ଭାରତୀୟ ଟ୍ରେନ୍ ଓ ଫ୍ଲାଇଟ୍ ବିଳମ୍ବ ଜନିତ ଏକ ପାରମ୍ପରିକ ଘଟଣାପ୍ରବାହରୁ ଗଳ୍ପଟିର ଆରମ୍ଭ। ଏହି ନିତିଦିନିଆ ସତ୍ୟ ସହିତ ଭାରତୀୟମାନେ ଅଳ୍ପବହୁତ ସମ୍ପର୍କୀତ । ଆମ ପାଇଁ ହୁଏତ ସମୟ ଏକ ଗତିଶୀଳ ନିୟାମକ ନୁହେଁ; ଯେ କୌଣସି ସମୟରେ ଏବଂ ଯେ କୌଣସି ସ୍ଥାନରେ ଏପରି ଘଟଣାର ପୁନରାବୃତ୍ତି ହେବାର ବହୁ ସମ୍ଭାବନା ରହିଛି । ଲୀଳା ଏବଂ ଅଭିଜିତ ଫ୍ଲାଇଟକୁ ଏଆରପୋର୍ଟର ଲାଉଞ୍ଜ ଭିତରେ ଅପେକ୍ଷା କରି ଅନ୍ୟ ଯାତ୍ରୀମାନଙ୍କ ପରି ବିରକ୍ତ ହେଇଯାଉଥିବା ସମୟରେ, ସେହି ବିରକ୍ତିକର ସମୟକୁ ଯିଏ ରୋମାଞ୍ଚକତାରେ ଭରି ଦେଇଥିଲା, ସେ ହଉଛି ୫/୬ ବର୍ଷର ଶିଶୁ କ୍ଳାଇବ୍ । ମିସେସ୍ କାପାସିଆଙ୍କ ସହିତ ତାଙ୍କର ସେହି ଚପଳମତି ପୁତ୍ର ସନ୍ତାନ ମଧ୍ୟ ଲାଉଞ୍ଜରେ ଉପସ୍ଥିତ ରହିଥିଲେ ଫ୍ଲାଇଟ୍ ନିମିତ୍ତ । ବାରମ୍ବାର ବିଳମ୍ବିତଜନିତ ଘୋଷଣା ସମସ୍ତ ଯାତ୍ରୀଙ୍କୁ ବିଷାଦଗ୍ରସ୍ତ କରିବା ସମୟରେ କ୍ଳାଇବ୍ ର ପିଙ୍ଗ୍ ପଙ୍ଗ୍ ବଲରେ କ୍ରୀଡାରତା ଚେହେରା ଯାତ୍ରୀମାନଙ୍କୁ ଚମତ୍କାର ଦୃଶ୍ୟର ଖୋରାକ୍ ଯୋଗାଇ ଦେଇଥିଲା । ହଠାତ୍ ଫ୍ଲାଇଟ୍ ଛାଡିବାର ଘୋଷଣା ସହିତ ଏନକ୍ୱାରୀ କାଉଣ୍ଟରର ଏକ ନାରୀକଣ୍ଠର କରୁଣସ୍ୱର ସ୍ତମ୍ଭୀଭୂତ କରିଥିଲା । ସ୍ୱରଟି ଥିଲା ମିସେସ୍ କାପାସିଆଙ୍କର । ସଦ୍ୟ ହସ୍ତଗତ ହୋଇଥିବା ସମ୍ବାଦରୁ ସେ ଜାଣିବାକୁ ପାଇଥିଲେ ତାଙ୍କ ସ୍ୱାମୀ ମୋଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ବଂଚିବାର ସଂଗ୍ରାମ କରୁଛନ୍ତି । ତାଙ୍କ ଫ୍ଲାଇଟ୍ ଯଥେଷ୍ଟ ଡେରିରେ ଛାଡିବାର ଥିବାରୁ, ସେତେବେଳକୁ ହୁଏତ ବହୁତ ବିଳମ୍ବ ହୋଇଯାଇପାରେ । ତେଣୁ ତାଙ୍କର ଅନୁରୋଧ ଥିଲା ଘୋଷିତ ଫ୍ଲାଇଟ୍ ର ସିଟ୍ ଟି ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ ଦେଇପାରନ୍ତେ, ସେ ଆଜୀବନ ୠଣୀ ରହିବେ । ଯେଉଁ ଫ୍ଲାଇଟ୍ କୁ ଅପେକ୍ଷା କରି ଅଭିଜିତ ଓ ଲୀଳା ବିମର୍ଷ ହୋଇଉଠୁଥିଲେ ଏବଂ ତାହା ଉଡିବା ପାଇଁ ଘୋଷଣା କରାଯିବ ମୁହୂର୍ତ୍ତରେ ଅପରିଚିତ ନାରୀଙ୍କର କାରୁଣ୍ୟଭରା ଅନୁରୋଧ ସେମାନଙ୍କୁ ସମ୍ବେଦନଶୀଳ କରିଥିଲା ଏବଂ ଉଭୟେ ସେ ଟିକେଟ୍ ମିସେସ୍ କାପାସିଆ ଓ କ୍ଳାଇବ୍ ପାଇଁ ପ୍ରଦାନ କରିଥିଲେ । ଯଥା ସମୟରେ କୁନି କୁନି ପାଦରେ ଡେଇଁ ଡେଇଁ କ୍ଳାଇବ୍ ମାତାଙ୍କ ସହିତ ଫ୍ଲାଇଟ୍ ରେ ପ୍ରବେଶ କରିଥିଲା ଏବଂ ଫ୍ଲାଇଟ୍ ମଧ୍ୟ ଏଆରପୋର୍ଟ ଛାଡିଦେଲା । ମିସେସ୍ କାପାସିଆ ଦୁର୍ଘଟଣାଗ୍ରସ୍ତ ସ୍ୱାମୀଙ୍କୁ ଭେଟିପାରିଲେ କି ? କ୍ଳାଇବ୍ ର ଚପଳତା ପୁଣି କେବେ ଅପେକ୍ଷାରତ ଯାତ୍ରୀଙ୍କୁ ରୋମାଂଚିତ କରିବାର ସମ୍ଭାବନା ଥିଲା କି ? ଗଳ୍ପର ସେହି ପରିଣତି ଜାଣିବା ନିମିତ୍ତ ଶୁଣନ୍ତୁ ଅଖିଳମୋହନଙ୍କର ଏହି ହୃଦୟ ବିଦାରକ ଗଳ୍ପ ‘ ଗୋଟିଏ ଉଡ଼ାଜାହାଜ ସମ୍ପର୍କରେ’ ।