ଉତ୍କଳଗୈାରବ ମଧୁସୂଦନ ଦାସଙ୍କ ଜନ୍ମ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ରଘୂନାଥ ଓ ମାତା ପାର୍ବତୀ । ମଧୁସୂଦନଙ୍କ ବଂଶଗତ ଉପାଧି ଥିଲା ଚୌଧୁରୀ । ଏକ ଅଭିଜାତ ପରିବାରରେ ତାଙ୍କର ଜନ୍ମ । ସାମୟିକ ଆର୍ଥିକ ଦୁଃସ୍ଥିତି ଭୋଗକରିଥିଲେ ବି ସମ୍ଭ୍ରାନ୍ତ ମାନସିକତା ସେ ପରିବାରସୂତ୍ରରୁ ଲାଭ କରିଥିଲେ । ଗ୍ରାମ ଚାଟଶାଳୀରେ କିଛି ଦିନ ଶିକ୍ଷାଲାଭ କରିବା ପରେ ଇଂରାଜୀ ଶିକ୍ଷାଲାଭ ଉଦ୍ଦେଶ୍ୟରେ ସେ କଟକ ଆସିଥିଲେ । ତାଙ୍କ ପିତା ଚୌଧୁରୀ ରଘୁନାଥ ଦାସ କଟକ ଅଦାଲତରେ ଓକିଲାତି କରୁଥିଲେ । ମଧୁସୂଦନ ୧୮୬୪ ମସିହାରେ ଦ୍ୱିତୀୟ ଶ୍ରେଣୀରେ ଏନ୍ଟ୍ରାନ୍ସ ପାସ କରିବା କାରଣରୁ ଉଚ୍ଚ ଶିକ୍ଷା ନିମିତ୍ତ କୌଣସି ସରକାରି ବୃତ୍ତି ପାଇନଥିଲେ । ପରିବାର ଇଚ୍ଛା ବିରୋଧରେ ଉଚ୍ଚ ଶିକ୍ଷା ପାଇଁ ସେ ଘର ଛାଡ଼ିଥିଲେ । ସେ ବାଲେଶ୍ୱର ଯାଇ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଚତୁର୍ଥ ଶିକ୍ଷକ ଭାବରେ ଯୋଗ ଦେଇଥିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା କିଛି ଅର୍ଥ ସଞ୍ଚୟ କରିବା ପରେ ଉଚ୍ଚଶିକ୍ଷା ନିମିତ୍ତ କଲିକତା ଯିବେ । ଶିକ୍ଷକତା ତ୍ୟାଗ କରି ସେହି ବାଲେଶ୍ୱରରେ ସେ କିଛିଦିନ ଅମଲା ହୋଇଥିଲେ । ନ’ଅଙ୍କ ଦୁର୍ଭିକ୍ଷର ବିଭୀଷିକା ମଧ୍ୟରେ ସେ ବାଲେଶ୍ୱର ଛାଡ଼ି କଲିକତା ପହଞ୍ଚିଥିଲେ। ପୃଷ୍ଠପୋଷକତା ସନ୍ଧାନରେ ବିଫଳ ହେବା ପରେ କଲିକତା ଭବାନିପୁରର ଲଣ୍ଡନ ମିସ୍ନାରୀ କଲେଜରେ ଛାତ୍ରତ୍ୱ ଗ୍ରହଣ କରିଥିଲେ । ସଂପୃକ୍ତ ମହାବିଦ୍ୟାଳୟରୁ ୧୮୭୦ ମସିହାରେ ସେ ସ୍ନାତକ ଉପାଧି ଲାଭ କରିଥିଲେ । ୧୮୭୩ ମସିହାରେ ସ୍ନାତକୋତ୍ତର ଏବଂ ୧୮୭୮ ମସିହାରେ ସେ ଆଇନ୍ରେ ମଧ୍ୟ ଡିଗ୍ରୀ ଲାଭ କରିଥିଲେ । ବି.ଏ; ଏମ୍.ଏ ଓ ଆଇନ୍ରେ ଡିଗ୍ରୀ ଲାଭ କରିବା କ୍ଷେତ୍ରରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । ବି.ଏ ପାସ୍ କରିବା ପୂର୍ବରୁ ଖ୍ରୀଷ୍ଟୀୟ ମିସନ ପ୍ରତି ଅତି କୃତଜ୍ଞତା ବଶତଃ ସେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ । ଏହି ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ଦ୍ୱାରା ସେ ପରିବାର ଠାରୁ ଦ୍ୱରତ୍ୱ ରକ୍ଷାପାଇଁ ନିଜର ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇଥିଲେ ।
ମଧୁସୂଦନ ଥିଲେ ଖୁବ୍ ଉଚ୍ଚାକାଂକ୍ଷୀ । ଏହି ଉଚ୍ଚାକାଂକ୍ଷା ତାଙ୍କୁ ଉଚ୍ଚତର ଶିକ୍ଷାପାଇଁ କଲିକତା ନେଇଯାଇଥିଲା । ନିଜର ଗୁଜୁରାଣ ମେଂଟାଇବା ପାଇଁ ପ୍ରଥମେ ଶିକ୍ଷକତା କରିଥିଲେବି ଓକିଲାତି ପାସ୍ କରିବା ପରେ ସେ ଶିକ୍ଷକତା ଓ ଅନୁବାଦକ ଚାକିରି ଛାଡ଼ି ଜଣେ ଆଇନଜୀବୀର ବୃତ୍ତି ଗ୍ରହଣ କରିଛନ୍ତି । ୧୮୮୧ ମସିହାରେ ଗୌରୀଶଙ୍କର ରାୟଙ୍କ ପରାମର୍ଶ କ୍ରମେ ସେ କେବଳ କଟକ ଆସି ଓକିଲାତି ଆରମ୍ଭ କରିନାହାନ୍ତି; କଟକ ସହରର ସାମାଜିକ ଜୀବନରେ କ୍ରମଶଃ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିନେଇଛନ୍ତି । ଓଡ଼ିଆ ଜାତିର ଆର୍ଥିକ, ସାଂସ୍କୃତିକ ଓ ରାଜନୀତିକ ବିକାଶ ହୋଇଛି ତାଙ୍କ ଜୀବନର ପ୍ରଥମ ଲକ୍ଷ୍ୟ । କଟକ ଠାରେ ‘ଉତ୍କଳ ସଭା’ପ୍ରତିଷ୍ଠା କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ‘ଉତ୍କଳ ସଭା’ପରବର୍ତ୍ତୀ କାଳରେ ହୋଇଛି ଓଡ଼ିଆ ଜାତୀୟତାର ଅନ୍ୟତମ ଜାତୀୟପୀଠ । କିଛି କାଳ ଅନୁଷ୍ଠାନଟିର ପଶ୍ଚାତ୍ରେ ରହି କାର୍ଯ୍ୟ ନିର୍ବାହ କରିବାପରେ ସେ ତାର ଉପସଭାପତି ଓ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ‘ଉତ୍କଳ ଦୀପିକା’ର ସମ୍ପାଦକ ଗୌରୀଶଙ୍କର ରାୟ ମଧୁସୂଦନଙ୍କୁ ନେତା ରୂପେ ଆବିର୍ଭୂତ ହେବା ପାଇଁ ଅନୁପ୍ରେରଣା କେବଳ ଦେଇନାହାନ୍ତି, ‘ଉତ୍କଳ ଦୀପିକା’ ପୃଷ୍ଠାରେ ତାଙ୍କର କୃତି ଓ କୀର୍ତ୍ତି ବିଶେଷ ଭାବରେ ବିଜ୍ଞପିତ କରି ଓଡ଼ିଆମାନଙ୍କ ଜନମାନସରେ ଏବଂ ଅବଚେତନରେ ତାଙ୍କର ଉଜ୍ଜଳ ଭାବମୂର୍ତ୍ତିଟିଏ ଠିଆ କରାଇଛନ୍ତି । ମଧୁସୂଦନ ମଧ୍ୟ ଓଡ଼ିଶାର ରାଜନୀତିକ ଆଶା-ଆକାଂକ୍ଷାର ଈପ୍ସିତ ପୁରୁଷ କେବଳ ହୋଇନାହନ୍ତି; ଜଗନ୍ନାଥ ଧର୍ମ, ଓଡ଼ିଆ ରଙ୍ଗମଞ୍ଚ, ଓଡ଼ିଶା ଅର୍ଥନୀତିର ଅନ୍ୟତମ ରକ୍ଷକ ଭାବରେ ଦଣ୍ଡାୟମାନ ହୋଇଛନ୍ତି । ଏ କ୍ଷେତ୍ରରେ ସେ ଯେ ପ୍ରତିଦ୍ୱନ୍ଦିତା ଓ ବିରୋଧର ସମ୍ମୁଖୀନ ହୋଇନାହାନ୍ତି, ତାହା ନୁହେଁ; କିନ୍ତୁ ତାଙ୍କର କର୍ତ୍ତବ୍ୟନିଷ୍ଠା, ତ୍ୟାଗ ଓ ହୃଦୟର ଉଦାରତା ସମସ୍ତ ଅଗ୍ନିପରୀକ୍ଷାରୁ ତାଙ୍କୁ ଉତ୍ତୀର୍ଣ୍ଣ କରାଇଛି । ଓକିଲ ଭାବରେ ସେ ଅମାପ ସମ୍ପତ୍ତିର ଅଧିକାରୀ ହୋଇଥିଲେହେଁ, ଓଡ଼ିଆ ଜାତିପାଇଁ ସେ ସମସ୍ତ ରୋଜଗାର ଏବଂ ସମ୍ପଦକୁ ଅକାତରେ ବ୍ୟୟ କରି ଦେଇଛନ୍ତି । ମଧୁସୂଦନ ଥିଲେ ଦୂରଦ୍ରଷ୍ଟା । ଭାରତୀୟ ପ୍ରଥମ ସମବାୟ ସଂସ୍ଥାର ପ୍ରତିଷ୍ଠାତା ହେଉଛନ୍ତି ମଧୁସୂଦନ । ଓଡ଼ିଶାରେ ପ୍ରଥମ କୁଷ୍ଠାଶ୍ରମ ତାଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ହୋଇଛି । ପ୍ରାଚୀନ ଓଡ଼ିଆ ସାହିତ୍ୟର ଗୌରବ ଓ ପ୍ରସାରକୁ ଅବ୍ୟାହତ ରଖିବା ପାଇଁ ସେ ଲେଫ୍ଟେନାଣ୍ଟ ଗଭର୍ଣ୍ଣରଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି, ‘ଇନ୍ଦ୍ରଧନୁ’ ପତ୍ରିକାର ପୃଷ୍ଠପୋଷକତା କରିଛନ୍ତି । ୧୮୮୫ ମସିହାରେ ଭାରତରେ ଜାତୀୟ କଂଗ୍ରେସ ପ୍ରତିଷ୍ଠିତ ହେଲାବେଳେ ସେଥିରେ କୌଣସି ଓଡ଼ିଆ ଯୋଗ ଦେଇ ନ ଥିଲେ । ୧୮୮୬ ମସିହାରୁ ଓଡ଼ିଆମାନଙ୍କର ନେତୃତ୍ୱ ନେଇ ସେ ଜାତୀୟ କଂଗ୍ରେସରେ ଅଂଶ ଗ୍ରହଣ କରିଛନ୍ତି ଓ ଜାତୀୟ କଂଗ୍ରେସ ମଞ୍ଚରୁ ଓଡ଼ିଆ ଅସ୍ମିତାର ପରିପ୍ରଚାର କରିଛନ୍ତି । ୧୮୯୪ ମସିହାରେ ସମ୍ବଲପୁରର କୋର୍ଟକଚେରୀରୁ ଓଡ଼ିଆ ଭାଷାର ଉଚ୍ଛେଦ ସମୟରେ ଏହି ଆଦେଶ ବିରୋଧରେ ସେ ସ୍ୱର ଉତ୍ତୋଳନ କରିଛନ୍ତି ଏବଂ ‘‘Banishment of Uriya Language From Central Provinces’’ ଶିରୋନାମାରେ ଲେଖିଛନ୍ତି ଏକ ଦୀର୍ଘ ପ୍ରବନ୍ଧ ।
ରେଭେନ୍ସା ମହାବିଦ୍ୟାଳୟରେ ଆଇନ୍ ଶ୍ରେଣୀ ତାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ଓ ସେ ସେଠାରେ ଦୀର୍ଘ ସମୟ ଧରି ଅବୈତନିକ ଅଧ୍ୟାପକ ରୂପେ କାର୍ଯ୍ୟ କରିଥିଲେ । ମଧୁସୂଦନଙ୍କ ଅନ୍ୟତମ କୀର୍ତ୍ତି ହେଉଛି ଓଡ଼ିଶାର କାରିଗରୀ କୌଶଳକୁ ବିଶ୍ୱ ସମ୍ମୁଖରେ ପରିଚିତ କରାଇବା ନିମିତ୍ତ ‘Orissa Art Wares’ ନାମରେ ଏକ ତାରକସି ଶିଳ୍ପପ୍ରତିଷ୍ଠା କରିଥିଲେ । ମଧୁସୂଦନ ଅନୁଭବ କରିଥିଲେ ଗୋଟିଏ ଜାତି କେବଳ ଅନ୍ନରେ ବଞ୍ଚେ ନାହିଁ; ସମ୍ମାନ ଓ ସ୍ୱାଭିମାନର ସହିତ ବଞ୍ଚିବା ପାଇଁ ତାର ଆହୁରି ଅନେକ ପରିଚିତି ଆବଶ୍ୟକ । ଓଡ଼ିଆ ଜାତିର ଆତ୍ମପରିଚିତିର ଅନନ୍ୟତା ରହିଛି ତା’ର ଶିଳ୍ପଚାତୁରୀରେ । ଏହି ଶିଳ୍ପଚାତୁରୀକୁ ଯଦି ସେ ପୃଥିବୀର କ୍ଷମତାକେନ୍ଦ୍ରମାନଙ୍କରେ ପ୍ରଦର୍ଶିତ କରିପାରିବେ, ତେବେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜନୀତିକ ଭୂଖଣ୍ଡ ରୂପରେ ପ୍ରତିଷ୍ଠା କରିବା ସମ୍ଭବ ହେଇପାରିବ । ତତ୍ସହିତ ଓଡ଼ଶାର ଶିଳ୍ପୀକୁଳ ଯେଉଁ ଆର୍ଥିକ ଦୁଃସ୍ଥିତି ମଧ୍ୟ ଦେଇ ଜୀବନ ଅତିବାହିତ କରୁଛନ୍ତି, ସେଥିରୁ ସେମାନଙ୍କୁ ମୁକ୍ତ କରାଯାଇପାରିବ । ବ୍ୟବସାୟ କିମ୍ବା ଲାଭ ନୁହେଁ, ଜାତି ଏବଂ ସାଧାରଣ ମଣିଷର ଉନ୍ନତି କଳ୍ପେ ପ୍ରତିଷ୍ଠିତ ହୋଇଥିଲା ଏହି ଶିଳ୍ପାନୁଷ୍ଠାନ । Orissa Art Wares ର ଏକ ସକାରାତ୍ମକ ଦିଗ ହେଲା, ଏହା ମାଧ୍ୟମରେ ତାରକସି ଶିଳ୍ପୀମାନଙ୍କ ମଧ୍ୟରେ ଏହି ଶିଳ୍ପକୁ ଆଧାର କରି ଏକ ପ୍ରତିଦ୍ୱନ୍ଦିତା ସୃଷ୍ଟିକରିବା । ଓଡ଼ିଶାରେ ଯେଉଁ ଶିଳ୍ପ ମରି ମରି ଆସୁଥିଲା, ୧୯୦୨-୦୩ ମସିହା ବେଳକୁ ସେହି ଶିଳ୍ପର ଅଦ୍ଭୁତପୂର୍ବ ବିକାଶ ସାଧିତ ହୋଇପାରିଥିଲା ।
ମଧୁସୂଦନଙ୍କ ପ୍ରଚେଷ୍ଟାରେ ସମ୍ବଲପୁର କୋର୍ଟକଚେରୀରୁ ଉଠିଯାଇଥିବା ଓଡ଼ିଆ ଭାଷା ୧୯୦୩ ମସିହା ବେଳକୁ ପୁନଃପ୍ରଚଳିତ ହେଲା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକ ଶାସନାଧୀନ କରିବାର ଆକାଂକ୍ଷା ଜାଗ୍ରତ ହେଲା । ଏହି ଆକାଂକ୍ଷା କ୍ରମଶଃ ଆନ୍ଦୋଳନରେ ପରିଣତ ହେଲା ଏବଂ ଏହାର ପୁରୋଭାଗରେ ଥିଲେ ମଧୁସୂଦନ । ୧୯୦୩ ମସିହା ଏପ୍ରିଲ ୧୧ ଓ ୧୨ ତାରିଖରେ ଖଲ୍ଲିକୋଟର ରାଜା ହରିହର ମର୍ଦ୍ଦରାଜଙ୍କ ଉଦ୍ୟମରେ ବ୍ରହ୍ମପୁର ସହରରେ ଅନୁଷ୍ଠିତ ହୋଇଥିଲା ‘ଗଞ୍ଜାମ ସମ୍ମିଳନୀ’ । ଏହି ସମ୍ମିଳନୀର ପ୍ରଥମ ଅଧିବେଶନରେ ସଭାପତି ଆସନ ଅଳଙ୍କୃତ କରିଥିଲେ ମଧୁସୂଦନ ଦାସ । ଦକ୍ଷିଣ ଓଡ଼ିଶା ଲୋକମାନଙ୍କର ତାଙ୍କ ପ୍ରତି ଥିବା ଅସମ୍ଭବ ଶ୍ରଦ୍ଧାକୁ ଲକ୍ଷ୍ୟକରି ସେ ବିମୋହିତ ହୋଇପଡ଼ିଥିଲେ । ସମଗ୍ର ଓଡ଼ିଶା ପ୍ରଦେଶକୁ ଏକ ଶାସନାଧୀନ କରିବା ପାଇଁ ସେ ଅନୁଭବ କରିଥିଲେ ଏକ ବୃହତ ମଞ୍ଚର ପ୍ରତିଷ୍ଠାର ଆବଶ୍ୟକତା । ସେହି ଆବଶ୍ୟକତାରୁ ୧୯୦୩ ମସିହା ଅକ୍ଟୋବର ୨୫ ତାରିଖରେ କଟକର କନିକା କୋଠିରେ ଜନ୍ମ ନେଇଥିଲା ‘ଉତ୍କଳ ସମ୍ମିଳନୀ’ । ଏହି ‘ଉତ୍କଳ ସମ୍ମିଳନୀ ସଭା’ର ପ୍ରଥମ ସାଧାରଣ ଅଧିବେଶନ ୧୯୦୩ ମସିହା ଡିସେମ୍ବର ୩୦-୩୧ରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ଜାତୀୟତାର ଯେଉଁ କ୍ଷୀଣ ସ୍ୱର ଖଣ୍ଡିତ ଭାବରେ ଅନୁରଣିତ ହେଉଥିଲା, ଉତ୍କଳ ସମ୍ମିଳନୀ ସଭାପରେ ତାହା ଏକ ସାମୂହିକ ମହାସଙ୍ଗୀତର ରୂପ ପରିଗ୍ରହ କଲା । ମଧୁସୂଦନ ଉତ୍କଳ ସମ୍ମିଳନୀ ଭିତର ଦେଇ ଓଡ଼ିଆ ଜାତିକୁ କେବଳ ଉଦବୋଧନ ଦେଇ ନାହାନ୍ତି, ଓଡ଼ିଆମାନଙ୍କୁ ଜାତୀୟ ସଙ୍ଗୀତ ଶୁଣାଇବାକୁ ଚେଷ୍ଟା କରିଛନ୍ତି ।
‘ଉତ୍କଳ ସମ୍ମିଳନୀ’ ସଭାର ପ୍ରତ୍ୟେକ ଅଧିବେଶନର ଆରମ୍ଭ ଓ ଶେଷରେ ଜାତୀୟ ସଙ୍ଗୀତମାନ ପରିବେଷଣ କରାଯାଉଥିଲା । ଏହି ସଙ୍ଗୀତ ରଚନା ପାଇଁ ମଧୁସୂଦନ ରାଧାନାଥଙ୍କ ଠାରୁ ଆରମ୍ଭ କରି ଲକ୍ଷ୍ମୀକାନ୍ତଙ୍କ ପର୍ଯ୍ୟନ୍ତ ବହୁ କବିଙ୍କୁ ଅନୁରୋଧ କରିଛନ୍ତି ଓ ସେମାନଙ୍କ ଦ୍ୱାରା ଲିଖିତ ସଙ୍ଗୀତ ‘ଉତ୍କଳ ସମ୍ମିଳନୀ’ରେ ଗାନ କରାଯାଇଛି । ୧୯୧୩ ମସିହା ପର୍ଯ୍ୟନ୍ତ ମଧୁସୂଦନ କବିତା ଲେଖିବା ପାଇଁ କଦାପି ଚେଷ୍ଟା କରିନାହାନ୍ତି । ସାହିତ୍ୟ, ସଙ୍ଗୀତ ପ୍ରତି ମଧୁସୂଦନଙ୍କ ଅନୁରାଗ ପିଲାଦିନରୁ ରହିଥିଲା । ଇଂରାଜୀ ସାହିତ୍ୟରେ ସେ ଏମ୍.ଏ ଡିଗ୍ରୀ ମଧ୍ୟ ଲାଭ କରିଥିଲେ । ବୃତ୍ତିଗତ ଜୀବନ ଭିନ୍ନ ହେବାରୁ ସାହିତ୍ୟ, ସଙ୍ଗୀତ, ନାଟକ ଏସବୁର ପୃଷ୍ଠପୋଷକତା କଲେ ମଧ୍ୟ ମଧୁସୂଦନ ସେଥିରେ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିପାରୁ ନଥିଲେ । ଆବଶ୍ୟକ ସ୍ଥଳେ ସେ ଯେଉଁ ଗଦ୍ୟ ରଚନା କରିଛନ୍ତି, ଚିଠି ସବୁ ପଠାଇଛନ୍ତି ଓ ଭାଷଣ ପ୍ରଦାନ କରିଛନ୍ତି, ସେ ସବୁର ଭାଷା ହୋଇଛି ଇଂରାଜୀ । କଟକରେ ଦୀର୍ଘଦିନ ରହିବା ପରେ ସଭା ସମିତିମାନଙ୍କରେ ସେ ଓଡ଼ିଆ ଭାଷାରେ ଭାଷଣ ଦେବାକୁ ଆରମ୍ଭ କରିଛନ୍ତି । କିନ୍ତୁ ବହୁକାଳ ପର୍ଯ୍ୟନ୍ତ ଏହି ଭାଷାରେ ସେ ସ୍ୱଚ୍ଛନ୍ଦ ହୋଇପାରିନାହାନ୍ତି । ସେଥିପାଇଁ ତାଙ୍କର ସ୍ୱାଭାବିକ ଭାଷା ହୋଇଛି ଇଂରାଜୀ ଭାଷା । ତାଙ୍କ ପ୍ରଦତ୍ତ ଇଂରାଜୀ ଅଭିଭାଷଣ, ବିଭିନ୍ନ ରଚନା ଓ ପତ୍ରାଦି ସଙ୍କଳନ ନିକଟରେ ତୁଳନାତ୍ମକ ଭାବରେ ଓଡ଼ିଆ ଭାଷାରେ ରଚିତ ରଚନା ଓ ଅଭିଭାଷଣ ପରିମାଣାତ୍ମକ ଦିଗରୁ ସ୍ୱଳ୍ପ । ତେବେ ମଧୁସୂଦନଙ୍କର କେବଳ ଓଡ଼ିଆମାନଙ୍କ ପ୍ରତି ନୁହେଁ, ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ବିଶେଷ ଶ୍ରଦ୍ଧା ରହିଥିଲା । ତେଣୁ ଓଡ଼ିଆ ରଙ୍ଗମଞ୍ଚ , ନାଟକ ଓ କାବ୍ୟ ରଚନାକୁ ସେ ପ୍ରଯୋଜକ ଓ ପ୍ରକାଶକର ଭୂମିକା ନେଇ ପ୍ରୋତ୍ସାହିତ କରିଛନ୍ତି । ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ହେବାପରେ ଆବଶ୍ୟକତା ହେତୁ ଓଡ଼ିଆରେ ଗଦ୍ୟ ଲେଖିଛନ୍ତି ଓ ଓଡ଼ିଆରେ ଅଭିଭାଷଣ ଦେଇଛନ୍ତି । ମଧୁସୂଦନଙ୍କ ଗଦ୍ୟ ରଚନାରେ ଏବଂ ଅଭିଭାଷଣରେ ଯୁକ୍ତି ଓ ଆବେଗ ତିଳତଣ୍ଡୁଳିତ । ସେଥିପାଇଁ ସେଗୁଡ଼ିକ ପ୍ରେରଣାଦାୟୀ ତଥା ସୁଖପାଠ୍ୟ । ‘ଉତ୍କଳ ସମ୍ମିଳନୀ’ ବାହାରେ ସେ ଓଡ଼ିଆରେ ମଧ୍ୟ କେତେକ ଅଭିଭାଷଣ ଦେଇଛନ୍ତି । ମଧୁସୂଦନଙ୍କ ଅଭିଭାଷଣ ଅନେକ ସମୟରେ କାହାଣୀର ଭ୍ରମ ସୃଷ୍ଟି କରେ । କହିବା ସମୟରେ ନିଜ ଅନୁଭବରୁ ଦୃଷ୍ଟାନ୍ତ ଦେବା ଫଳରେ ତାଙ୍କ ବକ୍ତବ୍ୟ ମସ୍ତିଷ୍କ ଅପେକ୍ଷା ହୃଦୟକୁ ଅଧିକ ସ୍ପର୍ଶକରେ । ଉତ୍କଳ ଜାତୀୟତା ଏବଂ ଓଡ଼ିଶାକୁ ମା’ଭାବରେ ସମ୍ବୋଧନ କରି ତତ୍ସହିତ ତଲ୍ଲୀନ ହେବାର ଭାବପ୍ରକାଶ ତାଙ୍କ ଅଧିକାଂଶ ଅଭିଭାଷଣର ମୂଳସ୍ୱର । ମଧୁସୂଦନଙ୍କ ଓଡ଼ିଆ ଭାଷଣଗୁଡ଼ିକ ସଂଖ୍ୟାରେ ସ୍ୱଳ୍ପ ହେଲେ ବି ଓଡ଼ିଆ ଜାତିକୁ ଏବେ ମଧ୍ୟ ଆବିଷ୍ଟ ରଖିବାର ସାମର୍ଥ୍ୟ ରଖେ ।
୧୯୧୪ ମସିହାରେ ମଧୁସୂଦନ କବିତା ରଚନାରେ ହାତ ଦେଇଛନ୍ତି । ପ୍ରଥମ କବିତା ଦୁଇଟିକୁ ‘ଜାତୀୟ ଗୀତ’ ଶୀର୍ଷକରେ ‘ମୁକୁର’ ପତ୍ରିକାରେ ପ୍ରକାଶ ପାଇଁ ଦେବା ସମୟରେ ସେ ଗୋଟିଏ ଛୋଟ ଚିଠି ‘ମୁକୁର’ର ସଂପାଦକ ବ୍ରଜସୁନ୍ଦର ଦାସଙ୍କୁ ଲେଖିଥିଲେ । ସେହି ଚିଠିରେ ସେ ଲେଖିଥିଲେ, କବିତା ରଚନାରେ କୃତିତ୍ୱ ପ୍ରଦର୍ଶନ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ବାଳକ-ବାଳିକାଙ୍କ ମନରେ ସ୍ୱଦେଶ ପ୍ରେମ ଜାଗ୍ରତ କରିବା ତାଙ୍କର ଉଦ୍ଦେଶ୍ୟ । କାରଣ କବିତା ବା ପଦ୍ୟ ଯେତେ ଶୀଘ୍ର ଓ ସମୟ ସ୍ମୃତିକୋଷରେ ରହେ, ଗଦ୍ୟରେ ତାହା ରହେ ନାହିଁ । ‘ମୁକୁର’ରେ ତାଙ୍କର ପାଞ୍ଚୋଟି କବିତା ପ୍ରକାଶିତ ହୋଇଥିବା ବେଳେ ଗୋଟିଏ କବିତା ଉଭୟ ‘ଆଶା’ ସମ୍ବାଦପତ୍ର ଓ ‘ମୁକୁର’ ସାହିତ୍ୟ ପତ୍ରରେ ପ୍ରକାଶ ପାଇଥିଲା । ଅନ୍ୟ ଗୋଟିଏ କବିତା ‘ଏ ଭବେ ପାଇବ କାହିଁ’ ମଧୁସୂଦନଙ୍କ ଜୀବଦ୍ଦଶାରେ ପ୍ରକାଶ ପାଇ ନଥିଲା । ପତ୍ର-ପତ୍ରିକାରେ ପ୍ରକାଶିତ ଏହି ଛଅଟି କବିତାକୁ ନେଇ ‘ଜାତୀୟ ଗୀତ’ କବିତା ପୁସ୍ତିକା ୧୯୧୫ ମସିହାରେ ‘ମୁକୁର’ ପ୍ରେସ୍ରୁ ପ୍ରକାଶ ପାଇଥିଲା । ଏହି ପୁସ୍ତିକାର ପ୍ରକାଶ ଅବସରରେ ମଧୁସୂଦନ କହିଥିଲେ-‘‘ମୁଁ ମୋର ଭାବ ଜାତିକୁ ଦେଇଛି । ତାହା ଗୋଡ଼ରେ ମାଡ଼ିପାର ବା କଣ୍ଠରେ ଧାରଣ କରିପାର । ତାହା ଜାତିର । ମୋର କୌଣସି ଅଧିକାର ନାହିଁ ।“ ଜୀବଦ୍ଦଶାରେ ପ୍ରକାଶିତ ଛଅଟି ଓ ମୃତ୍ୟୁପରେ ପ୍ରକାଶିତ ଗୋଟିଏ - ଏହିପରି ସର୍ବମୋଟ ସାତୋଟି କବିତା ହେଉଛି ମଧୂସୂଦନଙ୍କ କବିତାଜଗତ । ପ୍ରଥମ ଥର ପାଇଁ ଉତ୍ତୀର୍ଣ୍ଣ ବୟସରେ କବିତା ଲେଖିଥିଲେ ବି ଭାବର ଗମ୍ଭୀରତା ଓ ପ୍ରବହମାନତା ମଧୁସୂଦନଙ୍କ କବିତାକୁ କେବଳ ଗୀତିଧର୍ମୀ କରିନାହିଁ, ସଂଗୀତିକତା ଓ ଭାବର ସମ୍ମିଶ୍ରଣରେ ପ୍ରତ୍ୟେକ କବିତା ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ । ଦେଶପ୍ରେମ ସହିତ ବ୍ୟକ୍ତିଗତ ପ୍ରେମର ଗଭୀରତା ଏଗୁଡ଼ିକୁ ଏବେ ମଧ୍ୟ ସ୍ମରଣୀୟ କରି ରଖିପାରିଛି । ପୁଣି ମଧୁସୂଦନଙ୍କର ଓଡ଼ିଶୀ ସଙ୍ଗୀତ ଓ ରାଗ-ରାଗିଣୀ ସଂପର୍କରେ ସ୍ପଷ୍ଟ ଧାରଣା କେବଳ ନଥିଲା, ବ୍ୟବହାର କରିବାର ଦକ୍ଷତା ମଧ୍ୟ ରହିଥିଲା । ଉପମା ବ୍ୟବହାର ତାଙ୍କ କବିତାକୁ ଚିତ୍ରର ଅନୁଭବ ମଧ୍ୟ ଆଣି ଦେଇଥାଏ । ମଧୁସୂଦନ ବ୍ୟବହାର କରିଥିବା ଉପମାଗୁଡ଼ିକ ଗ୍ରାମୀଣ ଜୀବନର ଅନୁଭବରୁ ଉତ୍ସାରିତ ଓ ଓଡ଼ିଆ କବିତାରେ ପ୍ରାୟତଃ ପ୍ରଥମ ଥର ବ୍ୟବହୃତ ।
ମଧୁସୂଦନ କବି ବା ସାହିତ୍ୟିକ ହେବାକୁ ଇଚ୍ଛା କେବେ କରିନାହାନ୍ତି । କର୍ମବ୍ୟସ୍ତତା ମଧ୍ୟରେ ସେ ସୁଯୋଗ ମଧ୍ୟ ତାଙ୍କର ନଥିଲା । ତାଙ୍କରି ପ୍ରଚେଷ୍ଟାରେ ‘ରିଜ୍ଲେ ସର୍କୁଲାର’ ଅନୁଯାୟୀ ୧୯୦୫ ମସିହାରେ ଦକ୍ଷିଣ ଓଡ଼ିଶାକୁ ଛାଡ଼ି ଅନ୍ୟ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏକ ଶାସନାଧୀନ ହୋଇଥିଲା । ଦଳିତ ସଶକ୍ତିକରଣ କହିଲେ ସେ ବୁଝୁଥିଲେ ଦଳିତମାନଙ୍କୁ ସମର୍ଥ କରିବା ଓ ସେମାନଙ୍କ ସହିତ ନିଜକୁ ସବୁ ସ୍ତରରେ ଆପଣାର କରିବା । ଉତ୍କଳ ଟ୍ୟାନେରୀ ଏହିଭଳି ମହାନ ଚିନ୍ତାଧାରାରୁ ସୃଷ୍ଟି ହୋଇଥିଲା । ଠିକ ସେହିପରି ନାରୀ ସଶକ୍ତିକରଣ କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ମଧୁସୂଦନଙ୍କ ଭୂମିକା ଥିଲା ଅନନ୍ୟ । ଏହି ସବୁ କୃତିତ୍ୱ ନିକଟରେ କବି ମଧୁସୂଦନଙ୍କର ପରିଚିତି ଅକିଂଚିତ୍କର |
ଶେଷ ଜୀବନରେ ମଧୁସୂଦନ ଦେବାଳିଆ ହୋଇଯାଇଥିଲେ ସତ୍ୟ, ମାତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଆଦେଶନାମା ପାଇଁ ସତେଯେପରି ସେ ଦୀର୍ଘଜୀବନ ବଞ୍ଚିଥିଲେ । ବ୍ରିଟିଶ ସରକାର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ନିଷ୍ପତ୍ତି ନେବା ପରେ ସେ ଆତ୍ମସନ୍ତୁଷ୍ଟି ଲାଭ କରିଥିଲେ । ଫେବୃଆରୀ ମାସ ୪ ତାରିଖ ୧୯୩୪ ମସିହା ଥିଲା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଏକ ଦୁଃଖଦ ଦିନ । ଏହି ଦିନ ଓଡ଼ିଆ ଜାତୀୟତାର ଓ ସ୍ୱାଭିମାନର ପ୍ରତୀକ ଉତ୍କଳଗୌରବ ମଧୁସୂଦନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବାସ୍ତବରେ ସେ ଥିଲେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ହୃଦୟରେ ଅଧିଷ୍ଠିତ ମୁକୁଟବିହୀନ ସମ୍ରାଟ ।