N Aa

Nadira Nama Ganatantra

Nadira Nama Ganatantra
Akhilamohan Patnaik

ସାରସ୍ଵତ ସାଧକ ସ୍ଵର୍ଗତ ଅଖିଳମୋହନ ପଟ୍ଟନାୟକ ମାତ୍ର...

Matsyagandha

Matsyagandha
Akhilamohan Patnaik

୧୯୫୦ ମସିହା ବେଳକୁ ସହରୀ ଜୀବନ, ତଥା...

Dimiri Phula

Dimiri Phula
Akhilamohan Patnaik

ମିଥ୍ୟା ସ୍ୱପ୍ନରେ ବଞ୍ଚିବାର ମଧ୍ୟ ଆନନ୍ଦ ଅଛି...

Jhada Ra Eagle O Dharani Ra Krushnasara

Jhada Ra Eagle O Dharani Ra Krushnasara
Akhilamohan Patnaik

‘ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର’ ଅପୂର୍ବ...

Chandra Ra Abhishap

Chandra Ra Abhishap
Akhilamohan Patnaik

ରହସ୍ୟମୟ ଜଗତ ଅନ୍ତରାଳରେ ଲୁକ୍‌କାୟିତ ରହିଥାଏ ଏକ...


18-Dec-1927 / 29-Nov-1987
Akhilamohan Patnaik

ଓଡ଼ିଆ ଗଳ୍ପ ସାହିତ୍ୟରେ ଯେଉଁ ମୁଷ୍ଟିମେୟ କେତେଜଣ ସ୍ରଷ୍ଟା ନିଜର ସ୍ୱତନ୍ତ୍ର ଶୈଳୀ, ବାକ୍‌-ଭଙ୍ଗୀ, ଉପସ୍ଥାପନା ରୀତି ଓ ସର୍ବୋପରି ଗଳ୍ପର ବିଚିତ୍ର ଭାବଭୂମି ପାଇଁ ବାରି ହୋଇପଡନ୍ତି, ସେମାନଙ୍କ ମଧ୍ୟରେ ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ ଅନ୍ୟତମ । ବୃତ୍ତିଗତ, ବ୍ୟକ୍ତିଗତ ଓ ସାରସ୍ୱତ ସାଧନା କ୍ଷେତ୍ରରେ ତାଙ୍କର ପରିଧି ଥିଲା ବୈଚିତ୍ର୍ୟମୟ । ସାରସ୍ୱତ ସାଧନାର ପ୍ରଥମ ପ୍ରେରଣା ଥିଲେ ଖୋର୍ଦ୍ଧା ହାଇସ୍କୁଲ୍‌ର ସୁଖ୍ୟାତ ପ୍ରଧାନଶିକ୍ଷକ ତାଙ୍କ ପିତା ଶ୍ରୀ ବାଙ୍କନିଧି ପଟ୍ଟନାୟକ । ଏହି ସାରସ୍ୱତ ସାଧକଙ୍କ ଜନ୍ମ ହୁଏ ୧୯୨୭ ମସିହା ଡିସେମ୍ବର ୧୭ ତାରିଖରେ ତତ୍‌କାଳୀନ ପୁରୀ ଜିଲ୍ଲାର ଖୋର୍ଦ୍ଧା ଗ୍ରାମରେ । ଖୋର୍ଦ୍ଧାର ଶ୍ୟାମଳବନାନୀ, ବରୁଣେଇ ପର୍ବତର ସୁନା ଆଉଟା ରଙ୍ଗ ଏକଦା ପ୍ରଲୁବ୍ଧ କରିଥିଲା କବି ସଚ୍ଚିଦାନନ୍ଦ ରାଉତରାୟ ଓ ମାୟାଧର ମାନସିଂହଙ୍କୁ । ସେହି ମାଟିର ସନ୍ତାନ ଭାବରେ ଅଖିଳମୋହନ ଆଉ ଏକ ନୂଆଫର୍ଦ୍ଦ ଯୋଡ଼ି ଦେଇଛନ୍ତି ଓଡ଼ିଶାର ସାରସ୍ୱତ ଜଗତରେ । ସୁରେନ୍ଦ୍ର ମହାନ୍ତିଙ୍କ ପରେ ଓଡ଼ିଆ କଥାକଳ୍ପନା ରାଜ୍ୟରେ ଭାବ ଓ ଭାଷା କ୍ଷେତ୍ରରେ ଗତାନୁଗତିକତାକୁ ପରିହାରକରି ଗଳ୍ପର ଭାବଭୂମିକୁ ଯିଏ ନୂତନ ମୋଡ଼ ପ୍ରଦାନ କରିଛନ୍ତି, ସେ ଅନ୍ୟ କେହି ନୁହଁନ୍ତି; ଓଡ଼ିଆ ଗଳ୍ପ ସାହିତ୍ୟର ପ୍ରବାଦପୁରୁଷ ଅଖିଳମୋହନ ପଟ୍ଟନାୟକ । ସେ କେବଳ ଗଳ୍ପର ଆଙ୍ଗିକ ଓ ଆତ୍ମିକର ପରୀକ୍ଷା-ନିରୀକ୍ଷା କ୍ଷେତ୍ରରେ ନୂତନତା ପ୍ରଦର୍ଶନ କରିନାହାନ୍ତି; ବରଂ ଗଳ୍ପର ଭାବଭୂମିକୁ ଅଖ୍ୟାତ ପଲ୍ଲୀରୁ ପ୍ରଖ୍ୟାତ ଆନ୍ତର୍ଜାତିକ କ୍ଷେତ୍ର ପର୍ଯ୍ୟନ୍ତ ବିସ୍ତାରିତ କରିଦେଇଛନ୍ତି ।

ଛାତ୍ରାବସ୍ଥାରେ ସମାଜବାଦୀ ଦର୍ଶନ ଦ୍ୱାରା ପ୍ରଭାବିତ ହୋଇ ଛାତ୍ର ଆନ୍ଦୋଳନରେ ନାୟକର ଭୂମିକା ନିର୍ବାହ କରିଛନ୍ତି । ମଧୁସୂଦନ ଆଇନ୍ ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଭାବରେ ତାଙ୍କର କାର୍ଯ୍ୟକାଳ ଥିଲା ଅତୀବ ପ୍ରଶଂସନୀୟ । ବିଦ୍ୟାଳୟରେ ଛାତ୍ରାବସ୍ଥାରେ ସେକ୍‌ସପିୟରଙ୍କ ଟ୍ରାଜେଡି କାହାଣୀ ତାଙ୍କ ଅବଚେତନ ମାନସରେ ଗଭୀର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଇଂରାଜୀ ତଥା ଓଡ଼ିଆ ସାହିତ୍ୟର ବହୁ କୃତବିଦ୍ୟ ସ୍ରଷ୍ଟାଙ୍କ ସୃଷ୍ଟି ତାଙ୍କ କଳ୍ପଜଗତରେ ଯେଉଁ ଆଲୋଡ଼ନ ସୃଷ୍ଟି କରିଥିଲା, ତାହା ହିଁ ପରବର୍ତ୍ତୀ ସମୟରେ ଜନ୍ମ ଦେଇଥିଲା ଓଡ଼ିଆ ଗଳ୍ପ ସାହିତ୍ୟର ଅନ୍ୟତମ ଟ୍ରେଣ୍ଡ ସେଟର ଅଖିଳମୋହନ ପଟ୍ଟନାୟକଙ୍କୁ । ୧୯୪୭ ମସିହାରେ କୋଡ଼ିଏ ବର୍ଷ ବୟସରେ ତାଙ୍କର ପ୍ରଥମ ଗଳ୍ପ ‘ସପନ’ ପ୍ରକାଶିତ ହୋଇଥିଲା ମାୟାଧର ମାନସିଂହଙ୍କ ସଂପାଦିତ ‘ଶଙ୍ଖ’ ପତ୍ରିକାରେ । ତାଙ୍କର ପ୍ରଥମ ଗଳ୍ପ କେବଳ ତାଙ୍କୁ ଆତ୍ମବିଶ୍ୱାସ ଦେଇନଥିଲା, ବରଂ ପରବର୍ତ୍ତୀ ସମୟରେ ତାଙ୍କୁ ଅଧିକ ଗଳ୍ପ ରଚନା ପାଇଁ ପ୍ରେରିତ କରିଥିଲା । ପ୍ରଥମ ଗଳ୍ପ ତାଙ୍କୁ ଜଣେ ସମ୍ବେଦନଶୀଳ ଗାଳ୍ପିକ ଭାବରେ ଖ୍ୟାତି ଦେଇଥିଲା । ସେହି ୧୯୪୭ ମସିହା ‘ଶଙ୍ଖ’ର ଦ୍ୱିତୀୟ ବର୍ଷ ଦଶମ ସଂଖ୍ୟାରେ ପ୍ରକାଶ ପାଏ ‘ସ୍ପର୍ଶମଣି’ ଶୀର୍ଷକ ଗଳ୍ପ । ଏହାପରେ ସେ ଆଉ ପଛକୁ ଫେରିଚାହିଁ ନାହାନ୍ତି । ତାଙ୍କର ତିରିଶ ବର୍ଷ ସାହିତ୍ୟସାଧନା ମଧ୍ୟରେ ଓଡ଼ିଆ ସାହିତ୍ୟକୁ ଅର୍ଦ୍ଧ ଶତାଧିକ ଗଳ୍ପ କେବଳ ଦେଇନାହାନ୍ତି; ବରଂ ଓଡ଼ିଆ କଥାସାହିତ୍ୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ‘ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର’, ‘ଓ ଅନ୍ଧଗଳି’, ‘ନଦୀର ନାମ ଗଣତନ୍ତ୍ର’ ଆଦି ସଂକଳନରେ ସଂକଳିତ ଗଳ୍ପ ଏବଂ ଏହା ବାହାରେ ରହିଯାଇଥିବା କିଛି ଗଳ୍ପ ତାଙ୍କ ସାରସ୍ୱତ ସାଧନାର ଅମୃତଫଳ । ୧୯୪୮ରୁ ୧୯୫୧ ମଧ୍ୟରେ ବାରମ୍ବାର କାରାଗାରବରଣ ସତେ ଯେପରି ଥିଲା ତାଙ୍କ ଗଳ୍ପ ପ୍ରସ୍ତୁତିର ଯଥାର୍ଥ କର୍ମଶାଳା । ଜେଲ୍‌ରେ ପ୍ରଚୁର ଅବସର ଏବଂ ସେହି ଅବସରକୁ ସେ ବିନିଯୋଗ କରିଥିଲେ ଗଳ୍ପରଚନା କ୍ଷେତ୍ରରେ । କାରାଗାରରେ ଥିବା ସମୟରେ ତାଙ୍କର କେତୋଟି ଗଳ୍ପ ପ୍ରକାଶ ପାଇଥିଲା ‘ସହକାର’ ପତ୍ରିକାରେ । ତାଙ୍କ ମତାନୁସାରେ ସେହି ପ୍ରାଥମିକ ପର୍ଯ୍ୟାୟର ଗଳ୍ପ ଲେଖିବାରେ ଥିଲା ଅନେକ ଖିଆଲି ଭାବ ଓ ଆଦ୍ୟ ଯୌବନର ରୋମାଣ୍ଟିସିଜିମ୍ । ତାଙ୍କର ଅନେକ ଗଳ୍ପ ଗଭୀର ଯନ୍ତ୍ରଣାବୋଧରୁ ସୃଷ୍ଟି ବୋଲି ‘ମୁଁ କାହିଁକି ଲେଖେ’ରେ ସ୍ୱୀକାରୋକ୍ତି କରିଛନ୍ତି ।

ଗତାନୁଗତିକ ଜୀବନର ପରିପନ୍ଥୀ ଥିଲେ ଅଖିଳମୋହନ । ପୁଣି ଗତାନୁଗତିକ ଜୀବନକୁ ଅସ୍ୱୀକାର କରୁଥିବା ଏକ ସଚେତନ ଶିଳ୍ପୀ । ୧୯୪୭ ମସିହାରୁ ୧୯୫୨ ମସିହା ମଧ୍ୟରେ ତାଙ୍କର ଅଧିକାଂଶ ପ୍ରକାଶିତ ଗଳ୍ପମାନଙ୍କରେ ରୋମାଣ୍ଟିକ ଚିନ୍ତାଧାରା ସହିତ ସମାଜବାଦୀ ଚିନ୍ତାଧାରାର ସମନ୍ୱୟ ପରିଲକ୍ଷିତ ହୋଇଥାଏ । ‘ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର’ ଶିରୋନାମାଟି ବାମପନ୍ଥୀ ଚିନ୍ତାଧାରା ସମ୍ବଳିତ ମନେ ହେଉଥିଲେ ହେଁ ବାସ୍ତବରେ ଏ କାହାଣୀ ହେଉଛି ଏକ ଅସଫଳ ଆବେଗମୟ ପ୍ରେମର କରୁଣାକ୍ତ ଅଭିଲିପି । ତାଙ୍କର ଆଦ୍ୟରଚନାମାନଙ୍କ ମଧ୍ୟରେ ‘ଆଷାଢ଼ସ୍ୟ ପ୍ରଥମ ଦିବସେ’ ଏକ ସ୍ୱତନ୍ତ୍ର ଭାବଭୂମିର ଅପେକ୍ଷା ରଖେ । କାରଣ ଏହି ଗଳ୍ପରେ ଅବହେଳିତ, ନିପୀଡ଼ିତ ଜନଜୀବନର ଚିତ୍ର ବେଶ୍ ସମ୍ବେଦନଶୀଳତାର ସହିତ ଶବଳିତ । ସାମ୍ୟବାଦର ଶୃଙ୍ଖଳା ଓ ଅନୁଶାସନ ମଧ୍ୟରେ କେଉଁଠି ନା କେଉଁଠି ତାଙ୍କ ଶିଳ୍ପୀପ୍ରାଣର ରୋମାଂଟିକ ଭାବାବେଗ ପ୍ରକାଶୋନ୍ମୁଖୀ ହେବାର ଅବସର ଖୋଜିଛି ।

୧୯୫୩-୫୪ ମସିହା ପରେ ଅଖିଳମୋହନଙ୍କ ଚିନ୍ତାଧାରାରେ ଗଭୀର ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ସାମାଜିକ ପରିବର୍ତ୍ତନ ଏବଂ ସମସାମୟିକ ରାଜନୀତିକ ତଥା ଭାବଗତ ପରିବର୍ତ୍ତନ ଜଣେ ସ୍ରଷ୍ଟାଙ୍କ ସାରସ୍ୱତ ସର୍ଜନାକୁ ବହୁ ପରିମାଣରେ ପ୍ରଭାବିତ କରିଥାଏ । ଅଖିଳମୋହନ ଏହି ସମୟକୁ ବାମପନ୍ଥୀ ଚିନ୍ତାଧାରାର ଉଗ୍ରତାକୁ ପରିହାର କରି ଧୀରେଧୀରେ ଜୀବନମନସ୍କ ଓ ଦାର୍ଶନିକ ଅନୁଚିନ୍ତନ ପ୍ରତି ଆକର୍ଷିତ ହୋଇଛନ୍ତି । ଜୀବନକୁ ଏକ ପ୍ରସାରିତ ଦୃଷ୍ଟିଭଙ୍ଗୀ ନେଇ ଦେଖିବାର ମନୋବୃତ୍ତି ତାଙ୍କ ଗଳ୍ପର ଭାବଭୂମିକୁ କରିଛି ବୈଚିତ୍ର୍ୟମଣ୍ଡିତ । ଜୀବନର ବ୍ୟର୍ଥତା ମଧ୍ୟରେ ଗଳ୍ପର ଅନ୍ତଃରହସ୍ୟକୁ ଖୋଜିବାକୁ ସେ ସଚେଷ୍ଟ ହୋଇଛନ୍ତି । ପାରମ୍ପରିକ ଜୀବନ ଏବଂ ବିଶ୍ୱାସବୋଧ ପଛରେ ରହିଥିବା ଯୌକ୍ତିକ ସିଦ୍ଧାନ୍ତ ଦ୍ୱାରା ସେ କେବେ ପ୍ରଭାବିତ ହୋଇନାହାନ୍ତି । ଜୀବନର ନକାରାତ୍ମକ ଦିଗ, ହତାଶା ଏବଂ ବ୍ୟର୍ଥତା ମଧ୍ୟରେ ଜୀବନର ପ୍ରକୃତ ରହସ୍ୟ ଲୁକ୍‌କାୟିତ ବୋଲି ସେ ବିଶ୍ୱାସ କରନ୍ତି । ତେଣୁ ତ ସେ କୁହନ୍ତି - ‘ମୁଁ ଗଭୀର ଭାବେ ବିଶ୍ୱାସ କରେ ଯେ, ଜଣେ ଲୋକ ହତାଶ, ବ୍ୟର୍ଥ ନ ହେଲେ ସେ ବଡ଼ ଲେଖକ ହୋଇପାରେନା, ମୁଁ ବ୍ୟକ୍ତିଗତ ଜୀବନର ବ୍ୟର୍ଥତାର କ୍ଷତିପୂରଣ ପାଇଁ ଗଳ୍ପ ଲେଖେ ।’

ଅଖିଳମୋହନଙ୍କ ଗଳ୍ପର ଅନୁଭୂତି ଓ କଳ୍ପନାବିଳାସ ମଧ୍ୟରେ ଯୁକ୍ତି ସର୍ବଦା ପ୍ରାଧାନ୍ୟ ଲାଭ କରିଥାଏ । ତାଙ୍କ ବିଚିତ୍ର ଜୀବନଯାପନ ପଦ୍ଧତି, ପାରମ୍ପରିକ ବିଶ୍ୱାସ ଓ ମୂଲ୍ୟବୋଧ ପ୍ରତି ନେତିବାଚକ ଦୃଷ୍ଟିଭଙ୍ଗୀ, ସମାଜର ଗଡ୍‌ଡାଳିକା ଜୀବନ ପ୍ରବାହ ପ୍ରତି ବେପରୁଆ ଓ ବିଦ୍ରୋହାତ୍ମକ ମନୋଭାବ ତାଙ୍କ କଳାଜଗତକୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ବ୍ୟକ୍ତି ସ୍ଵାତନ୍ତ୍ର୍ୟର ପରାଜୟକୁ ସେ ସ୍ୱାଭାବିକ ଭାବରେ ଗ୍ରହଣ କରିପାରୁ ନ ଥିଲେ । ଶୃଙ୍ଖଳାର କଠୋରତା ତାଙ୍କ ସ୍ପର୍ଶକାତର ମନ ପାଇଁ ଥିଲା ସମ୍ପୂର୍ଣ୍ଣ ଅଗ୍ରାହ୍ୟ । ଗୋଟିଏ ଇନ୍ଦ୍ରିୟାତୀତ ଏବଂ ଅଲୌକିକ ପରିବେଶରେ ତାଙ୍କ ଚରିତ୍ରଗଣ ଜୀବନର ଯେଉଁ ନାନ୍ଦୀପାଠ କରିଥାନ୍ତି, ଅନ୍ୟମାନଙ୍କ ପାଇଁ ତାହା ପ୍ରହେଳିକା ପରି ଅନୁମିତ ହେଲେ ହେଁ ତନ୍ମଧ୍ୟରେ ଜୀବନର ଏକ ସୂକ୍ଷ୍ମ ରହସ୍ୟବୋଧ ଯେ ଲୁକ୍କାୟିତ ରହିଥାଏ, ତାହାକୁ ଅସ୍ୱୀକାର କରାଯାଇ ନପାରେ । ଅନ୍ୟ ଗାଳ୍ପିକଙ୍କ ତୁଳନାରେ ଏଇଠି ହିଁ ଅଖିଳମୋହନଙ୍କ ଗଳ୍ପର ବିଶେଷତ୍ୱ ବାରି ହୋଇପଡ଼ିଥାଏ ।

ଅଖିଳମୋହନ ଥିଲେ ପରମ୍ପରା ଓ ଆଧୁନିକତାର ଏକ ସମନ୍ୱୟ । ତାଙ୍କ ନଷ୍ଟାଲ୍‌ଜିକ୍ ଆଭିମୁଖ୍ୟ ଯେପରି ତାଙ୍କୁ ପରମ୍ପରା ସହିତ ଯୋଡ଼ିଥାଏ, ଠିକ୍ ସେହିପରି ସାମ୍ପ୍ରତିକ ବିଶ୍ୱର ଘଟଣା, ଦୁର୍ଘଟଣା ଓ ଅଘଟଣା ତାଙ୍କୁ ଯୋଡ଼ି ଦେଇଥାଏ ସମକାଳ ସହିତ । ଜୀବନ ପ୍ରତି ସେ ଅତ୍ୟନ୍ତ ଉଦାର; ମାତ୍ର ନିର୍ବିକାର । ଯୁକ୍ତିସିଦ୍ଧ ନଥିବା କୌଣସି ଘଟଣାକୁ ସେ ସହଜରେ ଗ୍ରହଣ କରିପାରି ନାହାନ୍ତି । ଜଗତର ବ୍ୟଥା-ବେଦନାକୁ ସେ ନିଜ ଅନୁଭବ ଦେଇ ଉପଲବ୍ଧି କରନ୍ତି ଏବଂ କୌଣସି ଏକ ଘଟଣାକୁ ଗ୍ରହଣ କରିବା ପୂର୍ବରୁ ସେ ସମ୍ପର୍କରେ ସେ ବାରମ୍ବାର ପ୍ରଶ୍ନ ପଚାରିଥାନ୍ତି । ତାଙ୍କ ମନରେ ସୃଷ୍ଟି ହେଉଥିବା ଜୀବନ ଓ ଜଗତ ସମ୍ପର୍କୀୟ ଚିରନ୍ତନ ଜିଜ୍ଞାସା ତାଙ୍କ ଗଳ୍ପଗୁଡ଼ିକରେ ହୋଇଥାଏ ପ୍ରତିଫଳିତ । ତାଙ୍କ ଚରିତ୍ରମାନଙ୍କର ବିଚରଣ ଭୂମି ସର୍ବଦା ମନୋଜଗତରେ । ସେଥିପାଇଁ ଅଖିଳଙ୍କ ଗଳ୍ପର ଚରିତ୍ର ଗତାନୁଗତିକ ଧାରାର ପ୍ରକ୍ଷାପକ ହେବା ପରିବର୍ତ୍ତେ ନିଜ ଅନ୍ତଃବେଦନାରେ ସର୍ବଦା ଜର୍ଜରିତ । ତାଙ୍କ ଚରିତ୍ରମାନଙ୍କର ବିଶେଷତ୍ୱ ହେଉଛି, ସେମାନେ ସହଜ ଭାବରେ ବିନା ପ୍ରଶ୍ନ ଏବଂ ଯୁକ୍ତିରେ କୌଣସି ଘଟଣାକୁ ଗ୍ରହଣ କରନ୍ତି ନାହିଁ । ଆଧୁନିକ ମଣିଷର ସ୍ୱପ୍ନ, ସ୍ୱପ୍ନଭଙ୍ଗ, ହତାଶା, ନିରାଶା ଏବଂ ଭଙ୍ଗା ମୂଲ୍ୟବୋଧରୁ ଏମାନେ ଜନ୍ମନେଇ ନିଜ ସମୟର ପରିମାପକ ହୋଇଥାନ୍ତି । ମାନବର ମନଃସ୍ଥିତି, ସାମ୍ପ୍ରତିକ ବସ୍ତୁବାଦର ମାୟାଜାଲ, ପ୍ରତିଷ୍ଠା ଓ ପ୍ରାପ୍ତିର ମୋହ, ଯୌନ ଅତୃପ୍ତି, ବିଡ଼ମ୍ବିତ ଭାଗ୍ୟ, ଅତୀନ୍ଦ୍ରିୟ ଭାବ-ଭାବନା ଭିତରେ ତାଙ୍କର ଚରିତ୍ରଗଣ ହୋଇଥାନ୍ତି ବର୍ତ୍ତମାନ ସମୟର ଏକ ଏକ ବିଚିତ୍ର ଉଦ୍ଭାବନ । ରକ୍ଷଣଶୀଳ ସଂସ୍କୃତି ମୁକ୍ତମାନବ ପାଇଁ ପ୍ରତିବନ୍ଧକ ହୋଇଥିବାରୁ ସେମାନେ ତାଙ୍କୁ ବର୍ଜନ କରିବାକୁ କୁଣ୍ଠା ପ୍ରକାଶ କରି ନ ଥାନ୍ତି । ତାଙ୍କର ଉଭୟ ନାରୀ ଓ ପୁରୁଷ ପାଇଁ ପାରମ୍ପରିକ ସାମାଜିକ ବ୍ୟବସ୍ଥା ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେ କରିଥାନ୍ତି । ନିମ୍ନବଧ୍ୟବିତ୍ତ, ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ମଣିଷର ଜୀବନଚର୍ଯ୍ୟା ମଧ୍ୟରୁ ଏମାନଙ୍କ ହୋଇଥାଏ ଆବିର୍ଭାବ ।

ଅଖିଳଙ୍କ ଗଳ୍ପର ଭାବବସ୍ତୁ ପାରମ୍ପରିକ ଘଟଣା ପ୍ରବାହଠାରୁ ଅନେକ ଦୂରରେ । ରୋମାଣ୍ଟିକ ଚେତନା ଆଧାରିତ ଗଳ୍ପ ମଧ୍ୟରେ ମଧ୍ୟ ସେ ବାସ୍ତବତାର ପ୍ରଲେପ ବୋଳି ଦେଇଥାନ୍ତି । ସମାଜ, ରାଜନୀତି, ମନସ୍ତତ୍ତ୍ୱ, ଭୌତିକତା, ଫାଣ୍ଟାସି, ଆତ୍ମା-ପରମାତ୍ମା ପରି ବହୁବିଧ ଚିନ୍ତା-ଚେତନାକୁ ନେଇ ତାଙ୍କ ଗଳ୍ପର ଭାବଭୂମି ବିନିର୍ମିତ । ଏହି ଦୃଷ୍ଟିରୁ ଓଡ଼ିଆ ଗଳ୍ପ ସାହିତ୍ୟରେ ତାଙ୍କର ଗଳ୍ପ ଏକ ସ୍ୱତନ୍ତ୍ର ବିଚାରବୋଧ ସ୍ଥାପନ କରିଥାଏ ।

କେବଳ ଗଳ୍ପକ୍ଷେତ୍ରରେ ଅଖିଳମୋହନ ନିଜ ସରସ୍ୱତ ସାଧନାକୁ ସୀମାବଦ୍ଧ କରି ନ ଥିଲେ । ସେ ଆତ୍ମଜୀବନୀ, ଭ୍ରମଣକାହାଣୀ, ରମ୍ୟରଚନା, ଫିଚରଧର୍ମୀ ରଚନା, ରୋମାଞ୍ଚକର ଡିଟେକ୍‌ଟିଭ୍ ଆଦି ରଚନା କ୍ଷେତ୍ରରେ ମଧ୍ୟ ନିଜର ବିଶେଷତ୍ୱ ପ୍ରମାଣିତ କରିଛନ୍ତି । ୧୯୫୭ ମସିହାରେ ‘ମନସ୍ତାତ୍ତ୍ୱିକ ଚିଠି’ ଶିରୋନାମାରେ ଯେଉଁ ରଚନା ଆରମ୍ଭ ହୋଇ ୧୯୮୨ ମସିହା ପର୍ଯ୍ୟନ୍ତ ପ୍ରକାଶ ପାଇଥିଲା, ସ୍ରଷ୍ଟାଙ୍କ ମହାପ୍ରୟାଣ ପରେ ତାହା ‘ଅନାଗତ ଫାଲଗୁନ୍‌’ ଶୀର୍ଷକରେ ପ୍ରକାଶ ପାଇ ବେଶ୍ ପାଠକୀୟ ଆଦୃତି ଲାଭ କରିଛି । ଏହି ପତ୍ରଧର୍ମୀ ରଚନାକୁ ଲଳିତ ନିବନ୍ଧ ଅଭିଧାରେ ଚିହ୍ନିତ କରାଯାଇପାରେ । ପ୍ରିୟତମା ସୁଜାତା ପାଖକୁ ଲିଖିତ ୧୩ ଖଣ୍ଡ ଚିଠିରେ ତାଙ୍କର ବ୍ୟକ୍ତିଗତ ଅନୁଭୂତି ଓ ଆବେଗ ଅତ୍ୟନ୍ତ ମନନଧର୍ମୀ । ଏଥିରେ ତାଙ୍କର ପ୍ରଣୟାନୁଭବ ସହିତ ବ୍ୟକ୍ତିଗତ ସୁଖ-ଦୁଃଖ ଏବଂ ଅନୁଚିନ୍ତା ହୃଦୟସ୍ପର୍ଶୀ ଭାଷାରେ ଜୀବନ୍ୟାସ ପାଇଛି । ପ୍ରତ୍ୟେକଟି ଚିଠି ସ୍ୱୟଂସମ୍ପୂର୍ଣ୍ଣ ପୁଣି ପ୍ରତ୍ୟେକ ଚିଠିର ଆବେଗଧର୍ମିତା ସବୁ ଚିଠିକୁ ଗୋଟିଏ ଅନୁଭବର ବିଚିତ୍ର ରଜୁରେ ବାନ୍ଧି ରଖିବାରେ ସମର୍ଥ । ତାଙ୍କର ପ୍ରେୟସୀ ସୁଜାତା ହୋଇପାରେ ଏକ କାଳ୍ପନିକ ଚରିତ୍ର; ମାତ୍ର ଲେଖକୀୟ ଅନୁଭବ ଚିଠିଗୁଡ଼ିକୁ ବ୍ୟକ୍ତିଗତ ସ୍ତରରୁ ଉତ୍ତରିତ କରାଇ ସାର୍ବଜନୀନ କରିପାରିଛି । ଏହାର ବର୍ଣ୍ଣନାଶୈଳୀ, ରଚନାଭଙ୍ଗୀ ଉତ୍କୃଷ୍ଟ ରମ୍ୟରଚନାର ପରିଚାୟକ । ଏହା ମଧ୍ୟରେ ଅନେକ ଛୋଟ-ବଡ଼କାହାଣୀ ରୂପ ପାଇଥିବାରୁ କେହି କେହି ଏହାକୁ ପତ୍ରଧର୍ମୀ ଗଳ୍ପ ନାମରେ ଅଭିହିତ କରିଥାନ୍ତି । ଅଖିଳଙ୍କ ରୋମାଣ୍ଟିକ ଚେତନା, କାଳ୍ପନିକ ଦୃଷ୍ଟିଭଙ୍ଗୀ ଭିତରେ ତାଙ୍କ ମୌଳିକ ବିଚାରଧାରା ସ୍ପଷ୍ଟ ବାରିହୋଇପଡ଼େ । ମଧୁର ସ୍ମୃତିର ମହମହ ବାସ୍ନା ଓ ପୁଣି କେତେବେଳେ ବିଧୁରତାର ଦାବଦହନ ଏହି ଚିଠିଗୁଡ଼ିକୁ ଦେଇଛି ଏକ କ୍ଲାସିକ୍ ମର୍ଯ୍ୟାଦା ।

ଅଖିଳମୋହନଙ୍କର ଭିନ୍ନ ଧରଣର ଅନ୍ୟ ଏକ ରଚନା ହେଉଛି ‘ବାଘରାଣୀ ଖଇରୀ’ । ମାନବେତର ବାସ୍ତବ ଖଇରୀକୁ ସେ ଯେପରି ଭାବରେ ଉଦ୍‌ଘାଟନ କରିଛନ୍ତି, ସେଥିରୁ ତାଙ୍କ କଳାଦୃଷ୍ଟିର ସ୍ୱାତନ୍ତ୍ର୍ୟ ବାରି ହୋଇପଡ଼େ । ଯଶିପୁର ଜଙ୍ଗଲରୁ ଫରେଷ୍ଟ ଅଫିସର ସରୋଜ ରାୟଚୌଧୁରୀଙ୍କ ଦ୍ୱାରା ଧରାଯାଇଥିବା ଖଇରୀ ଲେଖକଙ୍କ ଲେଖନୀରେ ଏକ ଅପୂର୍ବ ରୂପ ନେଇ ପ୍ରକାଶ ଲାଭ କରିଛି । ଖଇରୀର ଜୀବନୀ ଅଖିଳମୋହନଙ୍କ ସୃଷ୍ଟିର ଭିନ୍ନ ଏକ ସଂରଚନା । ଖଇରୀର ଯୌବନ, ଚପଳତାକୁ ଲେଖକ ବର୍ଣ୍ଣନା କରିବା ସମୟରେ ତାଙ୍କୁ ଏକ ମଣିଷର ରୂପକଳ୍ପ ମଧ୍ୟରେ ଜୀବନ୍ୟାସ ଦେବାକୁ ଚେଷ୍ଟା କରିଛନ୍ତି । ହିଂସ୍ରପ୍ରାଣୀ ମଧ୍ୟରେ ଏକ ମାନବିକ ଉପଲବ୍‌ଧିର ମାର୍ମିକ ଚିତ୍ର ହେଉଛି ‘ବାଘରାଣୀ ଖଇରୀ’ର ଜୀବନ ଚରିତ, ଯାହା ସ୍ରଷ୍ଟା ଅଖିଳମୋହନଙ୍କ ମନୋଜ୍ଞ ଦୃଷ୍ଟିଭଙ୍ଗୀର ଅବିସ୍ମରଣୀୟ କଳାକୃତି ।

ଗୋଟିଏ ସମୟରେ ବିଶ୍ୱ ସାହିତ୍ୟରେ ରହସ୍ୟ-ରୋମାଞ୍ଚକର ସାହିତ୍ୟ ବେଶ୍ ଗୁରୁତ୍ୱଲାଭ କରିଥିଲା । ଏହା ଗୋଇନ୍ଦା ଉପନ୍ୟାସ ଭାବରେ ଗୋଟିଏ ସ୍ୱତନ୍ତ୍ର ଧାରା । ‘ସୁନ୍ଦରବନରେ ହତ୍ୟାର ବିଭୀଷିକା’ ଶିରୋନାମାରେ ଅଖିଳମୋହନ ଆରମ୍ଭ କରିଥିଲେ ଏକ ପରୀକ୍ଷାଧର୍ମୀ ରଚନା । ଛଦ୍ମ ନାମରେ ସେ ଏହା ଲେଖୁଥିଲେ ଉପନ୍ୟାସଟିର ଶିରୋନାମା ଥିଲା ‘ରହସ୍ୟ ରୋମାଞ୍ଚ’ ଏବଂ ଲେଖକ ନିଜ ନାମ ‘ସବ୍ୟସାଚୀ’ ରଖି ସମାବେଶ ପତ୍ରିକାରେ ପ୍ରକାଶ କରାଉଥିଲେ । ଏହା ସେତେବେଳେ ମନୋଜ୍ଞ କାହାଣୀ ଭାବରେ ପାଠକଙ୍କର ମନୋରଞ୍ଜନ କରିବାରେ ସମର୍ଥ ହୋଇଥିଲା । ଉପନ୍ୟାସଟିର ଶେଷସ୍ପର୍ଶ ଦିଆଯାଇ ପାରିନାହିଁ । ସତରଟି ପରିଛେଦ ରଚନା କରାଯାଇଛି । ଅଖିଳମୋହନଙ୍କ ଅଚାନକ ବିୟୋଗ ଉପନ୍ୟାସଟିକୁ ପରିଣତିରେ ପହଞ୍ଚାଇବାରେ ପ୍ରତିବନ୍ଧକ ହୋଇଛି । ବର୍ଣ୍ଣନାତ୍ମକ ଶୈଳୀରେ ରଚିତ ଏହି ରଚନାଟି ଅଖିଳମୋହନଙ୍କ ସର୍ଜନାତ୍ମକ ଦିଗର ଅନ୍ୟତମ ଚମତ୍କାର ସଂରଚନା ।

ଅଖିଳମୋହନ ସାହିତ୍ୟର ଅନ୍ୟ ଏକ ବିଭାଗ ଆତ୍ମଜୀବନୀ ରଚନାରେ ଆଗ୍ରହ ପ୍ରକାଶ କରି ମାତ୍ର ଦୁଇଟି ଅଧ୍ୟାୟ ରଚନା କରିଥିଲେ । ସେ ‘ଶୈଶବର ଶବ’ ଅଧ୍ୟାୟ (ଆସନ୍ତା କାଲି, ୧୯୭୬ ଫେବୃୟାରୀରେ ପ୍ରକାଶିତ) ଶିରୋନାମାରେ ନିଜ ଜନ୍ମିତ ସ୍ଥାନ ଏବଂ ପରିବେଶର ଅଭିଜ୍ଞତାକୁ ଚମତ୍କାର ଢଙ୍ଗରେ ପ୍ରକାଶ କରିବା ସମୟରେ ଅତୀତ ଜୀବନର ବହୁ ଘଟଣାକୁ ସାଉଁଟିବାକୁ ଚେଷ୍ଟା କରିଛନ୍ତି । ବରୁଣେଇ ପାହାଡ଼ଠାରୁ ଆରମ୍ଭ କରି ନିଜ ସ୍ଥାନର ପ୍ରାକୃତିକ ସୁଷମାକୁ ଗୋଟିଏ କବିଦୃଷ୍ଟି ନେଇ ବର୍ଣ୍ଣନା କରିଛନ୍ତି । ବନଝରଣାର ଦୃଶ୍ୟ ସହିତ ଅନ୍ଧକାରମୟ ଝଡ଼ବର୍ଷାର ରୌଦ୍ରରୂପକୁ ମଧ୍ୟ ସେ ବାସ୍ତବତାର ପୁଟ ଦେଇ ପ୍ରକାଶ କରିଛନ୍ତି । ‘ନିର୍ଜନ ସଂଳାପ’ରେ ବିଭିନ୍ନ ଋତୁରେ ବରୁଣେଇ ପାହାଡ଼ର ବର୍ଣ୍ଣନା ଜୀବନ୍ତ ରୂପ ନେଇଛି । ଏହି ବର୍ଣ୍ଣନା ସହିତ ସେ ଶୁଣିଥିବା ଜନଶ୍ରୁତି ଓ କିମ୍ବଦନ୍ତୀକୁ ଯୋଡ଼ିଦେଇ ଏକ ଅପୂର୍ବ ଆତ୍ମଜୀବନୀ ରଚନା ପ୍ରୟାସ କରିଥିଲେ ହେଁ ଏହାର ଅପୂର୍ଣ୍ଣତା ପାଠକମାନଙ୍କୁ ଏକ ଚମତ୍କାର ଆତ୍ମଜୀବନୀ ପାଠରୁ ବଞ୍ଚିତ କରିଛି ।

ଅଖିଳମୋହନଙ୍କ ‘ଅନ୍ୟ ଦେଶ’ ଭ୍ରମଣ କାହାଣୀ ଓଡ଼ିଆ ଭ୍ରମଣ ସାହିତ୍ୟ ପରମ୍ପରାରେ ସ୍ୱାତନ୍ତ୍ର୍ୟ ଦାବି କରିଥାଏ । ଲଣ୍ଡନ, ଫ୍ରାନ୍ସ, ସୁଇଜରଲ୍ୟାଣ୍ଡ, ପଶ୍ଚିମ ଜର୍ମାନ ଆଦି ଦେଶକୁ ଇଣ୍ଡୋ-ଫ୍ରେଞ୍ଚ ସୋସାଇଟି ତରଫରୁ ଯାଇଥିବା ଅନୁଭୂତି ଏଥିରେ ଚମତ୍କାର ଢଙ୍ଗରେ ପ୍ରକାଶିତ । ଲଣ୍ଡନ ଓ ପ୍ୟାରିସକୁ ଏହି ଭ୍ରମଣ କାହାଣୀରେ ଅଖିଳମୋହନ ଏକ ଅର୍ନ୍ତଦୃଷ୍ଟି ଓ ଗଭୀର ଅନୁସନ୍ଧିତ୍ସା ନେଇ ଦେଖିଛନ୍ତି । ଫରାସୀ ଜାତିକୁ ଜାଣିବା ପାଇଁ ଇଂରାଜୀ ଓ ଫରାସୀ ଭାଷାର ଅଭିଧାନ ସହିତ ଟିପାଖାତା ନେଇ ଖୋଜିଛନ୍ତି ତା’ର ଐତିହ୍ୟ, ଇତିହାସ, ସଂସ୍କୃତି, ସ୍ଥାପତ୍ୟକଳା ତଥା ଜନସାଧାରଣଙ୍କ ଭାବାବେଗ ଏବଂ ମହାନଗରୀର ଅନ୍ଧକାର ଅପରିଚିତ ଦିଗକୁ । ଲଣ୍ଡନର ପ୍ରସିଦ୍ଧ ଟେମସ୍ ନଦୀ, ଟ୍ରାଫାଲଗାର, ହାଇଡ୍‌ପାର୍କ, ସର୍ପେଣ୍ଟାଟାଇନ୍ ଏବଂ ସ୍ଲଟ୍‌ଲ୍ୟାଣ୍ଡୟାର୍ଡ କାର୍ଯ୍ୟାଳୟର ବହୁଦିଗକୁ ଅତ୍ୟନ୍ତ ରୋଚକ ଓ କଳାତ୍ମକ ଦୃଷ୍ଟିରୁ ପାଠକଙ୍କ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି । ବାସ୍ତବରେ ଜଣେ ପର୍ଯ୍ୟଟକଙ୍କର ସୂକ୍ଷ୍ମଦୃଷ୍ଟିଭଙ୍ଗୀ, ସର୍ଜନଶୀଳ ସ୍ରଷ୍ଟାର କଳାତ୍ମକତା, ବାସ୍ତବବାଦୀ ମଣିଷର ବିଶେଷ ଦୃଷ୍ଟିଭଙ୍ଗୀଟି ଏହି ଭ୍ରମଣ ସାହିତ୍ୟରୁ ବେଶ୍ ବାରିହୋଇପଡ଼େ । ଅନ୍ୟ ଭ୍ରମଣ କାହାଣୀ ଭଳି ‘ଗଲି ଆଇଲି ଯାହା ଦେଖିଲି ତାହା କହିଲି’ର ଚର୍ବିତଚର୍ବଣ ନାହିଁ, ବରଂ ଗୋଟିଏ ଜାତିର ସାମଗ୍ରିକ ପରିଚୟକୁ ଅଖିଳମୋହନ ଏହି ଚମତ୍କାର ଭ୍ରମଣ କାହାଣୀଟିରେ ପ୍ରକାଶ କରିଛନ୍ତି । ପୁଣି ଫରାସୀ ଭାଷାର ବହୁ ଶବ୍ଦ ଏଥିରେ ବ୍ୟବହାର କରି ବର୍ଣ୍ଣନାଗୁଡ଼ିକୁ ଜୀବନ୍ତ କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କର ଯାଯାବର ଶିଳ୍ପୀପ୍ରାଣର କୌତୂହଳତା ଓ ଜିଜ୍ଞାସାବୋଧକୁ ଯେ କୌଣସି ପାଠକ ଅନାୟାସରେ ଏଥିରେ ଲକ୍ଷ୍ୟ କରିପାରିବେ ।

ଓଡ଼ିଆ ସାହିତ୍ୟରେ ଅଖିଳମୋହନ ଥିଲେ ସ୍ୱତନ୍ତ୍ର ଶୈଳୀର ନିର୍ମାତା । କେତେବେଳେ ସେ ନିଜେ କଥକ ଭୂମିକାରେ ତ ଅନ୍ୟ କେତେବେଳେ ତୃତୀୟ ପୁରୀଷୀୟ ଶୈଳୀରେ ସେ ନିଜ ଭାବକୁ ପ୍ରକାଶ କରିଛନ୍ତି । ପୁଣି ଅଭିଜାତ ଭାଷା ପ୍ରୟୋଗରେ ସୁରେନ୍ଦ୍ର ମହାନ୍ତିଙ୍କ ପରେ ସେ ଥିଲେ ଅନ୍ୟତମ ବିନ୍ଧାଣୀ । ସେ ଯେଉଁଥିରେ ହାତ ଦେଇଛନ୍ତି, ପ୍ରତ୍ୟେକ କ୍ଷେତ୍ରରେ ନିଜ ଅସାଧାରଣ ସର୍ଜନଶୀଳତାର ପ୍ରମାଣ ଦେଇଛନ୍ତି । ଓଡ଼ିଆ ସାହିତ୍ୟରେ ବାସ୍ତବରେ ଅଖିଳମୋହନ ଥିଲେ ଅନନ୍ୟ ପ୍ରତିଭାର ଅଧିକାରୀ ।

Nadira Nama Ganatantra

Nadira Nama Ganatantra
Akhilamohan Patnaik

ସାରସ୍ଵତ ସାଧକ ସ୍ଵର୍ଗତ ଅଖିଳମୋହନ ପଟ୍ଟନାୟକ ମାତ୍ର...

Matsyagandha

Matsyagandha
Akhilamohan Patnaik

୧୯୫୦ ମସିହା ବେଳକୁ ସହରୀ ଜୀବନ, ତଥା...

Dimiri Phula

Dimiri Phula
Akhilamohan Patnaik

ମିଥ୍ୟା ସ୍ୱପ୍ନରେ ବଞ୍ଚିବାର ମଧ୍ୟ ଆନନ୍ଦ ଅଛି...

Jhada Ra Eagle O Dharani Ra Krushnasara

Jhada Ra Eagle O Dharani Ra Krushnasara
Akhilamohan Patnaik

‘ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର’ ଅପୂର୍ବ...

Chandra Ra Abhishap

Chandra Ra Abhishap
Akhilamohan Patnaik

ରହସ୍ୟମୟ ଜଗତ ଅନ୍ତରାଳରେ ଲୁକ୍‌କାୟିତ ରହିଥାଏ ଏକ...