ନମସ୍କାର!
ପ୍ରବାସରେ ଜୀବନ କାଟିବା ବେଳେ ନୂଆ ଭାଷା, ସଂସ୍କୃତି, ପରମ୍ପରା ଓ ଚଳଣି ସମ୍ପର୍କତ ଗଢ଼ି ହୋଇଯାଏ, କିନ୍ତୁ ଆମ ପର୍ବପର୍ବାଣୀ, ଖାଦ୍ୟପେୟ,ସଂସ୍କୃତି, ବେଶଭୂଷା ଦେଖିଲେ ଓ ଭାଷାଭାଷୀ ଲୋକଙ୍କ ସଙ୍ଗମିଳିହୋଇଗଲେ ପୁଣି ଘର କଥା ମନେପଡେ | ଯେଉଁ ଦିନ ପଣାସଂକ୍ରାନ୍ତି ଆସେ ମନେପଡିଯାଏ କେମିତି ପଣାର ଆସର ଜମେ, ମନ୍ଦିର ହତାରେ କେମିତି ଆସ୍ଥାର ଓ ଭାବାବେଗର ଗହଳି ବଢେ | ଏତେ କଥା କହିବା ପଛର କାରଣ ହେଉଛି ଏମିତି ହିଁ ଗୋଟିଏ ଦିନରେ ଯେଉଁଠି ସାଙ୍ଗମେଳି ହୋଇ ବସିଥିଲୁ, ସେ ଦିନ, ତାରିଖ ଓ ସମୟ ସବୁ ମନେ ଅଛି |
୧୪ ଏପ୍ରିଲ ୨୦୧୯, ମହାବିଷୁବ ସଂକ୍ରାନ୍ତି ସମୟ ସନ୍ଧ୍ୟା ୫.୩୦ମିନିଟ ରବିବାର | ଉଚ୍ଚ ଅଟ୍ଟାଳିକାରେ ଥିବା ସାଙ୍ଗ ଘର ଭିତରର ଝର୍କା ପାଖକୁ ଲାଗି ମୁଁ ବସିଥାଏ | ଆକାଶରୁ ଦୂରତା ମାପୁଥାଏ ପ୍ରବାସରୁ ନିଜର ଅସଲ ବାସସ୍ଥାନ ଓଡିଶା ଯାଏଁ | ଏମିତି ଏକ ଖିଆଲି ମନ ଆହୁରି ଅଜବ ଦୁନିଆକୁ ଠେଲିହୋଇଗଲା ଯେତେବେଳେ ସାଙ୍ଗମୋର ଓଡ଼ିଶାର ଓ ଓଡ଼ିଆର ପରିଚୟ ପ୍ରତିଭା ରାୟଙ୍କ ଯାଜ୍ଞସେନୀ ଉପନ୍ୟାସଟିକୁ ପଢିବା ଆରମ୍ଭ କଲା | ସେ ପଢୁଥାଏ ଆଉ ମୁଁ ଶୁଣୁଥାଏ | ଦ୍ରୌପଦୀ ତାଙ୍କ ପ୍ରିୟସଖାଙ୍କୁ ପତ୍ର ଲେଖିଛନ୍ତି | ଅଭିମାନ କରୁଛନ୍ତି, ନ୍ୟାୟ ମାଗୁଛନ୍ତି | ଉପନ୍ୟାସର ଚରିତ୍ର, ତା‘ମନର ବ୍ୟଥା, ସେ ସମୟର ପରିବେଶ–ପରିସ୍ଥିତି ସବୁକିଛି ଶବ୍ଦ ଶବ୍ଦରେ ଗୁନ୍ଥିହୋଇ ଆଗଉଥିଲା, ଆଉ ମୁଁ ହଜି ହଜି ଯାଉଥିଲି | ଯାହା ଶୁଣୁଥିଲି ତା‘ର ପ୍ରଭାବ ମୋତେ ଆବୋରି ବସିଥିଲା ଭାବନା ଓ କଳ୍ପନାର ଦ୍ଵନ୍ଦ୍ଵ ଭିତରେ | କିଛି ସମୟର ନୀରବତା | ଅନୁଭୂତି ତ ନୁହେଁ ଅନୁଭା ଭଳି ମୋ ଦେହ ଓ ମନ ଭିତରେ ସଞ୍ଚରି ଯାଇଥିଲା କିଛିକ୍ଷଣ ମଧ୍ୟରେ | ଆଉ ତା‘ପରେ ପ୍ରକୃତିସ୍ଥ ହେବାପାଇଁ ବେଶ କିଛି ସମୟର ଆବଶ୍ୟକତା |
ଏତିକିବେଳେ ମୋତେ ଭାବନା ରାଇଜରୁ ଫେରାଇ ଆଣିଥିଲା ମୋ ଚିନ୍ତାଧାରା | କିଛି ଶୁଣିବା ଓ ସେ ଶ୍ରୁତିର ପ୍ରଭାବରେ ଆନ୍ଦୋଳିତ ହେବା କିଛି ନୂଆ କଥା ନୁହେଁ; କିନ୍ତୁ ମୋ ପାଇଁ ଥିଲା ନୂଆ | ମୋ ଭାଷା, ତା‘ର ଶବ୍ଦ ଓ ସେଥିରେ ଗଢା ବାକ୍ୟ ଓ ବାକ୍ୟମାନଙ୍କର ସମାହାରରେ ଗଢା କାଳଜୟୀ ରଚନାକୁ ଯଦି କିଏ ଶୁଣାଇଲେ ତା‘ର ଏତେ ପ୍ରଭାବ ପଡୁଛି, ତେବେ ପଢିବା ଓ ଶୁଣିବାର ବନ୍ଦୋବସ୍ତ ଏକାଠି କରାଯାଇ ପାରିବ ନା ନାହିଁ ? ଏ ପ୍ରଶ୍ନ ନିଜେ ନିଜକୁ ପଚାରୁଥିଲି | ଆଉ ତା‘ର ଉତ୍ତର କ‘ଣ ହୋଇପାରେ ତାହା ମଧ୍ୟ ମନେ ମନେ ଭାବୁଥିଲି|
ଯୁଗ ସହିତ ତାଳ ଦେଇ ତାଳପତ୍ର ପୋଥିର ସ୍ଥାନ ନେଇଥିଲା କାଗଜ ବହି ଆଉ ଏବେ ଇ–ବୁକ ଓ ଅଡିଓ ବୁକର ସମୟ | ହଁ, ଏ ଦିଗରେ ଯଦି ମୋ ଭାଷାର ସ୍ଥାନ ଦୃଶ୍ୟମାନ ହୋଇନି, ତେବେ ମୋର କିଛି କରିବା ବୋଧେ ବାକି ଅଛି | କିଛି କରି ନପାରି ମାତୃଭାଷା ପ୍ରତି ମମତା ଅଛି କହିଲେ ଟିକେ ଛଳନା ଭଳି ଲାଗେ | ତେବେ ୨୦୧୯ର ସେଇ ଭାବନାର ମଞ୍ଜି ଆଜି ଅଙ୍କୁରୋଦଗମ ହୋଇଛି |
ଗଛ ବଡ଼ ହେବ, ପରପିଢ଼ିକୁ ଛାଇ ଦେଇ ସବୁଦିନ ପାଖକୁ ଆସିବାର ଆକର୍ଷଣ ସୃଷ୍ଟି କରିବ | ସେଇ ଲକ୍ଷ୍ୟ ନେଇ ଆମେ ଆଗେଇଛୁ | ଏଠି ‘ଆମେ‘ କହିଲି ତା‘ର ଅର୍ଥ ମାତୃଭାଷାକୁ ପରପିଢିସହ ଯୋଡିବାର ପ୍ରୟାସ ପରସ୍ତ ପରସ୍ତର ଉଦ୍ୟମ ଲୋଡ଼େ | ସେଠି ‘ମୁଁ‘, ‘ଆମେ‘ ହେଲେ କଥା ଆଗକୁ ବଢେ |
ସେହି ଉଦ୍ଦେଶ୍ୟରେ ଉଦୟଗିରି ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଛି ରିସାଇଟ ୱାର୍ଲଡ ଇନିସିଏଟିଭ | ନୂଆ ପିଢ଼ି ଓ ଆଜିକାଲିର ବୈଷୟିକ ସଂସାଧନକୁ ଦୃଷ୍ଟିରେ ରଖି ଓଡ଼ିଆ ସାହିତ୍ୟ ଜଗତର କାଳଜୟୀ ଗଳ୍ପକୁ ପଢ଼ିପାରିବା ଓ ଶୁଣିପାରିବାର ବ୍ୟବସ୍ଥା କରାଯାଇଛି | କେବଳ ଏତିକି ନୁହେଁ ଲେଖକଙ୍କ ପରିଚୟ, ଗଳ୍ପ ଲେଖାଯାଇଥିବା ସମୟର ସମାଜ ସହ ତା‘ର ସମ୍ପର୍କ କିପରି ରହିଥିଲା, ସେହି ପରିଚୟ କରାଇବା ମଧ୍ୟ ଏହାର ଅନ୍ୟତମ ଉଦ୍ଦେଶ୍ୟ ରହିଛି | ଗଳ୍ପ ଶୁଣିବା ବେଳେ ଶ୍ରୋତା ଜାଣିପାରିବ ଆମ ଭାଷାର କେଉଁ ଶବ୍ଦକୁ କିଭଳି ଉଚ୍ଚାରଣ କରାଯିବ | ଆପଣ କହିପାରନ୍ତି ଇ–ବୁକସ ଓ ଅଡିଓ–ବୁକସର ଭରଚୁଆଲ ଲାଇବ୍ରେରୀ | ଅର୍ଥାତ ହାତ ପହଞ୍ଚରେ ଅନୁଭୂତି ପାଇବା, ମାତୃଭାଷା ମମତାରେ ବାନ୍ଧିହୋଇ ରହିବା ଏବଂ ନିଜ ଭାଷାକୁ ସମୃଦ୍ଧ କରିବା |
ବନ୍ଦେ ଉତ୍କଳ ଜନନୀ | ଜୟ ଜଗନ୍ନାଥ !!