N Aa

Gopabandhu Dash

Gopabandhu Dash
Gopabandhu Dash

"କବି ଓ କବିତା"କୁ ନେଇ ଆରମ୍ଭ ହୋଇଥିବା...


09-Oct-1877 / 17-Jun-1928
Gopabandhu Dash

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ୧୮୭୭ ମସିହା ଅକ୍ଟୋବର ମାସରେ ପୁରୀ ଜିଲ୍ଲାର ସତ୍ୟବାଦୀ ନିକଟବର୍ତ୍ତୀ ସୁଆଣ୍ଡ ଗ୍ରାମରେ । ତାଙ୍କ ପିତାଙ୍କ ନାମ ଥିଲା ଦୈତାରୀ ଓ ମାତାଙ୍କ ନାମ ସ୍ୱର୍ଣ୍ଣମୟୀ । ତାଙ୍କ ଜନ୍ମର ଅଳ୍ପଦିନ ପରେ ମାତା ସ୍ୱର୍ଣ୍ଣମୟୀଙ୍କର ଦେହାନ୍ତ ହୋଇଥିଲା ଓ ତାଙ୍କର ଲାଳନପାଳନର ଦାୟିତ୍ୱ ଗ୍ରହଣ କରିଥିଲେ ବିଧବା ପିଉସୀ କମଳା ଦେବୀ । କମଳା ଦେବୀଙ୍କ ନିଃସ୍ୱାର୍ଥପର ମମତା, ସେବାପରାୟଣତା ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱକୁ ଗଭୀର ଭାବରେ ପ୍ରଭାବିତ କରିଥିଲା । କମଳା ଦେବୀଙ୍କ ଠାରୁ ପରାର୍ଥେ ଜୀବନ ବଞ୍ଚିବାର ମହାପ୍ରେରଣା ସେ ଲାଭ କରିଥିଲେ । ଗୋପବନ୍ଧୁଙ୍କ ପରିବାର ଥିଲା ଏକ ମଧ୍ୟବିତ୍ତ ପରିବାର । ଏହା ସତ୍ତ୍ୱେ ବିଳମ୍ବରେ ତାଙ୍କର ଶିକ୍ଷାରମ୍ଭ ହୋଇଥିଲା । ୨୧ ବର୍ଷ ବୟସରେ ୧୮୯୮ ମସିହାରେ ସେ ମାଟ୍ରିକୁଲେସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେହି ସମୟ ବେଳକୁ ସେ ବିବାହ କରି ସନ୍ତାନର ଜନକ ହୋଇସାରିଥିଲେ ।

ପୁରୀ ଜିଲ୍ଲା ସ୍କୁଲରେ ଅଧ୍ୟୟନ ସମୟରେ ଗୋପବନ୍ଧୁ ସାଧାରଣ ମଣିଷର ଦୁଃଖ ଦୁର୍ଦ୍ଦଶାକୁ ଯେଭଳି ନିଜର ଦୁର୍ଦ୍ଦଶା ବୋଲି ଅନୁଭବ କରୁଥିଲେ; ଠିକ୍ ସେହିଭଳି ଓଡ଼ିଆଭାଷା, ସାହିତ୍ୟ ଓ ମାଟି ସହିତ ଏକ ଆତ୍ମିକ ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ୧୮୯୧ ମସିହାରେ ମିଡିଲ ଭର୍ଣ୍ଣାକୁଲାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତତ୍ ପରବର୍ଷ ପୁରୀ ଜିଲ୍ଲା ସ୍କୁଲରେ ଛାତ୍ର ରୂପେ ସେ ଯୋଗ ଦେଇଥିଲେ । ପୁରୀ ଜିଲ୍ଲା ସ୍କୁଲରେ ଛାତ୍ର ଥିବା ସମୟରେ ପ୍ରାଚୀନ ଓ ଆଧୁନିକ ସାହିତ୍ୟକୁ କେନ୍ଦ୍ର କରି ଓଡ଼ିଶାରେ ଦୁଇଟି ବୁଦ୍ଧିଜୀବୀଗୋଷ୍ଠୀ କଲମଯୁଦ୍ଧରେ ପ୍ରବୃତ୍ତ ହୋଇଥିଲେ ଓ ସେମାନଙ୍କର ମୁଖପତ୍ର ଥିଲା ଯଥାକ୍ରମେ ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ ପତ୍ରିକା । ସେ ସମୟରେ ଶିକ୍ଷାବିଭାଗର ସର୍ବୋଚ୍ଚ କର୍ତ୍ତା ରାଧାନାଥ ରାୟ ନିଜର ଅନୁଗତ ଶିକ୍ଷକ, ପ୍ରଶଂସକ, ରାଜନ୍ୟଗୋଷ୍ଠୀଙ୍କ ସହାୟତାରେ ପ୍ରାଚୀନ ସାହିତ୍ୟ ପ୍ରତିଷ୍ଠାକୁ ଉଦ୍‌ଖାତ କରି ଏବଂ ତା’ର ପ୍ରସାରଣକୁ ସୀମିତି କରି ଆପଣାକୁ ଓଡ଼ିଶାର ଶ୍ରେଷ୍ଠ କବି ରୂପରେ ସବୁଦିନ ପାଇଁ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରିଥିଲେ । ରାଧାନାଥ ଗୋଷ୍ଠୀର ଏହି ଅହେତୁକ ଉଚ୍ଚାକାଂକ୍ଷାକୁ ଦୃଢ଼ ବିରୋଧ କରିଥିଲେ ଗୌରୀଶଙ୍କର ରାୟ, ମଧୁସୂଦନ ଦାସ ଓ ତାଙ୍କର ଗୋଷ୍ଠୀ । ଗୋପବନ୍ଧୁ ଏହି ଗୌରୀଶଙ୍କର ଗୋଷ୍ଠୀ ସହିତ ନିଜକୁ ଯୋଡ଼ିଥିଲେ ଓ ‘ଇନ୍ଦ୍ରଧନୁ’ ପତ୍ରିକାରେ ପ୍ରବନ୍ଧ ଲେଖିଥିବାରୁ ସାତଦିନର ବୃତ୍ତି ଜୋରିମାନା ଦେଇଥିବା ବେଳେ ପୁରସ୍କାରରୁ ବଞ୍ଚିତ ହୋଇଥିଲେ । ଗୋପବନ୍ଧୁ ତାଙ୍କର ପରବର୍ତ୍ତୀ ଜୀବନରେ ଏହିଭଳି ପ୍ରତିଶୋଧର ବାରମ୍ବାର ଶିକାର ହୋଇଛନ୍ତି । କିନ୍ତୁ ଏସବୁ ସତ୍ତ୍ୱେ ଦେଶ ଓ ଭାଷାକୁ ଭଲପାଇବା ତାଙ୍କର ତିଳେ ମାତ୍ର ଊଣା ହୋଇ ନ ଥିଲା ବରଂ ତାହା ହୋଇଛି ତାଙ୍କ ଜୀବନର ପରମ ଆଦର୍ଶ ।  ୧୮୯୮ ମସିହାରେ ମାଟ୍ରିକୁଲେସନ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସେ ରେଭେନ୍‌ସା କଲେଜରେ ଅଧ୍ୟୟନ ନିମିତ୍ତ ଯୋଗ ଦେଇଥିଲେ । କଲେଜରେ ଅଧ୍ୟୟନ ସମୟରେ ସେ ଲକ୍ଷ୍ୟ କଲେ ଯେ କଲିକତା ବିଶ୍ୱବିଦ୍ୟାଳୟରେ ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ ଓ ଅହମୀୟା ଆଦି ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବାର ବ୍ୟବସ୍ଥା ରହିଥିବା ବେଳେ ଓଡ଼ିଆ ଏକ ମାତୃଭାଷା ରୂପେ ଗୃହୀତ ହୋଇ ନ ଥିବା ଯୋଗୁଁ ସେଥିରେ ପରୀକ୍ଷା ଦେବାର ବ୍ୟବସ୍ଥା ନାହିଁ । ଏହି ବ୍ୟବସ୍ଥା ପାଇଁ ସେତେବେଳର ଓଡ଼ିଶାର ନେତୃବୃନ୍ଦ ଓ ବୃତ୍ତିଜୀବୀବର୍ଗ କୌଣସି ଉଦ୍ୟମ କରି ନାହାନ୍ତି । ଗୋପବନ୍ଧୁଙ୍କ ନେତୃତ୍ୱରେ ଓ ବ୍ରଜସୁନ୍ଦର ଆଦି ବନ୍ଧୁମାନଙ୍କ ସହଯୋଗ କ୍ରମେ ଓଡ଼ିଆ ଭାଷାକୁ କଲିକତା ବିଶ୍ୱବିଦ୍ୟାଳୟରେ ଅନ୍ୟତମ ଭାଷାରୂପେ ପ୍ରଚଳନ ନିମିତ୍ତ ଆନ୍ଦୋଳନ ହୋଇଛି ଓ ୧୯୦୧ ମସିହାରେ ତାହା ସଫଳ ମଧ୍ୟ ହୋଇଛି । ଓଡ଼ିଆ ଭାଷା ପାଇଁ ଆନ୍ଦୋଳନ କରିଥିବା କାରଣରୁ ଏଫ.ଏ ପରୀକ୍ଷାରେ ମେଧା ତାଲିକାରେ ତାଙ୍କଠାରୁ ତଳେ ଥିବା ବନ୍ଧୁମାନେ ବୃତ୍ତିଲାଭ କରିବାପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସମୟରେ ସେହି ତାଲିକାରୁ ଗୋପବନ୍ଧୁ ଓ ବ୍ରଜସୁନ୍ଦର ଦାସ ବାଦ୍ ପଡ଼ିଯାଇଛନ୍ତି । ଓଡ଼ିଆ ମାତୃଭାଷା ରୂପେ ଗୃହୀତ ହେବା ପରେ ସେହି ଭାଷାରେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି ଓ ପ୍ରଥମ ପରୀକ୍ଷାର୍ଥୀ ହୋଇଛନ୍ତି ଗୋପବନ୍ଧୁ । ଓଡ଼ିଆରେ ଉପଯୁକ୍ତ ନମ୍ବର ରଖିବାରେ ଅସମର୍ଥ ହେତୁ ୧୯୦୨ ମସିହାରେ ଗୋପବନ୍ଧୁ ବି.ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରି ନାହାନ୍ତି । ସେହି ସମୟରେ ପାରିବାରିକ ଜୀବନରେ ସେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି । ତାଙ୍କର ଏକମାତ୍ର ଜୀବିତ ପୁତ୍ରର ଦେହାନ୍ତ ମଧ୍ୟ ସେହି ସମୟରେ ହୋଇଛି । ସେତିକିବେଳେ ସେ ପ୍ରାର୍ଥନା କରିଛନ୍ତି –

ଧର୍ମ ଅନୁକୂଳ ଯେବେ ମୋ କାମନାଚୟ     ସାଧନେ ଶକତି ଦିଅ ପ୍ରଭୁ ଦୟାମୟ

୧୯୦୩ ମସିହାରେ ଗୋପବନ୍ଧୁ ବି.ଏ ପାସ୍ କରିଛନ୍ତି ଓ ୧୯୦୬ ମସିହାରେ ଓକିଲାତି (ବି.ଏଲ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସ୍ୱାଧୀନ ଭାବରେ କର୍ମ ନିର୍ବାହ କରିବା ପାଇଁ ଉଦ୍ୟମ କରିଛନ୍ତି । ମାତ୍ର ଦୁର୍ଭାଗ୍ୟର ବିଷୟ ଯେଉଁଦିନ ସେ ବି.ଏଲ ପରୀକ୍ଷାରେ ସଫଳତା ଲାଭ କରିବାର ସମ୍ବାଦ ପାଇଛନ୍ତି, ସେହିଦିନ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଛି ଓ ଝିଅ ଦୁଇଟିଙ୍କର ଦାୟିତ୍ୱ ତାଙ୍କର ବଡ଼ଭାଇ ଗ୍ରହଣ କରିଛନ୍ତି । ତାଙ୍କ ନିଜ ଭାଷାରେ କହିଲେ “କଲେଜରେ ପଢୁଥିବା ବେଳେ ଏକମାତ୍ର ପୁଅ ମଲା ... ପଢ଼ା ଶେଷ ହେବା ପରେ ସଙ୍ଗେ ସଙ୍ଗେ ମୋର ଗୃହସ୍ଥାଶ୍ରମ ଶେଷ ହେଲା । ବି.ଏଲ ପରୀକ୍ଷା ପାସ୍ ଖବର ଓ ପତ୍ନୀ ବିୟୋଗ ବାର୍ତ୍ତା ମୁଁ ଏକାଦିନକେ ପାଇଥିଲି ।”

ଛାତ୍ରାବସ୍ଥାରେ ବିଭିନ୍ନ ସାମାଜିକ ଓ ସାସ୍କୃତିକ ଅନୁଷ୍ଠାନ ଗଠନ କରିବା ବା ପ୍ରତିଷ୍ଠିତ ଅନୁଷ୍ଠାନର ଅନ୍ତର୍ଭୁକ୍ତ ହେବା ଗୋପବନ୍ଧୁଙ୍କର ଏକ ଅଭ୍ୟାସ ଥିଲା । ପାରିବାରିକ ସୂତ୍ରରୁ ଗୋପବନ୍ଧୁ ପାଇଥିଲେ ଜୀବନ ପ୍ରତି ଏକ ସନ୍ନ୍ୟାସୀ ସୁଲଭ ଦୃଷ୍ଟିକୋଣ । ସନ୍ନ୍ୟାସ ସୁଲଭ ସାତ୍ତ୍ୱିକ ଭାବ ତାଙ୍କ ଭିତରେ ଆତ୍ମୋତ୍ସର୍ଗର କାମନା ଯେପରି ସୃଷ୍ଟି କରିଥିଲା, ଅପରପକ୍ଷରେ ଯଶୋଲିପ୍‌ସା ଠାରୁ ତାଙ୍କୁ ଦୂରେଇ ନେଇଥିଲା । ନିଃସ୍ୱାର୍ଥପର ଭାବରେ ସମସ୍ତ କାର୍ଯ୍ୟ କରିବାର ଆଗ୍ରହ ତାଙ୍କୁ ସ୍ୱାଭାବିକ ଭାବରେ ନେତାର ଭୂମିକାରେ ଅବତୀର୍ଣ୍ଣ କରାଇଥିଲା । ରେଭେନ୍‌ସା କଲେଜରେ ଛାତ୍ର ଥିବାବେଳେ ‘କର୍ତ୍ତବ୍ୟ ବୋଧିନୀ ସଭା’ ତାଙ୍କ ଉଦ୍ୟମରେ ପ୍ରତିଷ୍ଠିତ ହୋଇଥିଲା । ପୁରୀରେ ଥିବା ବ୍ରାହ୍ମଣ ସମିତି ତାଙ୍କ ସହଯୋଗ ଦ୍ୱାରା କର୍ମଚଞ୍ଚଳ ହୋଇଉଠିଥିଲା । ୧୯୦୪ ମସିହାରେ ପ୍ରତିଷ୍ଠିତ ହୋଇଥିବା ‘ଉତ୍କଳ ୟଙ୍ଗ୍ ମେନ୍‌ସ ଆସୋସିଏସନ୍‌’ ସହିତ ସେ ସଂଶ୍ଳିଷ୍ଟ ଥିବା ପର୍ଯ୍ୟନ୍ତ ତାହା କର୍ମଚଞ୍ଚଳ ଥିଲା ଓ ତାଙ୍କ ଉଦ୍ୟମରେ ୧୯୦୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା “ୟଙ୍ଗ୍ ଉତ୍କଳ ଆସୋସିଏସନ୍‌” ପରେ ଯାହା Central Young Men's Association ଭାବରେ ନାମିତ ହୋଇଥିଲା । ୧୯୦୩ ମସିହାରେ ବ୍ରହ୍ମପୁର ସହରରେ ଅନୁଷ୍ଠିତ ଗଞ୍ଜାମ ଜାତୀୟ ସମ୍ମିଳନୀ’ରେ ସେ ଯୋଗ ଦେଇଛନ୍ତି । ସେ ଅନୁଭବ କରିଛନ୍ତି ଉପକୂଳବର୍ତ୍ତୀ ଓଡ଼ିଶାକୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସହିତ ବାନ୍ଧି ରଖିବାକୁ ହେଲେ ବଙ୍ଗ ପ୍ରଦେଶ ନୁହେଁ, କେନ୍ଦ୍ର ପ୍ରଦେଶ ସହିତ ସଂଯୁକ୍ତ ହେବା ଆବଶ୍ୟକ । ନିଜର ଯୁକ୍ତିକୁ ଉପସ୍ଥାପନ କରି ସେ ଗଦ୍ୟରେ ଲେଖିଥିଲେ ‘ପ୍ରାର୍ଥନା’ ଶୀର୍ଷକ ଏକ ପୁସ୍ତିକା । ପ୍ରାର୍ଥନା ପୁସ୍ତିକା ଉତ୍କଳ ସମ୍ମିଳନୀର ସର୍ବମୟ କର୍ତ୍ତା ଓ ଓଡ଼ିଆ ଜାତୀୟତାର ଉଦ୍‌ଗାତ ମଧୁସୂଦନଙ୍କୁ କ୍ରୋଧାନ୍ୱିତ କରିଥିଲା । ଗୋପବନ୍ଧୁଙ୍କର ମଧୁସୂଦନଙ୍କ ପ୍ରତି ଭକ୍ତି ଓ ଭଲପାଇବା ଥିଲା ପ୍ରଶ୍ନାତୀତ । ଅଳ୍ପଦିନ ପରେ ମଧୁବାବୁ ମଧ୍ୟ ଗୋପବନ୍ଧୁଙ୍କ ସହିତ ଘନିଷ୍ଠ ହୋଇଯାଇଥିଲେ । ୧୯୦୬ ମସିହାରେ ସାଧାରଣ ଜୀବନରେ ପ୍ରବେଶ କଲାପରେ ଗୋପବନ୍ଧୁ ଅନୁଭବ କରିଥିଲେ, ବଢିମରୁଡ଼ି କବଳିତ ଓ ବିଭିନ୍ନ ସମୟରେ ଦୁର୍ଭିକ୍ଷରେ ଆକ୍ରାନ୍ତ ଓଡ଼ିଆମାନଙ୍କ ପାଇଁ ବଞ୍ଚିବା ହିଁ ହେଉଛି ସବୁଠାରୁ ବଡ଼ ସମସ୍ୟା । ଯେଉଁମାନେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି, ସେମାନଙ୍କ ପାଇଁ ଦେଶ, ଜାତି, ଭାଷାର ଗୁରୁତ୍ୱ ନାହିଁ କହିଲେ ଚଳେ । ଦାରିଦ୍ର‌୍ୟ ଓ ଅନାହାର ବ୍ୟକ୍ତିତ୍ୱ ବିନାଶ କରେ । ତେଣୁ ସେହି ଦୁର୍ଗତିମାନଙ୍କ ନିକଟରେ ଠିଆ ହେବା ଓ ସେମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇବା ସେତେବେଳେ ଥିଲା ଐତିହାସିକ ଆବଶ୍ୟକତା । ସେଥିପାଇଁ ଦୟା ବା କରୁଣା ନୁହେଁ, ସଦିଚ୍ଛା, ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବାକୁ ସେ ସିଦ୍ଧାନ୍ତ ନେଇଥିଲେ । ଏପରି ସିଦ୍ଧାନ୍ତ ନେବାରେ ସେ କେବଳ ଓଡ଼ିଶାରେ ନୁହନ୍ତି, ସମଗ୍ର ଭାରତବର୍ଷର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ଅଗ୍ରଗଣ୍ୟ । ଗୋପବନ୍ଧୁଙ୍କ ଦେଶସେବା ଥିଲା ସମାଜର ତୃଣମୂଳ ସ୍ତରରେ ରହିଯାଇଥିବା ମଣିଷମାନଙ୍କ ସହିତ ସମ୍ପୃକ୍ତି। ବନ୍ୟା-ଦୁର୍ଗତିମାନଙ୍କର ଦୟନୀୟ ଚିତ୍ର ବିଭିନ୍ନ ସମ୍ବାଦପତ୍ରର ପୃଷ୍ଠାଠାରୁ ଆରମ୍ଭ କରି ଉତ୍କଳ ସମ୍ମିଳନୀ ମଣ୍ଡପ, ବିଧାନ ପରିଷଦ କକ୍ଷ ଓ ଭାରତୀୟ ଜାତୀୟ କଂଗ୍ରେସର ମହା ଅଧିବେଶନ - ସବୁଠାରେ ସେ ଉପସ୍ଥାପନ କରିଛନ୍ତି । ଗୋପବନ୍ଧୁ ଅନୁଭବ କରିଥିଲେ ଦେଶବାସୀ ବଞ୍ଚିଲେ ସେମାନଙ୍କ ଭାଷା ବଞ୍ଚିବ, ଭାଷା ବଞ୍ଚିଲେ ସାହିତ୍ୟ ସୃଷ୍ଟିହେବ, ସେମାନେ ରାଜନୀତିରେ ଅଂଶଗ୍ରହଣ କରିପାରିବେ, ନୂଆ ସ୍ୱପ୍ନ ଦେଖି ପାରିବେ ।

କବି ଓ ସାହିତ୍ୟିକ ଗୋପବନ୍ଧୁଙ୍କ ଅପେକ୍ଷା କର୍ମୀ ଗୋପବନ୍ଧୁ ଅନେକ ବଡ଼ । ସେହି କର୍ମୀ ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱର ଦୀପ୍ତି ଏବେବି ଜନମାନସରେ ଦେଦିପ୍ୟମାନ । ଦେଶବାସୀଙ୍କ ସମସ୍ୟା ଉପସ୍ଥାପନ କରିବା ପାଇଁ ସେ ଗଦ୍ୟଭାଷାର ସହାୟତା ନେଇଥିଲେ । ସେ ଅନୁଭବ କରିଥିଲେ କବିତାର ଭାଷା ଉଦ୍‌ବୋଧନ ପାଇଁ ବ୍ୟବହାର କରାଯାଇପାରେ ବା ଆପଣାର ଭାବାବେଗ କବିତା ମାଧ୍ୟମରେ ଅଭିବ୍ୟକ୍ତ କରାଯାଇପାରେ, କିନ୍ତୁ ଦେଶ ଓ ଜାତି ପାଇଁ ଅଧିକ ଆବଶ୍ୟକତା ରହିଛି ଗଦ୍ୟ ଭାଷାର । ଊନବିଂଶ ଶତାବ୍ଦୀର ‘ଉତ୍କଳ ଦୀପିକା’ ‘ବାଲେଶ୍ୱର ସମ୍ବାଦବାହିକା’ ଆଦି ସମ୍ବାଦପତ୍ର ସମ୍ବାଦ ପରିବେଷଣ ଓ ଯୁକ୍ତିତର୍କ ଉପସ୍ଥାପନ କଲାଭଳି ଏକ ଗଦ୍ୟଭାଷା ସୃଷ୍ଟି କରିଥିଲା । ଅପରପକ୍ଷରେ ଉପନ୍ୟାସ, ଗଳ୍ପ ଓ ନାଟକ ମଧ୍ୟଦେଇ ସାହିିତ୍ୟିକ ଗଦ୍ୟର ବିକାଶ ଘଟିଥିଲା । ଉଭୟ ପ୍ରକାର ଗଦ୍ୟର ଥିଲା ସୀମାବଦ୍ଧତା । କିନ୍ତୁ ଏହି ଗଦ୍ୟ ଭାଷାର ସାର୍ବଜନୀନ ଆବେଦନ ନ ଥିଲା । ପ୍ରତ୍ୟେକ ସ୍ତରର ମଣିଷକୁ ଛୁଇଁବା ପରି ତାର ସାମର୍ଥ୍ୟ ବି ନ ଥିଲା । ଜଗନ୍ନାଥ ଦାସ ଓଡ଼ିଆ ପଦ୍ୟଭାଷାକୁ ଯେଉଁଭଳି ସଂହତ, ପରିଚ୍ଛନ୍ନ କରିପାରିଥିଲେ, ଗୋପବନ୍ଧୁ ସେହିଭଳି ଏକ ସର୍ବଜନବୋଧ୍ୟ, ବକ୍ତବ୍ୟକୁ ପରିଚ୍ଛନ୍ନ ଭାବରେ ଉପସ୍ଥାପନ କରିବାର ସାମର୍ଥ୍ୟ ରଖୁଥିବା ଗଦ୍ୟଭାଷାର ସୃଷ୍ଟି କରିଥିଲେ । ୧୯୧୩ ମସିହାରେ ବ୍ରହ୍ମପୁର ଠାରୁ ଶଶିଭୂଷଣ ରଥଙ୍କ ସଂପାଦନାରେ ପ୍ରକାଶ ପାଉଥିବା ‘ଆଶା’ ସମ୍ବାଦପତ୍ରର ପ୍ରଥମ ୪/୫ ବର୍ଷ ସେ ଥିଲେ ଛାୟା ସଂପାଦକ । ପରବର୍ତ୍ତୀ କାଳରେ ତାଙ୍କ ସଂପାଦକତ୍ୱରେ ପ୍ରକାଶ ପାଇଥିଲା ‘ସତ୍ୟବାଦୀ’ ଓ ‘ସମାଜ’ । ‘ସତ୍ୟବାଦୀ’ରେ କାଁ ଭାଁ ପଦ୍ୟ ପ୍ରକାଶିତ ହେଉଥିଲେ ବି ତାହାଥିଲା ଗଦ୍ୟଭିତ୍ତିକ ସାହିତ୍ୟପତ୍ର । ‘ସତ୍ୟବାଦୀ’ର ସଂପାଦକୀୟଗୁଡ଼ିକ ଯେଭଳି ସ୍ପଷ୍ଟ, ଯୁକ୍ତିପୂର୍ଣ୍ଣ, ସେହିପରି ମନଛୁଆଁ । ‘ଆଶା’ ଓ ‘ସତ୍ୟବାଦୀ’ର ସିଦ୍ଧି ‘ସମାଜ’ ପରି ସମ୍ବାଦପତ୍ର ପ୍ରକାଶ ପାଇଁ ତାଙ୍କୁ ଅନୁପ୍ରେରିତ କରିଥିଲା । ‘ସମାଜ’ର ଲକ୍ଷ୍ୟଥିଲା ଯେଉଁମାନେ ନିରକ୍ଷର ସେମାନେ ସମ୍ବାଦ ବିଷୟ ଶୁଣି ବୁଝିପାରିବେ । ଗୋପବନ୍ଧୁଙ୍କ ଗଦ୍ୟ ଶୈଳୀର ବିଶେଷତ୍ୱ ଓ ସାମର୍ଥ୍ୟର ଯଥାର୍ଥ ଆକଳନ ଏପର୍ଯ୍ୟନ୍ତ ହୋଇପାରିନାହିଁ ।

କବିତା ରଚନା ପ୍ରତି ତରୁଣ ବୟସରୁ ଗୋପବନ୍ଧୁଙ୍କର ଆଗ୍ରହ ରହିଥିଲା । ପରିଚିତ ଓ ଅନୁଭବର ବିଷୟକୁ ଭାଷାବନ୍ଧରେ ପ୍ରକାଶ କରିବାର ସାମର୍ଥ୍ୟ ହାଇସ୍କୁଲରେ ପଢ଼ୁଥିବା ବେଳୁ ସେ ଲାଭ କରିଥିଲେ । ସ୍ୱଭାବ କବିତ୍ୱ ନେଇ ଜଣେ କବି ବେଶିଦୂର ଅଗ୍ରସର ହୋଇପାରେନା । କବି ଭାବରେ ପ୍ରତିଷ୍ଠିତ ହେବାକୁ ହେଲେ ସାଧନାର ଆବଶ୍ୟକ । ତତ୍ ସହିତ କବିତାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିବାକୁ ପଡ଼ିଥାଏ । ଗୋପବନ୍ଧୁଙ୍କର କବିତା ସାଧନା ପାଇଁ ସମୟ ନ ଥିଲା । ପ୍ରଚାର-ପ୍ରସାର ପାଇଁ ନ ଥିଲା ଆଗ୍ରହ । ବନ୍ଧୁ ଓ ସୁହୃଦମାନଙ୍କ ସହଯୋଗ ଓ ବାଧ୍ୟବାଧକତାରେ ତାଙ୍କର କବିତା ‘ଉତ୍କଳ ସାହିତ୍ୟ’, ‘ମୁକୁର’ ଆଦି ସାହିତ୍ୟ ପତ୍ରିକା ଓ ‘ଅବକାଶ ଚିନ୍ତା’ ଶୀର୍ଷକରେ ପୁସ୍ତିକାରରେ ପ୍ରକାଶ ପାଇଛି । ‘ମୁକୁର’ରେ ପ୍ରକାଶିତ କବିତାଗୁଡ଼ିକ ତାଙ୍କ ଜୀବଦ୍ଦଶାରେ ପୁସ୍ତକରୂପ ଲାଭ କରିପାରି ନାହିଁ । ଗୋପବନ୍ଧୁଙ୍କ କବିତାର ବିଷୟ ବହୁବିଧ । ବ୍ୟକ୍ତିଗତ ଜୀବନ, ପ୍ରକୃତିର ସୌନ୍ଦର୍ଯ୍ୟ, ଦୈନଦିନ ଜୀବନର ଅନୁଭବକୁ ନେଇ ତାଙ୍କ ପ୍ରାଥମିକ ଜୀବନର କବିତାଗୁଡ଼ିକ ରଚିତ । ସେହି ପ୍ରାଥମିକ ଜୀବନରେ ଓଡ଼ିଶାର ସମସ୍ୟା ଓ ଜାତୀୟ ବୀରମାନଙ୍କର ମହତ୍ତ୍ୱ ତାଙ୍କ କବିତାରେ କେନ୍ଦ୍ରସ୍ଥାନ ଅଧିକାର କରିବସିଛି । ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାପରେ ପୁଣିଥରେ କବି ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଗୋପବନ୍ଧୁ । ଇଂରେଜସରକାର ଗୋପବନ୍ଧୁଙ୍କ ଉପରେ ମୁଖବନ୍ଦର ଆଦେଶ ଦେଇଛନ୍ତି । ତା’ର ପ୍ରତିବାଦରେ ସେ ଲେଖିଛନ୍ତି ‘ମୂକ ମିନତୀ’ ଶୀର୍ଷକ ଏକ ଦୀର୍ଘ କବିତା । ‘ମୂକ ମିନତୀ’ ପ୍ରକାଶିତ ହେବାର ଅଳ୍ପଦିନ ପରେ ଗୋପବନ୍ଧୁ ରାଜନୈତିକ ବନ୍ଦୀରୂପେ କଟକ ଓ ହଜାରୀବାଗ ଜେଲରେ ଦୁଇବର୍ଷରୁ ଅଧିକ ସମୟ ବିତାଇଛନ୍ତି । ସେହି ସମୟ କାଳ ମଧ୍ୟରେ ସେ ଲେଖିଛନ୍ତି ବନ୍ଦୀର ଆତ୍ମକଥା, ଧର୍ମପଦ, ଗୋ ମାହାତ୍ମ୍ୟ ଆଦି ପଦ୍ୟ ପୁସ୍ତକ । ସେହି ଜେଲରେ ଥାଇ ଲେଖିଥିବା ୧୩ଟି ଛୋଟ ବଡ଼ କବିତା ପରବର୍ତ୍ତୀ ସମୟରେ ‘କାରା କବିତା’ ଶୀର୍ଷକରେ ଓ କଠୋପନିଷଦର ନିର୍ବାଚିତଅଂଶର ଅନୁବାଦ ‘ବ୍ରହ୍ମତତ୍ତ୍ୱ’ ବା ‘ନଚିକେତା’ ଉପାଖ୍ୟାନ ଶୀର୍ଷକରେ ତାଙ୍କ ଦେହବସାନ ପରେ ପ୍ରକାଶ ପାଇଛି । ଗୋପବନ୍ଧୁଙ୍କ ଏହି ପରବର୍ତ୍ତୀ ସମୟର କବିତା ଜେଲ କୋଠରୀ ଭିତରେ ଲେଖା ହୋଇଥିବାରୁ ଦେଶପ୍ରୀତି ଓ ଭଗବତପ୍ରୀତି ତା’ର ମୁଖ୍ୟ ବିଷୟ ହୋଇଛି । ‘ଧର୍ମପଦ’ ପରି କାହାଣୀକାବ୍ୟ ବୃହତ୍ତର ସମାଜ ପାଇଁ ଆତ୍ମୋତ୍ସର୍ଗର କାହାଣୀ ଉପରେ ଠିଆ ହୋଇଛି । ବସ୍ତୁତଃ ଗୋପବନ୍ଧୁଙ୍କ ଅନ୍ତରରବାଣୀ ଧର୍ମପଦ ମୁଖରେ କାବ୍ୟର ଶେଷାଂଶରେ ଉଚ୍ଚାରିତ ହୋଇଛି । ‘ବନ୍ଦୀର ଆତ୍ମକଥା’ ଗୋପବନ୍ଧୁଙ୍କ ଆତ୍ମକଥା ତ ନିଶ୍ଚୟ; କିନ୍ତୁ ସେ ଗୋପବନ୍ଧୁ ଦେଶ ପାଇଁ ଆତ୍ମୋତ୍ସର୍ଗ କରିଥିବା ଗୋପବନ୍ଧୁ । ‘ଗୋ ମାହାତ୍ମ୍ୟ’ ପରି ପୁରାଣଧର୍ମୀ ପୁସ୍ତିକା ସମକାଳୀନ ରାଜନୈତିକ ଆଦର୍ଶରୁ ଲେଖାଯାଇଛି । ତାଙ୍କର ସାହିତ୍ୟକୃତି, ସାମ୍ବାଦିକତା ଓ ଦେଶସେବା ସ୍ତରଅତିକ୍ରମଣ ସହିତ ଆତ୍ମ ଉନ୍ନୟନର ଏକ ଆଧ୍ୟାତ୍ମିକ ଅତିକ୍ରମଣ । ଏହି କର୍ମବୀରଙ୍କର ମହାପ୍ରୟାଣ ଘଟିଥିଲା ୧୭ ଜୁନ୍ ୧୯୨୮ ମସିହାରେ ।

Gopabandhu Dash

Gopabandhu Dash
Gopabandhu Dash

"କବି ଓ କବିତା"କୁ ନେଇ ଆରମ୍ଭ ହୋଇଥିବା...