’ ଶୀର୍ଷକ ପ୍ରବନ୍ଧରେ ସେ ଏହାର ଯୌକ୍ତିକ ବିଶ୍ଳେଷଣ ଉପସ୍ଥାପନ କରିଛନ୍ତି । ୧୯୩୫ ମସିହାରେ (ନଭେମ୍ବର ମାସ) ‘ନବଯୁଗ ସାହିତ୍ୟ ସଂସଦ’ ଗଠନ ହେବା ପରେ ଏହାର ପ୍ରଗତିଶୀଳ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି । ପ୍ରଗତିର ଗତିରୋଧ କରୁଥିବା ବ୍ୟକ୍ତିଙ୍କୁ ପ୍ରଗତିର ଘୋର ଶତ୍ରୁ ଭାବରେ ଏହି ସଂସଦର କର୍ମକର୍ତ୍ତାମାନେ ବିବେଚନା କରିଛନ୍ତି । ‘ନବଯୁଗ ସାହିତ୍ୟ ସଂସଦ’ର ମୁଖପତ୍ର ଭାବରେ ‘ଆଧୁନିକ’ ପତ୍ରିକାରେ ଯେଉଁ ଲେଖାମାନ ପ୍ରକାଶିତ ହୋଇଛି, ତାହା ମୁଖ୍ୟତଃ ମାର୍କସବାଦୀ ଭାବଧାରା ଦ୍ୱାରା ଅନୁପ୍ରାଣିତ ।

ଭଗବତୀଚରଣ ପାଣିଗ୍ରାହୀ ମୁଖ୍ୟତଃ ଗଳ୍ପ ଓ ପ୍ରବନ୍ଧ ରଚନା କରିଛନ୍ତି ଏବଂ ଉଭୟ କଳାକୃତି ମାର୍କସୀୟ ଦର୍ଶନକୁ ହିଁ ଗୁରୁତ୍ୱ ଦେଇଛି । ୧୯୩୨ ମସିହାରେ ପ୍ରକାଶିତ ‘ଜୀବନର ସମାଧି’ ଗଳ୍ପରେ ପ୍ରଥମ କରି ତାଙ୍କର ଏହି ଶ୍ରେଣୀ ସଂଘର୍ଷର ଚିତ୍ର ପ୍ରକାଶ ପାଇଛି । ତେବେ ଭଗବତୀଚରଣଙ୍କ ସାରସ୍ୱତ ଜୀବନକୁ ଲକ୍ଷ୍ୟ କଲେ ଏହା ବିଶେଷ ବୈଚିତ୍ର୍ୟ ବୋଲି ମନେ ହୋଇନଥାଏ । ସମ୍ପାଦକ, ପ୍ରାବନ୍ଧିକ, ଅନୁବାଦକ ଓ ଗାଳ୍ପିକ ଭାବରେ ତାଙ୍କର ପରିଚୟ ରହିଛି । ସେ ‘ଆଧୁନିକ’ ପତ୍ରିକା ବ୍ୟତୀତ ‘କୃଷକ’, ‘ମୁକ୍ତିଯଜ୍ଞ’ ପତ୍ରିକାର ସମ୍ପାଦନା କରିଥିଲେ । କାର୍ଲମାର୍କସଙ୍କ ‘କମ୍ୟୁନିଷ୍ଟ ମାନିଫେଷ୍ଟ’ର ଯେଉଁ ଓଡ଼ିଆ ଅନୁବାଦ କରିଛନ୍ତି, ତାହା ‘ବୈଜ୍ଞାନିକ ସାମ୍ୟବାଦ’ ନାମରେ ପରିଚିତ । ତାଙ୍କର ଗଳ୍ପଗୁଡ଼ିକ ‘ଶିକାର ଓ ଅନ୍ୟାନ୍ୟ ଗଳ୍ପ’ ସଂକଳନରେ ସଂକଳିତ  ।

‘ଆଧୁନିକ’ ପତ୍ରିକା ପ୍ରକାଶ ପାଇବା ପୂର୍ବରୁ ଜଙ୍ଗଲି, ଜୀବନର ସମାଧି, ସମୟାତୀତ, ମିଶ୍ରଙ୍କ କୋପ, ବଞ୍ଚିତା, ମଜ୍‌ଲିସ୍‌, ମୃତ୍ୟୁର ବିବେଚନା, ଝଡ଼, ଆରମ୍ଭ ଓ ଶେଷ, ମୀମାଂସା ଆଦି ଗଳ୍ପ ପ୍ରକାଶ ପାଇଥିଲା । ତାଙ୍କର ପ୍ରତ୍ୟେକ ଗଳ୍ପ ରଚନା ଅନ୍ତରାଳରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଗୁମ୍ଫିତ ରହିଥିବାର ଅନୁମିତ ହୁଏ । ଅବଶ୍ୟ ଏହାଦ୍ୱାରା ତାଙ୍କ ଗଳ୍ପଗୁଡ଼ିକ ପ୍ରଚାରଧର୍ମୀ ହୋଇଛି ବୋଲି କୁହାଯାଇ ନ ପାରେ । କେତୋଟି ଗଳ୍ପରେ ଅବଶ୍ୟ କଳାଧର୍ମିତ ସୁରକ୍ଷିତ ରହିପାରିନାହିଁ, ଏହା ସତ୍ତ୍ୱେ ଗଳ୍ପଗୁଡ଼ିକର ଶୈଳ୍ପିକମୂଲ୍ୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଭଗବତୀଚରଣ ସାହିତ୍ୟକୁ ନିଜର ସୃଜନଶୀଳତାର ମାଧ୍ୟମ ଅପେକ୍ଷା ସାମାଜିକ ପରିବର୍ତ୍ତନର ମାଧ୍ୟମ ରୂପେ ଗ୍ରହଣ କରିଥିଲେ । ତାଙ୍କର ସର୍ଜନଶୀଳ ପ୍ରତିଭା ଉଚ୍ଚକୋଟୀର ଥିଲା ନିଶ୍ଚୟ । ମାତ୍ର ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଏବଂ ସାମାଜିକ ମୂଲ୍ୟକୁ ଗୁରୁତ୍ୱ ଦେଉଥିବାରୁ ତା’ର କଳାଗତ ମୂଲ୍ୟ କେତେକ ପରିମାଣରେ ବ୍ୟାହତ ହୋଇଛି । ଭଗବତୀଚରଣ ଓଡ଼ଆ ସାହିତ୍ୟରେ ସମାଜବାଦୀ ବାସ୍ତବତା ଧାରାର ସ୍ରୋତ ପ୍ରବାହିତ କରିଥିଲେ । ‘ନବଯୁଗ ସାହିତ୍ୟ ସଂସଦ’ର ସମ୍ମିଳନୀରେ ଏହାର ଆଭିମୁଖ୍ୟ ପ୍ରକାଶ କରି କୁହାଯାଇଛି, ‘ଆମେ କେବଳ ଆମର ଅତୀତପ୍ରୀତି ଘେନି ମାନବ ସଭ୍ୟତାର ଗତିଶୀଳତା ପ୍ରତି ଲକ୍ଷ୍ୟ ନରଖି ନିଜକୁ କ୍ଷୁଦ୍ର ପରିବାର ମଧ୍ୟରେ ଆବଦ୍ଧ କରିରଖିଛୁ । ସ୍ୱାଧୀନଚିନ୍ତା ଏବଂ ଉଦାର ମନୋଭାବ ହେଉଛି ଆମର ପ୍ରଧାନ ଅଭାବ । ତେଣୁ ଦେଶର ନବସଂସ୍କୃତି ଓ ନବସଭ୍ୟତା ସ୍ରୋତ ଖେଳାଇ ଦେବା ହିଁ ସଂସଦର ଉଦ୍ଦେଶ୍ୟ ।’ ସାଧାରଣ ଲୋକଙ୍କ ଦୁଃଖଦୁର୍ଦ୍ଦଶାର ଚିତ୍ରକୁ ରୂପ ଦେବା ଓ ତଥାକଥିତ ପୁଞ୍ଜିପତି ଗୋଷ୍ଠୀଙ୍କ ସ୍ୱରୂପ ପଦାରେ ପକାଇଦେବା ଥିଲା ପ୍ରଗତିବାଦୀ ସାହିତ୍ୟର ଲକ୍ଷ୍ୟ । ସେଥିପାଇଁ ମେ ୧୯୩୬ରେ ପ୍ରକାଶ ପାଇଥିବା ‘ଆଧୁନିକ’ରେ କୁହାଯାଇଥିଲା ‘ଆଧୁନିକ କେବଳ ସାହିତ୍ୟ ପାଇଁ ସାହିତ୍ୟ ଚର୍ଚ୍ଚା କରୁନାହିଁ, ଓଡ଼ିଶାରେ ଏହା ପୃଥିବୀ ବ୍ୟାପୀ ଆନ୍ଦୋଳନ ବିଷୟରେ ଚେତନା ଆଣିବା ଏହାର ଲକ୍ଷ୍ୟ ।’

ଭଗବତୀଚରଣଙ୍କ ନେତୃତ୍ୱରେ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟି ଗଠନ ସହିତ ଗଡ଼ଜାତ ଆନ୍ଦୋଳନ, କୃଷକ ଆନ୍ଦୋଳନ, ଶ୍ରମିକ ଆନ୍ଦୋଳନ ଆଦି ମାଧ୍ୟମରେ ମାର୍କସବାଦୀ ଚେତନାର ପ୍ରସାର କରାଯାଇଥିଲା । ଭଗବତୀଚରଣ ତାଙ୍କ କ୍ଷୁଦ୍ରଗଳ୍ପ ମାଧ୍ୟମରେ ଏହି ଚେତନାର ପ୍ରସାର କରିଥିଲେ । ‘ଶିକାର’ ଗଳ୍ପରେ ଜଣେ ସାଧାରଣ ବ୍ୟକ୍ତି ଜଣେ ଶୋଷକକୁ ହତ୍ୟା କରୁଛି । ଏଥିରେ ମାର୍କସ୍‌ବାଦୀ ଦର୍ଶନ ଥାଉ ବା ନ ଥାଉ ଜଣେ ସରଳ ସାଧାରଣ ଆଦିବାସୀଟିଏ ଗୋବିନ୍ଦ ସରଦାର ପରି କ୍ଷମତାଶାଳୀ ବ୍ୟକ୍ତିର ମୁଣ୍ଡ କାଟିଦେବା କମ୍ ସାହସିକତାକୁ ଅପେକ୍ଷା କରେ ନାହିଁ । ପରୋକ୍ଷରେ ଏହା ତଥାକଥିତ ସରକାରୀ ଶାସନ ପ୍ରଣାଳୀ ପାଇଁ ଥିଲା ଏକ ଶକ୍ତ ଆହ୍ୱାନ । ଘିନୁଆର ପ୍ରତିକ୍ରିୟା ମାଧ୍ୟମରେ ଗାଳ୍ପିକ ଦୀର୍ଘଦିନ ଧରି ଶୋଷିତ-ଲାଂଛିତ ମଣିଷର ପ୍ରତିବାଦ କରିବାର ସତ୍‌ସାହସକୁ ଦେଖାଇ ଦେଇଛନ୍ତି । ଭାଗ୍ୟ ଓ ଭଗବାନଙ୍କ ଉପରେ ନିର୍ଭର କରି ଆସୁଥିବା ଏହି ମଣିଷ ନିଜର ଆତ୍ମଶକ୍ତି ଉପରେ ଭରସା କରିବାକୁ ସାହସ ସଞ୍ଚୟ କରିଛି । ତାଙ୍କର ‘ଜୀବନର ସମାଧି’ ଗଳ୍ପରେ ସାଧାରଣ ମଣିଷ ଯେଉଁ ସାହସ ସଞ୍ଚୟ କରିବାକୁ ଆରମ୍ଭ କରିଥିଲା ‘ଶିକାର’ରେ ତା’ର ପୂର୍ଣ୍ଣ ପ୍ରତିଫଳନ ଘଟିଛି । ‘ଜୀବନର ସମାଧି’ ଗଳ୍ପରେ ସାଧାରଣ ଶ୍ରମଜୀବୀ ପ୍ରତିବାଦ କରିଛି । ବୃଦ୍ଧା ଚାକରାଣୀ ମଧ୍ୟ କହିବାକୁ ସାହସ କରିଛି ‘ଡରିବି କିଆଁ ମ? ମୁଁ କଣ କାହାଠାରୁ ମାଗି ଖାଉଛି କି? ହକ କାମ କରୁଛି, ମୋ ଗଣ୍ଡାକ ଆଣୁଛି’ । ଅଫିସ୍‌ରେ ଚପରାଶି ମଧ୍ୟ ମୁହେଁ ମୁହେଁ ଜବାବ ଦେଉଛି । ଭଗବତୀଙ୍କର ‘ମୃତ୍ୟୁର ବିବେଚନା’, ‘ଝଡ଼’, ‘ଆରମ୍ଭ ଓ ଶେଷ’, ‘ହାତୁଡ଼ି ଓ ଦା’, ‘ମୀମାଂସା’ ଆଦି ଗଳ୍ପରେ ମଧ୍ୟ ସାଧାରଣ ମଣିଷର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଶୋଷକ ଓ ଶୋଷିତ ମଧ୍ୟରେ ରହିଥିବା ବିରୋଧାତ୍ମକ ସମ୍ପର୍କକୁ ‘ମୃତ୍ୟୁର ବିବେଚନା’ ଗଳ୍ପରେ ଦେଖିବାକୁ ମିଳିଥାଏ । ‘ଝଡ଼’ ଓ ‘ଆରମ୍ଭ ଓ ଶେଷ’ ଗଳ୍ପରେ ଗାଳ୍ପିକ ଶ୍ରମଜୀବୀ ମଣିଷର ବିପର୍ଯ୍ୟସ୍ତ ଜୀବନର ଚିତ୍ରକୁ ଦେଖାଇ ଦେଇଛନ୍ତି । ଏହି ଦୃଷ୍ଟିରୁ ‘ହାତୁଡ଼ି ଓ ଦା’ ଗଳ୍ପ ଭିନ୍ନ ସ୍ୱାଦର । ଜମିଦାର ପୁଅ ଖଜଣା ଆଦାୟ କରିବାକୁ ଆସି କୁଲି ସୁଦାମାକୁ ଯେତେବେଳେ କହୁଛି, ‘ଖଜଣା ଦେଇ ନ ପାରିବୁ ତ ତୋ ଭାରିଜାକୁ ଦେ’, ହଠାତ୍ ସୁଦାମ କ’ଣ ଗୋଟେ କରିବାକୁ ଯାଉଥିଲା; ହାକିମ, ପୁଲିସ୍‌, ଆଇନ୍‌କାନୁନ୍ ଆଦି ସବୁ ଜଗି ରହିଥିବାରୁ ସେ ଥମିଯାଇଛି । କିନ୍ତୁ ତା’ ଅନ୍ତରରେ ବିଦ୍ରୋହ ଭାବ ସୃଷ୍ଟି ହୋଇଛି । ତା’ ସ୍ତ୍ରୀ ଘରଛାଡ଼ି ଚାଲିଯାଇଛି ବୋଲି ଶୁଣିବାରୁ ତା’ ମନରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହୋଇଛି, ତାହା କେବଳ ସୁଦାମର ନୁହେଁ ଶହଶହ ଖଟିଖିଆ ମଣିଷର । ‘ମୀମାଂସା’ ଗଳ୍ପରେ ସାମ୍ୟବାଦୀ ଦର୍ଶନର ପ୍ରତିଫଳନକୁ ଲକ୍ଷ୍ୟ କରାଯାଇପାରେ ।

ଭଗବତୀଚରଣ ତାଙ୍କର ବିଭିନ୍ନ ପ୍ରବନ୍ଧ ଏବଂ ‘ଆଧୁନିକ’ ପତ୍ରିକାର ବିଭିନ୍ନ ସଂଖ୍ୟାରେ ଯେଉଁ ମତାମତ ପ୍ରଦାନ କରିଛନ୍ତି, ତାହା ମାର୍କସ୍‌ବାଦୀ ଦର୍ଶନର ପ୍ରତିଫଳନ ବିନା ଅନ୍ୟ କିଛି ନୁହେଁ । ଓଡ଼ିଆ ସାହିତ୍ୟରେ ଏହି ସାମ୍ୟବାଦୀ ଦର୍ଶନର ମଞ୍ଜିକୁ ପ୍ରଥମେ ପ୍ରୋଥିତ କରିଛନ୍ତି ଭଗବତୀଚରଣ । ଅନ୍ୟ ଭାବରେ କହିଲେ ଗୋଟିଏ ନୂଆ ଧାରା ଯାହା ବିଶ୍ୱରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ସୃଷ୍ଟିରେ ସହାୟତା କରିଥିଲା, ଓଡ଼ିଶାର ସାମାଜିକ ଜୀବନ ତଥା ସାହିତ୍ୟରେ ତା’ର ସଫଳ ପ୍ରୟୋଗ କରି ସେ ଯେଉଁ ନୂତନ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି, ବାସ୍ତବରେ ତାହା ଅନନ୍ୟ । ଏହିପରି ଏକ ସ୍ରଷ୍ଟାଙ୍କର ତିରୋଧାନ ଘଟିଥିଲା ୧୯୪୩ ମସିହା ଅକ୍ଟୋବର ମାସ ୨୩ ତାରିଖରେ ।

Shikar

Shikar
Bhagabati Charan Panigrahi

ଓଡ଼ିଶାରେ ସାମ୍ୟବାଦୀ ଦର୍ଶନର ପ୍ରଚାରକ ଭଗବତୀ ଚରଣ...

Hatudi O Daa

Hatudi O Daa
Bhagabati Charan Panigrahi

ମଣିଷର ଅସହାୟତାର ଫାଇଦା ନିଏ ଶୋଷକ ।...

Dokandar

Dokandar
Bhagabati Charan Panigrahi

ଜଣେ ମଦ୍ୟପର ନିଃସଙ୍ଗ ପୁଣି ସାଂସାରିକ କାହାଣୀ...

Samayatita

Samayatita
Bhagabati Charan Panigrahi

ଦୁଇଜଣ ତରୁଣ-ତରୁଣୀଙ୍କ ଆବେଗିକ ସମ୍ପର୍କ ଏବଂ ପରବର୍ତ୍ତୀ...

Jungli

Jungli
Bhagabati Charan Panigrahi

'ଜଙ୍ଗଲି' ଭଗବତୀ ଚରଣ ପାଣିଗ୍ରାହୀଙ୍କ ଏକ ଭିନ୍ନ...