N Aa

Fakirmohan Senapati

Fakirmohan Senapati
Fakir Mohan Senapati

Rebati

Rebati
Fakir Mohan Senapati

ରେବତୀ ଫକୀରମୋହନଙ୍କ ସାହିତ୍ୟିକ ଶିଳ୍ପ ଦୃଷ୍ଟିରୁ ପ୍ରଥମ...

Sabhya Jamidar

Sabhya Jamidar
Fakir Mohan Senapati

ପାଶ୍ଚାତ୍ୟ ଶିକ୍ଷାର ଏକ ନକାରାତ୍ମକ ଦିଗର ଚିତ୍ର...

Patent Medicine

Patent Medicine
Fakir Mohan Senapati

ଆଧୁନିକ ଶିକ୍ଷିତ ଯୁବକ ସୁରା ଓ ସାକୀ...

Dakamunsi

Dakamunsi
Fakir Mohan Senapati

ଇଂରାଜୀ ଶିକ୍ଷାର ଅନ୍ୟ ଏକ ନକାରାତ୍ମକ ପ୍ରତିକ୍ରିୟା...

Adharma Bitta

Adharma Bitta
Fakir Mohan Senapati

ଗ୍ରାମ୍ୟ ମହାଜନମାନଙ୍କର ଅମାନବିକତା, ଅର୍ଥଲାଳସା ସାଧାରଣ ମଣିଷଙ୍କ...

Birei Bishala

Birei Bishala
Fakir Mohan Senapati

ଊନ୍ନବିଂଶ ଶତାବ୍ଦୀ ଓଡ଼ିଶାରେ କନ୍ୟାସୁନା ପ୍ରଥାର ଯେଉଁ...

Dhulia Baba

Dhulia Baba
Fakir Mohan Senapati

ଊନବିଂଶ ଶତକର ଶେଷଭାଗ ବେଳକୁ ଭାରତରେ ଯେଉଁ...

Randipua Ananta

Randipua Ananta
Fakir Mohan Senapati

ମଣିଷର ତ୍ୟାଗ ଓ ଉତ୍ସର୍ଗୀକୃତ ଜୀବନ ତାକୁ...

Bagala Baguli

Bagala Baguli
Fakir Mohan Senapati

ମଣିଷର ଜୀବନ ସାର୍ଥକ ହୋଇଥାଏ ଯେଉଁଠି ପ୍ରେମ...

Garudi Mantra

Garudi Mantra
Fakir Mohan Senapati

ଉତ୍କଳର ବ୍ୟାସକବି ସ୍ଵର୍ଗତଃ ଫକୀରମୋହନ ସେନାପତି ଓଡିଆ...


13-Jan-1843 / 14-Jun-1918
Fakir Mohan Senapati

ଫକୀରମୋହନଙ୍କରଜନ୍ମ ୧୮୪୩ ମସିହା ଜାନୁଆରୀ ମାସରେ । ପିତାଙ୍କ ନାମ ଲକ୍ଷ୍ମଣ ଚରଣ ସେନାପତି ଓ ମାତା ତୁଳସୀ ଦେବୀ । ମାତ୍ର ୧୭ ମାସ ସମୟରେ ପିତା ଏବଂ ତା’ର ୩ ମାସପରେ ମାତାଙ୍କର ବିୟୋଗ ଦେଖିଥିଲେ ବ୍ରଜମୋହନ ଓରଫ ଫକୀରମୋହନ । ଶୈଶବ କାଳରେ ଅନାଥ ହେବା ଫକୀରମୋହନଙ୍କ ଜୀବନର ପରବର୍ତ୍ତୀ ଗତିଧାରାକୁ ଅନେକାଂଶରେ ନିୟନ୍ତ୍ରିତ କରିଥିଲା । ତାଙ୍କ ମାମୁଘର, ମଉସାଘର ଏବଂ ଆପଣାର ଘର ସମକାଳ ଦୃଷ୍ଟିରେ ବିତ୍ତଶାଳୀ ଥିଲେ ବି ତାଙ୍କୁ ସାରାଜୀବନ ସଂଘର୍ଷ କରିବାକୁ ପଡ଼ିଥିଲା । ମାମୁ ଓ ମଉସା ଘର ତାଙ୍କ ଦାୟିତ୍ୱ ଏଡ଼ାଇଯାଇଥିବା ବେଳେ ବଡ଼ବାପା ଓ ବଡ଼ମା’ଙ୍କ ପିଲାଙ୍କର ଥିଲେ ସେ ଅଦୃଶ୍ୟ ପ୍ରତିଦ୍ୱନ୍ଦୀ । ଜେଜେମା’କୁଚିଳା ଦେଈଙ୍କ ସ୍ନେହ ଓ ଅନ୍ଧ ଭଲପାଇବା ଫକୀରମୋହନଙ୍କ ଶୈଶବ ଓ କୈଶୋର ଜୀବନକୁ ଅର୍ଥବହ କରିଥିଲା । ପିଲାଦିନରୁ ଫକୀରମୋହନ ଥିଲେ ଚଞ୍ଚଳ, ପ୍ରତ୍ୟୁତ୍ପନ୍ନମତିସମ୍ପନ୍ନ। ତତ୍‌ସହିତ ନୂତନ ପଥ ଖୋଜିବାରେ ତାଙ୍କର ଆଗ୍ରହ ଥିଲା ଅପରିସୀମ । ବଡ଼ବାପା ପୁରୁଷୋତ୍ତମ ସେନାପତି ସ୍ୱଚ୍ଛଳ ଥିଲେ ବି ତାଙ୍କ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ନ ଥିଲେ । ଫଳରେ ଫକୀରମୋହନ ନିଜଚେଷ୍ଟାରେ ଶିକ୍ଷାଲାଭ କରିଥିଲେ ଓ ପାରିବାରିକ ବୃତ୍ତିରେ ନିୟୋଜିତ ହୋଇଥିଲେ । ଅପରପକ୍ଷରେ ପିଲାଦିନୁ ତାଙ୍କୁ ସ୍ୱାସ୍ଥ୍ୟ ସହିତ ସଂଘର୍ଷ କରିବାକୁ ପଡ଼ୁଥିଲା । ତେଣୁ ଖୁବ୍ ଛୋଟବେଳୁ ପ୍ରତିକୂଳ ପରିସ୍ଥିତିକୁ ସମ୍ମୁଖୀନ ହେବା ଓ ଆବଶ୍ୟକ ପଡ଼ିଲେ ଆତ୍ମରକ୍ଷା କରିବା; କିଛି ସମୟ ଶକ୍ତି ସଂଗ୍ରହ କରିବା ପରେ ପୁଣି ନୂତନ ପଥର ସନ୍ଧାନ କରିବା ଥିଲା ଫକୀରମୋହନଙ୍କ ଚାରିତ୍ରିକ ବୈଶିଷ୍ଟ୍ୟ । ତେଣୁ ଜୀବନରେ ସେ ବହୁ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଜାହାଜ ପ୍ରସ୍ତୁତ ଉପକରଣର ନିରୀକ୍ଷକ, ଲବଣ ପ୍ରୋକ୍ତାନିର ହିସାବରକ୍ଷକ, ସ୍କୁଲଶିକ୍ଷକ, କଚେରୀର ଅମଲା, ପୁସ୍ତକ ବ୍ୟବସାୟୀ, ପ୍ରେସ୍ ପ୍ରତିଷ୍ଠାତା ଓ ପରିଚାଳକ, ପାଠ୍ୟପୁସ୍ତକ ପ୍ରଣେତା, ସମ୍ବାଦ ଓ ସାହିତ୍ୟପତ୍ର ସମ୍ପାଦକ, ଜମିଦାରୀର ମାଲିକ, ବିଭିନ୍ନ ଗଡ଼ଜାତର ପ୍ରଶାସକ, ବୈଦ୍ୟ, ଚାଉଳ-କାଠାଦିର ବ୍ୟବସାୟୀ ଇତ୍ୟାଦି ବିଭିନ୍ନ ଭୂମିକାରେ କାର୍ଯ୍ୟ କରିଥିଲେ । ଫକୀରମୋହନଙ୍କ ବିଶେଷତ୍ୱ ହେଲା ଗୋଟିଏ ସମୟରେ ଏକାଧିକ କାର୍ଯ୍ୟକରିବା । ବହୁସମୟରେ ଏଥିରେ ସେ କୃତକାର୍ଯ୍ୟ ହେବାବେଳେ କେତେକ କ୍ଷେତ୍ରରେ ବିପଦର ବି ସମ୍ମୁଖୀନ ହୋଇ ନିନ୍ଦା-ଅପଯଶ ପାଇଛନ୍ତି ।

ବାସ୍ତବ ଜୀବନରେ ଏହି ସମସ୍ତ ଭୂମିକାରେ ଅବତୀର୍ଣ୍ଣ ହେଲେ ମଧ୍ୟ ଫକୀରମୋହନ ତରୁଣବୟସରୁ ନିଜଭାଷା ତଥା ମାଟିର ବିକାଶ କଥା ଚିନ୍ତାକରିଛନ୍ତି, ସ୍ୱପ୍ନ ଦେଖିଛନ୍ତି ଓ ତା’ର ସଫଳତା ପାଇଁ ଯୋଜନା ବି ପ୍ରସ୍ତୁତ କରିଛନ୍ତି । ଘରୋଇ ପରୀକ୍ଷାର୍ଥୀ ଭାବରେ ମିଡ଼ିଲ ଭର୍ଣ୍ଣାକୁଲାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେ ବାଲେଶ୍ୱରର ବିଭିନ୍ନ ସମସ୍ୟା ନେଇ ‘ସୋମପ୍ରକାଶ’ପରି ପ୍ରତିଷ୍ଠିତ ବଙ୍ଗଳା ପତ୍ରିକାକୁ ଚିଠି ଲେଖିଛନ୍ତି । ଜାହାଜାତି କାରବାର ଉଠିଯିବାରୁ, ଲବଣ ପ୍ରୋକ୍ତାନି ବନ୍ଦ ହୋଇଯିବାରୁ ଓ ବିଭିନ୍ନ ଜାତିର କୁଳବେଉସା କ୍ରମଶଃ ମରିମରି ଯାଉଥିବାରୁ ସେ ନିଜେ କେବଳ ଦୁଃଖିତ ହୋଇନାହାନ୍ତି, ସେହି ସବୁ ବ୍ୟବସାୟ ଓ କାର୍ଯ୍ୟସହିତ ସମ୍ପୃକ୍ତ  ମଣିଷମାନଙ୍କର ସମସ୍ୟାକୁ ବୃହତ୍ତର ଜନଗୋଷ୍ଠୀ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି । ଓଡ଼ିଆରେ ସେ ସମୟରେ ନିୟମିତ ପ୍ରକାଶିତ ସମ୍ବାଦପତ୍ର ନ ଥିବାରୁ ସେ ବଙ୍ଗଳା ସମ୍ବାଦପତ୍ରରେ ପ୍ରଥମେ ଆତ୍ମପ୍ରକାଶ କରିଥିଲେ । ସମକାଳରେ ଛାନ୍ଦ, ଚଉପଦୀ ଆଦି ରଚନାକରିବା ତାଙ୍କର ଏକ ବିଳାସ ଥିଲା । ଚାକିରିରେ ସ୍ଥିର ହେବାପରେ ସେ ଦେଶପାଇଁ କାର୍ଯ୍ୟକରିବାକୁ ଆଗେଇ ଆସିଛନ୍ତି । ତାଙ୍କରି ଉଦ୍ୟମରେ ସ୍ଥାପିତହୋଇଛି ପି.ଏମ୍‌.ସେନାପତି ଏଣ୍ଡ କୋ ଓ ଏହି କମ୍ପାନୀ ମାଧ୍ୟମରେ ସେ ପ୍ରତିଷ୍ଠା କରିଛନ୍ତି ଓଡ଼ିଶାର ତୃତୀୟ ମୁଦ୍ରଣ ଯନ୍ତ୍ର ‘ବାଲେଶ୍ୱର-ଉତ୍କଳପ୍ରେସ’। ଫକୀରମୋହନଙ୍କ ସମ୍ପାଦନାରେ ପ୍ରକାଶ ପାଇଛି ‘ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦବାହିକା’ମାସିକ ସମ୍ବାଦପତ୍ର । ବଙ୍ଗଳାରେ ଗଦ୍ୟ ଲେଖୁଥିବା ଫକୀରମୋହନ ଓଡ଼ିଆରେ ଗଦ୍ୟ ଲେଖିବାକୁ ଆରମ୍ଭ କରିଛନ୍ତି ।

୧୮୬୫-୬୮ ମସିହା ଉପକୂଳବର୍ତ୍ତୀ ଓଡ଼ିଶା ପାଇଁ ଥିଲା ସଙ୍କଟ, ସଂଘର୍ଷ ଓ ସମ୍ଭାବନାର ସମୟ । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କରିବା ପରେ ଓଡ଼ିଶାର ଅନେକ ଜମିଦାରୀ ବଙ୍ଗଳା ଅମଲା ଓ ବ୍ୟବସାୟୀମାନଙ୍କର ହସ୍ତଗତ ହୋଇଥିଲା । ଆଧୁନିକ ଶିକ୍ଷାଦୃଷ୍ଟିରୁ ବଙ୍ଗଳା ତୁଳନାରେ ଓଡ଼ିଶା ଥିଲା ଅନେକ ପଛରେ । ଓଡ଼ିଶାର ଉଚ୍ଚ ଓ ମଧ୍ୟବିତ୍ତତ୍ତ ସମ୍ପ୍ରଦାୟ ସେତେବେଳକୁ ଘୋର ସଙ୍କଟର   ସମ୍ମୁଖୀନ ହୋଇଥିଲା । ଭାଷା, ସାହିତ୍ୟ ଜନିତ ଆତ୍ମପରିଚିତି ହେଉଛି ମଧ୍ୟବିତ୍ତତ୍ତ ବର୍ଗର ଆତ୍ମପରିଚିତି । ସେହି ସମୟରେ ଓଡ଼ିଶାର ଅର୍ଥନୀତି କେବଳ ବିପର୍ଯ୍ୟସ୍ତ ହୋଇ ନ ଥିଲା, ତା’ର ଭାଷା, ସାହିତ୍ୟ ଓ ସଂସ୍କୃତି ମଧ୍ୟ ନିଜ ପରିଚିତି ହରାଇବାକୁ ଆରମ୍ଭ କରିଥିଲା । ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ଏହି ସଙ୍କଟକୁ କରିଥିଲା ଅଧିକ ମର୍ମାନ୍ତିକ । ସମକାଳରେ ଓଡ଼ିଶା ମାଟିରେ ବହୁଦିନରୁ ବାସକରୁଥିବା କିଛି ବଙ୍ଗାଳୀ ମଧ୍ୟବିତ୍ତ ଓ ଜମିଦାର, ଆଧୁନିକ ଶିକ୍ଷାରେ ଶିକ୍ଷିତ ଅଳ୍ପ କେତେଜଣ ଓଡ଼ିଆ ଓ ଓଡ଼ିଶା ଗଡ଼ଜାତର କେତେଜଣ ରାଜା ଏହି ସଙ୍କଟରୁ ଉଦ୍ଧାର ପାଇଁ ମିଳିତ ଉଦ୍ୟମରେ ସଂଘର୍ଷ ଜାରିରଖିଥିଲେ । କଟକରେ ‘କଟକ ପ୍ରିଣ୍ଟିଂ କମ୍ପାନୀ ’ ସ୍ଥାପନ, ‘ଉତ୍କଳ ଦୀପିକା’ ପ୍ରକାଶନ, ଓଡ଼ିଆ ପ୍ରାଚୀନ ସାହିତ୍ୟର ପୁନରୁଦ୍ଧାର ଓ ପାଠ୍ୟପୁସ୍ତକ ପ୍ରଣୟନ ଥିଲା ଏହି ସଂଘର୍ଷର ଗୋଟିଏ ଗୋଟିଏ ସ୍ତର । ବାଲେଶ୍ୱରରେ ଏହି ସଂଘର୍ଷର ଅଗ୍ରନାୟକ ଥିଲେ ଫକୀରମୋହନ । ନିଜର ସୀମାବଦ୍ଧତା ସମ୍ପର୍କରେ ସଚେତନ ଥାଇବି ପାଠ୍ୟପୁସ୍ତକ ପ୍ରଣୟନରେ ସେ ହାତ ଦେଇଥିଲେ । ‘ଜୀବନ ଚରିତ’, ‘ଉତ୍କଳ ସରଳ ବ୍ୟାକରଣ’ ପୁସ୍ତକ କଲିକତାରେ ସେ ମୁଦ୍ରଣ କରିଥିଲେ । ପ୍ରାଚୀନ ସାହିତ୍ୟର ପୁନରୁଦ୍ଧାର ପାଇଁ ଦାମୋଦର ଦାସ ପ୍ରମୁଖଙ୍କ ସହଯୋଗରେ ଗଢ଼ିଥିଲେ ଡି.ପି.ଦାସ ଏଣ୍ଡ କୋ । ଅଳ୍ପଦିନ ପରେ ଫକୀରମୋହନ ଅନୁଭବ କରିଥିଲେ ଯେ, କେବଳ ଘଟକର ଭୂମିକା ନେଲେ ଚଳିବ ନାହିଁ, ତାଙ୍କୁ ସେନାପତିର ଭୂମିକା ନେବାକୁ ପଡ଼ିବ । ତେଣୁ ଅଳ୍ପଦିନ ମଧ୍ୟରେ ମନସ୍ଥିର କରି ସେ ପ୍ରେସ୍‌ସ୍ଥାପନ ଓ ସମ୍ବାଦପତ୍ର ପରିଚାଳନାର ନେତୃତ୍ୱ ନେଇଥିଲେ । ସମକାଳରେ ଆଉ ଦୁଇଟି ଘଟଣାର ସେ ଥିଲେ ମୁଖ୍ୟବିନ୍ଧାଣୀ । ତାହାହେଉଛି - ବାଲେଶ୍ୱରରେ ଏକ ବାଳିକା ବିଦ୍ୟାଳୟ ସ୍ଥାପନ ଓ ସିଲେଇକଳ ପ୍ରତିଷ୍ଠା । ବାଲେଶ୍ୱର ବାଳିକା ବିଦ୍ୟାଳୟର ପ୍ରଥମ ଛାତ୍ରୀ ଥିଲେ ତାଙ୍କ ବଡ଼ଝିଅ ମହିଳାମଣି । ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଯେପରି ବିଧବା ବିବାହ କେବଳ ପ୍ରଚଳନ କରି ନ ଥିଲେ, ନିଜ ପୁଅକୁ ଜଣେ ବିଧବା ସହିତ ବିବାହ ଦେଇଥିଲେ; ଅନୁରୂପ ଆଦର୍ଶ ଗ୍ରହଣ କରିଥିଲେ ଫକୀରମୋହନ । ପାଠ୍ୟପୁସ୍ତକ ପ୍ରଣୟନ ଆଦି କ୍ଷେତ୍ରରେ ଈଶ୍ୱରଚନ୍ଦ୍ର ମଧ୍ୟ ଥିଲେ ଫକୀରମୋହନଙ୍କ ଆଦର୍ଶ । ସମ୍ବାଦପତ୍ର ସମ୍ପାଦନା ସହିତ ଇତିହାସ, ଅଙ୍କ ସମ୍ପର୍କିତ ପାଠ୍ୟପୁସ୍ତକ ଫକୀରମୋହନ ଲେଖିଥିଲେ । ପ୍ରାଚୀନ ଧରଣର କବିତା ଲେଖୁଥିବା ଓ ବଙ୍ଗଳାଭାଷାରେ ଗଦ୍ୟ ରଚନା କରୁଥିବା ଫକୀରମୋହନ ୧୮୬୬ ପରେ ଆଧୁନିକ କବିତା ଏବଂ ଗଦ୍ୟ ରଚନା କ୍ଷେତ୍ରରେ ନିଜ ଅଲକ୍ଷ୍ୟରେ ପ୍ରବେଶ କରିଯାଇଛନ୍ତି ଏବଂ ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଆଧୁନିକ ସମ୍ବାଦପତ୍ର ମାଧ୍ୟମରେ ଓଡି଼ଆ ସାହିତ୍ୟରେ ନୂଆନୂଆ ପ୍ରାରୂପ ଆତ୍ମପ୍ରକାଶ କରିଥିଲା । ସମ୍ବାଦପତ୍ରର ସମ୍ପାଦକମାନେ କେତେବେଳେ ପ୍ରତ୍ୟକ୍ଷରେ ଆଧୁନିକ ସାହିତ୍ୟରଏହି ପ୍ରାରୂପ ଗୁଡ଼ିକର ସୃଷ୍ଟି ଓ ବିକାଶରେ ଅଂଶଗ୍ରହଣ କରିଥିବାବେଳେ ଅନ୍ୟ କେତେବେଳେ ସହଯୋଗୀର ଭୂମିକା ଗ୍ରହଣ କରିଥିଲେ । ଫକୀରମୋହନ ଜଣେ ସାହିତ୍ୟ ଓ ସମ୍ବାଦପତ୍ରର ସମ୍ପାଦକ ଭାବରେ ଉଭୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ପ୍ରବନ୍ଧ, ରମ୍ୟରଚନା, ଗଳ୍ପ, କବିତା ଓ ନୂଆ ଧରଣର ଅନୁବାଦ ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦବାହିକା ପୃଷ୍ଠାରେ ଆତ୍ମପ୍ରକାଶ କରିଥିଲା । ୧୮୭୩ ମସିହାରେ ଫକୀରମୋହନଙ୍କ ପରିଚାଳିତ କମ୍ପାନୀ ଭାଙ୍ଗିଯିବା ପରେ ବାଲେଶ୍ୱର ସମ୍ବାଦବାହିକାର ରୂପ ପରିବର୍ତ୍ତନ ଘଟିଛି ଓ ତା’ର ସମ୍ପାଦକ ହୋଇଛନ୍ତି ଫକୀରମୋହନଙ୍କ ଅଭିନ୍ନ ହୃଦୟ ବନ୍ଧୁ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ । ପରବର୍ତ୍ତୀ କାଳର ସମ୍ବାଦବାହିକାରେ ମଧ୍ୟ ଫକୀରମୋହନ ଅବସର ସମୟରେ ଲେଖିଛନ୍ତି । ତେଣୁ ଆଧୁନିକ ଓଡ଼ିଆ ଗଳ୍ପ, ଭ୍ରମଣକାହାଣୀ, ରମ୍ୟରଚନା, କବିତା ଆଦି ବହୁ ପ୍ରାରୂପର ସେ ହେଉଛନ୍ତି ଆଦିସ୍ରଷ୍ଟା । ଏ ସବୁ ଲେଖକ ଫକୀରମୋହନ ପରବର୍ତ୍ତୀକାଳରେ କଥା ସମ୍ରାଟର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ୧୮୭୮ ମସିହା ବେଳକୁ ଫକୀରମୋହନ ପାରିବାରିକ ଜୀବନରେ ଦୁର୍ଯ୍ୟୋଗର ସମ୍ମୁଖୀନ ହୋଇଛନ୍ତି । ଢେଙ୍କାନାଳରେ ଆସିଷ୍ଟାଣ୍ଟ ମ୍ୟାନେଜର ଥିବା ବେଳେ ତାଙ୍କ ପ୍ରଥମପୁତ୍ର ମନମୋହନ ଜନ୍ମର ଛଅମାସ ପରେ ସାମାନ୍ୟ ରୋଗରେ ପୀଡ଼ିତ ହୋଇ ଇହଧାମ ତ୍ୟାଗ କରିଛି । ଦ୍ୱିତୀୟ ପତ୍ନୀ କୃଷ୍ଣକୁମାରୀ ପୁତ୍ର ବିଚ୍ଛେଦରେ ପାଗଳିନୀ ପ୍ରାୟ ହୋଇ ଶଯ୍ୟାଗତା ହୋଇଛନ୍ତି । ପତ୍ନୀଙ୍କୁ ସାନ୍ତ୍ୱନା ଦେବା ପାଇଁ ପ୍ରଚଳିତ ଦାଣ୍ଡିରାମାୟଣ ପାରାୟଣରେ ବିଫଳ ହେବାପରେ ନିଜେ ରାମାୟଣର ଅନୁବାଦ କରି ପାଠକରିଛନ୍ତି ଫକୀରମୋହନ । ତାହାଶୁଣି କୃଷ୍ଣକୁମାରୀ କ୍ରମଶଃ ସ୍ୱାଭାବିକ ହୋଇଛନ୍ତି । ରାମାୟଣ ବାଳକାଣ୍ଡ ଓ ଅଯୋଧ୍ୟାକାଣ୍ଡ ୧୮୭୯ ରୁ ୧୮୮୧ ମସିହା ମଧ୍ୟରେ ନିଜ ଖର୍ଚ୍ଚରେ ଛପାଇ ସେ ବିନାମୂଲ୍ୟରେ ବିତରଣ କରିଛନ୍ତି । ରାମାୟଣ ପରେ ମହାଭାରତ ଓ ହରିବଂଶକୁ ଓଡ଼ିଆରେ ଅନୁବାଦ କରିଛନ୍ତି ସେ । ଏହି ବିପୁଳ କୀର୍ତ୍ତି ତାଙ୍କୁ ଦେଇଛି ‘ବ୍ୟାସକବି’ର ସମ୍ମାନ । ୧୮୯୧ ମସିହା ବେଳକୁ ସେ କବିତା ଓ ଖଣ୍ଡକାବ୍ୟ ରଚନା କ୍ଷେତ୍ରରେ ପ୍ରବେଶ କରିଛନ୍ତି । ‘ପୁଷ୍ପମାଳା’ରେ ସଂକଳିତ କବିତାବଳୀ, ‘ଉତ୍କଳଭ୍ରମଣଂ’ ଖଣ୍ଡକାବ୍ୟ ଏହାରହୋଇଛି ଦୃଷ୍ଟାନ୍ତ । ୧୮୯୪ ମସିହାରେ ସେ ପୁଣି ଏକ ଦୁର୍ଯ୍ୟୋଗର ଶିକାର ହୋଇଛନ୍ତି । ମାତ୍ର ୩୪ ବର୍ଷ ବୟସରେ ତାଙ୍କର ଦ୍ୱିତୀୟ ପତ୍ନୀ କୃଷ୍ଣକୁମାରୀଙ୍କର ବିୟୋଗ ଘଟିଛି । ପତ୍ନୀବିୟୋଗ ଫକୀରମୋହନଙ୍କ ପାରିବାରିକ ଜୀବନକୁ କେବଳ ସମସ୍ୟାସଂକୁଳ କରିନାହିଁ; ତାଙ୍କ ହୃଦୟକୁ କରିଛି ବିକ୍ଷୁବ୍‌ଧ । ସେହି ହୃଦୟାବେଗର ଚିତ୍ର ‘ପୁଷ୍ପମାଳା’ କବିତାସଂଗ୍ରହର ଦୀର୍ଘ ଭୂମିକା ଓ ‘ଉପହାର’ କବିତା ସଂକଳନର ଅନେକ କବିତାରେ ଅଭିବ୍ୟକ୍ତ । ‘ପ୍ରାର୍ଥନା’ କବିତା ପୁସ୍ତିକା, ‘ପୁଷ୍ପମାଳା’, ‘ଉପହାର’ କବିତାସଂଗ୍ରହ ତାଙ୍କୁ ଦେଇଛି କବିର ପ୍ରତିଷ୍ଠା । ୧୮୯୫ ପରେ ଲିଖିତ କବିତାକୁ ସେ ‘ଅବସରବାସରେ’, ‘ପୂଜାଫୁଲ’ ଓ ‘ଧୂଳି’ ଶୀର୍ଷକରେ ୩ଟି କବିତା ସଂକଳନ ପ୍ରକାଶ କରିଛନ୍ତି । ତାଙ୍କର ସଂକଳିତ ହୋଇ ନ ଥିବା କବିତାର ସଂଖ୍ୟା ୭୦ରୁ ଅଧିକ । ଏହା ସହିତ ‘ବୌଦ୍ଧାବତାର କାବ୍ୟ’ ପରି ଏକ ଦୀର୍ଘ ଚରିତ ମୂଳକକାବ୍ୟ ମଧ୍ୟ ରଚନା କରିଛନ୍ତି । କେବଳସଂଖ୍ୟା ଦୃଷ୍ଟିରୁ ନୁହେଁ, ତାଙ୍କ କବିତାର ବିଷୟ ପରିଧି ମଧ୍ୟ ବହୁବିଧ । ବ୍ୟକ୍ତିଗତ ଜୀବନକୁ ନେଇ କବିତା ରଚନା କ୍ଷେତ୍ରରେ ଓଡ଼ିଆ ସାହିତ୍ୟରେ ସେ ମାର୍ଗ ନିର୍ଦ୍ଦେଶକ । ସେହିପରି ତାଙ୍କ ପୂର୍ବରୁ ଖଣ୍ଡକାବ୍ୟ ରଚନା କରିବାର ପରଂପରା ଥିଲେ ମଧ୍ୟ ‘ଉତ୍କଳଭ୍ରମଣଂ’ରେ ସେ ଲୋକପ୍ରିୟତା ଓ ସିଦ୍ଧିର ଶୀର୍ଷତର ସ୍ପର୍ଶ କରିଛନ୍ତି । କୃଷକର ସମସ୍ୟାଠାରୁ ଆରମ୍ଭ କରି ଦଳିତସମସ୍ୟା ପର୍ଯ୍ୟନ୍ତ ସମକାଳର ବହୁ ସମସ୍ୟାକୁ ଫକୀରମୋହନ କବିତାରେ ରୂପାୟିତ କରିଛନ୍ତି । ଗଭୀର ଈଶ୍ୱରବିଶ୍ୱାସ, ପ୍ରକୃତିପ୍ରେମ, ନାରୀ, ଦଳିତ, ବିଧବା ଆଦି ବଞ୍ଚିତଶ୍ରେଣୀ ସହ ସମାନୁଭୂତି କବିତାଗୁଡ଼ିକରେ ଲିପିବଦ୍ଧ । ମାତୃଭୂମି ଓ ମାତୃଭାଷାକୁ ଭଲ ପାଇବାର ସ୍ୱାକ୍ଷର ତଥା ଶିଶୁମନସ୍ତତ୍ତ୍ୱକୁ ନେଇ କବିତା ରଚନା ତାଙ୍କ କବିତା ରାଜ୍ୟକୁ କରିଛି ବିଚିତ୍ରବର୍ଣ୍ଣା ।

୧୮୯୭ ମସିହା ଜାନୁଆରୀରୁ ବିଶ୍ୱନାଥ କରଙ୍କ ସମ୍ପାଦନାରେ ପ୍ରକାଶ ପାଇଥିଲା ‘ଉତ୍କଳସାହିତ୍ୟ’ ମାସିକ ପତ୍ରିକା । ରାଧାନାଥ, ମଧୁସୂଦନ, ଚନ୍ଦ୍ରମୋହନ ମହାରଣା, କୃଷ୍ଣପ୍ରସାଦ ଚୌଧୁରୀଙ୍କ ସହିତ ଫକୀରମୋହନ ଥିଲେ ଏହି ପତ୍ରିକା ପ୍ରକାଶନର ଅନ୍ୟତମ ଉଦ୍ୟୋକ୍ତା । ସେତେବେଳକୁ ଫକୀରମୋହନଙ୍କ ବୃତ୍ତିଗତ ଜୀବନ ପ୍ରାୟତଃ ଶେଷ ହୋଇଆସୁଥିଲା । ତେଣୁ ଆପେକ୍ଷିକ ଭାବରେ ବିଷୟ ଜଞ୍ଜାଳରୁ ସେ ଦୂରରେ ଥିଲେ । ଏହି ଅବକାଶକୁ ସେ ବିନିଯୋଗ କରିଥିଲେ ସାହିତ୍ୟ ରଚନାରେ । ଅନୁବାଦ, କବିତା ଓ ସାମୟିକ ଗଦ୍ୟ ରଚନା ସହିତ ସେ ଉପନ୍ୟାସ ରଚନାରେ ମନୋନିବେଶ କରିଥିଲେ ଓ ୧୮୯୭ ସାଲ ଅକ୍ଟୋବର ‘ଉତ୍କଳସାହିତ୍ୟ’ ପୃଷ୍ଠାରେ କ୍ରମଶଃ ପ୍ରକାଶିତ ହେଲା ‘ଛ’ମାଣ ଆଠଗୁଣ୍ଠ’ ଉପନ୍ୟାସ । ଏହି ଉପନ୍ୟାସଟି ଫକୀରମୋହନଙ୍କ ଦୀର୍ଘସାହିତ୍ୟିକ ଜୀବନର କ୍ରମପରିଣତି କେବଳ ନଥିଲା, ସେ ସମସ୍ତର ଥିଲା ଏକ ସଂଶ୍ଳେଷ । ଓଡ଼ିଆ ସାହିତ୍ୟରେ ପ୍ରତିଷ୍ଠା କରିଥିଲା ନୂତନ ଚିନ୍ତା, ଭାବନା, ଅଭିବ୍ୟକ୍ତିର ଏକ ନୂତନ ଯୁଗ । ‘ଛ’ମାଣ ଆଠଗୁଣ୍ଠ’ ପରେ ସେ ଲେଖିଥିଲେ ‘ଅପୂର୍ବମିଳନ’ ଉପନ୍ୟାସ । ଏହି ଯୁଗାନ୍ତକାରୀ ସୃଷ୍ଟି ଯେଭଳି ସମକାଳକୁ ହତବାକ୍ କରିଦିଏ , ‘ଛ’ମାଣ ଆଠଗୁଣ୍ଠ’ ତାହା ହିଁ କରିଥିଲା । ସମକାଳର ଦୃଷ୍ଟିଭଙ୍ଗୀ ଓ ଅନ୍ୟାନ୍ୟ ବାଧ୍ୟବାଧକତା ଫକୀରମୋହନଙ୍କୁ ଉପନ୍ୟାସଠାରୁ କିଛିକାଳ ଦୂରେଇ ନେଇଥିଲା । ୧୯୧୧ ମସିହାରେ ଦୁଇବର୍ଷର ଅସୁସ୍ଥତା ପରେ ସେ ସୁସ୍ଥ ହୋଇଛନ୍ତି ଓ ଲେଖିଛନ୍ତି ତାଙ୍କର ଦୀର୍ଘ ଉପନ୍ୟାସ ‘ମାମୁ’ । ୧୯୧୩ ମସିହାରେ ପୁସ୍ତକାରରେ ତାହା ପ୍ରକାଶ ପାଇଛି ଏବଂ ପୂର୍ବରୁ ଲିଖିତ ‘ଅପୂର୍ବମିଳନ’ ଏକ ନୂତନ ଶୀର୍ଷକ ‘ଲଛମା’ ଶିରୋନାମାରେ ପ୍ରକାଶିତ ହୋଇଛି । ‘ମାମୁ’ ଉପନ୍ୟାସର ପ୍ରସିଦ୍ଧି ଓ ଗ୍ରହଣ ଯୋଗ୍ୟତା ତାଙ୍କୁ ଆଉ ଗୋଟିଏ ଉପନ୍ୟାସ ଲେଖିବାକୁ ପ୍ରଲୁବ୍‌ଧ କରିଛି ଓ ‘ପ୍ରାୟଶ୍ଚିତ୍ତ’ ଶୀର୍ଷକରେ ତାହା ୧୯୧୫ ମସିହାରେ ପ୍ରକାଶ ପାଇଛି । ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ସଂଖ୍ୟାରେ ଓ କଳେବରରେ ବୃହତ୍ ନ ହେଲେ ବି ତାହା ଏକ ଦୀର୍ଘ ସମୟ ଓଡ଼ିଶାର ସାମାଜିକ ଚିତ୍ରକୁ କଥାରୂପ ଦେଇଛି । ‘ଲଛମା’ ଉପନ୍ୟାସରେ ୧୭୪୦-୫୦, ‘ଛ’ମାଣ ଆଠଗୁଣ୍ଠ’ରେ ୧୮୩୫-୪୦, ‘ମାମୁ’ ଉପନ୍ୟାସରେ ୧୮୪୫-୭୫ ଓ ‘ପ୍ରାୟଶ୍ଚିତ’ ଉପନ୍ୟାସରେ ୧୯୦୦-୧୯୧୦ କାଳଖଣ୍ଡର ଚିତ୍ର ପ୍ରଦର୍ଶିତ । ତାଙ୍କ ଉପନ୍ୟାସଗୁଡ଼ିକୁ ଘଟଣାବହୁଳ ଉପନ୍ୟାସ ତ କୁହାଯାଇପାରିବ ନାହିଁ; ବାହାରକୁ ମନେ ହେଉଥିଲେ ବି ଚରିତ୍ର ଉପସ୍ଥାପନ ତା’ର ମୂଳଲକ୍ଷ୍ୟ ନୁହେଁ । ପ୍ରତ୍ୟେକ ଉପନ୍ୟାସ କେନ୍ଦ୍ରରେ ରହିଛି ଏକ ସମସ୍ୟା । ସେ ସମସ୍ୟା ସାମାଜିକ ଏବଂ ଅନେକ ସମୟରେ ତାହାର ପରିଣତି ଧ୍ୱଂସାତ୍ମକ । ଏହି ଧ୍ୱଂସାତ୍ମକ ପରିଣତି ପାଇଁ ବୃହତ୍ତର ସମାଜ, ତା’ର ବ୍ୟବସ୍ଥା ଓ ବ୍ୟବସ୍ଥାର କେନ୍ଦ୍ରସ୍ଥଳ ଅଧିକାର କରିଥିବା ମଣିଷମାନେ ହିଁ ଦାୟୀ । ବାହାରକୁ ସରଳ ମନେ ହେଲେହେଁ ଫକୀରମୋହନଙ୍କ ଉପନ୍ୟାସର କାହାଣୀ ଜଟିଳ ଓ ତା’ର ଭାଷା ବ୍ୟଞ୍ଜନାତ୍ମକ । ଫଳରେ ଦୀର୍ଘଏକଶତବର୍ଷ ଅତିକ୍ରମ କରିଥିଲେ ହେଁ ସେଗୁଡ଼ିକ ଏବେ ମଧ୍ୟ ତା’ର ସମକାଳୀନତା ହରାଇ ନାହିଁ ।

ଉପନ୍ୟାସ ସହିତ ଜୀବନର ଉତ୍ତରପର୍ବରେ ଫକୀରମୋହନ କ୍ଷୁଦ୍ରଗଳ୍ପ ରଚନାରେ ହାତ ଦେଇଛନ୍ତି । ତାଙ୍କର ‘ଆତ୍ମଚରିତ’ ଉକ୍ତିକୁ ଯଦି ବିଶ୍ୱାସ କରାଯାଏ, ‘ଲଛମନିଆ’ ତାଙ୍କର ପ୍ରଥମ ଗଳ୍ପ । ସେ ଗଳ୍ପରଚନାରେ ହାତଦେବା ବେଳକୁ କ୍ଷୁଦ୍ରଗଳ୍ପ ନାମକ ସାହିତ୍ୟର ଏକ ପ୍ରାରୂପ ନିର୍ଦ୍ଦିଷ୍ଟରୂପ ଲାଭକରି ନ ଥିଲା । କେତେବେଳେ ତାହା କାହାଣୀ ତ ଅନ୍ୟ କେତେବେଳେ ତାକୁ କୁହାଯାଉଥିଲା କେବଳ ଗଳ୍ପ । ଉପନ୍ୟାସ ଓ ନଭେଲାଠାରୁ ତା’ର ସ୍ୱାତନ୍ତ୍ର କେଉଁଠି, ତାହା ମଧ୍ୟ ସ୍ପଷ୍ଟ ହୋଇ ନ ଥିଲା । ଫକୀରମୋହନ ଓଡ଼ିଆଗଳ୍ପକୁ କାହାଣୀ, ଆଖ୍ୟାନ, ଚୂର୍ଣ୍ଣକ, ମଧ୍ୟଦେଇ ସାର୍ଥକ କ୍ଷୁଦ୍ରଗଳ୍ପ ସ୍ତରରେ ପହଞ୍ଚାଇଛନ୍ତି । ‘ଠକ ଅବଧାନ ବୃତ୍ତାନ୍ତ’ଠାରୁ ‘ରେବତୀ’ ପର୍ଯ୍ୟନ୍ତ ଦୀର୍ଘ ୩୦ ବର୍ଷ ମଧ୍ୟରେ ଗଳ୍ପ ରଚନା ପାଇଁ ନିଜକୁ ଯେପରି ପ୍ରସ୍ତୁତ କରିଥିଲେ, ତା’ର ପରିଣତରୂପ ହେଉଛି ‘ରେବତୀ’ । ‘ରେବତୀ’ ପରେ ଫକୀରମୋହନ ଆହୁରି ୧୯/୨୦ଟି ଗଳ୍ପ ଲେଖିଛନ୍ତି । ତାଙ୍କ ଗଳ୍ପଗୁଡ଼ିକ କେତେବେଳେ ଆତ୍ମଜୀବନୀ ମୂଳକ ହେବାବେଳେ ଅନ୍ୟ କେତେବେଳେ ସମସ୍ୟାମୂଳକ । ତାଙ୍କ ଅନେକ ଗଳ୍ପର ଆବେଦନ ଗଳ୍ପର ପରିସମାପ୍ତିରେ ଥାଏ । ପାଠକକୁ ଚିହ୍ନାବାଟରେ ଚଲଉ ଚଲଉ ତାକୁ ଏପରି ଏକ ପରିଣତିରେ ନେଇ ଉପସ୍ଥିତ କରାନ୍ତି, ଯେଉଁଠି ସେ ଜଟିଳ ଆତ୍ମଦ୍ୱନ୍ଦ୍ୱର ସମ୍ମୁଖୀନ ହୁଏ ଏବଂ ତାହା ପାଠକର କଳ୍ପନା, ସିଦ୍ଧାନ୍ତ ଓ ବିଶ୍ୱାସକୁ ଏକ ଆହ୍ୱାନର ସମ୍ମୁଖୀନ କରାଏ । ରେବତୀ, ରାଣ୍ଡିପୁଅ ଅନନ୍ତା, ପେଟେଣ୍ଟ ମେଡ଼ିସିନି୍ ଆଦି ଗଳ୍ପ ସେଥିପାଇଁ ଏଯାବତ୍‌ କାଳଜୟୀ ହୋଇରହିଛି । ଫକୀରମୋହନଙ୍କ କଥାସାହିତ୍ୟର ତାତ୍ପର୍ଯ୍ୟ ଅନେକ ସମୟରେ କାହଣୀରେ ନଥାଏ, ଥାଏ ଆମ ଗୋଷ୍ଠୀଗତ ଅବଚେତନରେ । ଆମ ପରିଚିତି ମିଥ୍‌ସବୁକୁ ଆମ ସାମାଜିକ ଜୀବନ ଭିତରେ ଦେଇ ସେ ପୁନଃନିର୍ମାଣ କରିଛନ୍ତି ।

ଫକୀରମୋହନ ଜୀବନରେ ବହୁବିଧ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇ ଥିଲେ ବି ଓଡ଼ିଆ ଜାତୀୟ ଜୀବନର ବିକାଶ ଥିଲା ତାଙ୍କର ଧ୍ୟେୟ । ପ୍ରେସ୍‌ସ୍ଥାପନ ଠାରୁ କଥାସାହିତ୍ୟ ରଚନା ପର୍ଯ୍ୟନ୍ତ ଥିଲା ସେହି ଓଡ଼ିଆ ଜାତିପ୍ରେମର ଗୋଟିଏ ଗୋଟିଏ ଦିଗ । ତାଙ୍କ ଉଦ୍ୟମ ଓ ସହଯୋଗରେ ବାଲେଶ୍ୱରରେ ପ୍ରତିଷ୍ଠିତ ହୋଇଥିଲା ‘National Society’ ଓ କଟକରେ ‘ଉତ୍କଳ ସାହିତ୍ୟ ସମାଜ’ । ‘ଉତ୍କଳ ସମ୍ମିଳନୀ’ ପ୍ରତିଷ୍ଠାମୁହୂର୍ତ୍ତରେ ସେ ତା’ସହିତ ସମ୍ପୃକ୍ତ ରହିଥିଲେ ।

ଫକୀରମୋହନ କେବଳ ସାହିତ୍ୟିକ ନ ଥିଲେ, ଥିଲେ ପ୍ରକୃତ କର୍ମୀଟିଏ । ଦେହାନ୍ତ ବେଳକୁ ସେ ଉଭୟ ‘ଉତ୍କଳ ସାହିତ୍ୟ ସମାଜ’ ଓ ‘ଉତ୍କଳ ସମ୍ମିଳନୀ’ର ଥିଲେ ସଭାପତି । ଜୀବନର ଶେଷ ପର୍ଯ୍ୟାୟରେ ସେ ପରିଣତ ହୋଇଥିଲେ ଓଡ଼ିଆ ଅସ୍ମିତାର ଏକ ପ୍ରତୀକରେ । ତେଣୁ ପରବର୍ତ୍ତୀ ପିଢ଼ିର କବି, ସାହିତ୍ୟିକ, ଦେଶସେବକମାନେ ତାଙ୍କୁ ବାଧ୍ୟ କରିଛନ୍ତି ତାଙ୍କ ଜୀବନକାହାଣୀ ରଚନା ନିମିତ୍ତ ଓ ସେମାନଙ୍କ ଅନୁରୋଧ କ୍ରମେ ସେ ଲେଖିଥିଲେ ‘ମୋ ଜୀବନୀ’। ପତ୍ରିକାରେ ପ୍ରକାଶିତ ହୋଇଥିବା ଅଂଶ କେତେବେଳେ ‘ଆତ୍ମଜୀବନୀ’ ଶୀର୍ଷକରେ ପ୍ରକାଶିତ ହୋଇଛି ତ, ଅନ୍ୟ କେତେବେଳେ ‘ଆତ୍ମଚରିତ’ଶୀର୍ଷକରେ ପ୍ରକାଶ ପାଇଛି । ବିଭିନ୍ନ କାରଣରୁ ମୂଳ ‘ମୋ ଜୀବନୀ’ ପରିପୂର୍ଣ୍ଣରୂପରେ ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇପାରିନାହିଁ । କିନ୍ତୁ ଯେଉଁ ଅଂଶ ପ୍ରକାଶିତ, ସେଥିରେ ବ୍ୟକ୍ତି ଫକୀରମୋହନ ସ୍ରଷ୍ଟା ଫକୀରମୋହନଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ । ଏହି ବ୍ୟକ୍ତି ଫକୀରମୋହନଙ୍କ ଜୀବନର ସଂଘର୍ଷ, ପ୍ରତ୍ୟୁତ୍ପନ୍ନମତିତା, ବିପଦକୁ ସମୁଖୀନ ହେବାର ସାମର୍ଥ୍ୟ ଓ ସେ ସବୁକୁ ଏକ ଔପନ୍ୟାସିକର କଳାକୁଶଳତା ନେଇ ପ୍ରକାଶ କ୍ଷମତା ରଖିଥିବା ତାଙ୍କ ଆତ୍ମଜୀବନୀ ଏକ ଅନୁପମ ସାହିତ୍ୟସୃଷ୍ଟି । ଓଡ଼ିଆ ସାହିତ୍ୟର ଓ ଜାତୀୟ ଜୀବନର ସେନାପତି ଫକୀରମୋହନଙ୍କ ୧୪ ଜୁନ୍ ୧୯୧୮ ମସିହାରେ ମହାପ୍ରୟାଣ ଓଡ଼ିଆ ସାହିତ୍ୟ ଓ ଜାତୀୟ ଜୀବନ ପାଇଁ ଥିଲା ଏକ ଅପୂରଣୀୟ କ୍ଷତି ।

Fakirmohan Senapati

Fakirmohan Senapati
Fakir Mohan Senapati

Rebati

Rebati
Fakir Mohan Senapati

ରେବତୀ ଫକୀରମୋହନଙ୍କ ସାହିତ୍ୟିକ ଶିଳ୍ପ ଦୃଷ୍ଟିରୁ ପ୍ରଥମ...

Sabhya Jamidar

Sabhya Jamidar
Fakir Mohan Senapati

ପାଶ୍ଚାତ୍ୟ ଶିକ୍ଷାର ଏକ ନକାରାତ୍ମକ ଦିଗର ଚିତ୍ର...

Patent Medicine

Patent Medicine
Fakir Mohan Senapati

ଆଧୁନିକ ଶିକ୍ଷିତ ଯୁବକ ସୁରା ଓ ସାକୀ...

Dakamunsi

Dakamunsi
Fakir Mohan Senapati

ଇଂରାଜୀ ଶିକ୍ଷାର ଅନ୍ୟ ଏକ ନକାରାତ୍ମକ ପ୍ରତିକ୍ରିୟା...

Adharma Bitta

Adharma Bitta
Fakir Mohan Senapati

ଗ୍ରାମ୍ୟ ମହାଜନମାନଙ୍କର ଅମାନବିକତା, ଅର୍ଥଲାଳସା ସାଧାରଣ ମଣିଷଙ୍କ...

Birei Bishala

Birei Bishala
Fakir Mohan Senapati

ଊନ୍ନବିଂଶ ଶତାବ୍ଦୀ ଓଡ଼ିଶାରେ କନ୍ୟାସୁନା ପ୍ରଥାର ଯେଉଁ...

Dhulia Baba

Dhulia Baba
Fakir Mohan Senapati

ଊନବିଂଶ ଶତକର ଶେଷଭାଗ ବେଳକୁ ଭାରତରେ ଯେଉଁ...

Randipua Ananta

Randipua Ananta
Fakir Mohan Senapati

ମଣିଷର ତ୍ୟାଗ ଓ ଉତ୍ସର୍ଗୀକୃତ ଜୀବନ ତାକୁ...

Bagala Baguli

Bagala Baguli
Fakir Mohan Senapati

ମଣିଷର ଜୀବନ ସାର୍ଥକ ହୋଇଥାଏ ଯେଉଁଠି ପ୍ରେମ...

Garudi Mantra

Garudi Mantra
Fakir Mohan Senapati

ଉତ୍କଳର ବ୍ୟାସକବି ସ୍ଵର୍ଗତଃ ଫକୀରମୋହନ ସେନାପତି ଓଡିଆ...