କବି ଗଙ୍ଗାଧରଙ୍କ ଜନ୍ମ ୧୮୬୨ ମସିହା ଶ୍ରାବଣ ପୂର୍ଣ୍ଣିମାରେ, ଅବିଭକ୍ତ ସମ୍ବଲପୁର ଜିଲ୍ଲାର (ବର୍ତ୍ତମାନ ବରଗଡ଼ ଜିଲ୍ଲା) ବରପାଲି ଗ୍ରାମରେ । ତାଙ୍କ ପିତାଙ୍କ ନାମ ଥିଲା ଚୈତନ୍ୟ ଓ ମାତାଙ୍କ ନାମ ସେବତୀ । ୧୮୬୨ ମସିହା ବେଳକୁ ସମ୍ବଲପୁର ଅଞ୍ଚଳ ମାତ୍ର ୧୩ବର୍ଷ ପୂର୍ବରୁ ଇଂରେଜ ଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନକୁ ଆସିଥିଲା । ଊନବିଂଶ ଶତକର ଅଷ୍ଟମ ଦଶକ ପର୍ଯ୍ୟନ୍ତ ସମଗ୍ର ପଶ୍ଚିମ ଓଡ଼ିଶାରେ ଆଧୁନିକ ଶିକ୍ଷାର ବିକାଶ ସମ୍ଭବପର ହୋଇ ନ ଥିଲା । ରାଜନୀତିକ ବ୍ୟବସ୍ଥାଦୃଷ୍ଟିରୁ ସମ୍ବଲପୁରର ସ୍ଥିତି ଥିଲା ଅସ୍ଥିର । କିଛିକାଳ ପାଇଁ ଏହା କଲିକତା ପ୍ରେସିଡେନ୍ସୀଭୁକ୍ତ ଛୋଟନାଗପୁର ଡିଭିଜନ ଅନ୍ତର୍ଭୁକ୍ତ ଥିବାବେଳେ ପରବର୍ତ୍ତୀ ସମୟରେ ବମ୍ବେ ପ୍ରେସିଡେନ୍ସୀ ଅନ୍ତର୍ଗତ କେନ୍ଦ୍ର ପ୍ରଦେଶର ଅଂଶବିଶେଷ ଥିଲା । ଫଳରେ ଗଙ୍ଗାଧରଙ୍କ ଶିକ୍ଷା ବିଳମ୍ବରେ ଆରମ୍ଭ ହୋଇଥିଲା ଓ ସେ ପଞ୍ଚମ ଶ୍ରେଣୀରୁ ଅଧିକ ଆଗକୁ ଯାଇପାରି ନ ଥିଲେ ।
ଗଙ୍ଗାଧର ଏକ ଭୁଲିଆ ଜାତିରେ ଜନ୍ମ ଗ୍ରହଣ କରିଥିଲେ । ଭୁଲିଆମାନଙ୍କର କାର୍ଯ୍ୟ ଥିଲା ଉନ୍ନତମାନର ବସବୟନ, ବ୍ୟବସାୟ, ବୈଦ୍ୟଗିରି ଓ ମହାଜନୀ । ସେହି ଦୃଷ୍ଟିରୁ ଦେଖିଲେ ଭୁଲିଆମାନେ ଥିଲେ ସ୍ୱଚ୍ଛଳ ଜାତି । ଗଙ୍ଗାଧରଙ୍କ ପିତା ଚୈତନ୍ୟ ନିଜର କୌଳିକ ବୃତ୍ତି ପ୍ରତି ବିଶେଷ ଧ୍ୟାନଶୀଳ ନ ଥିଲେ । ଏକ ଚାଟଶାଳୀ ଖୋଲି କିଛି ପିଲାଙ୍କୁ ପଢ଼ାଇବାକୁ ଆପଣାର ପେଷା ଭାବରେ ସେ ଗ୍ରହଣ କରିଥିଲେ । କୌଳିକ ବୃତ୍ତି ପ୍ରତି ଅନାଗ୍ରହ ଚୈତନ୍ୟଙ୍କୁ ଆପେକ୍ଷିକ ଭାବେ ଦରିଦ୍ର କରିଥିଲା ଓ ତାଙ୍କ ପରିବାର ଲୋକେ ତାଙ୍କୁ ଅଲଗା କରି ଦେଇଥିଲେ । ଗଙ୍ଗାଧର ନିଜ ପିତାଙ୍କ ଠାରୁ ଶିକ୍ଷାଲାଭ ନିମିତ୍ତ ଉତ୍ସାହ ପାଇଥିଲେ । ଅପରପକ୍ଷରେ କିଶୋର ଅବସ୍ଥାରୁ ପାରିବାରିକ ଜଞ୍ଜାଳ ମୁଣ୍ଡାଇବାକୁ ପରାଂମୁଖ ନ ଥିଲେ । ଦଶବର୍ଷ ବୟସରେ ସେ ଶାନ୍ତାଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ପ୍ରଥମ ପତ୍ନୀ ଶାନ୍ତାଦେବୀ ଗଙ୍ଗାଧରଙ୍କ ସମସ୍ତ କାର୍ଯ୍ୟର ଥିଲେ ନୀରବ ଅଥଚ ସଶକ୍ତ ସମର୍ଥକ । ତେଣୁ ଗଙ୍ଗାଧର କୌଳିକ ବୃତ୍ତି ସହିତ ନିଜ ଚେଷ୍ଟାରେ ଓଡ଼ିଆ, ସଂସ୍କୃତ, ବଙ୍ଗଳା, ହିନ୍ଦୀ ଆଦି ଭାଷାରେ ବ୍ୟୁତ୍ପତ୍ତି ଲାଭ କରିଥିଲେ । ବରପାଲିର ଅଦୂରରେ ଥିବା ବାରଙ୍ଗପାଲି ଥିଲା କବି କୃଷ୍ଣ କରଙ୍କର ସାଧନାପୀଠ । ପ୍ରଥମାବସ୍ଥାରେ କୃଷ୍ଣ କରଙ୍କର କାବ୍ୟସାଧନା ଗଙ୍ଗାଧରଙ୍କୁ କାବ୍ୟରଚନା କରିବାକୁ ଉଦ୍ବୁଦ୍ଧ କରିଥାଇପାରେ । ସେଥିପାଇଁ ନିଜ ଚେଷ୍ଟାରେ ସେ ଦୀନକୃଷ୍ଣ, ଉପେନ୍ଦ୍ର ଭଞ୍ଜ ଆଦିଙ୍କ କାବ୍ୟ ଅଧ୍ୟୟନ କରିଥିଲେ । ସେହି ଅଧ୍ୟୟନ ଓ ଅନୁସରଣର ଫଳଶ୍ରୁତି ହେଉଛି ‘ରସରତ୍ନାକର’ କାବ୍ୟ । କାବ୍ୟଗଢ଼ଣ ଦୃଷ୍ଟିରୁ ଏହା ‘ସୁଭଦ୍ରା ପରିଣୟ’କୁ ଅନୁସରଣ କରିଛି । ବିଷୟବସ୍ତୁ ଚୟନ, ତାର ବର୍ଗୀକରଣ ତଥା ତାର ନାଟକୀୟ ଉପସ୍ଥାପନ ‘ରସ ରତ୍ନାକର’ କାବ୍ୟକୁ ଗଙ୍ଗାଧରଙ୍କ ଏହି ପ୍ରାଥମିକ ଉଦ୍ୟମକୁ ମଧ୍ୟଯୁଗର ସାଧାରଣ କାବ୍ୟଠାରୁ ସ୍ୱାତନ୍ତ୍ର୍ୟ ପ୍ରଦାନ କରିଛି । ସେହି କାବ୍ୟର ମୌଳିକତା ନେଇ ତାଙ୍କର ସନ୍ଦେହ ରହିଥିବାରୁ ତାଙ୍କ ଜୀବଦ୍ଦଶାରେ ତାହା ପ୍ରକାଶ ପାଇ ନ ଥିଲା । ‘ରସରତ୍ନାକର’ କାବ୍ୟ ଭିନ୍ନ ଭିନ୍ନ ରାଗରେ ଆଠୋଟି ଛାନ୍ଦରେ ବିଭକ୍ତ । ଉଷା ଓ ଅନିରୁଦ୍ଧଙ୍କ ପ୍ରେମକାହାଣୀ ନେଇ ଏହା ପରିକଳ୍ପିତ । ମଧ୍ୟଯୁଗୀୟ କାବ୍ୟରୀତି ଅନୁସାରେ ମଙ୍ଗଳାଚରଣ, ନାୟିକାର ଜନ୍ମ ପ୍ରସଙ୍ଗ, ରୂପବର୍ଣ୍ଣନା ଆଦି ଏଥିରେ ପ୍ରଦତ୍ତ । ଗଙ୍ଗାଧରଙ୍କ କବିମନ ଥିଲା ନୂତନତ୍ୱର ଅଭିସାରୀ । ଯେଉଁଠି ସେ ଅନୁଭବ କରୁଥିଲେ ପରମ୍ପରା ଗ୍ରହଣୀୟ ନୁହେଁ, ସେଠାରେ ସେ ନୂତନ ପଥର ସନ୍ଧାନ କରୁଥିଲେ । ବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ ସେ ପଣ୍ଡିତ ଲକ୍ଷ୍ମଣ ମିଶ୍ରଙ୍କ ସମ୍ପର୍କରେ ଆସିଥିଲେ । ତାଙ୍କ ତତ୍ତ୍ୱାବଧାନରେ ସେ ସଂସ୍କୃତ ବ୍ୟାକରଣ ଓ କାବ୍ୟ ଅଧ୍ୟୟନ କରିଥିଲେ । ସଂସ୍କୃତ କାବ୍ୟ ପଠନ ସହିତ ସଂସ୍କୃତ ଛନ୍ଦ ସଂପର୍କରେ ସେ ବ୍ୟୁତ୍ପତ୍ତି ଲାଭ କରିଥିଲେ । ସଂସ୍କୃତ ଛନ୍ଦକୁ ଓଡ଼ିଆ କବିତାରେ ପ୍ରୟୋଗକରି ସେ ଲେଖିଥିଲେ ‘ଅହଲ୍ୟାସ୍ତବ’ କ୍ଷୁଦ୍ରକାବ୍ୟ । ୧୮୯୨ ମସିହାରେ ପ୍ରକାଶିତ ସଂସ୍କୃତ ଶାର୍ଦ୍ଦୁଳବିକ୍ରୀଡ଼ିତ ଛନ୍ଦରେ ରଚିତ ‘ଅହଲ୍ୟାସ୍ତବ’ ଗଙ୍ଗାଧରଙ୍କ ପ୍ରଥମ ପ୍ରକାଶିତ ରଚନା । ସେହି ୧୮୯୨ ମସିହା ବେଳକୁ ସେ କୌଳିକ ବୃତ୍ତି ସହିତ ଓଡ଼ିଆ ସାହିତ୍ୟଚର୍ଚ୍ଚାରେ ଗଭୀର ମନୋନିବେଶ କରିଛନ୍ତି ଓ ଆଧୁନିକ କବିତାର ସମକାଳୀନ ଶ୍ରେଷ୍ଠ ସ୍ରଷ୍ଟା ରାଧାନାଥଙ୍କ କାବ୍ୟ ସବୁ କ୍ରୟକରି ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ନିଜର ପ୍ରଥମ ପ୍ରକାଶିତ ରଚନା ତାଙ୍କ ନିକଟକୁ ପ୍ରେରଣ କରିଛନ୍ତି । ‘ସମ୍ବଲପୁର ହିତୈଷିଣୀ’ରେ ତାର ସମୀକ୍ଷା ନିମିତ୍ତ ସମ୍ପାଦକ ନୀଳମଣି ବିଦ୍ୟାରତ୍ନଙ୍କୁ ଅନୁରୋଧ କରିଛନ୍ତି । ସୁଦୂର ବରପାଲିରେ ଥାଇ ଆଧୁନିକ କବିତା ସମ୍ପର୍କରେ ଜ୍ଞାନଲାଭ କରିବାର ଚେଷ୍ଟା ଓ ନିଜର କାବ୍ୟପ୍ରୟାସ ସମ୍ପର୍କରେ ବିଶିଷ୍ଟ ବ୍ୟକ୍ତିମାନଙ୍କର ମତାମତ ସଂଗ୍ରହର ପ୍ରୟାସ ହେତୁ ଗଙ୍ଗାଧରଙ୍କ କବି ଜୀବନରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ସେ ରାଧାନାଥଙ୍କ ନିବିଡ଼ ସମ୍ପର୍କରେ ଆସିଛନ୍ତି ଓ ‘ସମ୍ବଲପୁର ହିତୈଷିଣୀର’ ସମ୍ପାଦକ ନୀଳମଣି ବିଦ୍ୟାରତ୍ନଙ୍କ ଆଗ୍ରହ ଏବଂ ପ୍ରୋତ୍ସାହନ ତାଙ୍କୁ ଆଗକୁ ବଢ଼ାଇଛି । ୧୮୯୩ ମସିହାପରେ ଗଙ୍ଗାଧରଙ୍କ କବିଜୀବନର ରୂପାନ୍ତର ଘଟିଛି । ତାହାର ପ୍ରକୃଷ୍ଟ ପ୍ରମାଣ ହେଉଛି ‘ଇନ୍ଦୁମତୀ’ କାବ୍ୟ । ‘ଇନ୍ଦୁମତୀ’ କାବ୍ୟ କାଳିଦାସଙ୍କ ‘ରଘୁବଂଶ’ କୁ ଅନୁସରଣ କରିଛି । ସଂସ୍କୃତ ଭାଷାରେ ପ୍ରବେଶ ନ ଥିଲେ, କାଳିଦାସଙ୍କ କାବ୍ୟକୌଶଳ ଓ ତାଙ୍କ କାବ୍ୟର ବ୍ୟଞ୍ଜନା ସଂପର୍କରେ ସ୍ପଷ୍ଟ ଅବବୋଧ ନ ଥିଲେ କାଳିଦାସଙ୍କୁ ଅନୁସରଣ କରିବା ସମ୍ଭବ ନୁହେଁ । ଗଙ୍ଗାଧରଙ୍କ ପୂର୍ବରୁ ରାଧାନାଥ, ବଳରାମ ଦାସ ଆଦି ବହୁ ଖ୍ୟାତ-ଅଖ୍ୟାତ କବି କାଳିଦାସଙ୍କ କାବ୍ୟର ଓଡ଼ିଆ ଅନୁବାଦ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ରାଧାନାଥଙ୍କ ବ୍ୟତୀତ ଅନ୍ୟ କୌଣସି ଅନୁବାଦ ଗ୍ରହଣଯୋଗ୍ୟ ହୋଇପାରିନାହିଁ । ତା’ର କାରଣ ହେଲା କାଳିଦାସଙ୍କ କାବ୍ୟଭାଷାର ଚିତ୍ରମୟତା ଓ ବ୍ୟଞ୍ଜନାଧର୍ମିତା ଓଡ଼ିଆ ଭାଷାରେ ପରିସ୍ଫୁଟ କରିବା ଅନେକାଂଶରେ ଅସମ୍ଭବ । ଗଙ୍ଗାଧର ଏହା ସମ୍ପର୍କରେ ସଚେତନ ଥିଲେ । ତେଣୁ ଯେଉଁଠି ଆବଶ୍ୟକ, କାଳିଦାସଙ୍କୁ ଅନୁସରଣ କରିଛନ୍ତି; ଅନ୍ୟତ୍ର କାଳିଦାସଙ୍କୁ ପରିତ୍ୟାଗ କରି ନିଜସ୍ୱ ଢଙ୍ଗରେ ଅଜ-ଇନ୍ଦୁମତୀ କାହାଣୀ ବିବୃତ କରିଛନ୍ତି । କାବ୍ୟଟିକୁ ଗଙ୍ଗାଧର ମିଳନାନ୍ତକ ପରିବର୍ତ୍ତେ ବିୟୋଗାନ୍ତକ କରିଛନ୍ତି । ‘ଇନ୍ଦୁମତୀ’ର ସଫଳତା ଗଙ୍ଗାଧରଙ୍କୁ ନୂଆନୂଆ ଲେଖା ଲେଖିବାକୁ ଅନୁପ୍ରେରିତ କରିଛି । ସମକାଳୀନ ସମସ୍ୟା, ବିଚାର ଓ ଜ୍ଞାନକୁ ନେଇ ସେ ‘ଭାରତୀ ରୋଦନ’ଠାରୁ ‘ମହିମା’ ପର୍ଯ୍ୟନ୍ତ ଛୋଟବଡ଼ ଅନେକ କବିତା ଲେଖିଛନ୍ତି । ସମକାଳରେ ଗଙ୍ଗାଧର ରଚନା କରିଛନ୍ତି କେତୋଟି ମୌଳିକ ପ୍ରବନ୍ଧ । ବ୍ୟାକରଣ, ବିଜ୍ଞାନ ଓ ଶିକ୍ଷା ସମ୍ପର୍କିତ ତାଙ୍କର ପ୍ରବନ୍ଧଗୁଡ଼ିକ କ୍ଷୁଦ୍ର ଅଥଚ ନୂତନ । ନିଜର ସମକାଳର ସମସ୍ୟା ନେଇ ଗଙ୍ଗାଧର କେତେ ସଚେତନ ଥିଲେ, ତାଙ୍କର କ୍ଷୁଦ୍ର କବିତା ଓ ପ୍ରବନ୍ଧଗୁଡ଼ିକ ତାହାର ଦୃଷ୍ଟାନ୍ତ ।
୧୮୯୭ ମସିହା ପରେ ଗଙ୍ଗାଧରଙ୍କ ପାରିବାରିକ ଓ ବୃତ୍ତିଗତ ଜୀବନରେ ବଡ଼ ପରିବର୍ତ୍ତନ ସଙ୍ଗଠିତ ହୋଇଛି । ଏକ ଭୟଙ୍କର ପରିସ୍ଥିତିରେ ନିଜର ପ୍ରଥମ ପ୍ରିୟତମା ପତ୍ନୀଙ୍କୁ ହରାଇଛନ୍ତି । କୌଳିକ ବୃତ୍ତି ଓ ବ୍ୟବସାୟକୁ ଆଗକୁ ନେବାର ଚେଷ୍ଟା ଫଳବତୀ ନ ହେବା ଫଳରେ ଜମିଦାରଙ୍କ ସିରସ୍ତାରେ ଚାକିରି କରିଛନ୍ତି ଓ ପରେ ମସୀଜୀବୀ ଭାବେ ସରକାରୀ କର୍ମ ଜୀବନ ଆରମ୍ଭ କରିଛନ୍ତି । ପାରିବାରିକ ଆବଶ୍ୟକତା ହେତୁ ଦ୍ୱିତୀୟ ବିବାହ କଲେହେଁ ଜଣେ ବିଧବାକୁ ବିବାହ କରିଛନ୍ତି । ପାରିବାରିକ-ବୃତ୍ତିଗତ ଜୀବନର ଏହି ଅସ୍ଥିରତା ମଧ୍ୟରେ ସେ ରଚନା କରିଛନ୍ତି ‘କୀଚକବଧ’ କାବ୍ୟ । ଆକାରରେ ‘କୀଚକବଧ’ କେବଳ ବୃହତ ନ ଥିଲା, ନାଟକୀୟ ରୀତିରେ ଉପସ୍ଥାପନ ଥିଲା ଏହାର ବୈଶିଷ୍ଟ୍ୟ । ‘କୀଚକବଧ’ କାବ୍ୟରେ କୀଚକର ଲମ୍ପଟତା ଅପେକ୍ଷା ଦ୍ରୌପଦୀଙ୍କ ନିଷ୍ଠା, ବୁଦ୍ଧିମତା ଓ ସାହାସ ଉଜ୍ଜ୍ୱଳତର ଭାବେ ବର୍ଣ୍ଣିତ । ‘କୀଚକବଧ’ କାବ୍ୟରେ ମଣିଷ ଓ ପ୍ରକୃତିର ସାଦୃଶ୍ୟ ଅପେକ୍ଷା ସେମାନଙ୍କ ମଧ୍ୟରେ ଥିବା ଘନିଷ୍ଠ ଆତ୍ମିକ ସମ୍ପର୍କ ଅଧିକ ପ୍ରୋଜ୍ୱଳ । ପ୍ରକୃତି ‘କୀଚକବଧ’ କାବ୍ୟରେ କେତେବେଳେ ପୃଷ୍ଠଭୂମି ତ ଅନ୍ୟ କେତେବେଳେ ସ୍ୱୟଂ ଏକ ଚରିତ୍ର । ପ୍ରକୃତି ଅନୁଭବ ଓ ବିଚାର ଏଥିରେ ବହୁ ଆୟାମ ବିଶିଷ୍ଟ । ପ୍ରକୃତିର ଚିତ୍ରଣ ନେଇ ‘କୀଚକବଧ’ କାବ୍ୟରେ ଗଙ୍ଗାଧର ଯେଉଁ ପରୀକ୍ଷା ଆରମ୍ଭ କରିଥିଲେ, ‘ତପସ୍ୱିନୀ’ ଓ ‘ପ୍ରଣୟ ବଲ୍ଲରୀ’ କାବ୍ୟରେ ତାହା ପରିପୂର୍ଣ୍ଣତା ଲାଭ କରିଛି ।
‘କୀଚକ ବଧ’ ରଚନା ପରେ ଗଙ୍ଗାଧର କିଛି ସମୟ ପାଇଁ ତାଙ୍କ ଲେଖନୀକୁ ଆପେକ୍ଷିକ ବିଶ୍ରାମ ଦେଇଛନ୍ତି । ‘କୀଚକବଧ’ ପରେ ସେ ‘ଚୁଗୁଲିଆ’ ପରି ରମ୍ୟରଚନା ଓ ‘ଶ୍ରୀ ନୃପରାଜ ସିଂହ’ ଭଳି ଜୀବନୀପୁସ୍ତକ ଲେଖିଥିଲେ ବି କୌଣସି ଦୀର୍ଘ କବିତା ବା କାବ୍ୟ ରଚନାରେ ମନୋନିବେଶ କରିନାହାନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଆରେ ଓଡ଼ିଶାର କୌଣସି ବ୍ୟକ୍ତିଙ୍କୁ ନେଇ ଜୀବନୀ ପୁସ୍ତକ ଗଦ୍ୟରେ ୧୯୦୫ ପର୍ଯ୍ୟନ୍ତ ପ୍ରକାଶିତ ହୋଇ ନ ଥିଲା । ପାଠ୍ୟ ପୁସ୍ତକର ଅଂଶ ବିଶେଷ ଭାବରେ ଓ ପତ୍ର ପତ୍ରିକା ପୃଷ୍ଠାରେ କେତେକ ଜୀବନୀ ପ୍ରବନ୍ଧ ପ୍ରକାଶ ପାଇଥିଲେ ମଧ୍ୟ ସ୍ୱତନ୍ତ୍ର ପୁସ୍ତକାକାରରେ ଜୀବନୀ ରଚନାର ଚେଷ୍ଟା ହୋଇପାରି ନ ଥିଲା । ଓଡ଼ିଆ ଜୀବନୀ ରଚନା କ୍ଷେତ୍ରରେ ଗଙ୍ଗାଧରଙ୍କ ‘ଶ୍ରୀ ନୃପରାଜ ସିଂହ’ ଏକ ମାଇଲ୍ ଖୁଣ୍ଟ । ଗଙ୍ଗାଧରଙ୍କ କାବ୍ୟକୀର୍ତ୍ତିର ଆଲୋକରେ ଓଡ଼ିଆ ସାହିତ୍ୟର ଆଲୋଚକ ଏବଂ ଗବେଷକମାନେ ଆବିଷ୍ଟ ହୋଇ ‘ନୃପରାଜ ସିଂହ’ ପୁସ୍ତକର ଗୁରୁତ୍ୱ ଓ ମହତ୍ତ୍ୱକୁ ବିସ୍ମୃତ ହୋଇଯାଇଛନ୍ତି ।
୧୯୦୯-୧୦ ମସିହା ପରେ ଗଙ୍ଗାଧର କାବ୍ୟରଚନା କ୍ଷେତ୍ରରେ ପୁନଃପ୍ରବେଶ କରିଛନ୍ତି । ରାମାୟଣର କଥାବସ୍ତୁକୁ ନେଇ ସେ ଲେଖିଛନ୍ତି ‘ଅଯୋଧ୍ୟାଦୃଶ୍ୟ’ । ପ୍ରଥମେ ‘ତିନି ଦୃଶ୍ୟ’ ଶୀର୍ଷକରେ ପ୍ରକାଶିତ ହୋଇଥିବା ଏହି ଖଣ୍ଡକାବ୍ୟ କାହାଣୀର ସମୟସୀମା ସୀମିତ । ରାମଚନ୍ଦ୍ର ପିତୃସତ୍ୟ ପାଳନପୂର୍ବକ ବନଗମନ କରିବାକୁ ଯାଉଛନ୍ତି । ଏହି ବନଗମନ ପୂର୍ବରୁ ଖୁବ୍ କମ୍ ସମୟସୀମା ମଧ୍ୟରେ ସଙ୍ଗଠିତ ଅନେକ ଘଟଣାକୁ ଗଙ୍ଗାଧର ତିନି ଦୃଶ୍ୟରେ କୌଶଳ କ୍ରମେ ସନ୍ନିବିଷ୍ଟ କରିଛନ୍ତି । ଘଟଣା, ଘଟଣାର ପଟ୍ଟଭୂମି, ଘଟଣା ସହ ସମ୍ପୃକ୍ତ ଚରିତ୍ର ଓ ସେମାନଙ୍କର ମନୋଭାବ ଗଙ୍ଗାଧର ଏପରି ସଙ୍ଗଠିତ ଭାବରେ ଉପସ୍ଥାପନ କରିଛନ୍ତି ଯେ, ‘ଅଯୋଧ୍ୟାଦୃଶ୍ୟ’ ପାଠ କଲେ ମନେହୁଏ ଯେମିତି ଏକ କ୍ଷୁଦ୍ର ନାଟକ ପାଠକର ଦୃଷ୍ଟି ସମ୍ମୁଖରେ ଅଭିନୀତ ହେଉଛି । ପରସ୍ପର ସଂଲଗ୍ନ ହୋଇ ରହିଥିବା ‘ତିନି ଦୃଶ୍ୟ’ ଶ୍ରୀରାମଙ୍କର ଅଯୋଧ୍ୟା ପରିତ୍ୟାଗ କରିବାର ପ୍ରତ୍ୟେକ ମୁହୂର୍ତ୍ତକୁ ପାଠକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କରେ । ‘ଅଯୋଧ୍ୟାଦୃଶ୍ୟ’ ଖଣ୍ଡକାବ୍ୟରେ ଗଙ୍ଗାଧର କାହାଣୀକାବ୍ୟ ରଚନା କରିବାର ଦକ୍ଷତାକୁ ନୂଆଭାବରେ ପରଖିଛନ୍ତି । ସମକାଳରେ ଚନ୍ଦ୍ର ରଜନୀ, ବେଦବ୍ୟାସ, ବସନ୍ତବାସର ବିଷୟକୁ ନେଇ ଛଅଟି ଦୀର୍ଘକବିତା ଲେଖିଛନ୍ତି । ସେହି କବିତାଗୁଡ଼ିକ ତାଙ୍କ ‘କବିତାକଲ୍ଲୋଳ’ ଗ୍ରନ୍ଥରେ ସଙ୍କଳିତ । ଏଠାରେ ସୂଚାଇ ଦେବା ଆବଶ୍ୟକ ଯେ, ‘ଇନ୍ଦୁମତୀ’ କାବ୍ୟ ପରେ କବି ‘ଉତ୍କଳଲକ୍ଷ୍ମୀ’ ରଚନା କରିଛନ୍ତି । ଏହି କାବ୍ୟରେ ଗଙ୍ଗାଧର ପ୍ରାକୃତିକ ଓଡ଼ିଶାର ଯେଉଁ ଦୃଶ୍ୟର ପରିକ୍ରମା ଆରମ୍ଭ କରିଥିଲେ, ତାହାର ଏକ ଅଂଶ ବିଶେଷ ହେଉଛି ‘କବିତା କଲ୍ଲୋଳ’ର କବିତାବଳୀ । ‘ଇନ୍ଦୁମତୀ’ କାବ୍ୟ ଗଙ୍ଗାଧରଙ୍କୁ କବିଭାବରେ ଯେଉଁ ପ୍ରସିଦ୍ଧି ଦେଇଥିଲା, ତାହା ତାଙ୍କୁ ‘ଉତ୍କଳଲକ୍ଷ୍ମୀ’ ପରି ଏକ ବର୍ଣ୍ଣନାତ୍ମକ କାବ୍ୟରଚନା ପାଇଁ ପ୍ରେରିତ କରିଥିଲା । ୧୮୯୧ ମସିହାରେ ରାଧାନାଥଙ୍କ ‘ଚିଲିକା’ କାବ୍ୟ ପ୍ରକାଶ ପାଇବା ପରେ ‘ଚିଲିକା’ର ଅନୁସରଣରେ ଦାମୋଦର ମିଶ୍ର ପ୍ରମୁଖ କବିମାନେ ପ୍ରକୃତି ବର୍ଣ୍ଣନାତ୍ମକ କେତୋଟି ଛୋଟ ଛୋଟ କାବ୍ୟ ରଚନା କରିଥିଲେ । ଓଡ଼ିଶା ପ୍ରକୃତିର ବିଶେଷ ବିଶେଷ ସ୍ଥାନକୁ ନେଇ ଏହି ଖଣ୍ଡକାବ୍ୟଗୁଡ଼ିକ ଲିଖିତ ହୋଇଥିବାରୁ ପ୍ରାକୃତିକ ଓଡ଼ିଶାର ବହୁସ୍ଥାନ ତାର ଉପଯୁକ୍ତ ମର୍ଯ୍ୟାଦା ପାଇପାରୁ ନ ଥିଲା । ଦକ୍ଷିଣ, ପଶ୍ଚିମ ଓ ଉପକୂଳବର୍ତ୍ତୀ ଓଡ଼ିଶାକୁ ନେଇ ଗଠିତ ପ୍ରାକୃତିକ ଉତ୍କଳ ଯେ ଏକ ଅବିଭକ୍ତ ସତ୍ତା, ସେପରି ଏକ କଳ୍ପନା ଆମ କବିମାନେ କରିପାରି ନ ଥିଲେ । ଗଙ୍ଗାଧରଙ୍କ ‘ଉତ୍କଳଲକ୍ଷ୍ମୀ’ ଏହି ଅସମ୍ପୂର୍ଣ୍ଣତାକୁ ସମୁର୍ଣ୍ଣ କରିବା କ୍ଷେତ୍ରରେ ଏକ ସାହସିକ ପଦେକ୍ଷପ । ୧୮୯୪ ମସିହାରେ ଅସମ୍ପୂର୍ଣ୍ଣ ଆକାରରେ ପ୍ରକାଶ ପାଇଥିବା ‘ଉତ୍କଳ-ଲକ୍ଷ୍ମୀ’କୁ ଗଙ୍ଗାଧର ପୂର୍ଣ୍ଣକରିଛନ୍ତି ୧୯୧୪ ମସିହାରେ । କାରଣ ଏହି ସମୟ ବେଳକୁ ଗଙ୍ଗାଧର ଓଡ଼ିଶାର ବହୁସ୍ଥାନ ବୁଲି ସାମଗ୍ରିକ ଓଡ଼ିଶାର ପ୍ରାକୃତିକ ଚିତ୍ରର ଏକ ଧାରଣା କରିପାରିଥିଲେ । ତାଙ୍କ ଦୃଷ୍ଟିରେ ସମଗ୍ର ଓଡ଼ଶାର ଦୃଶ୍ୟରାଜି ହେଉଛି ଏକ ଅବିଭକ୍ତ ସତ୍ତାର ଅଂଶବିଶେଷ । କବି ଓଡ଼ିଶାର ଇତିହାସ, ଭୂଗୋଳ ଓ ପ୍ରାକୃତିକ ଓଡ଼ିଶାର ରୂପକୁ ନେଇ କଳ୍ପନା କରିଛନ୍ତି ‘ଉତ୍କଳଲକ୍ଷ୍ମୀ’ର ଏକ ଜୀବନ୍ତ ପ୍ରତିକୃତି । ଗଙ୍ଗାଧରଙ୍କ ‘କବିତା କଲ୍ଲୋଳ’ କେତେଗୁଡ଼ିଏ କବିତାର ସଙ୍କଳନ । ଏହି ସଙ୍କଳନର କବିତାଗୁଡ଼ିକ ପ୍ରଥମେ ‘ସମ୍ବଲପୁର ହିତୈଷିଣୀ’ ଓ ‘ଉତ୍କଳ ସାହତ୍ୟ’ରେ ପ୍ରକାଶିତ ହୋଇଥିଲା । ପ୍ରଣୟାଙ୍କୁର କବିତାକୁ ଛାଡ଼ି ଅବଶିଷ୍ଟ ପାଞ୍ଚୋଟି କବିତାରେ ପ୍ରକୃତିର ଗୋଟିଏ ଗୋଟିଏ ବିଭାବର ଏକ ପୂର୍ଣ୍ଣାଙ୍ଗ ଚିତ୍ର ପରିସ୍ଫୁଟ । ପ୍ରାକୃତିକ ଓଡ଼ିଶାର ଯେଉଁସ୍ଥାନ କବିମାନଙ୍କ ଦୃଷ୍ଟିକୁ ଆସିନାହିଁ; ସେହିଭଳି ସ୍ଥାନ ସଂପର୍କରେ ଗଙ୍ଗାଧର ‘ବେଦବ୍ୟାସ’ ଓ ‘ସୋମନାଥ ବିଜୟ’ ଶିରୋନାମରେ ଦୁଇଟି ଦୀର୍ଘ କବିତା ରଚନା କରିଛନ୍ତି । ୧୯୧୦ ମସିହା ମେ ଓ ଜୁନ୍ ମାସରେ ବ୍ରଜମୋହନ ପଣ୍ଡାଙ୍କ ସହିତ ବେଦବ୍ୟାସ ଦର୍ଶନ କରିବା ପରେ ତାଙ୍କ ହୃଦୟରେ ଯେଉଁ ଭାବ ସୃଷ୍ଟି ହୋଇଥିଲା, ତାର କଳାତ୍ମକ ରୂପ ହେଉଛି ‘ବେଦବ୍ୟାସ’ ଦୀର୍ଘ କବିତା । ସେହିପରି ସମ୍ବଲପୁର ସହରଠାରୁ ଅନତି ଦୂରରେ ଥିବା ଶୈବ କ୍ଷେତ୍ର ‘ହୁମା’କୁ ନେଇ ଲିଖିତ ‘ସୋମନାଥ ବିଜୟ’ କବିତା । ପ୍ରକୃତିର ରୂପ ଚିତ୍ରଣରେ ଥିବା ତାଙ୍କର ସାମର୍ଥ୍ୟ ଚନ୍ଦ୍ରରଜନୀ, ବସନ୍ତବାସର ଓ ବର୍ଷାଚିତ୍ର ଆଦି କବିତାରେ ପ୍ରକାଶିତ ।
କାଳିଦାସଙ୍କ କାବ୍ୟ-ନାଟକ ପ୍ରତି ଥିବା ବିଶେଷ ଆକର୍ଷଣରୁ ପ୍ରଥମେ ସୃଷ୍ଟିହୋଇଥିଲା ‘ଇନ୍ଦୁମତୀ’ । ୧୯୦୩-୦୪ ମସିହା ବେଳକୁ ଗଙ୍ଗାଧର କାଳିଦାସଙ୍କ ‘ଅଭିଜ୍ଞାନ ଶାକୁନ୍ତଳମ୍’ ନାଟକର ଓଡ଼ିଆ ରୂପାନ୍ତର କରିବାକୁ ଆରମ୍ଭ କରିଛନ୍ତି । ତା’ର ପ୍ରଥମ ସର୍ଗକୁ ନେଇ ଲିଖିତ ‘ପ୍ରଣୟାଙ୍କୁର’ ଶୀର୍ଷକ ଦୀର୍ଘ କବିତା ‘ସମ୍ବଲପୁର ହିତୈଷିଣୀ’ରେ ୧୯୧୦ ମସିହାରେ ପାଞ୍ଚୋଟି ଛେକରେ ପ୍ରକାଶିତ ହୋଇ ‘କବିତାକଲ୍ଲୋଳ’ରେ ୧୯୧୨ ରେ ସଂଗ୍ରଥିତ ହୋଇଥିଲା । ୧୯୧୨ ମସିହା ପରେ କବି ସମଗ୍ର ନାଟକଟିକୁ କାବ୍ୟରୂପ ଦେବାକୁ ସ୍ଥିରକରି ତା’ର ଶୀର୍ଷକ ରଖିଛନ୍ତି ‘ପ୍ରଣୟବଲ୍ଲରୀ’ । ଏହି କାବ୍ୟଟି ଓଡ଼ିଆ ସାହିତ୍ୟରେ ଅନୁସୃଜନର ଏକ ଚମତ୍କାର ଦୃଷ୍ଟାନ୍ତ । ‘ଅଭିଜ୍ଞାନ ଶାକୁନ୍ତଳମ’ ପରି ଏହା ସାତୋଟି ସର୍ଗରେ ବିଭକ୍ତ । ଗଙ୍ଗାଧର ଜାଣିଥିଲେ ଅତୀତରେ ଯେଉଁମାନେ ଏହାର ଅନୁବାଦ କରିଛନ୍ତି, ସେଥିରେ ସେମାନେ ବିଫଳ ହୋଇଛନ୍ତି । ସେଥିପାଇଁ ସେ କାଳିଦାସଙ୍କ ନାଟକକୁ ହାତୀ ଏବଂ ନିଜ କାବ୍ୟକୁ ହଂସ ସହିତ ତୁଳନା କରିଛନ୍ତି । କାଳିଦାସଙ୍କ ଠାରୁ ସ୍ୱତନ୍ତ୍ର ହେବାର ଆକାଂକ୍ଷା ଗଙ୍ଗାଧରଙ୍କୁ ‘ପ୍ରଣୟବଲ୍ଲରୀ’ କାବ୍ୟରେ କିଛି ବ୍ୟତିକ୍ରମ ଆଣିବାକୁ ବାଧ୍ୟ କରିଛି । କାହାଣୀର ଗୁରୁତ୍ୱପୂର୍ଣ୍ଣ ଅଂଶ, ଚରିତ୍ର ଚିତ୍ରଣ ଆଦିରେ ଗଙ୍ଗାଧର ନିଜ ସାମର୍ଥ୍ୟ ଅନୁଯାୟୀ ପରିବର୍ତ୍ତନ ଆଣିଛନ୍ତି । ତେଣୁ ‘ପ୍ରଣୟବଲ୍ଲରୀ’ ପରିଣତ ହୋଇଛି ଏକ ସ୍ୱତନ୍ତ୍ର କାବ୍ୟରେ ।
ଗଙ୍ଗାଧରଙ୍କ କାବ୍ୟଯାତ୍ରାର ଶେଷ ସଫଳ କୃତି ହେଉଛି ‘ତପସ୍ୱିନୀ’ । ଏହା ସୀତାଙ୍କ ଉତ୍ତର ଜୀବନକୁ ନେଇ ରଚିତ । ୧୯୧୨ ମସିହାରେ ଆରମ୍ଭ କରିଥିବା ଏହି କାବ୍ୟଟି ୧୯୧୪ ମସିହାରେ ଶେଷ ହୋଇ ୧୯୧୫ରେ ପ୍ରକାଶ ପାଇଥିଲା । ଏଗାରଟି ସର୍ଗ ବିଶିଷ୍ଟ ଏହି କାବ୍ୟର ପ୍ରଥମ ପାଞ୍ଚୋଟି ସର୍ଗ ‘ମୁକୁର’ ପତ୍ରିକାରେ ମୁଦ୍ରିତ ହୋଇଥିଲା । ଏଥିରେ ପତି-ପରିତ୍ୟକ୍ତା ସୀତାଙ୍କୁ ସେ ଜଣେ ତପସ୍ୱିନୀ ରୂପେ ପରିକଳ୍ପନା କରିଛନ୍ତି । ପତି ପରିତ୍ୟକ୍ତା ହୋଇବି ପତିଙ୍କ ପ୍ରତି ତାଙ୍କର କୌଣସି କ୍ଷୋଭ ବା ଅଭିଯୋଗ ନାହିଁ । ରାମଙ୍କ ପ୍ରତି ରହିଥିବା ତାଙ୍କ ବିମଳ ପ୍ରେମର ପୂର୍ଣ୍ଣତା ପାଇବାକୁ ଚେଷ୍ଟା କରିଛନ୍ତି ‘ପତିହିତସାଧିନୀ’ ତପସ୍ୟାରେ । ଭାଗୀରଥି କୂଳରେ ତାଙ୍କର କ୍ରନ୍ଦନ ନିଜ ପାଇଁ ନ ଥିଲା, ଥିଲା ତାଙ୍କ ଗର୍ଭସ୍ଥ ଯମଜ ସନ୍ତାନଦ୍ୱୟଙ୍କ ପାଇଁ । ବାଲ୍ମୀକି ଆଶ୍ରମର ପବିତ୍ର ପରିବେଶ ତାଙ୍କୁ ଯେପରି ମା’କୋଳକୁ ଫେରାଇ ଆଣିଛି । ଗଙ୍ଗାଧର ପ୍ରମାଣ କରିବାକୁ ଚାହିଁଛନ୍ତି, ପ୍ରକୃତି କୋଳରେ ବଞ୍ଚୁଥିବା ମଣିଷ ହେଉଛି ପରିପୂର୍ଣ୍ଣ ମଣିଷ । ବାଲ୍ମୀକି ଆଶ୍ରମ ସୀତାଙ୍କୁ ଦେଇଛି ସେହି ପରିପୂର୍ଣ୍ଣ ଜୀବନର ସ୍ୱାଦ । ଏଇଠି ସେ ପରିବର୍ତ୍ତିତ ହୋଇଛନ୍ତି ପତ୍ନୀରୁ ମାତାରେ । ଲବ-କୁଶଙ୍କ ମଧ୍ୟରେ ଦେଖିଛନ୍ତି ରାମଙ୍କ ନୂତନ ରୂପ । ଗଙ୍ଗାଧର ସୀତାଙ୍କର ଏହି ଉତ୍ତର ଜୀବନକୁ ଉପସ୍ଥାପନ କରିବାବେଳେ ଏକ କାବ୍ୟିକ ସମସ୍ୟାର ସମୁଖୀନ ହୋଇଛନ୍ତି । କାରଣ ସୀତାଙ୍କ ଉତ୍ତରଜୀବନ ଘଟଣା ବହୁଳ ନୁହେଁ । ଘଟଣା ଅଭାବରେ କାବ୍ୟ ନାଟକୀୟତା ହରାଇବାର ସମ୍ଭାବନା ରହିଛି । ତେଣୁ ଗଙ୍ଗାଧର ସୀତାଙ୍କ ମୁଖରେ ସମଗ୍ର ରାମାୟଣ କାହାଣୀକୁ ବିଭିନ୍ନ ପ୍ରସଙ୍ଗରେ ଉପସ୍ଥାପନା କରିଛନ୍ତି । ତତ୍ସହିତ ସୀତାଙ୍କ ମନୋଜଗତ ଓ ବ୍ୟଥା-ବେଦନାକୁ ଉପସ୍ଥାପନା କରି ଅପୂର୍ବ କୌଶଳରେ ପାଠକଙ୍କୁ ବାନ୍ଧି ରଖିପାରିଛନ୍ତି । ରାମାୟଣ କଥାବସ୍ତୁ ଆଧାରିତ ହେଲେ ହେଁ ଏବଂ ବର୍ଣ୍ଣନାରେ ରଘୁବଂଶ ଓ ଉତ୍ତର ରାମଚରିତ ଆଦିର ଅନ୍ତର୍ବୟନ ଥିଲେ ହେଁ ଏହା ଯେ ଏକ ଯୁଗାନ୍ତକାରୀ ସୃଷ୍ଟି, ଏଥିରେ ସନ୍ଦେହ ନାହିଁ ।
‘ପ୍ରଣୟ ବଲ୍ଲରୀ’ ଓ ‘ତପସ୍ୱିନୀ’ ପରି ଦୁଇଟି କାବ୍ୟ ରଚନା କରିସାରିବା ପରେ ଗଙ୍ଗାଧର ଅନେକ ଛୋଟ ଛୋଟ କବିତା ରଚନା କରିଛନ୍ତି ଓ ସେଥିରୁ କିଛି କବିତାକୁ ନେଇ ‘ଅର୍ଘ୍ୟଥାଳି’ ସଙ୍କଳନ ପ୍ରସ୍ତୁତ ହୋଇଛି । ତାଙ୍କ ଜୀବଦ୍ଦଶାରେ ସଙ୍କଳିତ ହୋଇପାରି ନ ଥିବା ଅନେକ କବିତା ପରବର୍ତ୍ତୀ ସମୟରେ ଗ୍ରନ୍ଥାବଳୀରେ ସ୍ଥାନିତ । ଜୀବନର ଶେଷ ପର୍ଯ୍ୟାୟରେ କୃଷି ଓ କୃଷକର ସମସ୍ୟା ତଥା ବିଭିନ୍ନ କୃଷିଜାତ ଦ୍ରବ୍ୟକୁ ନେଇ ସେ ରଚନା କରିଛନ୍ତି ‘କୃଷକ ସଙ୍ଗୀତ’ । କାବ୍ୟ ସୌନ୍ଦର୍ଯ୍ୟ ଖୋଜୁଥିବା ପାଠକଙ୍କୁ ଏହା ହୁଏତ ତୃପ୍ତି ଦେଇ ନ ପାରେ; କିନ୍ତୁ ଗଙ୍ଗାଧରଙ୍କ ଭୂମି ସଂଲଗ୍ନତାର ଏହା ହେଉଛି ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ । ଭୂମିରୁ ଭୂମା ଆଡ଼କୁ ଗତି କରିପାରୁଥିବା କବିସତ୍ତା ‘ଅର୍ଘ୍ୟଥାଳି’ର ତିନୋଟି କବିତାରେ ବିଶେଷ ଭାବରେ ପ୍ରକାଶିତ ଓ ତାହା ହେଲା ‘ଭକ୍ତି’, ‘ଅମୃତମୟ’ ଓ ‘ମଧୁମୟ’ । ବିଶେଷ ପରିଚିତି ଲାଭ କରିଥିବା ଏହି କବିତାତ୍ରୟରେ ଗଙ୍ଗାଧରଙ୍କ ଜୀବନଦର୍ଶନ ଅଭିବ୍ୟକ୍ତ । ସେହିପରି ତାଙ୍କର କବିତାରେ ଗଙ୍ଗାଧରଙ୍କ ସଂସ୍କାରମୁକ୍ତ ମନ, ଦେଶ ଓ ଭାଷା ପ୍ରତି ପ୍ରତିବଦ୍ଧତା ଏବଂ ବ୍ୟକ୍ତିବିଶେଷଙ୍କଠାରେ ତାଙ୍କ କୃତଜ୍ଞତାବୋଧର ପରିଚୟ ମିଳିଥାଏ । ଗଙ୍ଗାଧର ତାଙ୍କର କାହାଣୀକାବ୍ୟଗୁଡ଼ିକ ମଧ୍ୟରେ ଅନେକ ସମୟରେ ଅଦୃଶ୍ୟ ହୋଇଯା’ନ୍ତି । ବ୍ୟକ୍ତି ଗଙ୍ଗାଧରଙ୍କୁ ଚିହ୍ନିବାପାଇଁ ଓ ତାଙ୍କ ଆଦର୍ଶବୋଧ ସମ୍ପର୍କରେ ସ୍ପଷ୍ଟ ଅବଧାରଣା ପାଇଁ ଏହି ଖଣ୍ଡ କବିତାଗୁଡ଼ିକ ସହାୟତା କରିଥାଏ ।
ଜୀବନର ଶେଷ ପର୍ଯ୍ୟାୟରେ ଗଙ୍ଗାଧର ଇତିହାସ ଆଧାରିତ ‘ପଦ୍ମିନୀ’ କାବ୍ୟ ରଚନା କରିଛନ୍ତି । ରାଜସ୍ଥାନ ଇତିହାସର ପରିଚିତ ପଦ୍ମିନୀ ଉପାଖ୍ୟାନକୁ ଏହା ଅବଲମ୍ବନ କରିଛି । କବିଙ୍କ ଇତିହାସ ବୋଧ ଓ ଇତିହାସକୁ ନେଇ କାବ୍ୟ ପରିକଳ୍ପନା କରିବାର କ୍ଷମତା ‘ପଦ୍ମିନୀ’ କାବ୍ୟରେ ଆହ୍ୱାନର ସମୁଖୀନ ହୋଇଛି । କାବ୍ୟଟିର ଯେଉଁ ଖସଡ଼ା ସେ ପ୍ରସ୍ତୁତ କରିଥିଲେ ସମୟକ୍ରମେ ସେଥିରେ ପରିବର୍ତ୍ତନ ଆଣିଛନ୍ତି ଏବଂ ସେଥିପାଇଁ କାବ୍ୟଟି ଶେଷ ପର୍ଯ୍ୟନ୍ତ ଅସମ୍ପର୍ଣ୍ଣ ରହିଯାଇଛି ।
ଗଙ୍ଗାଧର ଯେଉଁ ପରିବେଶରେ ଜନ୍ମ ନେଇଥିଲେ, ସେହି ପରିବେଶରେ ଆଧୁନିକ ଧରଣର ଓଡ଼ିଆ କବିତା ରଚନା କରିବା ସୁଯୋଗ ଥିଲା ସ୍ୱଳ୍ପ । ତେଣୁ କାବ୍ୟସାଧନା ନିମିତ୍ତ ତାଙ୍କୁ ଦୀର୍ଘପଥ ଅତିକ୍ରମ କରିବାକୁ ପଡ଼ିଛି । ପୁରାଣ ବିଷୟ ଅବଲମ୍ବନରେ ସେ କବିତା ଲେଖିଛନ୍ତି ସତ, କିନ୍ତୁ ସମକାଳର ବିଶ୍ୱଦୃଷ୍ଟିରେ ପ୍ରାଚୀନ କାହାଣୀର ପୁନଃନିର୍ମାଣ କରିଛନ୍ତି । ପୂର୍ବବର୍ତ୍ତୀ ସଂସ୍କୃତ ଓ ଓଡ଼ିଆ କବିଙ୍କ ପ୍ରଭାବ ସତ୍ତ୍ୱେ ସେ ନିଜ ପଥ ସ୍ୱାଧୀନ ଭାବରେ ବାଛି ନେଇଛନ୍ତି । ପଶ୍ଚିମ ଓଡ଼ିଶାକୁ ପୂର୍ବ ଓଡ଼ିଆ ସହିତ ଯୋଡ଼ି ଗଙ୍ଗାଧର କେବଳ ଏକ ବୃହତ୍ତର ଓଡ଼ିଶାର ପରିକଳ୍ପନା କରିନାହାନ୍ତି; ବରଂ ବାସ୍ତବ ଜୀବନରେ ମଧ୍ୟ ସେଥିପାଇଁ ଆନ୍ତରିକ ପ୍ରଚେଷ୍ଟା କରିଛନ୍ତି ।