N Aa
Add to Library  

୧୯୪୭ ମସିହା ଅଗଷ୍ଟ ୧୪ । ସମୟ ରାତି ବାରଟା । ‘ଜୟ ସ୍ୱାଧୀନ ଭାରତ କି ଜୟ’ ଧ୍ୱନିରେ ନିନାଦିତ ଆକାଶ, ପବନ  । ସ୍ୱାଧୀନ ଭାରତର ଭବିଷ୍ୟତ ବିଜୟ ହାତରେ ତ୍ରିରଙ୍ଗା ଝଣ୍ଡା । ଝରିଯାଇଥିବା ଅତୀତର ଏକ ଅଶ୍ରୁଳ କବର ଉପରେ ବର୍ତ୍ତମାନର ପ୍ରତିଷ୍ଠା । ଅତୀତ ଅନୁତାପାନଳରେ ଦଗ୍ଧ । ବର୍ତ୍ତମାନ କେବଳ ସ୍ମୃତିଟିଏ । ଭବିଷ୍ୟତ ସମ୍ଭାବନରେ ସମୁଜ୍ଜ୍ଵଳ । ରାୟ ବହାଦୁର ସନାତନ ମହାପାତ୍ର ଅତୀତ; ଅରୁ ବର୍ତ୍ତମାନ; ବିଜୟ ଭବିଷ୍ୟତ । ଅତୀତ ପାଖରେ ବଳି ପଡୁଛି ବର୍ତ୍ତମାନ, କାରଣ ବର୍ତ୍ତମାନ ଗୋଲାମିର ନାଗପାଶରୁ ମୁକ୍ତ ହୋଇ ଆପଣାର ଅସ୍ମିତା ପ୍ରତିଷ୍ଠା କରିବାକୁ ଚାହେଁ । ସ୍ୱାଧୀନତା ଆନ୍ଦୋଳନର ଏକ କରୁଣ ଇତିହାସର ପୃଷ୍ଠପେଟିକା ଉପରେ ଗଳ୍ପର ଭାବଭୂମି ବିନିର୍ମିତ । ଚଉରୀଚଉରା ବିପ୍ଳବ ଭାରତୀୟ ଜାତୀୟ ଆନ୍ଦୋଳନରେ ଆଣିଥିଲା ନୂତନ ସ୍ପନ୍ଦନ । ଅନେକ ସଂଗ୍ରାମୀ ଜୀବନ ଦେଇ ଉପନିବେଶବାଦୀଙ୍କ ଶାସନବ୍ୟବସ୍ଥା ବିରୋଧରେ ପ୍ରକାଶ କରିଥିଲେ ପ୍ରତିକ୍ରିୟା । ଗୋଟିଏ ପଟରେ ରାୟବାହାଦୁର ସନାତନ ମହାପାତ୍ରଙ୍କ ପରି ବ୍ରିଟିଶ୍ ଶାସନର ବିଶ୍ୱସ୍ତ ଗୋଲାମ ଓ ଇଂରେଜ ସାମ୍ରାଜ୍ୟବାଦୀ ଶାସକଙ୍କ ୟୁନିଅନ ଜ୍ୟାକ୍; ଅପରପାର୍ଶ୍ୱରେ ସ୍ୱାଧୀନ ଭାରତର ତ୍ରିରଙ୍ଗା ପତାକା ତଥା ନିଜର ସ୍ୱାଧୀନତା ପାଇଁ ପ୍ରାଣବଳି ଦେବାକୁ ପ୍ରସ୍ତୁତ ଅରୁ ପରି ସ୍ୱାଧୀନତା ସଂଗ୍ରାମୀ । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ବିଚିତ୍ର ସମନ୍ୱୟ ଭାରତର ସ୍ୱାଧୀନତା ପ୍ରାପ୍ତି । ଆବେଦନ ଓ ଆବେଗର ଚମତ୍କାରିତା ଗଳ୍ପର ନାନ୍ଦନିକତାର ମୂଳସ୍ୱର । ସେହି ସଂଗ୍ରାମ କିପରି ପରିଣତି ଲାଭ କରିଥିଲା? ଭବିଷ୍ୟତ ଭାରତର ସ୍ଵପ୍ନ, ସମ୍ଭାବନା ଓ ବାସ୍ତବତାକୁ ସାଥିରେ ଧରି କିପରି ଉଡୁଥିଲା ତ୍ରିରଙ୍ଗା ପତାକା? ସେହି ଅଶ୍ରୁଳ ଇତିହାସର ଦୁଃଖଦ ପରିଣତି ଜାଣିବା ପାଇଁ ଶୁଣନ୍ତୁ ସୁରେନ୍ଦ୍ର ମହାନ୍ତିଙ୍କ, ସ୍ୱାଧୀନତା ଆନ୍ଦୋଳନର ପୃଷ୍ଠଭୂମିରେ ରଚିତ ‘ପତାକା ଉତ୍ତୋଳନ’ ଗଳ୍ପ ।

Comments