N Aa
Add to Library  

ସବୁଜପତ୍ର ସହିତ ଧୂସର ଗୋଲାପ ଏବଂ ରୋମାଣ୍ଟିକ୍ ଭାବାନୁଭୂତି ସହିତ ଆଣ୍ଟି-ରୋମାଣ୍ଟିକ୍- ପରସ୍ପର ବିରୋଧୀ ଭାବକଳ୍ପକୁ ଯିଏ ଏକାତ୍ମ କରାଇ ଦେଇପାରନ୍ତି, ସେହି ପ୍ରଥିତଯଶା ଗାଳ୍ପିକ ହେଉଛନ୍ତି ସୁରେନ୍ଦ୍ର ମହାନ୍ତି । ମାର୍କ୍ସବାଦରୁ ରୋମାଣ୍ଟିକ୍ ଚେତନା – ଏହା ଯେପରି ବିରୋଧୀ, ଚେତନାର ଗୋଟିଏ ସ୍ତରରେ ମଧ୍ୟ ସମଧର୍ମୀ । ମଣିଷ ଜୀବନର ବିଚିତ୍ର ପରିବର୍ତ୍ତନ ସମୟର ବେଗମାନ୍ ପ୍ରବାହରେ ପ୍ରତିମୁହୂର୍ତ୍ତରେ ରୂପ ବଦଳାଇ ଚାଲିଥାଏ । ଫୁଟପାଥ୍ ବିଶ୍ୱବିଦ୍ୟାଳୟରୁ ଜୀବନର ବିଚିତ୍ର ଶିକ୍ଷାଲାଭ କରିଥିବା ଟି.ପି. ଚରିତ୍ରଟି ପରିବର୍ତ୍ତିତ ଜୀବନ ଅଭିଜ୍ଞତାର ସାକାର ବର୍ତ୍ତମାନଟିଏ । ମତବାଦଗତ ବିଭିନ୍ନତା ଯୋଗୁଁ ଯେଉଁ ଟି.ପି.କୁ ସେଦିନ ଗଳ୍ପନାୟକ ବିଦାୟ କରିଦେବାକୁ ଚାହିଁଥିଲେ, ମହାନଗରୀ କଲିକତାରେ ତା’ର ବିସ୍ମୟକର ପରିବର୍ତ୍ତନ ତାଙ୍କୁ କରିଥିଲା ହତଚକିତ । ମିସ୍ ଡ୍ରାଇଭରଙ୍କ ପାଖରେ ରହୁଥିବା ଟି.ପି. ମାର୍କ୍ସବାଦ ଛାଡ଼ି ଯୌନ ସମ୍ବନ୍ଧୀୟ ପୁସ୍ତକ ପ୍ରତି ଆଗ୍ରହ ତାଙ୍କୁ କେବଳ ବିସ୍ମିତ କରିନଥିଲା, ଉତ୍ତୀର୍ଣ ବୟସରେ ଲରା ସହିତ ପ୍ରେମ ସମ୍ପର୍କ ଏବଂ ତାକୁ ବିବାହ ନିମିତ୍ତ ନିଷ୍ପତ୍ତି ଗଳ୍ପ ନାୟକଙ୍କୁ କିୟତ୍ ସମୟ ପାଇଁ ଅବାକ୍ କରିଥିଲେ ହେଁ, ବିସ୍ମିତ କରିନଥିଲା । ମିସ୍ ଡ୍ରାଇଭରଙ୍କ ଭାବଗତ ସମ୍ପର୍କଟିଏ ଗଢ଼ି ଉଠିଥିଲା ଟି.ପି. ସହିତ ଓ ତା’ ସହିତ ଚାଁହୁଥିଲେ ବୈବାହିକ ସମ୍ବନ୍ଧଟିଏ । ଗୋଟିଏ ପଟରେ ଲରାର ଅପୂର୍ବ ସୌନ୍ଦର୍ଯ୍ୟ, ଅପରପକ୍ଷରେ ଯୌବନକୁ କିଛି ପାହାଚ ତଳେ ଛାଡ଼ି ଆସିଥିବା ଲ୍ୟାଣ୍ଡଲେଡି ମିସ୍ ଡ୍ରାଇଭର । ଟି.ପି. କାହାକୁ କରିଛନ୍ତି ଜୀବନସଙ୍ଗିନୀ ? ଦୀର୍ଘ କିଛିଦିନ ପରେ ଗଳ୍ପନାୟକ ସେହି ପ୍ରିନସେସ୍ କାଭାରେ ରେ କ’ଣ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଲରା ଓ ମିସ୍ ଡ୍ରାଇଭର କେଉଁ ଜୀବନ ନେଇ ବଞ୍ଚିଛନ୍ତି ? କଲିକତାରେ ଗଳ୍ପନାୟକଙ୍କର ପୁଣି ଭେଟ ହୋଇଛି କି ପୁରୁଣା ବନ୍ଧୁ ଟି.ପି.ଙ୍କ ସହିତ । ଏହି ସମସ୍ତ ରହସ୍ୟ ଉଦଘାଟନ ପାଇଁ ଶୁଣନ୍ତୁ ସୁରେନ୍ଦ୍ର ମହାନ୍ତିଙ୍କ ଭିନ୍ନ ଧରଣର ଏହି ଗଳ୍ପ ‘ସବୁଜପତ୍ର ଓ ଧୂସର ଗୋଲାପ’ ।

Comments