N Aa

Madhusudan Rao

Madhusudan Rao
Madhusudan Rao


29-Jan-1853 / 28-Dec-1912
Madhusudan Rao

ଓଡ଼ିଆ ସାହିତ୍ୟରେ ଭକ୍ତକବି ରୂପେ ପରିଚିତ ମଧୁସୂଦନ ରାଓଙ୍କ ଜନ୍ମ ୨୯, ଜାନୁଆରୀ ୧୮୫୩ ମସିହାରେ ପୁରୀ ସହରରେ ହୋଇଥିଲା  । ତାଙ୍କ  ପିତାଙ୍କ ନାମ  ଭଗୀରଥି, ମାତାଙ୍କ ନାମ  ଅମ୍ବିକା । ମରହଟ୍ଟା ପରିବାରରେ ଜନ୍ମିତ ଏହି ମହାନ୍ ସ୍ରଷ୍ଟାଙ୍କ କୌଳିକ ସାଂଜ୍ଞା ଥିଲା ‘ସିଂହ’ ଓ ପରେ ହୋଇଛି ‘ରାଓ ।  ପୁରୀ ଜିଲ୍ଲା ସ୍କୁଲରୁ ଏଣ୍ଟ୍ରାନ୍ସ (ମାଟ୍ରିକୁଲେସନ) ପରୀକ୍ଷାରେ ୧୮୬୯ ମସିହାରେ ଏବଂ କଟକ କଲେଜ (ପରବର୍ତ୍ତୀ ସମୟରେ ରେଭେନ୍‌ସା କଲେଜ ନାମରେ ପରିଚିତ)ରୁ ଏଫ୍‌.ଏ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ ।

ମଧୁସୂଦନଙ୍କ ବୃତ୍ତିଗତ ଜୀବନ ଶିକ୍ଷା ବିଭାଗରେ ଅତିବାହିତ । ଯାଜପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକ ଜୀବନର ଆରମ୍ଭ ୧୮୭୩ ମସିହା ଅକ୍ଟୋବର ୨୯ ତାରିଖରୁ ହୋଇଥିଲା । ପରେ ରାଧାନାଥ ରାୟଙ୍କ ପ୍ରଚେଷ୍ଟାରେ ବାଲେଶ୍ୱର ଜିଲ୍ଲାସ୍କୁଲରେ ଦ୍ୱିତୀୟ ଶିକ୍ଷକ ଭାବରେ ୧୮୬୯ ମସିହାରେ ଯୋଗଦାନ ଦେଇଥିଲେ । ରାଧାନାଥ ପୁରୀ ଜିଲ୍ଲାସ୍କୁଲରେ ଶିକ୍ଷକତା କରୁଥିବା ସମୟରେ ଛାତ୍ର ରୂପେ ଅଧ୍ୟୟନରତ ମଧୁସୂଦନଙ୍କ ପ୍ରତିଭା ସମ୍ପର୍କରେ ଅବଗତ ଥିଲେ । ଏହି ପ୍ରତିଭାଧାରୀଙ୍କୁ ବାଲେଶ୍ୱର ନେଇ ନିଜର ସୂକ୍ଷ୍ମ ଅବବୋଧକୁ ପ୍ରମାଣ କରିବାକୁ ଚାହିଁଥିଲେ । ପରବର୍ତ୍ତୀ ସମୟରେ କଟକ କଲିଜିଏଟ୍ ସ୍କୁଲରେ ଶିକ୍ଷକତା, ଡେପୁଟି ଇନିସ୍ପେକଟର , କଟକ ଟ୍ରେନିଂ ସ୍କୁଲର ପ୍ରଧାନଶିକ୍ଷକ ଓ ଅତିରିକ୍ତ ଇନିସ୍ପେକଟର ରୂପେ କାର୍ଯ୍ୟକରି ୧୯୦୯ ମସିହା ଜୁଲାଇ ମାସରେ ଶିକ୍ଷା ବିଭାଗରୁ ସେ ଅବସର ଗ୍ରହଣ କରିଥିଲେ ।

ମଧୁସୂଦନଙ୍କ ସୁପ୍ତ ପ୍ରତିଭାର ଜାଗରଣ ହୋଇଥିଲା ବାଲେଶ୍ୱରରେ ଶିକ୍ଷକତା କରିବା ସମୟରେ ଏବଂ ରାଧାନାଥଙ୍କ ନିବିଡ଼ ସଂସ୍ପର୍ଶରେ ଆସିବାଦ୍ୱାରା, ତାଙ୍କର ପ୍ରଥମ ପ୍ରକାଶିତ କବିତା ହେଉଛି ‘ନିଶୀଥ ଚିନ୍ତା’ ଯାହା ଫେବୃଆରୀ ୧୮୭୩ ମସିହାରେ ପ୍ରକାଶ ପାଇଥିଲା ଏବଂ ଦ୍ୱିତୀୟ ପ୍ରକାଶିତ କବିତା ହେଉଛି ‘ଶ୍ମଶାନ’ । ବାଲେଶ୍ୱରରେ ରାଧାନାଥ ଏବଂ ବୈକୁଣ୍ଠନାଥ ଦେ’ଙ୍କ ସଂସ୍ପର୍ଶ ତଥା ‘ଉତ୍କଳ ଦର୍ପଣ’ (୧୮୭୩) ପତ୍ରିକାର ପ୍ରକାଶ ମଧୁସୂଦନଙ୍କ ସାରସ୍ୱତ ପ୍ରତିଭା ବିକାଶ ପାଇଁ ବିଶେଷ ଗୁରୁତ୍ୱ ରଖେ । ୧୮୭୬ ମସିହାରେ ପ୍ରକାଶିତ ‘କବିତାବଳୀ’ରେ ସ୍ଥାନ ପାଇଥିଲା ରାଧାନାଥଙ୍କ ତିନୋଟି ଓ ମଧୁସୂଦନଙ୍କ ସାତୋଟି କବିତା ଏବଂ ପରବର୍ତ୍ତୀ ପ୍ରକାଶନରେ ରାଧାନାଥଙ୍କ ଚାରୋଟି ଓ ମଧୁସୂଦନଙ୍କ ଦଶଟି କବିତା । ଉଦ୍ଦେଶ୍ୟ ଥିଲା ପାଠ୍ୟପୁସ୍ତକ; ମାତ୍ର ଓଡ଼ିଆ କବିତା କ୍ଷେତ୍ରରେ ଏହା ଯୋଡ଼ି ଦେଇଥିଲା ନୂଆ ସ୍ୱର । କବିତାବଳୀ, ଛାନ୍ଦମାଳା (୧ମ ଓ ୨ୟ), କୁସୁମାଞ୍ଜଳି, ବସନ୍ତଗାଥା, ଉତ୍କଳଗାଥା, ସଙ୍ଗୀତମାଳା ଆଦି କବିତା ଗ୍ରନ୍ଥ; ‘ପ୍ରବନ୍ଧମାଳା’ ଗଦ୍ୟ ସଙ୍କଳନ ଓ ଅନ୍ୟାନ୍ୟ ପ୍ରକାଶିତ ପ୍ରବନ୍ଧ, ସାହିତ୍ୟ କୁସୁମ, ସାହିତ୍ୟ ପ୍ରସଙ୍ଗ, ଶିଶୁବୋଧ, ବାଳବୋଧ ଆଦି ପାଠ୍ୟପୁସ୍ତକ; ବିଦ୍ୟାର୍ଥୀମାନଙ୍କ ବର୍ଣ୍ଣ ପରିଚୟ ତଥା ଭାଷାଶିକ୍ଷା ଉଦ୍ଦେଶ୍ୟରେ ରଚିତ ‘ବର୍ଣ୍ଣବୋଧ’; ଶିକ୍ଷକମାନଙ୍କ ଦିଗଦର୍ଶନ ଉଦ୍ଦେଶ୍ୟରେ ରଚିତ ‘ଅବଧାନ ବନ୍ଧୁ’, ‘ନିମ୍ନ ଶିକ୍ଷକ ସୁହୃଦ’, ‘ଉଚ୍ଚ ଶିକ୍ଷକ ସୁହୃଦ୍‌’ ଆଦି ରଚନା ତାଙ୍କ ସାରସ୍ୱତ ପ୍ରତିଭା ତଥା ଶିକ୍ଷା ପ୍ରତି ରହିଥିବା ସମର୍ପିତ ଭାବର ଯଥାର୍ଥ ନିଦର୍ଶନ । ଜଣେ ସଫଳ ଅନୁବାଦକ ରୂପେ ତାଙ୍କ କୃତିତ୍ୱ ଅବିସମ୍ବାଦିତ । ‘ପ୍ରଣୟର ଅଦ୍ଭୁତ ପରିଣାମ’ ଏବଂ ‘ହେମମାଳା’ ରଚନାଦ୍ୱୟ ଓଡ଼ିଆ ସାହିତ୍ୟରେ ଆଧୁନିକ ‘ନଭେଲା’ର ପ୍ରଥମ ଓଡ଼ିଆ ରୂପ ।

ଓଡ଼ିଆ ସାହିତ୍ୟରେ ଗୀତିକବି ରୂପେ ପରିଚିତ ମଧୁସୂଦନଙ୍କ କବିତାଜଗତ ଉଭୟ କଳାତ୍ମକତା ଓ ପ୍ରୟୋଗଧର୍ମିତାର ସଫଳ କର୍ମଶାଳା । ଓଡ଼ିଆ କବିତାର ଗଠନଶିଳ୍ପ ଓ ଭାବରୂପରେ ସେ ଆଣିଛନ୍ତି ଲକ୍ଷଣୀୟ ପରିବର୍ତ୍ତନ । ସନେଟ୍ (ଚତୁର୍ଦ୍ଦଶପଦୀ କବିତା), ଏଲିଜି (ଶୋକଗୀତିକା), ଓଡ୍ (ସମ୍ବୋଧଗୀତି), ବର୍ଣ୍ଣନାତ୍ମକ କବିତା କ୍ଷେତ୍ରରେ ଓଡ଼ିଆ ସାହିତ୍ୟରେ ସେ ସଫଳ ମାର୍ଗ ପ୍ରଦର୍ଶକ । ଓଡ଼ିଆ ସାହିତ୍ୟରେ ନୂତନ କାବ୍ୟଚେତନା ଏବଂ ବସ୍ତୁନିଷ୍ଠ କବିତା ରଚନାର ଅନ୍ୟତମ ପ୍ରବର୍ତ୍ତକ । ଓଡ଼ିଆ କବିତାକୁ ସେ ଯେଉଁ ଉଚ୍ଚତାରେ ପହଞ୍ଚାଇଛନ୍ତି, ସମକାଳରେ ଅନ୍ୟ କାହାଦ୍ୱାରା ତାହା ସମ୍ଭବ ହୋଇପାରି ନାହିଁ ନିଶ୍ଚୟ । ‘ହିମାଚଳେ ଉଦୟ ଉତ୍ସବ’ ଏବଂ ‘ଋଷିପ୍ରାଣେ ଦେବାବତରଣ’ କବିତା ଦ୍ୱୟ ପାଠକଲେ ଏହାର ଯଥାର୍ଥ ପରିଚୟ ମିଳିପାରିବ । କେବଳ ଓଡ଼ିଆ ସାହିତ୍ୟ କାହିଁକି, ସମଗ୍ର ଭାରତୀୟ ସାହିତ୍ୟରେ ଏହି କବିତାଦ୍ୱୟ ନିଜର ଶୀର୍ଷତ୍ୱ ଦାବୀ କରିପାରିବ । ବିଭୁବୋଧ, ମାନବିକ ସମ୍ବେଦନଶୀଳତା, ପ୍ରକୃତି ମଧ୍ୟରେ ଇନ୍ଦ୍ରିୟୋତ୍ତର ଭାବଚେତନା, ବିଶୁଦ୍ଧ କାବ୍ୟିକ ଭାବସମ୍ପଦ, ଜିଜ୍ଞାସାବୋଧ, ସାଙ୍ଗୀତିକ ସୌନ୍ଦର୍ଯ୍ୟ, ମାର୍ଜିତ ଓ ରୁଚି ସମ୍ପନ ଭାଷା, ନିସର୍ଗପ୍ରୀତି, ପବିତ୍ର କଳ୍ପନାବିଳାସ, ବିଭୁପ୍ରୀତି, ଅନ୍ତର୍ଲୋକର ବିସ୍ତୃତି, ଭାବସାନ୍ଦ୍ରତା ଏବଂ ଭାବତନ୍ମୟତାରେ ତାଙ୍କ କାବ୍ୟଜଗତ ପରିଶୀଳିତ ତଥା ରସାଣିତ । ବ୍ରାହ୍ମଧର୍ମର ସମର୍ପିତ ଭାବନା ତାଙ୍କ ଦୃଷ୍ଟିଭଙ୍ଗୀକୁ କରିଛି ପ୍ରସାରିତ । ଆତ୍ମାର ମୁକ୍ତିବୋଧ ପାଇଁ ତେଣୁ ସେ ପ୍ରୟାସୀ । ଏହା ସହିତ ମିଶିଯାଇଛି ଉପନିଷଦୀୟ ଅଦ୍ୱୈତ ଭାବନା । ତାଙ୍କ ଆଧ୍ୟାତ୍ମିକ ଭାବନାର ମୂଳ ରୂପ ହେଉଛି ମାନବୀୟ ସଂପ୍ରୀତି । ଋଷିସୁଲଭ ମାନସିକତା ସହିତ ଇନ୍ଦ୍ରିୟୋତ୍ତର ଚେତନା ଓ ପରିଶୁଦ୍ଧ ସୌନ୍ଦର୍ଯ୍ୟବୋଧ ତାଙ୍କର ଗୀତିକବିତାଗୁଡ଼ିକୁ ଉତ୍ତୀର୍ଣ୍ଣ ଭାବକ୍ଷମ କରାଇପାରିଛି । ତେଣୁ ତାଙ୍କ କବିତା ପଢିଲେ ହୃଦୟ ବିସ୍ତାରିତ ହୋଇଯାଏ, ଦୃଷ୍ଟିଶକ୍ତି ପ୍ରଲମ୍ବିତ ହୋଇଯାଏ ‘ଭୂ’ ରୁ ‘ଭୂମା’ ପର୍ଯ୍ୟନ୍ତ । ତାଙ୍କ କବିତାରେ ଆବେଗ ରହିଛି; କିନ୍ତୁ ତାହା କୌଣସି କ୍ଷେତ୍ରରେ ଶାଳୀନତାର ଲକ୍ଷ୍ମଣରେଖା ଅତିକ୍ରମ କରିନାହିଁ । ଆବେଗକୁ ସେ ଯଥାସମ୍ଭବ ନିୟନ୍ତ୍ରଣ କରିଛନ୍ତି ନିଜର ଆଦର୍ଶବାଦୀ ଦୃଷ୍ଟିଭଙ୍ଗୀ ଦ୍ୱାରା । ଇନ୍ଦ୍ରିୟଗ୍ରାହ୍ୟ ସୌନ୍ଦର୍ଯ୍ୟବୋଧ ସହିତ ବିଭୁବୋଧ ଓ ଅନ୍ତଃସୌନ୍ଦର୍ଯ୍ୟର ସାଧନକୁ ସମାହିତ କରି ସେ ଓଡ଼ିଆ କବିତାକୁ ଦେଲେ ନୂଆଦିଗ ଓ ନୂଆବାଗ । ତାଙ୍କ ସୌନ୍ଦର୍ଯ୍ୟବୋଧ ସ୍ଥୂଳଜଗତର ପରିସୀମା ମଧ୍ୟରେ ଆବଦ୍ଧ ନ ରହି ସଞ୍ଚରି ଯାଇଛି ସୂକ୍ଷ୍ମଜଗତକୁ । ତେଣୁ ତାଙ୍କ କବିତା ପାଠକଲେ ମନ ଓ ଆତ୍ମା ଭିନ୍ନ ଏକ ଭାବଚେତନାରେ ବିଗଳିତ ହୋଇଉଠେ । ଆତ୍ମମୁଖୀ ଭାବଚେତନା ମଧ୍ୟରେ ନିବିଷ୍ଟ ହୋଇପଡ଼େ । ତାଙ୍କ କବିତାରେ ରହିଛି ଦେହରୁ ଦେହୋତ୍ତର ଓ ଚୈତନ୍ୟରୁ ଚେତନ୍ୟୋତ୍ତର ଦିଗକୁ ଯାତ୍ରା । ସ୍ଥୂଳ ଦୃଷ୍ଟିରୁ ମଧୁସୂଦନଙ୍କ କବିତା ବିଚାର କରାଯାଇ ନ ପାରେ । ତାଙ୍କର ବହିର୍ଦୃଷ୍ଟି ସ୍ଥୂଳ; ମାତ୍ର ଅନ୍ତର୍ଦୃଷ୍ଟି ଅତ୍ୟନ୍ତ ସୂକ୍ଷ୍ମ । ମଧୁସୂଦନ ପରମ୍ପରାରୁ ଖୋଜିଥାନ୍ତି ନିଜର ଐତିହ୍ୟ ଏବଂ ଏହି ଐତିହ୍ୟ ମଧ୍ୟରେ ଥାଏ ଇନ୍ଦ୍ରିୟୋତ୍ତର ଭାବନାର ପରିପ୍ରକାଶ । ତାଙ୍କ କବିତାର ସୌନ୍ଦର୍ଯ୍ୟବୋଧ ସହିତ ଜଡ଼ିତ ହୋଇଯାଇଛି ଜଗତର ମଙ୍ଗଳସାଧନ । ତେଣୁ ତାହା କେବଳ ପରିଦୃଶ୍ୟ ଜଗତ ମଧ୍ୟରେ ସୀମାବଦ୍ଧ ନ ରହି; ପବିତ୍ରତା, ଆନନ୍ଦ ଓ ଐଶ୍ୱରିକ ପ୍ରେମର ପରିପ୍ରକାଶ ହୋଇଉଠିଛି । ପ୍ରତ୍ୟେକ ପଦାର୍ଥ ମଧ୍ୟରେ ଦିବ୍ୟସୌନ୍ଦର୍ଯ୍ୟକୁ ସେ ଅନୁଭବ କରିଛନ୍ତି । ଶିଶୁମାନଙ୍କ ଉଦ୍ଦେଶ୍ୟରେ ରଚିତ କବିତାଗୁଡ଼କ ମଧ୍ୟ ଏହି ଦିବ୍ୟସୌନ୍ଦର୍ଯ୍ୟରେ ଉଦ୍ଭାସିତ । ବିଚ୍ଛେଦ ମଧ୍ୟରେ ସେ ପ୍ରେମର ଅନିନ୍ଦ୍ୟ ପରାକାଷ୍ଠା ଅନୁଭବ କରନ୍ତି । ପ୍ରେମ ଓ ଦିବ୍ୟଭାବ ମଧ୍ୟରେ ସେ ବିଶେଷ କିଛି ପାର୍ଥକ୍ୟ ଦେଖନ୍ତ ନାହିଁ; କାରଣ ପ୍ରେମକୁ ଦିବ୍ୟତାର ଏକ ମାଧ୍ୟମ ରୂପେ ସେ ଗ୍ରହଣ କରିଥାନ୍ତି । କବି ମଧୁସୂଦନ ଆଲୋକ ଓ ସମ୍ଭାବନାର କବି । ପ୍ରକୃତିପ୍ରାଣତାର ଚମତ୍କାର ଆଲେଖ୍ୟରେ ସୂକ୍ଷ୍ମ ଜୀବନବୋଧର ଉଚ୍ଚାରଣ ସେ କରିପାରନ୍ତି । ସେଥିପାଇଁ ସେ ଗାଇଥାନ୍ତି- “ମୋ ପ୍ରାଣ ବିଲୀନ ହେଲା ପ୍ରକୃତିର ପ୍ରାଣେ / ପ୍ରକୃତିର ପ୍ରାଣ ଉଚ୍ଛ୍ୱସିତ ମୋ ପରାଣେ ।” ଈଶ୍ୱରପ୍ରେମକୁ ସେ ମାନବିକପ୍ରେମ ଓ ବିଶ୍ୱପ୍ରେମ ପର୍ଯ୍ୟନ୍ତ ଉତ୍ତରିତ କରିଦିଅନ୍ତି । ‘ହିମାଚଳେ ଉଦୟ ଉତ୍ସବ’ କବିତାର ଉପଲବ୍‌ଧି ସର୍ବାଂଶରେ ବିଶ୍ୱବ୍ୟାପୀ ଚେତନାକୁ କବଳିତ କରିଛି । ତାଙ୍କ କବିତା ଅନନ୍ତ କାଳ ନିମିତ୍ତ ଉନ୍ନତିର ମାର୍ଗକୁ ପ୍ରଶସ୍ତ କରିଦିଏ । ମଧୁସୂଦନଙ୍କ କବିତାର ଅନ୍ୟତମ ବିଶେଷତ୍ୱ ହେଉଛି କବିତା ଓ କବିଆତ୍ମା ଏଠାରେ ଏକ ଏବଂ ଅଭିନ୍ନ; ପରସ୍ପରର ପରିପୂରକ । ଏଠି ଆଉ ଭେଦାଭେଦ ନାହିଁ; ଅଭେଦତ୍ୱ ମଧ୍ୟରେ ବନ୍ଦୀ କବି ଓ କବିତା । ସ୍ଥିତିଶୀଳତା ଅପେକ୍ଷା ଗତିଶୀଳତା ତାଙ୍କ କବିତାର ପ୍ରାଣ । ଜୀବନ ନିର୍ଦ୍ଧାରିତ ସଙ୍କଳ୍ପ ନୁହେଁ; ବରଂ ଜୀବନୋତ୍ତର ବୃହତ୍ ଏକ ଭାବଭୂମିରେ ମଧୁସୂଦନଙ୍କ କବିତା ବିଚରଣଶୀଳ । ତେଣୁ ପ୍ରେମ, ସୌନ୍ଦର୍ଯ୍ୟ ଓ ପ୍ରକୃତି ମଧ୍ୟରେ ଈଶ୍ୱରୀୟ ସଞ୍ଚାର ଉପଲବ୍‌ଧି ହୋଇଛି କବିତାର ବାର୍ତ୍ତା ।

ମଧୁସୂଦନଙ୍କ କବିତାର ଗଠନଶିଳ୍ପ ମଧ୍ୟ ଅଦ୍ଭୁତ । ଭାଷା ବ୍ୟବହାରରେ ମିତବ୍ୟୟୀ ଏବଂ ବହୁଭାବକ୍ଷମ । ନାଟକୀୟ ପରିକଳ୍ପନା ଭିତରେ ବି ଭାଷାର ଅଭିଜାତପଣ ଦୁର୍ଲକ୍ଷ୍ୟ ନୁହେଁ । ପେତ୍ରାର୍କ ଓ ବଙ୍ଗଳାର କବି ମାଇକେଲ ମଧୁସୂଦନ ଦତ୍ତଙ୍କ ଠାରୁ ସେ ପ୍ରେରଣା ପାଇଛନ୍ତି ସନେଟ୍ ରଚନା ନିମିତ୍ତ । ମାତ୍ର ତା’ର ଅନ୍ତଃରୂପଟି ସଂପୂର୍ଣ୍ଣ ନିଜସ୍ୱ । ହୃଦୟ ସଙ୍ଗୀତରେ ଭରା । ଶିଶୁର ଦେବସୌନ୍ଦର୍ଯ୍ୟ ଠାରୁ ଆରମ୍ଭ କରି ପ୍ରେମବୋଧ ପର୍ଯ୍ୟନ୍ତ - ବିଭିନ୍ନ ବିଷୟକୁ ଚମତ୍କାର କଳାରୂପ ସେ ପ୍ରଦାନ କରିଛନ୍ତି ସନେଟ୍‌ରେ । ‘ଓଡ଼’ରେ ମଧ୍ୟ ଠିକ୍ ସେଇଆ । ନାମ ମାତ୍ର ସମ୍ବୋଧନ । ମାତ୍ର ବିଷୟ ସଙ୍ଗଠନରେ କବି ବ୍ୟକ୍ତିତ୍ୱଟି ଭିନ୍ନ । ସ୍ଥୂଳ ଜୀବନରୁ ସୂକ୍ଷ୍ମ ଜୀବନର ଅବବୋଧ ମଧ୍ୟରେ ଓଡ଼ ଯେପରି ହୋଇଯାଇଛି ଅସୀମ ଜୀବନର ମହାପ୍ରବାହ । ରୂପରୁ ରୂପାନ୍ତର ଘଟିଛି ଆତ୍ମୋପଲବ୍‌ଧିର ବିଚିତ୍ର ସନ୍ଧାନ ମଧ୍ୟଦେଇ । ତେଣୁ କବିତାର ଉଭୟ ଆତ୍ମିକ ଏବଂ ଆଙ୍ଗିକରେ ପରୀକ୍ଷାକରି ଓଡ଼ିଆ କବିତାକୁ ସେ ଦେଇଛନ୍ତି ନୂଆ ପରିଚୟ ।

କବି ମଧୁସୂଦନ ଯେତିକି ଚର୍ଚ୍ଚିତ; ଗଦ୍ୟସ୍ରଷ୍ଟା ମଧୁସୂଦନ ସେତିକି ଚର୍ଚ୍ଚିତ ନୁହନ୍ତି । ଏହି ଅଭାବବୋଧଟି ନିଶ୍ଚିତ ଅକ୍ଷମଣୀୟ । ଓଡ଼ିଆ ଗଦ୍ୟକୁ ଦେଇଛନ୍ତି ସେ ନୂଆ ସମ୍ଭାବନା । ଭାଷା ଓ ଭାବ - ପ୍ରତ୍ୟେକ କ୍ଷେତ୍ରରେ ସେ ମୌଳିକ । ମାର୍ଜିତ, ଅଭିଜାତ ଭାଷା ପ୍ରୟୋଗରେ ସେ ଯେତିକି ଦକ୍ଷ; ଭାବରେ ଐଶ୍ୱର୍ଯ୍ୟ ପ୍ରକାଶରେ ସେତିକି ଧୁରୀଣ । ‘ଆମ୍ଭମାନଙ୍କର ଗୃହ’ ତାଙ୍କର ପ୍ରଥମ ପ୍ରବନ୍ଧ । ଜାତୀୟତା, ଭାଷାଭାବନା, ସାଂସ୍କୃତିକ ଚେତନା, ଆଧ୍ୟାତ୍ମିକ ଉପଲବଧି ଠାରୁ ଆରମ୍ଭ କରି ଶିକ୍ଷା ଓ ସମକାଳର ବିଭିନ୍ନ ଘଟଣାର ଉପସ୍ଥାପନ ତାଙ୍କ ପ୍ରବନ୍ଧ ସାହିତ୍ୟକୁ କରିଛି ବିଚିତ୍ରବର୍ଣ୍ଣା । ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଆଦିପର୍ବରେ ନିଶ୍ଚିତ ଭାବରେ ସେ ଜଣେ ଶକ୍ତିଶାଳୀ ସ୍ରଷ୍ଟା । ମାର୍ଜିତ ଓଡ଼ିଆ ଗଦ୍ୟଶୈଳୀର ପ୍ରବର୍ତ୍ତକ । ପ୍ରତ୍ୟେକ ପ୍ରବନ୍ଧରେ ତାଙ୍କର ଅନ୍ତର୍ଦୃଷ୍ଟି ଅତ୍ୟନ୍ତ ଶାଣିତ । ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ସମୁନ୍ନତ କରିବା କ୍ଷେତ୍ରରେ ତାଙ୍କର ଅବଦାନ ସ୍ୱୀକାର୍ଯ୍ୟ ।

ଓଡ଼ିଆ ଶିଶୁସାହିତ୍ୟ କ୍ଷେତ୍ରରେ ମଧୁସୂଦନଙ୍କ ଗୁରୁତ୍ୱକୁ ଅଣଦେଖା କରାଯାଇ ନ ପାରେ । ଶିଶୁର କଳ୍ପନାରାଜ୍ୟ ବିସ୍ତାରଣ ଅପେକ୍ଷା ତା’ର ବୌଦ୍ଧିକ ବିକାଶକୁ ସେ ତାଙ୍କ ଶିଶୁସାହିତ୍ୟରେ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସବୁଠି ଶିକ୍ଷକସୁଲଭ ଅନ୍ତର୍ଦୃଷ୍ଟି ଓ ଉପଦେଶ; ଶୁଦ୍ଧ ଚରିତ୍ରନିର୍ମାଣ ଉପରେ ଗୁରୁତ୍ୱାରୋପ । ଭାଷାଶିକ୍ଷାର ଶୁଦ୍ଧତା ଓ ସଂଯମତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଶିଶୁର ମାନସିକ ବିକାଶ ହୋଇଛି ତାଙ୍କର ଧ୍ୟେୟ । ଏଥିପାଇଁ ପରିଦୃଶ୍ୟମାନ ଜଗତରୁ ପିଲାମାନଙ୍କ ନିମିତ୍ତ ସଂଗ୍ରହ କରିଛନ୍ତି ଅସୀମ ଉଦାହରଣ । ଶିଶୁମନସୁଲଭ ଦୃଷ୍ଟାନ୍ତ ମାଧ୍ୟମରେ ଶିଶୁମାନଙ୍କୁ ଶିକ୍ଷାପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି । ସଙ୍ଗୀତର ମାଧୁର୍ଯ୍ୟ ଓ ବିଭିନ୍ନ ଛନ୍ଦ ମାଧ୍ୟମରେ ଶିଶୁର ମନକୁ ଆକର୍ଷଣ କରିବା ନିମନ୍ତେ ସେ ଉଦ୍ୟମ କରିଛନ୍ତି ।

ମଧୁସୂଦନ ଥିଲେ ଜଣେ ସଫଳ ଅନୁବାଦକ । ତାଙ୍କର ପ୍ରତ୍ୟେକଟି ଅନୁବାଦ ମୌଳିକ ରଚନାର ଭ୍ରମ ସୃଷ୍ଟିକରିଥାଏ । ଅପର ସୃଷ୍ଟିକୁ ସୂକ୍ଷ୍ମ ଅବବୋଧ କରି ନ ପାରିଲେ ଭଲ ଅନୁବାଦ ସମ୍ଭବ ହୋଇ ନ ଥାଏ । ଇଂରେଜ ଶାସନାଧୀନ ଓଡ଼ିଶାରେ ଅନୁବାଦ କ୍ଷେତ୍ରରେ ଯେଉଁ ଦୁର୍ବଳତା ପରିଲକ୍ଷିତ ହୋଇଥିଲା, ମଧୁସୂଦନ ତା’ର ନିରାକରଣ କରିବାକୁ ଚେଷ୍ଟା କରିଛନ୍ତି । ସେତେବେଳେ ଅଧିକାଂଶ ଅନୁବାଦକ ବଙ୍ଗଳାରୁ ବା ବଙ୍ଗଳା ଭାଷା ଅନୁସରଣ ମାଧ୍ୟମରେ ଅନ୍ୟାନ୍ୟ ଭାଷାରୁ ଅନୁବାଦ କରୁଥିଲେ ହେଁ ମଧୁସୂଦନ ପ୍ରତ୍ୟକ୍ଷ ଭାବେ ଇଂରାଜୀ ଏବଂ ସଂସ୍କୃତ ସାହିତ୍ୟରୁ ନିଜର ଅନୁବାଦ ପାଇଁ ବିଷୟ ଚୟନ କରିଥିଲେ । ତାଙ୍କର ‘ଆତ୍ମ ସମର୍ପଣ’,‘ନିର୍ବାସିତର ବିଳାପ’ ଇଂରାଜୀ ଭାଷାରୁ ଅନୁବାଦ । ସେହିପରି ‘ସୀତା ବନବାସ’, ‘ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ’, ‘ଶ୍ରୀରାମ ବନବାସ’ ଇତ୍ୟାଦି କବିତା, ‘ଉତ୍ତର ରାମଚରିତ’ ନାଟକ ସଂସ୍କୃତ ସାହିତ୍ୟରୁ ଅନୂଦିତ । ‘ନିର୍ବାସିତର ବିଳାପ’ କବିତା ଉଇଲିୟମ୍ କାଉପରଙ୍କ ‘ଆଲେକ୍‌ଜାଣ୍ଡର ସେଲକାର୍କ’ କବିତାର ଅନୁବାଦ ହୋଇଥିଲେ ହେଁ ତାଙ୍କର ସୃଜନଧର୍ମୀ ଅନୁବାଦ ଯୋଗୁଁ କବିତାଟି ମୌଳିକ କବିତା ପରି ପ୍ରତୀୟମାନ ହୋଇଥାଏ । ‘ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ’ କାଳିଦାସଙ୍କ ରଘୁବଂଶର ତ୍ରୟୋଦଶ ସର୍ଗର ଚମତ୍କାର ଅନୁବାଦ । ମହାକବି କାଳିଦାସଙ୍କୁ ଅନୁବାଦ କରିବା ସମୟରେ ତାଙ୍କ ସୃଷ୍ଟି ସମ୍ପଦ ପ୍ରତି ସଠିକ୍ ନ୍ୟାୟପ୍ରଦାନ କରିଛନ୍ତି ସେ । ସାର୍ ଉଇଲି ଜୋନ୍‌ସଙ୍କ ‘ଟୁ ଆନ୍ ଇନ୍‌ଫାଣ୍ଟ’ କବିତାର ଅନୁବାଦ ହେଉଛି ‘ଜନ୍ମ ମରଣ’ କବିତା । ‘ସୀତା ବନବାସ’ ରାମାୟଣର କଥାବସ୍ତୁ ଆଧାରିତ । ୧୮୮୫ ମସିହା ବେଳକୁ ‘ଉତ୍ତର ରାମଚରିତ’ର ଅନୁବାଦ ସେ ଆରମ୍ଭ କରିଥିଲେ । ପ୍ରଥମେ ଏହାର କିୟବଂଶ ‘ଋଷି କୁମାର ଦ୍ୱୟଙ୍କର ଆଳାପ’ ଶିରୋନାମାରେ ପ୍ରକାଶ ପାଇଥିଲା । ଏହି ଅନୁବାଦର ଭାଷା ଗୁରୁଗମ୍ଭୀର । ତାଙ୍କର ‘ବାଳରାମାୟଣ’ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଅନୂଦିତ । ବାଲ୍ମୀକି ରାମାୟଣର ବାଳକାଣ୍ଡ ହୋଇଛି ତାଙ୍କର ଆଦର୍ଶ । ପ୍ରତ୍ୟେକ ଅନୁବାଦରେ ସେ ନିଜର ଆଦର୍ଶକୁ ଅକ୍ଷୁର୍ଣ୍ଣ ରଖିବାକୁ ଚେଷ୍ଟା କରିଛନ୍ତି ଓ ସଫଳ ହୋଇଛନ୍ତି ମଧ୍ୟ । “ଆତ୍ମସମର୍ପଣ” ଗୋଟିଏ ଇଂରାଜୀ କବିତାର ଅନୁବାଦ ହୋଇଥିଲେହେଁ ସେ ଏଥିରେ ଉପନିଷଦର ଭାବକୁ ଉତ୍କୀର୍ଣ୍ଣ କରିଛନ୍ତି । କ୍ରିଷ୍ଟିନା ଜର୍ଜିନା ରସେଟିଙ୍କ ‘ହୁ ହାଜ ସିନ୍ ଦି ଉଇଣ୍ଡ’ କବିତାର ଭାବକୁ ‘ପବନ’ କବିତାରେ ଗ୍ରହଣ କରାଯାଇଥିଲେ ହେଁ, ସେଥିରେ ସେ ଯେପରି ବୈଦିକ ପରିବେଶର ଆରୋପ କରିଛନ୍ତି, ତାହା ତାଙ୍କ ମୌଳିକ ଦୃଷ୍ଟିଭଙ୍ଗୀର ପରିଚାୟକ । ଓଡ଼ିଆ ଗୀତିକବିତା, ଉଚାଙ୍ଗ ଗଦ୍ୟରଚନା, ଅନୁବାଦ ଆଦି କ୍ଷେତ୍ରରେ ମଧୁସୂଦନ ସମକାଳରେ ଥିଲେ ଆଦର୍ଶ । ବ୍ରାହ୍ମଧର୍ମ ତାଙ୍କ ଚରିତ୍ର ଓ ଚିତ୍ତକୁ ଯେପରି ଶୁଦ୍ଧ କରିଥିଲା, ସେହିପରି ତାଙ୍କର ପ୍ରତ୍ୟେକଟି ସୃଷ୍ଟିରେ ସେହି ବିଶୁଦ୍ଧତା ଲକ୍ଷ୍ୟ କରାଯାଇଥାଏ । ଏହି ମହାନ୍ ସ୍ରଷ୍ଟାଙ୍କ ମହାପ୍ରୟାଣ ଘଟିଥିଲା ୨୮ ଡିସେମ୍ବର ୧୯୧୨ ମସିହାରେ ।

Madhusudan Rao

Madhusudan Rao
Madhusudan Rao