ସାମନ୍ତବାଦର ବାହ୍ୟଖୋଳପା ଅନ୍ତରାଳରେ ନିଃସଂଗତାର କରୁଣ ଆଳାପ ସତେ ଯେପରି ଏହି ଆଭିଜାତ ମଣିଷର ନିର୍ଦ୍ଧାରିତ ଭାଗ୍ୟ । ମଧ୍ୟବିତ୍ତ ମଣିଷ କୌଣସି ପର୍ଯ୍ୟଟନସ୍ଥଳୀକୁ ଯିବାପୂର୍ବରୁ ମାପିଥାଏ ନିଜ ପକେଟର ଉଚ୍ଚତା । ସେଇଥିପାଇଁ ଗଳ୍ପନାୟକ ମସୌରିକୁ ଯାଇଛନ୍ତି ଅଦିନରେ । ଉପଭୋଗ କରିବେ ଅଦିନରେ ମସୌରିର ପ୍ରକୃତି, ବାଦଲର ନରମ ଆଲିଙ୍ଗନକୁ ନିଜର ସୀମିତ ଅର୍ଥର କଟକଣା ମଧ୍ୟରେ । ସେ ତ ସବୁଦିନ ଏମିତି ଅଦିନର ଅତିଥିଟିଏ । ଏଇଥିପାଇଁ ସବୁ ସଫଳତା ଗୋଟିଏ ମୁହୂର୍ତ୍ତରେ ଖସିଯାଏ ହାତରୁ । ଶୁଭା ସହିତ ସମ୍ପର୍କ ପୁଣି ସମ୍ପର୍କରେ ପୂର୍ଣ୍ଣଚ୍ଛେଦ – ଜୀବନକୁ ଠିକ୍ ଭାବରେ ମାପି ନପାରିବାର କାରଣରୁ । ଯେଉଁ ଶୁଭାର ବାପା ମହିମାଶଙ୍କର କମ୍ପିଟେଟିଭ୍ ଟେଷ୍ଟରେ ଖରାପ ନକରିବାକୁ ତାଗିଦ୍ କରୁଥିଲେ, ଶୁଭାର ବାକଦାନ ଉତ୍ସବରେ ପହଞ୍ଚିଥିବା ଗଳ୍ପନାୟକ ପାଇଁ ମହିମାଶଙ୍କରଙ୍କ ଦୃଷ୍ଟିରେ ସେ ଥିଲେ ଭାଗାବଣ୍ଡ ଓ ଶୁଭାର ଆନ୍ତରିକହୀନ ବକ୍ତବ୍ୟ ‘ତୁମେ ଅବେଳରେ ଆସିଲ- ଏ ଡେ ଟୁ ଲେଟ୍’ । ମସୌରିର ପ୍ରାକୃତିକତା ଭିତରେ ହଜିଯିବାର ପରିକଳ୍ପନାରେ ଅଦିନରେ ‘ହୋଟେଲ ଡ଼ାଫୋଡିଲ୍’ରେ ଅତିଥି ହେବାପରେ ପାଇଥିଲେ ଜୀବନର ନୂତନ ଅଭିଜ୍ଞତା । ସେଇଠି ନିର୍ଜନ ପରିବେଶରେ ଆବିଷ୍କାର କରିଥିବା ଦୁଇଟି କୋମଳ ମଣିଷ ବିନା ପାରିଶ୍ରମିକରେ ଅବଶିଷ୍ଟ ଜୀବନପାଇଁ ଖୋଜୁଥିଲେ ଆତ୍ମିୟତା ଓ ଆନ୍ତରିକତାର କେତୋଟି ମୁହୂର୍ତ୍ତ । ତେଣୁ ତ ବାରମ୍ବାର ଅନୁରୋଧ କରୁଥିଲେ ଗଳ୍ପନାୟକଙ୍କୁ ଆଉ କିଛିଦିନର ଅତିଥି ହେବା ପାଇଁ । ଗଳ୍ପନାୟକ କ’ଣ ସ୍ୱୀକାର କରିଥିଲେ ଆଉ କେତେଦିନର ଆତିଥ୍ୟର ଅନୁରୋଧ ? ଭାଗ୍ୟର କେଉଁ ବିଡମ୍ବନାର ଶିକାର ହୋଇଥିଲେ ବୃଦ୍ଧ ଓ ତାଙ୍କ କନ୍ୟା ? ଆଶା ଓ ଅଶ୍ରୁର ତୀବ୍ର ସଂଘାତରେ ତାଙ୍କର ଅପେକ୍ଷା କ’ଣ ପରିପୂର୍ଣ୍ଣତା ଲାଭ କରିପାରିଥିଲା ? ଆସନ୍ତୁ ଶୁଣିବା ଭାଗ୍ୟ ବିପର୍ଯ୍ୟୟର ଶିକାର ହୋଇଥିବା ସେହି ତିନିଜଣଙ୍କର କରୁଣ କାହାଣୀକୁ ‘ଅଦିନର ଅତିଥି’ ଗଳ୍ପରେ ।