ସାରସ୍ଵତ ସାଧକ ସ୍ଵର୍ଗତ ଅଖିଳମୋହନ ପଟ୍ଟନାୟକ ମାତ୍ର ୫୯ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଥିଲେ ହେଁ, ଓଡିଆ ସାହିତ୍ୟାନୁରାଗୀମାନେ ତାଙ୍କର ଅମଳିନ ସୃଷ୍ଟି ସଂଭାର ପାଇଁ ଯୁଗ ଯୁଗ ଧରି ମନେ ପକାଉଥିବେ । ୧୯୨୭ ମସିହାରେ ଜନ୍ମିତ ଶ୍ରୀ ପଟ୍ଟନାୟକ ଛାତ୍ର ଜୀବନରୁ ବାମପନ୍ଥୀ ଚିନ୍ତାଧାରାରେ ଅନୁପ୍ରାଣିତ ଥିଲେ । ପେଶାରେ ସେ ଥିଲେ ଜଣେ ଓକିଲ, କିନ୍ତୁ ନିଶାରେ ସେ ଥିଲେ ଜଣେ ନିଷ୍ଠାପର ସାହିତ୍ୟ ସାଧକ । ତାଙ୍କ ସୃଷ୍ଟିମାନଙ୍କରେ ସ୍ଵପ୍ନ, ପ୍ରଣୟ, ପୁଲକ ଯେତିକି ମାଧୁର୍ଯ୍ୟମୟ, ଜୀବନର ବିଷାଦ, ନୈରାଶ୍ୟ ଓ ହତାଶା ସେତିକି ବିଭୀଷିକାମୟ । ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ବରେଣ୍ୟ କଥାକାର ଶ୍ରୀ ପଟ୍ଟନାୟକ ୧୯୮୭ ମସିହାରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ।
“ନଦୀର ନାମ ଗଣତନ୍ତ୍ର” ଗଳ୍ପଟି ଆମର ଶାସନ ବ୍ୟବସ୍ଥା ଓ ଗଣତନ୍ତ୍ର ପ୍ରତି ଏକ ପରୋକ୍ଷ ବିଦ୍ରୂପ । ଏହି ଗଳ୍ପରେ ଘଟଣା ଓ ଚରିତ୍ର ଯେତିକି ଜୀବନ୍ତ ଏହାର କଥନ ଶୈଳୀ ସେତିକି ଚିତାକର୍ଷକ । ନିଜର ଅକ୍ଷମଣୀୟ ଦୋଷ ତ୍ରୁଟି ପାଇଁ ଚାକିରିରୁ ବହିଷ୍କୃତ ଚତୁର୍ଥ ଶ୍ରେଣୀ କର୍ମଚାରୀ ‘ଧନୁ ନାୟକ’ ଏହି କାହାଣୀର ମୁଖ୍ୟ ଚରିତ୍ର । ଧନୁ ନାୟକ ରାଜଧାନୀର କେନ୍ଦ୍ରସ୍ଥଳ, ସଚ୍ଚିବାଳୟ ପାର୍ଶ୍ଵରେ ଧାରଣାରେ ବସିବାର କାରଣ ତାକୁ ଚାକିରିରୁ ବହିଷ୍କାର ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ । ବର୍ଷ ବର୍ଷ ଧରି ଜାରି ରହିଛି ଧନୁ ନାୟକର ଧାରଣା । ଧନୁ ନାୟକର ଅସ୍ଥାୟୀ ଧାରଣା ସ୍ଥାନଟି କ୍ରମେ ପାଲଟିଯାଇଛି ଏକ ସ୍ଥାୟୀ ବାସଗୃହରେ, ଯେଉଁଠୁ ପ୍ରଭାବଶାଳୀ ନେତା, ମନ୍ତ୍ରୀ ଓ ଅଫିସରମାନଙ୍କ ଘରକୁ ଚାଲାଣ ହେଉଛି ମଦ ଆଉ ଚାଲାଣ ହେଉଛନ୍ତି ଝିଅମାନେ । ନିଜର ସ୍ଵଭାବରେ ଧୂର୍ତ୍ତ ଓ ନେଇ ଆଣି ଥୋଇବାରେ ପାରଙ୍ଗମ ଧନୁ ନାୟକ ଶେଷରେ ନ୍ୟାୟାଳୟରୁ ତା’ ସପକ୍ଷରେ ରାୟ ପାଇଛି । କିନ୍ତୁ ସେ ଆଉ ଚାକିରି ପ୍ରତି ଗୁରୁତ୍ଵ ନ ଦେଇ ଜବର ଦଖଲରେ ଥିବା ଘରୁ ଚାଲୁ ରଖିଛି ତା’ର ସମ୍ପ୍ରସାରିତ ବ୍ୟବସାୟ । ବର୍ଷ ପରେ ବର୍ଷ ସମୟ ବିତିଯାଇଥିଲେ ବି ଖୋଦ୍ ରାଜଧାନୀର କେନ୍ଦ୍ର ସ୍ଥଳରୁ ଧନୁ ନାୟକକୁ ଜବର ଦଖଲରୁ ଉଚ୍ଛେଦ କରିପାରୁନି ପ୍ରଶାସନ । ବର୍ଷ ବର୍ଷ ଧରି ତାକୁ ଏହି ଅଗଣତାନ୍ତ୍ରିକ କାର୍ଯ୍ୟରୁ ନିବୃତ୍ତ କରିବା ପାଇଁ ସଚ୍ଚିବାଳୟ ସାରା ଫାଇଲ୍ ଘୂରି ବୁଲୁଥିଲେ ହେଁ ବଡ ବାବୁମାନଙ୍କ ଛତ୍ର ଛାୟା ତଳେ ଧନୁ ବେଶ୍ ନିରାପଦ ଓ ସୁରକ୍ଷିତ ।
ସତରେ କ’ଣ ଏତେ ପାରଙ୍ଗମ ଧନୁ ? ନା ପ୍ରଶାସନର ନାକ ନିଶ ତଳେ ନିଜର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିଛି ଧନୁ ? ଆସନ୍ତୁ ଶୁଣିବା ବ୍ୟଙ୍ଗ ବିଦ୍ରୂପ ଶୈଳୀରେ ରଚିତ କଥାକାର ଅଖିଳମୋହନ ପଟ୍ଟନାୟକଙ୍କର ଏଇ ହୃଦୟ ସ୍ପର୍ଶୀ ଗଳ୍ପ – “ନଦୀର ନାମ ଗଣତନ୍ତ୍ର” ।