N Aa
Add to Library  

ମହାନଗରୀର ଚାକଚକ୍ୟ ଅନ୍ତରାଳରେ ଅନ୍ଧକାରର ମହାକାରୁଣ୍ୟଟିଏ ଯେପରି କେଉଁଠି ଛପି ରହିଛି । ମହାନଗରୀ କଲିକତା-ବିଭିନ୍ନ ଦୃଷ୍ଟିରୁ ଆକର୍ଷଣର କେନ୍ଦ୍ରବିନ୍ଦୁ । ସ୍ୱପ୍ନ ଓ ସମ୍ଭାବନାର ସହର; ଯେଉଁଠି ବାସ୍ତବତା ସହିତ ରହସ୍ୟଘନ ତମିସ୍ରାର ଅଭିସାର ଚାଲିଥାଏ । ଏକ ଦୁଃଖଦ ଘଟଣାର ପୃଷ୍ଠଭୂମି ଉପରେ ଗଢିଉଠିଛି ‘ମହାନଗରୀର ରାତ୍ରି’ ଗଳ୍ପର କଥାବସ୍ତୁ । କଲିକତା ମହାନଗରୀର ରାଜରାସ୍ତା ଉପରେ ଚାଲିଥାଏ ଦଲାଲ ମାନଙ୍କର ଦେହଜୀବୀଙ୍କ ପାଇଁ ଶରୀରର ମୂଲ୍ୟ । ହତଭାଗିନୀର ମାଂସ ଓ କାମୁକର ଜାନ୍ତବ କ୍ଷୁଧାର ଦଲାଲି ଚାଲେ ମହାନଗରୀର ପାର୍କଷ୍ଟ୍ରିଟର ଅନତିଦୂରରେ । ମହାନଗରୀ କଲିକତାର ଚୌରଙ୍ଗୀ-ବଣିଆ ସଂସ୍କୃତିର ମକ୍କା-ମଦିନା । ଏକ ବିଚିତ୍ର ସଂସ୍କୃତି ଗଢିଉଠିଛି ଏହି ମହାନଗରୀରେ । ପଞ୍ଚତାରକା ହୋଟେଲ ସହିତ ସମତାଳ ଦେଇ ଗତି କରିଚାଲିଛି ଚୌରଙ୍ଗୀ ବସ୍ତିର ଦେହଜୀବୀ ପାପୋଦ୍ୟାନ । ଦେହର ଉପଭୋଗ ପାଇଁ ନୁହେଁ, ପେଟଭୋକ ଓ ଅସହାୟତାର ଶିକାର ହୋଇ ନାରୀ ଏଠି ପଣ୍ୟଦ୍ରବ୍ୟରେ ପରିଣତ ହୁଏ । ଗଳ୍ପନାୟକ ଚୌରଙ୍ଗୀ ରହସ୍ୟ ଉଦ୍ଘାଟନ ପାଇଁ ପହଞ୍ଚି ଯାଇଥିଲେ ସେହି ସ୍ଥାନରେ, ଯେଉଁଠି ରାତିର ଅନ୍ଧକାରରେ କାମୁକମାନଙ୍କର ହାଟ ଜମେ । ସେଇଠି ପରିଚୟ ହୁଏ ଅଭାଗିନୀ ଅସ୍ତଯୌବନା ଚନ୍ଦ୍ରା ଓ ଅନୂଢ଼ା ମିନତୀ ସହିତ । ଉଭୟେ ବଖାଣନ୍ତି ସେମାନଙ୍କର ଅଶ୍ରୁଳ ଇତିହାସ ଓ ବର୍ତ୍ତମାନର ସ୍ଥିତିଦୌର୍ବଲ୍ୟ ସମ୍ପର୍କରେ । କିଏ ଏହି  ଚନ୍ଦ୍ରା ଓ ମିନତୀ? କ’ଣ ତାଙ୍କର ଅତୀତ? କାହିଁକି ଚୌରଙ୍ଗୀ ଷ୍ଟ୍ରିଟର ସେହି ଫ୍ଲାଟରେ ସେମାନଙ୍କର ଅନିଚ୍ଛାକୃତ ଅବସ୍ଥାନ? ଏମିତି ଅନେକ ପ୍ରଶ୍ନ ଉତ୍ତରିତ ହୁଏ ମହାନଗରୀକୁ ନେଇ । ଆସନ୍ତୁ ସେହି ସମସ୍ତ ପ୍ରଶ୍ନର ଯଥାର୍ଥ ଉତ୍ତର ପାଇଁ ଶୁଣିବା ‘ମହାନଗରୀର ରାତ୍ରି’ ଗଳ୍ପ ।

Comments