N Aa
Add to Library  

ଅଭାବ ଓ ଅନାଟନ ସତ୍ତ୍ୱେ କିଛି ବ୍ୟକ୍ତି ତାଙ୍କର ମଣିଷପଣିଆକୁ ବଳି ଦେଇନଥାନ୍ତି । ପ୍ରତିକୂଳ ପରିବେଶ ସତ୍ତ୍ୱେ ନିଜର ମାନବିକପଣିଆକୁ ବଞ୍ଚାଇ ରଖିବାର ପ୍ରଚେଷ୍ଟା କରିଥାନ୍ତି । ଅନ୍ୟ ପାଇଁ ସହାୟତାର ହାତ ଖୋଲିଦେଇ ନିଜେ ୠଣଗ୍ରସ୍ତ ହୁଅନ୍ତି ଓ ରକ୍ତଦେଇ ସେଇ ୠଣର ପରିଶୋଧ କରିବା ପାଇଁ ଚେଷ୍ଟା କରନ୍ତି । ସ୍ୱପ୍ନ ଏବଂ ସ୍ୱପ୍ନଭଙ୍ଗ ମଧ୍ୟରେ ଜୀବନ ବଂଚିବାଟା ବଡ ସତ୍ୟ -ଏହାକୁ ସ୍ୱୀକାର କରି ସଂସାରରେ ନିଜ ନାବ ମେଲି ଦେଇଥାନ୍ତି । ଅଖିଳମୋହନଙ୍କ ସମ୍ବେଦନଶୀଳତା ସବୁଠି ମଣିଷର ମଣିଷପଣିଆକୁ ସମ୍ମାନ ପ୍ରଦର୍ଶନ କରିଆସିଛି । ପ୍ରକାଶ ନିଜ ସ୍ୱପ୍ନକୁ ଭାଙ୍ଗିଯିବାର ପ୍ରତ୍ୟକ୍ଷ କରିଥିଲେହେଁ, ନିବାରଣ ଦା’ର ମଣିଷପଣିଆ ପାଖରେ ନତମସ୍ତକ ହୋଇଛି । ନିବାରଣ ଦା’ ଅନ୍ୟର ଅଭାବ ସମୟରେ ସରକାର ତହବିଲ୍ ରୁ ଅର୍ଥ ଦେଇ ତାହା ନିଜେହିଁ ସୁଝନ୍ତି । ସେଠ୍ ରୋଷନଲାଲ୍ ଓ ସିରାଜ୍ ଖାଁ ମାନେ ବ୍ୟବସାୟରେ ଠକାଇ କରି ହେଉ କିମ୍ବା ଗୁଣ୍ଡାମି କରି – ନିଜର ଅର୍ଥ ଏବଂ ପ୍ରତିପତ୍ତି ବୃଦ୍ଧି କରନ୍ତି; ସେହିମାନଙ୍କଠାରୁ ୠଣକରି ନିବାରଣ ଦା’ ଅନ୍ୟକୁ ସାହାଯ୍ୟ କରି ଦେବାଳିଆ ହୁଅନ୍ତି । ପ୍ରତିଭାବାନ୍ ଛାତ୍ର ପ୍ରକାଶ ପାଞ୍ଚଶହ ଟଙ୍କା ଲାଞ୍ଚ ନଦେଇପାରିବାରୁ ମେଡିକାଲ୍ ଶିକ୍ଷାରୁ ବଂଚିତ ହୁଅନ୍ତି । ସିରାଜ୍ ଖାଁର ଠେଙ୍ଗାମାଡ଼ରେ ରକ୍ତାକ୍ତ ନିବାରଣ ଦା’ ନିଜ ରକ୍ତକୁ ଆଞ୍ଜୁଳା ଆଞ୍ଜୁଳା ପିଇ ୠଣ ପରିଶୋଧ କରନ୍ତି । ନିବାରଣ ଦା’କୁ ରକ୍ତାକ୍ତ କରିଥିବା ଖାଁ ସାହେବମାନେ ଗିରଫ୍ ହୋଇ ଅଦାଲତ୍ ରେ ଶାସ୍ତି ପାଇଁ ହାଜର୍ ହୁଅନ୍ତି । ସାକ୍ଷୀର କାଠଗଡାରେ ଠିଆହୋଇଥିବା ନିବାରଣ ଦା’ଙ୍କୁ ବିଚାରପତି ସେଦିନର ଘଟଣା ସମ୍ପର୍କରେ ପଚାରିବାରୁ ସିରାଜ୍ ଖାଁ ବିରୋଧରେ କି ସାକ୍ଷ୍ୟପ୍ରଦାନ କରନ୍ତି ନିବାରଣ ଦା’ ? ମୁଦାଲାମାନଙ୍କୁ ସେ ଚିହ୍ନିପାରନ୍ତି ନା ନାହିଁ ? ତାଙ୍କର ସାକ୍ଷ୍ୟପରେ କିପରି ଆଦେଶ ଦିଅନ୍ତି ବିଚାରପତି ? ମୁଦାଲାମାନେ ନିଜ କୃତକର୍ମ ପାଇଁ ଉପଯୁକ୍ତ ଶାସ୍ତି ବିଚାରାଳୟରେ ପାଆନ୍ତି କି? ଏହିସବୁ ପ୍ରଶ୍ନର ପ୍ରକୃତ ଉତ୍ତର ଜାଣିବା ପାଇଁ ଶୁଣନ୍ତୁ ଅଖିଳମୋହନଙ୍କର ଏହି ଚମତ୍କାରୀ ଗଳ୍ପ ‘କାବୁଲିଓ୍ଵାଲା’ ।

Comments