ରହସ୍ୟମୟ ଜଗତ ଅନ୍ତରାଳରେ ଲୁକ୍କାୟିତ ରହିଥାଏ ଏକ ବାସ୍ତବ ଜଗତ ଏବଂ ସେହି ବାସ୍ତବ ଜଗତ ପଛରେ ସକ୍ରିୟ ରହିଥାଏ ମଣିଷର ଅବଚେତନ ମାନସ । ‘ଚନ୍ଦ୍ରର ଅଭିଶାପ’ ଏକ ସ୍ୱପ୍ନାବିଷ୍ଟ ନାୟକର କାଳ୍ପନିକ ଇଲାକାର ଦରଦୀ ଉପାଖ୍ୟାନ । ସୀମାଦ୍ରି ପାଇଁ ଜୀର୍ଣ୍ଣ ଚଉଁରା କେତେବେଳେ ଗ୍ରାମ୍ୟ କୁଳବଧୂତ ଅନ୍ୟ କେତେବେଳେ ଡାକପିଅନ ଅଥବା କୋଣାର୍କମନ୍ଦିର ଲାସ୍ୟମୟୀ ଶାଳଭଞ୍ଜିକା । ତା’ର ଭାବପ୍ରବଣତା ପ୍ରତ୍ୟେକ ମଣିଷର ଅନ୍ତର୍ନିହିତ ଭାବାବେଗର ଏକ ଚମତ୍କାର ରୂପକଳ୍ପ । ଅଥଚ ସେହି ରୋମାଣ୍ଟିକ ଚିତ୍ତବୃତ୍ତି ଓ ରହସ୍ୟମୟ ଜଗତ ତଥା ବୁଦ୍ଧି ଏବଂ ଚିନ୍ତାଶକ୍ତି ବାହାରେ ଏକ ଅତୀନ୍ଦ୍ରିୟ ଜଗତର ଅବସ୍ଥିତି-ଏହାକୁ ହୁଏତ ବସ୍ତୁବାଦୀ ବନ୍ଧୁ ସରୋଜ ବୁଝିବାରେ ଅସମର୍ଥ । ରୋମାଣ୍ଟିକ ରହସ୍ୟମୟ ଜଗତ ଓ ବାସ୍ତବବାଦୀ ଚେତନା ମଧ୍ୟରେ ରହିଥିବା ସୂକ୍ଷ୍ମଚେତନାର ସଂଘର୍ଷ ଭିତରେ ଅନ୍ୟ ଏକ ଅତୀନ୍ଦ୍ରିୟ ଜଗତ ସର୍ବଦା ରହିଥାଏ ସକ୍ରିୟ । ସୀମାଦ୍ରିର ବିୟୋଗ ତା’ ସ୍ୱପ୍ନର ବାସ୍ତବତା ସଂପର୍କରେ ସଚେତନ କରାଇଛି ବନ୍ଧୁ ସରୋଜକୁ । ସେହି ରୋମାଣ୍ଟିକ ରହସ୍ୟବାଦୀ ଅତୀନ୍ଦ୍ରିୟ ପୃଥିବୀର ମୂଳ ରହସ୍ୟ ଜାଣିବା ପାଇଁ ଶୁଣନ୍ତୁ ଅଖିଳମୋହନ ପଟ୍ଟନାୟକଙ୍କ ଭିନ୍ନ ସ୍ୱାଦର ଗଳ୍ପ ‘ଚନ୍ଦ୍ରର ଅଭିଶାପ’ ।