N Aa
Add to Library  

ଉତ୍କଳର ବ୍ୟାସକବି ସ୍ଵର୍ଗତଃ ଫକୀରମୋହନ ସେନାପତି ଓଡିଆ ସାହିତ୍ୟରେ ଜଣେ ପ୍ରାତଃ ସ୍ମରଣୀୟ ବ୍ୟକ୍ତି । ଜଣେ କଥାକାର, କବି, ପ୍ରାବନ୍ଧିକ ଏବଂ ସମାଜ ସଂସ୍କାରକ ଭାବରେ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ । ୧୮୪୩ ମସିହା ଜାନୁୟାରୀ ୧୩ ତାରିଖରେ ଜନ୍ମିତ ବ୍ୟାସକବି ଫକୀର ମୋହନଙ୍କ ସାରସ୍ଵତ ଅବଦାନକୁ ବାଦ୍ ଦେଇ ଓଡିଆ ସାହିତ୍ୟର ସମୃଦ୍ଧିକୁ କଳ୍ପନା କରାଯାଇପାରିବ ନାହିଁ । ସ୍ଵାଧୀନତା ପୂର୍ବବର୍ତ୍ତୀ ସମୟର ସାମାଜିକ, ଅନ୍ଧବିଶ୍ଵାସ, କୁସଂସ୍କାର, ପ୍ରଥା ପରମ୍ପରା ଇତ୍ୟାଦିକୁ ନେଇ ତାଙ୍କର ପ୍ରତ୍ୟେକଟି ଗଳ୍ପ ଶିକ୍ଷଣୀୟ ଓ ସଂସ୍କାରଧର୍ମୀ । ତାଙ୍କର ଅଧିକାଂଶ କାହାଣୀରେ ବ୍ୟଙ୍ଗ ବିଦ୍ରୂପ ଛଳରେ ଘଟଣା ଓ ଚରିତ୍ରମାନେ ରୂପାୟିତ ହେବା ଦୃଷ୍ଟିକୁ ଆସନ୍ତି । ସାରା ଜୀବନକାଳ ସାହିତ୍ୟ ସାଧନାରେ ବ୍ରତୀ ରହିଥିବା ଏଇ ବରେଣ୍ୟ ସାହିତ୍ୟିକଙ୍କର ୧୯୧୮ ମସିହା ଜୁନ ୧୪ ତାରିଖରେ ଦେହାନ୍ତ ଘଟିଥିଲା ।
ତତ୍କାଳୀନ ସାମାଜିକ ବିଧିବ୍ୟବସ୍ଥା ଓ ଚରିତ୍ରମାନଙ୍କୁ ବ୍ୟଙ୍ଗ ଓ ଶାଣିତ ଶବ୍ଦରେ ଚିତ୍ରଣ କରିବାରେ ଫକୀର ମୋହନଙ୍କ ସୂକ୍ଷ୍ମ ଅନୁଭବ ତାଙ୍କର ସମଗ୍ର ସୃଷ୍ଟିକୁ କରିଛି ଆକର୍ଷଣୀୟ ଓ ମନୋରମ । “ଗାରୁଡି ମନ୍ତ୍ର” – ସେହିଭଳି ଏକ କାହାଣୀ ଯେଉଁଥିରେ ତତ୍କାଳୀନ ସମାଜର ଆଚାର ବିଚାର ଓ ପ୍ରଥା ପରମ୍ପରାର ଅନୁଶାସନରେ ପ୍ରପୀଡିତ ଦୁଇଟି ନବ ବିବାହିତ ଜୀବନର ରୋମାଞ୍ଚକର କାହାଣୀ ବର୍ଣ୍ଣିତ । ଗ୍ରାମ୍ୟ ସଭ୍ୟତା ଉପରେ ଲିଖିତ ତାଙ୍କର ଅନ୍ୟାନ୍ୟ ଗଳ୍ପ ଭଳି ଏଥିରେ ମଧ୍ୟ ମୁଖ୍ୟ ଚରିତ୍ର ହେଉଛି ଜମିଦାର ବଂଶର ଜଣେ ସଭ୍ୟ ଶିକ୍ଷିତ ଯୁବକ । ବାପମା’ଙ୍କ ଆଦେଶ କ୍ରମେ ସହରରେ ଇଂରାଜୀ ପାଠପଢା ଛାଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଜମିଦାରୀ କୋଠିକୁ ଫେରି ଆସିଛି ମଦନମୋହନ । ଜୀବନକୁ ନେଇ ଭିନ୍ନ ସ୍ଵପ୍ନ ଦେଖୁଥିବା ମଦନମୋହନ ବାପମା’ଙ୍କ ନିଷ୍ପତ୍ତିରେ ବାହା ହୋଇଛି ସତ, କିନ୍ତୁ ବାହାଘରର ଅନେକ ଦିନ ପର୍ଯ୍ୟନ୍ତ ନିଜ ନବ ବିବାହିତା ପତ୍ନୀର ମୁଖ ଲାବଣ୍ୟ ଦେଖିବାର ସୁଯୋଗ ମିଳିପାରୁନି ତାକୁ । ଜମିଦାରଙ୍କ କୋଠିରେ ପ୍ରଥା ପରମ୍ପରାକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ନବ ବିବାହିତ ଦମ୍ପତ୍ତି ପରସ୍ପରକୁ ଭେଟି ନ ପାରି ବଡ ହୀନିମାନ ହୁଅନ୍ତି । ଆଉ ଶେଷରେ ନାୟକ ମଦନମୋହନ ଗାରୁଡି ମନ୍ତ୍ରର ଆଶ୍ରୟ ନିଏ । କ’ଣ ଏଇ ଗାରୁଡି ମନ୍ତ୍ର ଏବଂ ଏ ଗାରୁଡି ମନ୍ତ୍ର କ’ଣ ଦୂର କରିପାରେ ଦୁଇ ନବ ବିବାହିତଙ୍କ ସମସ୍ୟା ? ଆସନ୍ତୁ ଉତ୍ତର ଖୋଜିବା ଏଇ କାହାଣୀରୁ । ଗଳ୍ପ – “ଗାରୁଡି ମନ୍ତ୍ର” , ଗାଳ୍ପିକ – ଫକୀରମୋହନ ସେନାପତି ।

One response to “Garudi Mantra”

Comments