N Aa

Bhima Bhoi

Bhima Bhoi
Bhima Bhoi


02-May-1850 / 20-Apr-1895
Bhima Bhoi

୧୮୪୯ ମସିହାବେଳକୁ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଇଂରେଜମାନଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ କର୍ତ୍ତୃତ୍ୱକୁ ଚାଲି ଆସିଥିଲା । ଏହିସବୁ ଅଞ୍ଚଳକୁ ଇଂରେଜମାନେ ଅକ୍ତିଆର କରିବା ପାଇଁ ଦୀର୍ଘ ୮୪ ବର୍ଷ ନେଇଥିଲେ ଓ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନ ଅକ୍ତିଆର କରିଥିଲେ । ଫଳ ସ୍ୱରୂପ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ମଧ୍ୟରେ ଶାସନ ଦୃଷ୍ଟିରୁ ସଂହତି ନ ଥିଲା ଓ ବିକାଶର ସମପର୍ଯ୍ୟାୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ପହଞ୍ଚି ପାରି ନ ଥିଲା । ଗଡ଼ଜାତଗୁଡ଼ିକ ଇଂରେଜମାନଙ୍କ କର୍ତ୍ତୃତ୍ୱାଧୀନ ଥିଲେବି ସେ ଗୁଡ଼ିକର ଶାସନଭାର ଦେଶୀୟ ରାଜମାନଙ୍କ ହାତରେ ରହିଥିଲା । ଇଂରେଜ ଅଧିକାର ସହିତ ପଶ୍ଚିମୀ ଇତିହାସ ରଚନା ଓ ସଭ୍ୟତାର ଉପକରଣ ସବୁ ଓଡ଼ିଶାରେ ପହଞ୍ଚିଥିଲା । ପଶ୍ଚିମ ଓଡ଼ିଶା ଇଂରେଜମାନଙ୍କ କର୍ତ୍ତୃତ୍ୱକୁ ସବୁଠାରୁ ବିଳମ୍ବରେ ଆସିଥିବାରୁ ଓ ପଶ୍ଚିମ ଓଡ଼ିଶାର ଗଡ଼ଜାତଗୁଡ଼ିକ ଇଂରେଜ ପ୍ରଶାସନ ଠାରୁ ଆହୁରି ଦୂରବର୍ତ୍ତୀ ଥିବାରୁ ଆଧୁନିକ ସଭ୍ୟତାର ତଥାକଥିତ ପ୍ରତୀକଗୁଡ଼ିକ ଠାରୁ ପଶ୍ଚିମ ଓଡ଼ିଶାର ଗଡ଼ଜାତଗୁଡ଼ିକରେ ରହୁଥିବା ଜନଜାତିମାନେ ବହୁ ଦୂରବର୍ତ୍ତୀ ଥିଲେ । ଭୀମଭୋଇ ଏହିଭଳି ଏକ ଗଡ଼ଜାତରେ ଊନବିଂଶ ଶତକର ମଧ୍ୟଭାଗରେ ଜନ୍ମଗ୍ରହଣ କରିଥିଲେ । ଇତିହାସଠାରୁ ଦୂରତା ରକ୍ଷା କରୁଥିବା ଗଡ଼ଜାତରେ ଜନ୍ମ ହୋଇଥିବାରୁ ଆଧୁନିକ ଇତିହାସର ପରିଧି ଭିତରକୁ ଭୀମଭୋଇ ୧୮୮୧ ମସିହା ପର୍ଯ୍ୟନ୍ତ ଆସିପାରି ନ ଥିଲେ । ସମ୍ବାଦପତ୍ର, ସରକାରୀ ରିପୋର୍ଟ ଓ ବିଭିନ୍ନ ସରକାରୀ ନଥିରେ ଭୀମଭୋଇଙ୍କ ନାମ ପ୍ରଥମଥର ପାଇଁ ୧୮୮୧ ମସିହାରେ ଉଲ୍ଲିଖିତ ହୋଇଥିଲା । ୧୮୮୧ ମସିହାରୁ ୧୮୯୫ ମସିହାରେ ଦେହାନ୍ତ ପର୍ଯ୍ୟନ୍ତ ତଥାକଥିତ ଆଧୁନିକ ଇତିହାସର ଉପାଦାନସବୁ ଭୀମଭୋଇଙ୍କ ସମ୍ପର୍କରେ ନୀରବ ଥିଲା । ଏହି ନୀରବତା ଭୀମଭୋଇଙ୍କୁ ଘେରି ସୃଷ୍ଟି ହୋଇଥିବା ନାନା କିମ୍ବଦନ୍ତୀର ସ୍ରଷ୍ଟା । କିନ୍ତୁ ଭୀମଭୋଇଙ୍କ ଜନ୍ମ, ଜନ୍ମକାଳ, ଜନ୍ମସ୍ଥାନ, ଜନ୍ମଦାତାଙ୍କୁ ନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ତାଙ୍କ ସମକାଳୀନ ଦସ୍ତାବିଜରୁ ମିଳେନାହିଁ । ଭୀମଭୋଇଙ୍କର ବିଭିନ୍ନ ରଚନା ବିଶେଷତଃ ‘ସ୍ତୁତି ଚିନ୍ତାମଣି’ ଆଧାରରେ ତଥା ତାଙ୍କୁ ଦେଖିଥିବା ବା ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କର ରଚନା ବା ମନ୍ତବ୍ୟର ଆଶ୍ରୟ କରି ତାଙ୍କ ଜୀବନକାହାଣୀ କେବଳ ପୁନଃନିର୍ମାଣ କରାଯାଇପାରିବ ।

ଭୀମଭୋଇଙ୍କର ପରିଚୟ ହେଉଛି ସେ ସନ୍ଥକବି । ଊନବିଂଶ ଶତାଦ୍ଦୀ ଓଡ଼ିଶାରେ ମହିମାଧର୍ମ ନାମରେ ଗୋଟିଏ ନୂତନ ଧର୍ମ ପ୍ରବର୍ତ୍ତିତ ହୋଇଥିଲା । ସେହି ଧର୍ମର ପ୍ରବକ୍ତା ଥିଲେ ମହିମା ଗୋସାଇଁ । ସରକାରୀ କାଗଜପତ୍ର ଓ ସମକାଳୀନ ସମ୍ବାଦପତ୍ରରେ ସେ ମୁକୁନ୍ଦ ଦାସ ଭାବରେ ପରିଚିତ । ମୁକୁନ୍ଦ ଦାସଙ୍କ ଜନ୍ମ, ସାଧନା, ଧର୍ମପ୍ରଚାର, ଶିଷ୍ୟମଣ୍ଡଳୀ ଓ ଶେଷରେ ଦେହାନ୍ତ ନେଇ କିଛି ସମ୍ବାଦ, ସରକାରୀ ରିପୋର୍ଟ, ମିସ୍‌ନାରୀମାନଙ୍କ ଚିଠିପତ୍ରରୁ ମିଳିଲେ ମଧ୍ୟ ସେଗୁଡ଼ିକ ପୂର୍ଣ୍ଣ ବା ସବିଶେଷ ବିବରଣୀ ବୋଲି କୁହାଯାଇ ପାରିବ ନାହିଁ । ଏସବୁ ବିବରଣୀ ସହିତ ବିବରଣୀଦାତାଙ୍କର କଳ୍ପନା, ସୀମାବଦ୍ଧତା ଓ ଖିଆଲ ମଧ୍ୟ ଜଡ଼ିତ । ଭୀମଭୋଇଙ୍କ ସମ୍ପର୍କରେ ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିବା ଚରିତସବୁ ମହିମାଧର୍ମ ଇତିହାସର ଅନ୍ତର୍ଭୁକ୍ତ । ମହିମା ଗୋସାଇଁଙ୍କ ପରେ ମହିମାଧର୍ମ ବହୁ ଗୋଷ୍ଠୀ ଓ ଉପଗୋଷ୍ଠୀରେ ବିଭକ୍ତ ହୋଇଥିଲା ଓ ଭୀମଭୋଇ ଗୋଟିଏ ଗୋଷ୍ଠୀର ନେତୃତ୍ୱ ନେଇ ପଶ୍ଚିମ ଓଡ଼ିଶାର ସୋନପୁର ରାଜ୍ୟର ଖଲିଆପାଲିରେ ଆଶ୍ରମସ୍ଥାପନ କରି ରହିଥିଲେ । ଊନବିଂଶ ଶତାଦ୍ଧୀର ଶେଷ ଓ ବିଂଶ ଶତାବ୍ଦୀର ପ୍ରଥମ ଦଶକ ବେଳକୁ ମହିମାଧର୍ମର ପ୍ରଚାର ପ୍ରସାର ଅଧିକ ଭାବରେ ପଶ୍ଚିମ ଓଡ଼ିଶା ଓ ବର୍ତ୍ତମାନର ଛତିଶଗଡ଼ରେ ହୋଇଥିଲା । ପ୍ରଥମାବସ୍ଥାରେ ଉପକୂଳବର୍ତ୍ତୀ ଓଡ଼ିଶାରେ ଏହି ଧର୍ମ ଅଧିକ ପ୍ରଚାର-ପ୍ରସାର ଲାଭ କରିଥିଲେ ହେଁ ମହିମା ଗୋସାଇଁ ଢେଙ୍କାନାଳ ଗଡ଼ଜାତରେ ତାଙ୍କର ମୁଖ୍ୟ ଆଶ୍ରମ ସ୍ଥାପନ କରିଥିଲେ । ତେଣୁ ମହିମାଧର୍ମର ଇତିହାସ ଲେଖିଥିବା ବିଶ୍ୱନାଥ ବାବା ଏବଂ ତାଙ୍କୁ ଅନୁସରଣ କରି ଭୀମଭୋଇଙ୍କ ସଂପର୍କରେ ପରିଚିତ ଆଲୋଚନାକୁ ବିସ୍ତାରିତ କରିଥିବା ଆର୍ତ୍ତବଲ୍ଲଭ ମହାନ୍ତି ଭୀମଭୋଇଙ୍କ ସମ୍ପର୍କରେ ଯାହାସବୁ ଲେଖିଛନ୍ତି, ସେ ସବୁ କେତେ ସତ୍ୟ, କେତେ କଳ୍ପନା, ତାହା ଆଜି କଳନା କରିବା ଅସମ୍ଭବ । ଇତିହାସ ରଚନାର ପ୍ରଣାଳୀ ଓ ଐତିହାସିକମାନଙ୍କ ମନଃସ୍ତିଥିକୁ ଅଧ୍ୟୟନ କଲେ ଜଣାଯାଏ, ଭୀମଭୋଇଙ୍କ ଗୁରୁତ୍ୱକୁ ହ୍ରାସ କରିବା ପାଇଁ ଓ କବିଭାବେ ତାଙ୍କ ସିଦ୍ଧିକୁ ସୀମିତ କରିବା ପାଇଁ ଏହି ସମସ୍ତ ଇତିହାସ ପରିକଳ୍ପିତ ଓ ଲିଖିତ । ଦୀର୍ଘଦିନର ବ୍ୟବଧାନ ପରେ ପ୍ରକୃତ ଭୀମଭୋଇଙ୍କୁ ଖୋଜିବା ଓ ତାଙ୍କ ସମ୍ପର୍କରେ ଏକ ସ୍ପଷ୍ଟ ସର୍ବଜନଗ୍ରାହ୍ୟ ପରିଚୟ ପ୍ରଦାନ କରିବା ଅନେକାଂଶରେ ଅସମ୍ଭବ ।

ଭୀମଭୋଇଙ୍କ ରଚନା ଓ ଅନ୍ୟସବୁ ବିବରଣୀକୁ ଆଧାର କରି କୁହାଯାଇପାରେ ଯେ, ୧୮୪୫ ରୁ ୧୮୫୫ ମସିହା ମଧ୍ୟରେ କୌଣସି ଏକ ବୈଶାଖ ପୂର୍ଣ୍ଣିମାରେ ଭୀମଭୋଇଙ୍କ ଜନ୍ମ । କନ୍ଧ ଜନଜାତିର ଗୋଟିଏ ଶାଖାରେ ଅନ୍ତର୍ଭୁକ୍ତ ଥିଲେ ତାଙ୍କର ମାଆ, ପାଳିତ ପିତାମାତା । ଜନ୍ମ ଦେଇଥିବା ପିତାଙ୍କ ନାମ କୌଣସି ସୂତ୍ରରୁ ମିଳେନାହିଁ । ଊନବିଂଶ ଶତାବ୍ଦୀରେ ଔପନିବେଶିକ ଶାସନତନ୍ତ୍ର ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ ଜନଜାତି ବା ତଥାକଥିତ ଆଦିବାସୀମାନେ । ବିଭିନ୍ନ ଐତିହାସିକ କାରଣରୁ ସେମାନେ ପରିଣତ ହୋଇଥିଲେ ଭୂମିହୀନ ପ୍ରଜାରେ । ତେଣୁ ଦାରିଦ୍ର୍ୟ ହୋଇଥିଲା ସେମାନଙ୍କ ଜୀବନର ବାସ୍ତବତା । ଅନ୍ନସଂସ୍ଥାନ ପାଇଁ ଭୀମଭୋଇ ରେଢାଖୋଲ ଗଡ଼ଜାତ ଅନ୍ତର୍ଗତ ଚୈତନ୍ୟ ପ୍ରଧାନଙ୍କ ଘରେ ଗୋରୁ ଜଗୁଆଳିର କାର୍ଯ୍ୟ କରିଛନ୍ତି । ଆର୍ଥିକ ଦୃଷ୍ଟିରୁ ଚୈତନ୍ୟ ପ୍ରଧାନ ମଧ୍ୟ ସ୍ୱଚ୍ଛଳ ବା ବିତ୍ତଶାଳୀ ନ ଥିଲେ । ତେଣୁ ଅନାହାର ଓ ଯନ୍ତ୍ରଣା ମଧ୍ୟରେ ଭୀମଙ୍କର ପିଲାଦିନ ଅତିବାହିତ ହୋଇଥିଲା । ଭୀମଙ୍କର ଏହି ଅସହାୟ ଜୀବନର କାହାଣୀ ‘ସ୍ତୃତି ଚିନ୍ତାମଣି’ର ଅନେକ ବୋଲି ଓ ଭଜନଗୁଡ଼ିକରେ ଅଭିବ୍ୟକ୍ତ । ଜନଶ୍ରୁତି ଅନୁଯାୟୀ ଏକଦା ଗୋରୁ ଚରାଉଥିବା ସମୟରେ ସେ ଗୋଟିଏ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିଲେ । କୁହାଯାଏ ସେହି କୂଅଟି ଏବର କନ୍ଧରା ଗ୍ରାମରେ ଅବସ୍ଥିତ । କୂଅରେ ଖସି ପଡ଼ିବା ପରେ ଉଦ୍ଧାର ପାଇଁ ସେ ଡାକ ଛାଡ଼ିଛନ୍ତି ଏବଂ ଲୋକମାନେ ଉଦ୍ଧାର କରିବା ନିମନ୍ତେସେଠାରେ ପହଞ୍ଚିବା ପରେ ସେ ଜିଦ୍ କରିଛନ୍ତି, ଯିଏ ତାଙ୍କୁ କୂଅରେ ପକାଇଛନ୍ତି, ସେ ନ ଉଠାଇବା ପର୍ଯ୍ୟନ୍ତ ସେ ସେଠାରୁ ଉଠିବେ ନାହିଁ । କିମ୍ବଦନ୍ତୀ କୁହେ ମହିମା ଗୋସାଇଁ ସେଠାରେ ପହଞ୍ଚି ତାଙ୍କୁ କୂଅରୁ ଉଦ୍ଧାର କରିଥିଲେ ଏବଂ ମହିମା ଗୋସାଇଁଙ୍କ ଅତ୍ୟନ୍ତ ପ୍ରିୟ ଭକ୍ତରେ ପରିଣତ ହୋଇଥିଲେ ଭୀମଭୋଇ । ତାଙ୍କରି ଆଜ୍ଞାରେ ତଥା ତାଙ୍କ ପ୍ରଦତ୍ତ କବିତ୍ୱ ଶକ୍ତି ବଳରେ ଭୀମଭୋଇ କବିତା ରଚନା ଆରମ୍ଭ କରିଥିଲେ ।

ଭୀମଭୋଇଙ୍କ ଭିତରେ ଲୁକ୍କାୟିତ ରହିଥିଲା ଏକ ସ୍ୱାଭାବିକ କବିତ୍ୱପଣ । ମହିମାଧର୍ମ ସହିତ ସମ୍ପୃକ୍ତ ହେବା ପରେ ସେହି କବିତ୍ୱର ବିକାଶ ଘଟିଥିଲା । ତତ୍‌ସହିତ ମହିମାଧର୍ମର ଜଣେ ସାଧକ ରୂପେ ସେ ସ୍ୱତନ୍ତ୍ର ପରିଚିତି ଲାଭ କରିଥିଲେ । ମହିମା ଗୋସାଇଁଙ୍କ ପ୍ରଥମ ଦୁଇ ଶିଷ୍ୟ ଗୋବିନ୍ଦ ବାବା ଓ ନୃସିଂହ ବାବାଙ୍କ ସମକକ୍ଷ ଭୀମଭୋଇ ନ ହୋଇଥିଲେ ବି ସେ ଖୁବ୍ ସ୍ୱଳ୍ପଦିନ ମଧ୍ୟରେ କବିତ୍ୱ ଓ ସମ୍ମୋହନକାରୀ ବ୍ୟକ୍ତିତ୍ୱ ହେତୁ ସ୍ୱତନ୍ତ୍ର ଆସନ ଲାଭ କରିଥିଲେ । ମହିମାଧର୍ମ ପାଇଁ ସାଧନ ସଙ୍ଗୀତ ଓ ତତ୍ତ୍ୱଗ୍ରନ୍ଥ- ଉଭୟ ସେ ରଚନା କରିଥିଲେ । ୧୮୭୬ ମସିହାରେ ମହିମା ଗୋସାଇଁଙ୍କ ତିରୋଧାନ ବେଳକୁ ଭୀମଭୋଇ ମହିମାଧର୍ମର ଅନ୍ୟତମ ପ୍ରମୁଖ ସନ୍ଥଭକ୍ତ ଭାବରେ ଉଭା ହୋଇଥିଲେ । ଏହି ସମୟରେ ଭୀମଙ୍କ ଜୀବନରେ ଆସିଥିଲା  ନୂଆମୋଡ଼ । ଅନ୍ନପୂର୍ଣ୍ଣା ନାମରେ ଜଣେ ଉଚ୍ଚଜାତିର କନ୍ୟା ତାଙ୍କ ପ୍ରେମରେ ପଡ଼ିଛନ୍ତି ଓ ସେ ତାଙ୍କୁ ପତ୍ନୀ ଭାବରେ ଗ୍ରହଣ କରିଛନ୍ତି । ସନ୍ନ୍ୟାସ, ତ୍ୟାଗ ଓ କୃଚ୍ଛ୍ରସାଧନା ଉପରେ ପ୍ରତିଷ୍ଠିତ ମହିମାଧର୍ମର ସାଧନାର ଗତିପଥ ଭୀମଭୋଇଙ୍କ ଦ୍ୱାରା ଅପବିତ୍ର ହୋଇଛି ବୋଲି ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ମହିମାଧର୍ମର ମୂଳଶାଖାରୁ ବିଚ୍ଛିନ୍ନ ହୋଇ ବିଭିନ୍ନ ଭକ୍ତଙ୍କ ଗ୍ରାମରେ ସେ ଆଶ୍ରୟ ନେଇଛନ୍ତି । ମହିମାଧର୍ମର ପ୍ରଚାର କରିଛନ୍ତି ଓ ବିରୋଧର ସମ୍ମୁଖୀନ ହୋଇ ଅନେକ ସମୟରେ ସ୍ଥାନ ତ୍ୟାଗ କରିବାକୁ ବାଧ୍ୟ ହୋଇଛନ୍ତି । ଏହିପରି ପରିବ୍ରାଜକ ଜୀବନ ଅତିବାହିତ କରୁଥିବାବେଳେ ପଶ୍ଚିମ ଓଡ଼ିଶାରେ ମହିମାଧର୍ମକୁ ସେ ଏକ ଲୋକଧର୍ମରେ ପରିଣତ କରିଛନ୍ତି । ୧୮୭୭ ମସିହାରେ ସୋନପୁର ଗଡ଼ଜାତର ଖଲିଆପାଲିଠାରେ ସେ ନିଜର ଆଶ୍ରମ ସ୍ଥାପନ କରିଛନ୍ତି । ଆଶ୍ରମ ସହିତ ରାଜା, ଗଉଁତିଆଁଙ୍କ ସହ ସମ୍ପର୍କ ଏବଂ ସେମାନଙ୍କ ବଦାନ୍ୟତା ଫଳରେ ସେ ପ୍ରଚୁର ଭୂସମ୍ପତ୍ତିର ଅଧିକାରୀ ହୋଇଛନ୍ତି । ତାଙ୍କ କବିତାକୁ ରୂପ ଦେବା ପାଇଁ ବାସୁ ପଣ୍ଡା ପ୍ରମୁଖ ଲିପିକାର ତାଙ୍କୁ ମିଳିଯାଇଛନ୍ତି । ଭୀମଭୋଇଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ କିଛି ତରୁଣୀଙ୍କ ପିତା ସେମାନଙ୍କ କନ୍ୟାକୁ ତାଙ୍କୁ ଦାନ କରିଛନ୍ତି । ଫଳରେ ତାଙ୍କର ପତ୍ନୀ ଓ ଅନୁରାଗିଣୀଙ୍କ ସଂଖ୍ୟା ପାଞ୍ଚରେ ପହଞ୍ଚିଛି । ଦୀର୍ଘ ୧୮ ବର୍ଷ ଧରି ଭୀମ ଏକ ଗୃହୀଭକ୍ତର ଜୀବନ ଅତିବାହିତ କରିଛନ୍ତି ।

ପ୍ରଥମେ ଭୀମଭୋଇ ଲୋକଗୀତକୁ ଅନୁସରଣ କରି ସେହି ଢଙ୍ଗରେ କବିତା ରଚନା କରୁଥିଲେ । ପରେ ଭଜନ ଓ ଚଉତିଶାମାନ ରଚନା କରିଛନ୍ତି । ସମୟକ୍ରମେ ସେ ବଙ୍ଗଳା ଇତ୍ୟାଦି ଭାଷା ଆୟତ୍ତ କରିଛନ୍ତି । ଭୀମଭୋଇଙ୍କର ଚଉତିଶା ସଂଖ୍ୟା ହେଉଛି ଏକଚାଳିଶ । ଏ ପର୍ଯ୍ୟନ୍ତ ସଂଗୃହୀତ ତାଙ୍କ ଭଜନର ସଂଖ୍ୟା ତିନିଶହ ବାର । ଏହି ଚଉତିଶା ଓ ଭଜନଗୁଡ଼ିକୁ ବାଦ୍ ଦେଲେ ସେ ଲେଖିଛନ୍ତି ଶ୍ରୁତିନିଷେଧ, ଅଷ୍ଟକ ବିହାରୀ, ଆଦିଅନ୍ତ ଓ ବ୍ରହ୍ମନିରୂପଣ ପରି ଚାରୋଟି ଗୀତା । ଏହି ଗୀତାଗୁଡ଼ିକ ବ୍ୟତୀତ ନିର୍ବେଦ ସାଧନା, ପଦ୍ମକଳ୍ପ, ବ୍ରହ୍ମଚାଳକ, ମନୁସଭାମଣ୍ଡଳ, ମହିମାବିନୋଦ ଆଦି ଅନେକ ଗ୍ରନ୍ଥ ତାଙ୍କର ରହିଛି । ‘କଳିଭାଗବତ’ ଶୀର୍ଷକରେ ସେ ଅନ୍ୟ ଏକ ଗ୍ରନ୍ଥ ଲେଖିଥିବା କେହି କେହି କହିଥାନ୍ତି । ଭୀମଭୋଇଙ୍କ ସମସ୍ତ ରଚନା ମଧ୍ୟରେ ‘ସ୍ତୁତି ଚିନ୍ତାମଣି’ ଅଧିକ ପରିଚିତ ଓ ଲୋକପ୍ରିୟତା ଅର୍ଜନ କରିଛି । ଗୀତାଗ୍ରନ୍ଥ ଗୁଡ଼ିକରେ ସେ ଗୁରୁଶିଷ୍ୟ ସମ୍ୱାଦ ପଦ୍ଧତି ଅନୁସରଣ କରି ମହିମାଧର୍ମର ତତ୍ତ୍ୱ, ବିଶ୍ୱଦୃଷ୍ଟି ଉପସ୍ଥାପନ କରିଛନ୍ତି । ଷଡ଼ ଦର୍ଶନ ଅନୁସରଣରେ ହିନ୍ଦୁଧର୍ମର ମୁଖ୍ୟ ଶାଖାର ତତ୍ତ୍ୱଗ୍ରନ୍ଥ ଅନୁସରଣ କରି ଓ ବେଳେ ବେଳେ ସେଗୁଡ଼ିକୁ ନିଜ ଢଙ୍ଗରେ ପରିବର୍ତ୍ତିତ କରି ଭୀମଭୋଇ ତାଙ୍କର ଗୀତାଗୁଡ଼ିକ ରଚନା କରିଛନ୍ତି । ବେଦାନ୍ତ ଦର୍ଶନକୁ ସେ ନୂଆ ଢଙ୍ଗ ଓ ରୂପରେ ତାଙ୍କ ଭକ୍ତମଣ୍ଡଳୀଙ୍କ ନିକଟରେ ଉପସ୍ଥାପନ କରିଛନ୍ତି । ନିର୍ବେଦ ସାଧନ, ପଦ୍ମକଳ୍ପ ଓ ବ୍ରହ୍ମଚାଳକ ଆଦି ଗ୍ରନ୍ଥରେ ମହିମାଧର୍ମର ବିଭିନ୍ନ ସାଧନା ପଦ୍ୟ ରୂପରେ ଉପସ୍ଥାପିତ । ଏହି ସମସ୍ତ ଗ୍ରନ୍ଥ ଭିତରେ ତିନୋଟି ବିଷୟ ଅତ୍ୟନ୍ତ ସ୍ପଷ୍ଟ ରୂପେ ପ୍ରତୀୟମାନ ହୋଇଥାଏ । ତାହା ହେଉଛି:- (କ) ବେଦାନ୍ତ ଆଦି ଦର୍ଶନରେ ଭୀମଭୋଇଙ୍କ ଗଭୀର ଅବଗାହନ । (ଖ) ସେ ସମସ୍ତ ସିଦ୍ଧାନ୍ତକୁ ମହିମାଧର୍ମର ସାଧନା ସହିତ ସମୀକରଣ (ଗ) ଓଡ଼ିଆ ଭାଷାରେ ସେହି ସବୁକୁ ଅଭିବ୍ୟକ୍ତ କରିବା ପାଇଁ ନୂତନ ଭାଷାର ନିର୍ମାଣ ।

ଭୀମଭୋଇ ଭାଗବତର ଭାଷା, ଅଚ୍ୟୁତାନନ୍ଦ, ଯଶୋବନ୍ତଙ୍କ ଗୀତା, ସଂହିତାର ଭାଷାକୁ କେବଳ ଆତ୍ମସ୍ଥ କରି ନ ଥିଲେ; ସେହି ଗ୍ରନ୍ଥର ଜଟିଳ ତତ୍ତ୍ୱଗୁଡ଼ିକୁ ଚମତ୍କାର ଭାବରେ ବିଶ୍ଳେଷଣ କରିବା ସହିତ ତାକୁ ନୂତନ ଗଭୀରତା ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ । ଏହାଦ୍ୱାରା ଭୀମଭୋଇ ସ୍ୱାଭାବିକ ଢଙ୍ଗରେ ଆପଣା ଅନୁଭବକୁ ପ୍ରକାଶ କରିବାରେ ସମର୍ଥ ହୋଇଛନ୍ତି । ପୁଣି ସମକାଳର ବିଭିନ୍ନ ଘଟଣାକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ବଖାଣିଛନ୍ତି ତଥା ନିଜର ଐକାନ୍ତିକ ଭକ୍ତି ନିବେଦନ କରିଛନ୍ତି । ସେହି ସମସ୍ତ ରଚନା ସେ ଯେଭଳି ସ୍ପଷ୍ଟ, ସରଳ ଓ ସଙ୍ଗୀତମୟ ଭାଷାରେ ପ୍ରକାଶ କରିଛନ୍ତି; ଅନୁରୂପ ଭାବେ ଗୂଢ ବିଷୟକୁ ବେଶ୍ ତତ୍ତ୍ୱପୂର୍ଣ୍ଣ ଓ ଦାର୍ଶନିକ ଢଙ୍ଗରେ ଉପସ୍ଥାପନ କରିଛନ୍ତି । ଚୈତନ୍ୟ ଦାସ ଓ ଚନ୍ଦ୍ରମଣି ଦାସ - ଏହି ଦୁଇ ସନ୍ଥକବି ଭୀମଭୋଇଙ୍କ ପାଇଁ ଥିଲେ ଅନେକାଂଶରେ ଆଦର୍ଶ । କିନ୍ତୁ ଚନ୍ଦ୍ରମଣିଙ୍କ ସରଳତା ଏବଂ ଚୈତନ୍ୟଙ୍କ ତତ୍ତ୍ୱ ବ୍ୟାଖ୍ୟାନରେ କୁଶଳତା ବେଳେ ବେଳେ ଭୀମଭୋଇଙ୍କ ରଚନାରେ ଅନୁପସ୍ଥିତ ।

ଭୀମଭୋଇ ସନ୍ଥ, ଗୃହସ୍ଥ, କବି ଓ ତତ୍ତ୍ୱଦ୍ରଷ୍ଟା । ନିଜ ରଚନା ମାଧ୍ୟମରେ ଏବଂ ଧର୍ମପ୍ରଚାର ଦ୍ୱାରା ପଶ୍ଚିମ ଓଡ଼ିଶାରେ ମାନକ ଓଡ଼ିଆ ଭାଷାକୁ ସେ ଜନ ସାଧାରଣଙ୍କ ନିକଟବର୍ତ୍ତୀ କରିଛନ୍ତି । ଗୋଟିଏ ଜନଜାତିରେ ଜନ୍ମ ଗ୍ରହଣ କରି, ନାନା ପ୍ରତିକୂଳ ପରିବେଶ ବିରୋଧରେ ସଂଗ୍ରାମ କରି ଜଣେ ବ୍ୟକ୍ତି କେଉଁ ସ୍ତରକୁ ଯାଇପାରେ ତା’ର ଚରମ ଦୃଷ୍ଟାନ୍ତ ରୂପେ ଆମ ସମୁଖରେ ଦଣ୍ଡାୟମାନ ହୋଇଛନ୍ତି ସନ୍ଥକବି ଭୀମଭୋଇ । ତାଙ୍କ ଜୀବନ ଏକ ସଂଗ୍ରାମର ଇତିହାସ । ଏହି ମହାସଂଗ୍ରାମୀଙ୍କ ତିରୋଧାନ ହୁଏ ୧୮୯୫ ମସିହାରେ ।

Bhima Bhoi

Bhima Bhoi
Bhima Bhoi