ଏକ କ୍ଷୟିଷ୍ଣୁ ସାମନ୍ତବାଦର କାରୁଣ୍ୟ ଇତିହାସ ଭିତରେ ଗୋଟିଏ ଅଭିଜାତ ପରିବାରର ଶେଷହୀନ ଦୁଃଶାଶ୍ରୁ ଗଳ୍ପଟିକୁ ହଜିଲା ଇତିହାସର ସ୍ମୃତିର ସହର ଭିତରକୁ ଟାଣି ନେଇଯାଏ । ଏମିତି କେତେ ସାମନ୍ତବାଦ ଇତିହାସରେ ହଜିଯାଇଛି । କର୍ପୁର ଉଡିଯାଇଛି; ମାତ୍ର କନାଟି ପଡ଼ିରହିଛି । ଏହା ସତ୍ତ୍ୱେ ସେହି କନାକୁ ନେଇ ଜଗବନ୍ଧୁ ମହାପାତ୍ର ବଳିୟାର ମତ୍ତଗଜ ମେଦିନୀରାୟଙ୍କ ବୃଥା ଗର୍ବର ଶେଷ ନାହିଁ । ସାମନ୍ତବାଦ ଇତିହାସର ବସ୍ତୁଟିଏ ହୋଇଯାଇଥିବା ସତ୍ତ୍ୱେ ତାକୁ ବଞ୍ଚାଇ ରଖିବାର ବୃଥା ଆଟୋପ କରିଥାନ୍ତି ଏହି ମେଦିନୀରାୟମାନେ । ଜେମାମଣି ଯଥେଷ୍ଟ ପୂର୍ବରୁ ବିବାହଯୋଗ୍ୟା ହୋଇଥିବା ସତ୍ତ୍ୱେ ବିବାହ ନିମିତ୍ତ ସାମାନ୍ୟ ମାତ୍ର ସମ୍ବଳ ନଥିବାରୁ ସେ ରହିଯାଇଛନ୍ତି ଅବିବାହିତା । ଯୋଗ୍ୟ ସାମନ୍ତବାଦୀ ପରିବାରରେ ବନ୍ଧୁ ବାନ୍ଧିବାର କ୍ଷମତା ନାହିଁ; ମାତ୍ର ମିଥ୍ୟା ଆଭିଜାତର ମୋହରେ ଅନ୍ୟ ଘରେ ସମ୍ପର୍କ ସ୍ଥାପନ କରିବାର ବିରୋଧୀ । ସେ ବୁଝିପାରନ୍ତି ନାହିଁ ସାମନ୍ତବାଦ ପ୍ରଥାର କେବେଠାରୁ ବିଲୋପ ଘଟିସାରିଛି । ସେ ଜାଣନ୍ତି ନାହିଁ “ଗଜପତିଙ୍କ ସାମନ୍ତମାନେ ଯାଇଛନ୍ତି, ତାଙ୍କ ସ୍ଥାନରେ ଆସିଛନ୍ତି ବଣିକତନ୍ତ୍ର ଓ ଶାସନତନ୍ତ୍ରର ନବ୍ୟ-ସାମନ୍ତମାନେ’ । ପ୍ରତିବର୍ଷ ପୁଷ୍ୟାଭିଷେକ ପାଳନର ପରମ୍ପରାକୁ ଏବେ ମଧ୍ୟ ଯାବୋଡି ଧରିଛନ୍ତି । ବାସ୍ତବତାକୁ ବୁଝାଇବା ସତ୍ତ୍ୱେ ସେ ବୁଝନ୍ତି ନାହିଁ । ସେ କେବଳ ଆଦେଶ ଦେଇ ଜାଣନ୍ତି; ଅଥଚ ଜାଣନ୍ତି ନାହିଁ ଚାହା ପାଇଁ ଘରେ ଚିନି ଅଛି କି ନାହିଁ । କେତେଜଣ ତୋଷାମଦକାରୀଙ୍କ ବାଣୀରେ ସେ କୃତ୍ୟ କୃତ୍ୟ । କିଛି ସେ ହାତୀ । ‘ମଲା ହାତୀ ବି ଲକ୍ଷେ ଟଙ୍କା’ । ସେ ଜାଣନ୍ତି ନାହିଁ ଜେମାମଣି ରତ୍ନମାଳା ନିଜର ଶେଷ ସନ୍ତକ ଆମ୍ବକଷିଆ ସୁନାହାର ବିକ୍ରିକରି ବାପାଙ୍କ ସମ୍ମାନ ରକ୍ଷା ପାଇଁ ବ୍ୟର୍ଥ ଉଦ୍ୟମ କରିଚାଲିଛନ୍ତି । କାହିଁକି ଗୋଟିଏ ଏତେବଡ ସାମନ୍ତ ସଭ୍ୟତା ଭୁଷୁଡ଼ି ପଡିଲା ? ତା’ର ଅତୀତକୁ କେଉଁ ଇତିହାସ ତୋଳି ଧରିବାର ପ୍ରୟାସ କରିଛି କି ? ମେଦିନୀରାୟ ତାଙ୍କ ଦୁର୍ଦ୍ଦିନରେ କିପରି ପାଳନ କଲେ ପୁଷ୍ୟାଭିଷେକ ? ସେହି କ୍ଷୟିଷ୍ଣୁ ସାମନ୍ତବାଦୀ ପରମ୍ପରା ତଥା ବିଭିନ୍ନ ପ୍ରଶ୍ନର ଯଥାର୍ଥ ଉତ୍ତର ପାଇଁ ସୁରେନ୍ଦ୍ର ମହାନ୍ତିଙ୍କ କାରୁଣ୍ୟଭରା ଏହି ଗଳ୍ପ ‘ପୁଷ୍ୟାଭିଷେକ’ ।