N Aa
Add to Library  

‘ସିଦ୍ଧାର୍ଥ’ ନାମଟି ମନକୁ ଆସିଲେ, ଦୃଷ୍ଟି ଫେରିଯାଏ କେଉଁ ସୁଦୂର ଅତୀତର ସେଇ ଚମତ୍କାର ପୁରୁଷଟି ପାଖକୁ । ବିଳାସ ଓ ଅଭିଜାତର ଲୌହ ପ୍ରାଚୀର ଭାଙ୍ଗି ଜୀବନର ସତ୍ୟ ଉଦଘାଟନ ପାଇଁ ସେ ହୋଇଥିଲେ ଦେଶାନ୍ତରୀ । ଅଖିଳମୋହନଙ୍କ ‘ସିଦ୍ଧାର୍ଥ’ ତା’ର ଏକ ନୂତନ ସଂସ୍କରଣ । ରୋମାଣ୍ଟିକ୍ ଭାବ-ଚେତନାରୁ ଗଳ୍ପଟି ଆରମ୍ଭ ଶାନ୍ତିନିକେତନରେ ଅହଲ୍ୟା ସହିତ ସିଦ୍ଧାର୍ଥର ସାକ୍ଷାତକାର୍ ପରେ । ବିଲାତରେ ଚିକିତ୍ସାବିଜ୍ଞାନରେ ସର୍ବୋଚ୍ଚ ଡିଗ୍ରୀ ଲାଭ କରିଥିବା ସିଦ୍ଧାର୍ଥ ଲୋଭନୀୟ ଚାକିରୀ ଛାଡି ସାଧାରଣ ମାନବସେବା ପାଇଁ ନେଇଥିଲେ ସ୍ଥିର ନିଷ୍ପତ୍ତି । ବିରତପୁର ଗାଁ’ର ନିରୋଳା-ନିର୍ଜନ ପରିବେଶରେ ଅହଲ୍ୟାକୁ ନେଇ ରୋମାଣ୍ଟିକ୍ ଜୀବନଟିଏ ଆରମ୍ଭ କରିଥିବା ସିଦ୍ଧାର୍ଥ ନିଜର ଡିଗ୍ରୀର ଉଚିତ ବିନିଯୋଗ ଆରମ୍ଭ କରିଥିଲେ ସାଧାରଣ ମଣିଷର ସେବାରେ । ପାଉଥିଲେ ସେଥିରୁ ପ୍ରଚୁର ଆନନ୍ଦ । କିନ୍ତୁ ତାଙ୍କ ଅଜାଣତରେ ସେ ବନ୍ଦୀ ହେଇଯାଉଥିଲେ ଶତାବ୍ଦୀର ଅଭିଶାପ ଲୁହାଲକଡ୍, ସିମେଣ୍ଟ୍ ର ଆଭିଜାତ ଦୁର୍ଗ ମଧ୍ୟରେ । ନିଜର ପରିଚୟ ଖୋଜୁ ଖୋଜୁ ଏକ ଗ୍ଲାନିକର ବ୍ୟର୍ଥତାରେ ଦୀର୍ଘନିଃଶ୍ୱାସ ଛାଡୁଥିଲେ । ବସ୍ତୁବାଦୀ ଦୁନିଆ ଭିତରେ ବାନ୍ଧି ହୋଇପଡୁଥିଲେ ଅହଲ୍ୟା । ଅହଲ୍ୟାର ଶେଷହୀନ ଅମେଣ୍ଟା ଶୋଷରେ ଶ୍ୱାସରୁଦ୍ଧ ସିଦ୍ଧାର୍ଥ ଅନତିଦୂରରେ ବସବାସ କରୁଥିବା ଯାଯାବର ପୁରୁଷ-ନାରୀଙ୍କ ଖୋଲା ଜୀବନଚର୍ଯ୍ୟାରେ ରୋମାଂଚିତ ହେଉଥିଲେ । ସେଦିନ ରାତି ଥିଲା ସେହି ସ୍ଥାନରେ ଯାଯାବରଙ୍କ ଶେଷ ରାତି । ଆଉ ଏକ ନୂଆ ଜୀବନ, ନୂଆ ସ୍ଥାନ ସନ୍ଧାନପାଇଁ ନିଜର ତମ୍ବୁ ଉଠାଇ ଯାତ୍ରା ଆରମ୍ଭ କରୁଥିଲେ ସେମାନେ । ଜୀବନକୁ ଖୋଜୁଥିବା ସିଦ୍ଧାର୍ଥ କୋଳ ଗେଟ ଡେଇଁ ଆଗକୁ ବଢା଼ଉଥିଲେ ପାଦ । ଘରେ ଆସନ୍ନପ୍ରସବା ବସ୍ତୁବାଦୀ ପତ୍ନୀ ଅହଲ୍ୟା । ଅଭିଜାତ ଘର ଅପେକ୍ଷା କରିଥିଲା ନୂତନ ଅତିଥିଙ୍କ ସ୍ୱାଗତ ପାଇଁ । ଆଗକୁ ବଢିଥିବା ସିଦ୍ଧାର୍ଥଙ୍କ ପାଦ କ’ଣ ଫେରିଆସିଥିଲା ସେହି ବିଳାସମୟ ପ୍ରାସାଦକୁ ? ଅହଲ୍ୟା ସହିତ ପୁଣି କ’ଣ ଅବଶିଷ୍ଟ ଦିନ ଏକ ରୋମାଣ୍ଟିକ ପରିବେଶରେ ଅତିବାହିତ କରିଥିଲେ ସିଦ୍ଧାର୍ଥ ? ବସ୍ତୁବାଦର ନିର୍ମୋକକୁ ପରିହାର କରି ସତରେ କ’ଣ ଗୌତମ-ସିଦ୍ଧାର୍ଥଙ୍କ ପରି ଜୀବନ-ସତ୍ୟର ଉଦଘାଟନ ପାଇଁ ସେ ହୋଇଥିଲେ ଗୃହତ୍ୟାଗୀ ? ଏ ସମସ୍ତ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ପାଇଁ ଶୁଣନ୍ତୁ ଅଖିଳମୋହନଙ୍କ ଏହି ଚମତ୍କାରୀ ଗଳ୍ପ ‘ସିଦ୍ଧାର୍ଥର ଉପକଥା’ ।

Comments