N Aa
Add to Library  

ସ୍ଥୁଳ ଚେତନା ଉର୍ଦ୍ଧ୍ୱରେ ରହିଛି ଏକ ସୂକ୍ଷ୍ମ ଚେତନା; ଯାହା ପାରମ୍ପରିକ ଜୀବନଧାରାର ପ୍ରଥାବଦ୍ଧତାକୁ ଅସ୍ୱୀକାର କରେ । ଯେଉଁମାନେ ସେହି ଧାରା ବ୍ୟତିକ୍ରମ, ସେମାନେ ବେଳେ ବେଳେ ମନେହୁଅନ୍ତି ପାଗଳ । ପାଗଳ ଗାରଦ ବାହାରେ ଭିନ୍ନ ଏକ ପୃଥିବୀ ଅପେକ୍ଷାରତ । ତାକୁ ଚିହ୍ନିବାର ଓ ଅବରୋଧ କରିବାର ଦୃଷ୍ଟିଶକ୍ତି ସମସ୍ତଙ୍କ ନିକଟରେ ପ୍ରତୁଳ ନୁହେଁ । ଯେଉଁମାନେ ସ୍ଥୁଳ ଓ ପାରମ୍ପରିକ ଦୃଷ୍ଟିରୁ ସେହି ଚେତନାକୁ ବୁଝିବାକୁ ଚେଷ୍ଟା କରନ୍ତି, ଜଗତ ଦୃଷ୍ଟିରେ ସେମାନେ ପରିଗଣିତ ହୋଇଥାନ୍ତି ପାଗଳ ରୂପେ । ଚେତନାଗତ ପୃଥିବୀ ବାହାରେ ଭିନ୍ନ ସେହି ପୃଥିବୀ ସ୍ଥୁଳ ବୁଦ୍ଧିସମ୍ପନ୍ନ ମଣିଷ ନିକଟରେ ଅପହଞ୍ଚ ଓ ପ୍ରହେଳିକାପୂର୍ଣ୍ଣ । ଦୃଷ୍ଟ ବାହାରେ ଅଦୃଷ୍ଟକୁ ଖୋଜିବାର ଆନ୍ତରିକ ପ୍ରଚେଷ୍ଟା ସ୍ଥୁଳ ଜଗତରେ ଅପଚେଷ୍ଟା ମାତ୍ର । ଗତାନୁଗତିକ ରୁଟିନବନ୍ଧା ଜୀବନ ଭିତରେ ଚେତନାନିବିଦ୍ଧ ମଣିଷ ଅବିରତ ଶ୍ୱାସରୁଦ୍ଧ । ଉଚ୍ଚ ସରକାରୀ ପଦବୀରେ ଅଧିଷ୍ଠିତ ସନାତନଙ୍କର ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଅବସର ଗ୍ରହଣ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ କେବଳ ଅଗ୍ରହଣୀୟ ନୁହେଁ, ପ୍ରହେଳିକାପୂର୍ଣ୍ଣ ମଧ୍ୟ । ସେଦିନ ଅଫିସ ଝରକା ବାହାରେ କ୍ଷୁଧିତ ଆକାଶ ଓ ଅଶାନ୍ତ ଲାଲ୍ କୃଷ୍ଣଚୂଡ଼ା ସନାତନଙ୍କୁ ଚେତେଇ ଦେଇଥିଲା ତାଙ୍କ ବୁଭୁକ୍ଷୁ ଜୀବନ ସମ୍ବନ୍ଧରେ । ସଚେତନ ହୋଇଥିଲେ ସନାତନ । ନିଗୃହୀତ ଅବଚେତନର ଶାନ୍ତିଲାଗି କୃଷ୍ଣଚୂଡ଼ାର ଜୀବନସ୍ୱପ୍ନକୁ କେବଳ ସନାତନ ପରି ପାଗଳମାନେ ହିଁ ଅବରୋଧ କରିପାରନ୍ତି । ନାତି ସହିତ ବୈଠକଖାନାରେ ତାଙ୍କର ପ୍ରାକୃତିକ ଆଚରଣ କାହିଁକି ଅନ୍ୟମାନଙ୍କୁ ଅପ୍ରାକୃତିକ ମନେ ହୋଇଥିଲା ? ଡାକ୍ତର, ପୋଲିସ ଏବଂ ସାଧାରଣ ମଣିଷ ମାନେ ଏପରି ସଚେତନ ଓ ସୂକ୍ଷ୍ମ-ଚେତନଧର୍ମୀ ମଣିଷକୁ କାହିଁକି ଦେଲେ ପାଗଳର ଆଖ୍ୟା ? ନିଭୃତ ପାଗଳ ଗାରଦ ଭିତରେ କେମିତି ସନାତନ ହଠାତ୍ ଚିତ୍ରଶିଳ୍ପୀଟିଏରେ ରୂପାନ୍ତରିତ ହୋଇଗଲେ ?  ସନାତନଙ୍କ ଚିତ୍ରକଳା ମଣିଷ, ପ୍ରକୃତି ଓ ଜୀବନର କେଉଁ ଚିତ୍ର ଅଙ୍କନ କରୁଥିଲା ? ଏପରି ବହୁ “କାହିଁକି’ ର ସମାଧାନ ପାଇଁ ଆସନ୍ତୁ ଶୁଣିବା ସୁରେନ୍ଦ୍ର ମହାନ୍ତିଙ୍କ ଏକ କାଳଜୟୀ ଗଳ୍ପ ‘ପାଗଳା ଗାରଦର କାହାଣୀ’ ।

Comments