ଗାଳ୍ପିକ ସୁରେନ୍ଦ୍ର ରୂପ ଓ ସୌନ୍ଦର୍ଯ୍ୟ ମଧ୍ୟଦେଇ ଜୀବନର ଏକ ପରିପୂର୍ଣ ରୂପ ଦେଖିବାରେ ଆଗ୍ରହୀ । ପ୍ରବୃତ୍ତିର ନିବୃତ୍ତି ପରିବର୍ତ୍ତେ ପ୍ରବୃତ୍ତିର ପରିପୂର୍ତ୍ତି ତାଙ୍କପାଇଁ ଲୋଭନୀୟ ଓ ବରଣୀୟ । ଏହା ଯେପରି ଆତ୍ମବିସ୍ମୃତିର ସମାହିତ ଓ ସମ୍ମୋହିତ ଭାବଭୂମି । କ୍ଷୟଶୀଳ ନଶ୍ୱର ଦେହର ବନ୍ଦନା ଦେଇ ଅନିର୍ବଚନୀୟ ଉପଲବ୍ଧିର ସ୍ପନ୍ଦିତ ମୁହୂର୍ତ୍ତ ଜୀବନବାଦୀ ସ୍ରଷ୍ଟାଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ । ଜୀବନର ଅସାରତା ଓ ନିର୍ବାଣର ମହନୀୟତା ସମ୍ପର୍କରେ ମଧୁମତ୍ତାକୁ ବୁଝାଉଥିବା ଶମଣ ଉପକ ଦେହର ଆକର୍ଷଣ ମଧ୍ୟରେ ବି ବନ୍ଦୀ । ମଧୁମତ୍ତା ଜୀବନର ତିକ୍ତ ଅନୁଭୂତିରେ ବ୍ୟଥିତା ହେଲେବି ଜୀବନହିଁ ତା’ ପାଇଁ ସତ୍ୟ । ପଞ୍ଚଭୂତରେ ଲୀନ ହୋଇଯିବା ସତ୍ୟ, ତେବେ କ’ଣ ପାଇଁ ଏହି କୃଚ୍ଛ୍ର ସାଧନା ? ଉପକଙ୍କ ମନରେ ବି ପ୍ରଶ୍ନ – ଯଦି ଜୀବନ ସତ୍ୟ, ତେବେ ନିର୍ବାଣର କାମନା ଉଦ୍ଦେଶ୍ୟରେ ଶରୀର କଷ୍ଟ କ’ଣ ପାଇଁ ? ସଂଯମର ନାଗପାଶରେ ଜୀବନକୁ ଦଗ୍ଧ କରି ନିର୍ବାଣ ପାଇଁ ସାଧନାର ସାର୍ଥକତା କେଉଁଠି ? ଜୀବନ ନା ନିର୍ବାଣ – ଏହାର ତାତ୍ତ୍ୱିକ ସମାଧାନ ହୋଇପାରିଛି କି ବୌଦ୍ଧଧର୍ମରେ ? ପୁନର୍ଜନ୍ମ ଅଛି ନା ନାହିଁ – ଏହାର ସନ୍ତୋଷଜନକ ସମାଧାନ ହୋଇନି ବୁଦ୍ଧଙ୍କଦ୍ୱାରା । ତେଣୁ ତ ଶମଣ ଉପକଙ୍କ କାମନାପୀଡିତ ଉଦବେଳନକୁ ଲକ୍ଷ୍ୟକରି ମଧୁମତ୍ତାର ବକ୍ତବ୍ୟ ଥିଲା – ପୁନର୍ଜନ୍ମ କଳ୍ପନା ହୋଇପାରେ; ମାତ୍ର ପୁନର୍ଜନ୍ମରେ ହିଁ ମୋର ଶାନ୍ତି, ମୋର ପୂର୍ଣ୍ଣତା । ଜୀବନ ନା ନିର୍ବାଣ, ସଂସାର ନା ସଂସାର-ମୁକ୍ତିସାଧନା, ପ୍ରବୃତ୍ତିର ଜୟଗାନ ନା ନିବୃତ୍ତିର ଅଭିଯାନ, ନିର୍ବିକଳ୍ପ ସାଧନା ଓ କାମନା କବଳିତ ଆତ୍ମାର ଧରାବତରଣ; କେଉଁଟି ବଡ଼ ଓ ଶ୍ରେଷ୍ଠ ? ଏପରି ବହୁ ପ୍ରଶ୍ନ ପଚରାଯାଇଛି ଏହି ଗଳ୍ପରେ । ମଧୁମତ୍ତା ଓ ଉପକଙ୍କ ମଧ୍ୟରେ ଉତ୍ତରିତ ଦ୍ୱନ୍ଦ୍ୱ ଶେଷ ପର୍ଯ୍ୟନ୍ତ ସମାଧାନ ହୋଇପାରିଛି କି ? କଥାକାର କିପରି ସମାଧାନ କରିଛନ୍ତି ଉପରୋକ୍ତ ପ୍ରଶ୍ନମାନଙ୍କର; ଆସନ୍ତୁ ଶୁଣିବା ତାଙ୍କର ଅନ୍ୟତମ ଶ୍ରେଷ୍ଠ ଗଳ୍ପ ‘ ମଧୁମତ୍ତାର ରାତ୍ରି’ ।