ସାମନ୍ତବାଦୀ ସଂସ୍କୃତିର ପଟ୍ଟପରିବର୍ତ୍ତନ ଯୁଗସନ୍ଧିରେ ଯେଉଁ ଅବକ୍ଷୟର ଧାରା ସମଗ୍ର ଭାରତବର୍ଷରେ ପରିଲକ୍ଷିତ ହୋଇଥିଲା ଏବଂ ଏହି ଯୁଗସନ୍ଧିର ମଧ୍ୟମ ପ୍ରହରରେ ସୁବର୍ଣ୍ଣମୟୀ ପରି ଏକ ସରଳା, ଅସୁନ୍ଦରୀ ତରୁଣୀର ଭାଗ୍ୟ ବିପର୍ଯ୍ୟୟର ବିଡ଼ମ୍ବିତ ଚିତ୍ର ହେଉଛି ‘ସୁବର୍ଣ୍ଣମୟୀ ଉପାଖ୍ୟାନ’ ଗଳ୍ପର ବିଷୟବସ୍ତୁ । ସାମନ୍ତବାଦୀ ପରିବାରର ଅବକ୍ଷୟୀଧାରାର ସେ ଥିଲା ଯେପରି ଶେଷ ଆହୁତି । ଅଭିଜାତ ପରିବାରର ସମୁନ୍ନତ ଅବସ୍ଥା ଏବଂ ବିପର୍ଯ୍ୟୟକାଳୀନ ସୂର୍ଯ୍ୟସ୍ତରେ ସୁବର୍ଣ୍ଣମୟୀ ଥିଲା ଭାଗ୍ୟ ଓ ବାସ୍ତବତାର ଏକ କରୁଣ ବିଚ୍ଛିନ୍ନଧାରା । ସାମାଜିକ-ଆର୍ଥନୀତିକ ପତନୋନ୍ମୁଖୀ ଅବସ୍ଥା ସହିତ ଚାରିତ୍ରିକ ଅଧୋପତନ ଭିତରେ ଏହି ସାମନ୍ତବାଦୀ ଚରିତ୍ରଗଣ ଶେଷପର୍ଯ୍ୟନ୍ତ ନିଜର ମୂଲ୍ୟହୀନ ଅହଂକୁ ତଥାପି ବିସର୍ଜନ କରିପାରିନଥିଲେ । ସମ୍ଭ୍ରାନ୍ତ ମର୍ଦ୍ଦରାଜ ପରିବାରରେ ଜମିଦାର ଲୋକନାଥ ରାୟଙ୍କ ଏକମାତ୍ର କନ୍ୟାର ବିବାହ ଥିଲା ସେତେବେଳେ ଏକ ଚର୍ଚ୍ଚିତ ଉପାଖ୍ୟାନ । ଚରିତ୍ର ଓ ସାଧୁତା ଅପେକ୍ଷା ବଂଶ ପରମ୍ପରା ଏବଂ ଖାନଦାନୀ ଥିଲା ଅଭିଜାତ ପରିବାରର ସମ୍ପର୍କର ଏକମାତ୍ର ମାନଦଣ୍ଡ । ସେହି ମାନଦଣ୍ଡର ବିଚାର ବ୍ୟବସ୍ଥାରେ ବଳିପଡିଯାଇଥିଲା ନିରପରାଧ, ନିରୀହା ସୁବର୍ଣ୍ଣମୟୀ । ଅପେକ୍ଷାମାଣ ମଧୁଶଯ୍ୟା ରାତ୍ରିରେ ପତି ପ୍ରତାପ ମର୍ଦ୍ଦରାଜଙ୍କ ପରିବାରର ବଡ଼ବୋହୂ ଭାବରେ ପାଇଥିଲେ କିଛି ସଂକ୍ଷିପ୍ତ ଉପଦେଶ । ଅନୂଢ଼ା ଜୀବନର ସେହି ବହୁ ପ୍ରତିକ୍ଷିତ ରାତ୍ରି ବିଡ଼ମ୍ବିତ ଜୀବନର ପ୍ରଥମ ଅଧ୍ୟାୟ ରୂପେ ସହି ନେଇଥିଲେ ସୁବର୍ଣ୍ଣମୟୀ । ତତପରଠାରୁ ନୂପୁର ବିଳାସିନୀମାନଙ୍କର କୁଣ୍ଠିତ କିଙ୍କିଣି ଭିତରେ ମର୍ଦ୍ଦରାଜମାନେ ଭାସୁଥିବାବେଳେ ସୁବର୍ଣ୍ଣମୟୀମାନଙ୍କ ତନ୍ଦ୍ରାଳସ ଆଖିର କଜ୍ଵଳଗାର ବିବର୍ଣ୍ଣ ହୋଇଚାଲିଥାଏ । ପ୍ରଚୁର ଅର୍ଥ ଆଶା ଏବଂ ଅଜଣା ସନ୍ଧାନରେ ପ୍ରତାପ ମର୍ଦ୍ଦରାଜ ନିରୁଦ୍ଦିଷ୍ଟ ହେବାବେଳେ ସୁବର୍ଣ୍ଣମୟୀ ପାଖରେ ରହିଯାଇଥିଲା ଏକ ବାକ୍ସ, ଯାହାର ଛବିର ଅପ୍ରତିଦ୍ଵନ୍ଦୀ ଅଧିକାରିଣୀ ଥିଲେ ସୁବର୍ଣ୍ଣମୟୀ । ଅତିକ୍ରାନ୍ତ ସମୟ ସହିତ ପିଢ଼ିଗତ ପରିବର୍ତ୍ତନ ଚାଲିଥିଲା ଏବଂ ସମସ୍ତଙ୍କ ଲୋଭନୀୟ ଆଖି ଲାଖିରହିଥିଲା ସୁବର୍ଣ୍ଣମୟୀଙ୍କ ସେହି ବାକ୍ସ ମଧ୍ୟରେ ଲୁକ୍କାୟିତ ଆଶ୍ଚର୍ଯ୍ୟ ବସ୍ତୁ ସମ୍ପର୍କରେ । କ’ଣ ଥିଲା ସେହି ବାକ୍ସ ମଧ୍ୟରେ ? ଅଜଣା ଓ ପ୍ରଚୁର ଅର୍ଥ ସନ୍ଧାନରେ ଯାଇଥିବା ପ୍ରତାପ ମର୍ଦ୍ଦରାଜ କ’ଣ ଫେରିଛନ୍ତି ଦୀର୍ଘ ଅପେକ୍ଷାମାଣା ସୁବର୍ଣ୍ଣମୟୀଙ୍କ ନିକଟକୁ । ଗଳ୍ପର ସେହି ଉତ୍କଣ୍ଠିତ ପରିଣତି ଜାଣିବାକୁ ଶୁଣନ୍ତୁ ଅଖିଳମୋହନଙ୍କ ଏହି ହୃଦୟ ବିଦାରକ ଗଳ୍ପ ‘ସୁବର୍ଣ୍ଣମୟୀ ଉପାଖ୍ୟାନ’ ।