N Aa

Radhanath Ray

Radhanath Ray
Radhanath Ray

ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟ ଇତିହାସରେ କବିବର...


28-Sep-1848 / 17-Apr-1908
Radhanath Ray

ଅବିଭକ୍ତ ବାଲେଶ୍ୱର ଜିଲ୍ଲାର କେଦାରପୁର ଗ୍ରାମରେ ୨୮ ସେପ୍ଟେମ୍ବର, ୧୮୪୮ ମସିହାରେ ରାଧାନାଥଙ୍କର ଜନ୍ମ । ତାଙ୍କ ପିତାଙ୍କ ନାମ ସୁନ୍ଦର ନାରାୟଣ ରାୟ ଓ ମାତା ତାରିଣୀ ଦେବୀ । ରାଧାନାଥ ଥିଲେ ବଙ୍ଗୀୟ କାୟସ୍ଥ । ପିଲାଦିନୁ ସେ ଥିଲେ ମାତୃହରା । ରୋଗ-ବ୍ୟାଧି ଥିଲା ତାଙ୍କର ଚିର ସହଚର । ଛାତ୍ର ଭାବରେ ସେ ଥିଲେ ବିଶେଷ ମେଧାବୀ । ବାଲେଶ୍ୱର ଜିଲ୍ଲା ସ୍କୁଲରୁ ୧୮୬୩ ମସିିହାରେ ସେ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ । ବୃତ୍ତିଲାଭ କରି ଉଚ୍ଚଶିକ୍ଷା ଲାଭ ନିମିତ୍ତ ସେ କଲିକତା ଯାଇଥିଲେ । ମାତ୍ର ବିଭିନ୍ନ ବାଧ୍ୟବାଧକତା ହେତୁ ପୁଣି ବାଲେଶ୍ୱର ଫେରି ଆସିଥିଲେ ଏବଂ ବାଲେଶ୍ୱର ଜିଲ୍ଲା ସ୍କୁଲରେ ତୃତୀୟ ଶିକ୍ଷକ ରୂପେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଅଳ୍ପ ବର୍ଷପରେ ସେ ଘରୋଇ ପରୀକ୍ଷାର୍ଥୀ ଭାବରେ ଏଲ୍‌ଚାଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ମେଧାବୀ ଛାତ୍ରଥିବାରୁ ବିଦ୍ୟାଳୟରେ ପଢ଼ିଥିବା ବିଭିନ୍ନ ବିଷୟ ଉପରେ ତାଙ୍କର ଥିଲା ଅପୂର୍ବ ଦକ୍ଷତା । ଇଂରାଜୀ, ସଂସ୍କୃତ, ବଙ୍ଗଳା, ଓଡ଼ିଆ ଆଦି ଭାଷାରେ ତାଙ୍କର ଗଭୀର ପ୍ରବେଶ ସମକାଳରେ ଅନ୍ୟମାନଙ୍କ ପାଇଁ ଥିଲା ଈର୍ଷାର ବିଷୟ ।

ବାଲେଶ୍ୱରରେ ଶିକ୍ଷକତା କରିବା ସମୟରେ ତାଙ୍କ କବି ପ୍ରତିଭାର ଅଭ୍ୟୁଦୟ ଘଟିଥିଲା । ସେତେବେଳେ ବଙ୍ଗଳା କାବ୍ୟ ଜଗତରେ ଆଧୁନିକତାର ପଥଦ୍ରଷ୍ଟା ଥିଲେ ମାଇକେଲ ମଧୁସୂଦନ ଦତ୍ତ । ପ୍ରକୃତରେ ମାଇକେଲ ହିଁ ଥିଲେ ରାଧାନାଥଙ୍କର ଭାବଗୁରୁ । ମାଇକେଲଙ୍କୁ ଅନୁସରଣ କରି ସେ ବଙ୍ଗଳା କବିତାରେ ହାତ ଦେଇଥିଲେ । ୧୮୬୮ ମସିହାରେ ପ୍ରକାଶିତ ‘କବିତାବଲି’ ଥିଲା ତାଙ୍କର ପ୍ରଥମ କବିତା ସଙ୍କଳନ । ଏହି ଚତୁର୍ଦ୍ଦଶପଦୀ ବଙ୍ଗଳା କବିତାସଂଗ୍ରହ ମାଇକେଲ ମଧୁସୂଦନଙ୍କର ଚତୁର୍ଦ୍ଦଶପଦୀ କବିତା ସଙ୍କଳନର ଦୁଇବର୍ଷ ମଧ୍ୟରେ ଲିଖିତ ଓ ପ୍ରକାଶିତ । ବଙ୍ଗଳା ସାହିତ୍ୟର ଏହା ଦ୍ୱିତୀୟ ସନେଟ ସଙ୍କଳନ । ୧୮୭୩ ମସିହାରେ ପ୍ରକାଶ ପାଇଥିଲା ତାଙ୍କର ଦ୍ୱିତୀୟ ବଙ୍ଗଳା କବିତା ସଙ୍କଳନ ‘କବିତାବଲି ଦ୍ୱିତୀୟ ଭାଗ’ ଓ ୧୯୦୦ ମସିହାରେ ପ୍ରକାଶ ପାଇଥିଲା ପତ୍ରକବିତା ସଂଗ୍ରହ ‘ଲେଖାବଳି’ ।

ରାଧାନାଥ ଅନୁବାଦ ମଧ୍ୟଦେଇ ଓଡ଼ିଆ କାବ୍ୟଜଗତକୁ ପ୍ରବେଶ କରିଥିଲେ । ‘ମେଘଦୂତ’ର ଅନୁବାଦ ୧୮୬୯ ମସିହାରେ ଆଂଶିକ ଭାବରେ ଫକୀରମୋହନଙ୍କ ଦ୍ୱାରା ସମ୍ପାଦିତ ‘ବୋଧଦାୟିନୀ’ରେ ପ୍ରକାଶ ପାଇଥିଲା । ସେତେବେଳେ ବଙ୍ଗଳାରେ ଲେଖିବେ କିମ୍ବା ଓଡ଼ିଆରେ ଲେଖିବେ ଏବଂ ଏହା ମଧ୍ୟରୁ କେଉଁ ବିକଳ୍ପକୁ ଗ୍ରହଣ କରିବେ, ତାହାଥିଲା କବି ରାଧାନାଥଙ୍କ ପାଇଁ ଦ୍ୱନ୍ଦ୍ୱର ବିଷୟ ।

ବାଙ୍କୁଡ଼ା ହାଇସ୍କୁଲରେ ଦ୍ୱିତୀୟ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ସମୟରେ ବାଲେଶ୍ୱର ଜିଲ୍ଲାର ତତ୍‌କାଳୀନ ଡେପୁଟୀ ଇନିସ୍‌ପେକ୍ଟରଙ୍କୁ ସ୍ଥାନାନ୍ତରିତ କରିବା ନିମିତ୍ତ ପ୍ରବଳ ଜନମତ ସଙ୍ଗଠିତ ହୋଇଥିଲା । ଫକୀରମୋହନଙ୍କ ନେତୃତ୍ୱରେ ସେହି ଜନମତର ପ୍ରଭାବ ଯୋଗୁଁ ଓ ତତ୍‌କାଳୀନ କଲେକ୍ଟର ଜନ୍ ବୀମ୍‌ସଙ୍କ ସୁପାରିଶ କ୍ରମେ ରାଧାନାଥ ଡେପୁଟୀ ଇନିସ୍‌ପେକ୍ଟର ଭାବରେ ୧୮୭୨ ମସିହାରେ ବାଲେଶ୍ୱରରେ ଯୋଗ ଦେଇଥିଲେ । ଡେପୁଟୀ ଇନିସ୍‌ପେକ୍ଟର ଭାବରେ ଯୋଗଦେବା ପରେ ରାଧାନାଥ ତାଙ୍କ ବନ୍ଧୁ ବୈକୁଣ୍ଠନାଥ ଦେ ଙ୍କୁ ପ୍ରରୋଚିତ କରି ‘ଉତ୍କଳ ଦର୍ପଣ’ ନାମରେ ଗୋଟିଏ ସାହିତ୍ୟ ପତ୍ରିକା ପ୍ରକାଶ କରାଇଥିଲେ । ସେତେବେଳେ ‘ଉତ୍କଳ ଦର୍ପଣ’ ଥିଲା ଓଡ଼ିଶାର ପ୍ରଥମ ନିରୋଳା ମାସିକ ସାହିତ୍ୟପତ୍ରିକା । ‘ଉତ୍କଳ ଦର୍ପଣ’ ପୃଷ୍ଠାରେ ଓଡ଼ିଶାରେ ନୂତନ ସାହିତ୍ୟର ଏକ ନୂଆ ଅଧ୍ୟାୟ ଉନ୍ମୋଚିତ ହୋଇଥିଲା । ସେହି ‘ଉତ୍କଳ ଦର୍ପଣ’ରେ ରାଧାନାଥ ‘ମେଘଦୂତ’ ଅନୁବାଦ ସଂପୂର୍ଣ୍ଣ କରିବା ସଙ୍ଗେ ସଙ୍ଗେ ‘ଇତାଲୀୟ ଯୁବା’ ନାମରେ ଏକ ନଭେଲା ପ୍ରକାଶ କରିଥିଲେ । ‘ବିବେକୀ’ ଓ ‘କାଳିଦାସ’ ସମେତ ବହୁ ପ୍ରବନ୍ଧ ମଧ୍ୟ ସେ ସେହି ପତ୍ରିକାରେ ପ୍ରକାଶ କରିଥିଲେ । ତାଙ୍କର ‘ପବନ’ ଓ ‘ନିଜ ସୈନ୍ୟ ପ୍ରତି ଶିବାଜୀ’ କବିତା ବି ଏଥିରେ ପ୍ରକାଶ ପାଇଥିଲା । ମଧୁସୂଦନ ରାଓଙ୍କ ମଧ୍ୟରେ ରହିଥିବା କବିସତ୍ତାକୁ ରାଧାନାଥ ଆବିଷ୍କାର କରିପାରିଥିଲେ । ଆଧୁନିକ ବିଦ୍ୟାଳୟରେ ଓଡ଼ିଆ ସାହିତ୍ୟର ପଠନ ପାଠନର ମାର୍ଗ ତାଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଥିଲା । ରାଧାନାଥଙ୍କ ଏହି ସୃଷ୍ଟିସମୂହ ଓ ବିଚାରଦୃଷ୍ଟିକୁ ଆଖି ଆଗରେ ରଖି ତାଙ୍କ ସମକାଳ ତାଙ୍କୁ ଯୁଗସ୍ରଷ୍ଟାର ଆସନରେ ଆସୀନ କରାଇଥିଲା । ଏଭଳି ଆଦାନପ୍ରଦାନ ପଛରେ ଯୁକ୍ତି ଅପେକ୍ଷା ଭାବପ୍ରବଣତା, ତଥ୍ୟ ଅପେକ୍ଷା କ୍ଷମତାର ଚାପ ଅଧିକ କ୍ରିୟାଶୀଳ ହୋଇଥିବା ମନେହୁଏ ।

କାବ୍ୟକାର ଭାବରେ ରାଧାନାଥଙ୍କ ପ୍ରଥମ ଆବିର୍ଭାବ ୧୮୮୫ ମସିହାରେ ହୋଇଥିଲା । ରୋମୀୟକବି ଓଭିଡଙ୍କ ‘ମେଟାମରଫସିସ୍‌’ କାବ୍ୟଗ୍ରନ୍ଥର ଗୋଟିଏ ଅଂଶର ଅବଲମ୍ବନରେ ସେ ଲେଖିଥିଲେ ‘କେଦାରଗୌରୀ’ କାବ୍ୟ । ପରବର୍ତ୍ତୀ ସମୟରେ ‘ଚନ୍ଦ୍ରଭାଗା’, ‘ନନ୍ଦିକେଶ୍ୱରୀ’ ଓ ‘ଉଷା’ରେ ସେ ମୁଖ୍ୟତଃ ଓଭିଡ୍‌ଙ୍କୁ ଅନୁସରଣ କରିଛନ୍ତି । କିନ୍ତୁ ‘କେଦାରଗୌରୀ’ ଭଳି ଏହି ତିନୋଟି କାବ୍ୟରେ ‘ମେଟାମରଫସିସ୍‌’ କେବଳ ତାଙ୍କର ଏକମାତ୍ର ଅବଲମ୍ବନ ହୋଇନାହିଁ । ସଂସ୍କୃତ କାବ୍ୟ, ବିଭିନ୍ନ ଇଂରାଜୀ କାବ୍ୟର ବର୍ଣ୍ଣନା ଏଥିରେ ଅନୁସୃତ ହୋଇଛି । ଏହି ଆହରଣ-ସଂଶ୍ଳେଷ ମଧ୍ୟ ଦେଇ ରାଧାନାଥ ସୃଷ୍ଟି କରିଛନ୍ତି ଏକ ନୂତନ ଧରଣର କାବ୍ୟ ପରମ୍ପରା ଓ ଏହି କାହାଣୀକାବ୍ୟର ପରିଣତି ହେଉଛି ‘ପାର୍ବତୀ’ । ପରେ ‘ଯଯାତିକେଶରୀ’, ‘ଉର୍ବଶୀ’ (ଅସଂପୂର୍ଣ୍ଣ) ପରି କାବ୍ୟ ମଧ୍ୟ ରଚନା କରିଛନ୍ତି । ଏକଥା ସତ୍ୟ ଯେ ‘ପାର୍ବତୀ’ ସ୍ତରକୁ ତାଙ୍କର କୌଣସି କାବ୍ୟ ସ୍ପର୍ଶ କରିପାରି ନାହିଁ । କାରଣ ‘ପାର୍ବତୀ’ କାବ୍ୟର ବିଷୟବସ୍ତୁ ରୂପେ ସେ ଗ୍ରହଣ କରିଛନ୍ତି ଗ୍ରୀକ୍ କାହଣୀର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯାହାକୁ ନେଇ ଗ୍ରୀକ୍ ନାଟ୍ୟକର ଇସ୍କିଲସ୍ ଲେଖିଛନ୍ତି ‘ଆଗାମେମନନ୍‌’ ନାଟକ ଓ ରୋମାନ୍ କବି ସେନେକା ମଧ୍ୟ ସେହି ନାମରେ ଅନ୍ୟ ଏକ ନାଟକ ରଚନା କରିଛନ୍ତି । ରାଧାନାଥ ଯଦିଓ ମୁଖ୍ୟତଃ ସେନେକାଙ୍କୁ ଅନୁସରଣ କରିଛନ୍ତି ‘ପାର୍ବତୀ’ କାବ୍ୟରେ; କିନ୍ତୁ ଇସ୍କିଲସ୍‌ଙ୍କ ‘ଆଗାମେମନନ୍‌’ ଓ ସେକସ୍ପିୟରଙ୍କ ‘ହେମଲେଟ୍‌’ ନାଟକର ଭାବସମ୍ପଦକୁ ସେ ଆତ୍ମସ୍ଥ କରିବାକୁ ଚେଷ୍ଟା କରିଛନ୍ତି । ‘ପାର୍ବତୀ’ କାବ୍ୟର ପରିକଳ୍ପନା ରାଧାନାଥଙ୍କ ଉଚ୍ଚାକାଂକ୍ଷାର କେବଳ ଅଭିବ୍ୟକ୍ତି ନୁହେଁ; ତାର କାହଣୀ ମଧ୍ୟ ଜଟିଳ ଓ ବହୁ ଘାତ-ପ୍ରତିଘାତରେ ପରିପୂର୍ଣ୍ଣ । ତା’ ସହିତ ପରମ୍ପରାର ଏରୁଣ୍ଡିବନ୍ଧ ଅତିକ୍ରମ କରି ରାଧାନାଥ ଏଥିରେ ପିତା-କନ୍ୟାର ଅବୈଧ ସମ୍ପର୍କ ସମ୍ପର୍କ ସଂଯୋଜିତ କରି ଦେଇଛନ୍ତି । ‘ପାର୍ବତୀ’ କାବ୍ୟର କାବ୍ୟଗୁଣ ଅସାମାନ୍ୟ ହେଲେବି ପରମ୍ପରାରେ ବିଶ୍ୱାସ ରଖିଥିବା ଓଡ଼ିଆ ବୁଦ୍ଧିଜୀବୀମାନେ ତାଙ୍କୁ ନୈତିକତାର କାଠଗଡ଼ାରେ ଠିଆ କରାଇ ଦେଇଛନ୍ତି । ଫଳରେ ‘ପାର୍ବତୀ’ କାବ୍ୟ ଶେଷ ପର୍ଯ୍ୟନ୍ତ ରହିଯାଇଛି ଅସଂପୂର୍ଣ୍ଣ ।

‘ପାର୍ବତୀ’ କାବ୍ୟ ପରେ ରାଧାନାଥ ବର୍ଣ୍ଣନାତ୍ମକ କାବ୍ୟର ନୂତନ ପରମ୍ପରା ସୃଷ୍ଟିକରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ରାଧାନାଥ ତାଙ୍କର ବିଭିନ୍ନ କାବ୍ୟରେ ପ୍ରାକୃତିକ ଉତ୍କଳର ଭୂଗୋଳକୁ ପୃଷ୍ଠଭୂମି ବର୍ଣ୍ଣନାଛଳରେ କାବ୍ୟରୂପ ପ୍ରଦାନ କରିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରର ପ୍ରକୃତି ରାଧାନାଥଙ୍କ କାବ୍ୟଭାଷାରେ ଅଭିମନ୍ତ୍ରିତ ହୋଇ ନୂତନ ରୂପ ଲାଭ କରିଥିଲା । ସେଥିପାଇଁ ସେ ନିଷ୍ପତ୍ତି ନେଇଛନ୍ତି ଓଡ଼ଶାର ଏକ ବିଶିଷ୍ଟ ପ୍ରାକୃତିକ ସମ୍ପଦକୁ ନେଇ ସ୍ୱତନ୍ତ୍ର ଭାବେ କାବ୍ୟ ରଚନା କରିବାର ପରମ୍ପରା ସୃଷ୍ଟି କରିବାକୁ । ରାଧାନାଥଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟରେ ଉତ୍କଳୀୟ ପ୍ରକୃତିର ବର୍ଣ୍ଣନା ଥିଲା; ନିର୍ଦ୍ଦିଷ୍ଟ ପ୍ରାକୃତିକ ବିଭବକୁ ନେଇ ବର୍ଣ୍ଣନାତ୍ମକ କାବ୍ୟଧାରାର କ୍ଷୀଣ ଧାରାଟିଏ ମଧ୍ୟ ଥିଲା । କିନ୍ତୁ ରାଧାନାଥ ‘ଚିଲିକା’ କାବ୍ୟ ଭିତରେ ଯେପରି ଓଡ଼ିଶାର ଅତୀତ ଓ ବର୍ତ୍ତମାନକୁ ସଂଶ୍ଳେଷ କରିଛନ୍ତି, ସେଭଳି ପରମ୍ପରା ଓ ପରିକଳ୍ପନା କୌଣସି ପୂର୍ବବର୍ତ୍ତୀ ସମଧର୍ମା ରଚନାରେ ପରିଲକ୍ଷିତ ହୋଇ ନ ଥିଲା । ସେଥିପାଇଁ ‘ଚିଲିକା’ କାବ୍ୟ ରାଧାନାଥଙ୍କ ପାଇଁ ଆଣି ଦେଇଥିଲା କବିଭାବରେ ନୂତନ ପ୍ରସିଦ୍ଧି । ‘ଚିଲିକା’ ଖଣ୍ଡକାବ୍ୟ ପ୍ରକାଶିତ ହେବାର ପରବର୍ତ୍ତୀ ବର୍ଷ ସେ ଆରମ୍ଭ କରିଥିଲେ ମହାଯାତ୍ରା ମହାକାବ୍ୟ । ‘ପାର୍ବତୀ’ କାବ୍ୟ ପରି ‘ମହାଯାତ୍ରା’ ଥିଲା ରାଧାନାଥଙ୍କ ସାହିତ୍ୟିକ ଉଚ୍ଚାକାଂକ୍ଷାର ଉତ୍ତୁଙ୍ଗ ପରିପ୍ରକାଶ । ପାଣ୍ଡବମାନଙ୍କର ହିମାଳୟ ଯାତ୍ରାରୁ ମହାଯାତ୍ରାର ଆରମ୍ଭ । ପାଣ୍ଡବମାନଙ୍କ ମହାଯାତ୍ରା ବର୍ଣ୍ଣନା କରିବା ଅବକାଶରେ କବି ଯୁଧିଷ୍ଠିର ଙ୍କ ଚକ୍ଷୁରେ ଦିବ୍ୟାଞ୍ଜନ ଲଗାଇ ଦେଇ ଐତିହାସିକ ଭାରତବର୍ଷର ଅତୀତ ଇତିହାସକୁ ଉନ୍ମୋଚିତ କରିଛନ୍ତି । ମହାଭାରତ ସହିତ ଏନିଡ୍‌, ପାରାଡାଇଜ୍ ଲଷ୍ଟ ଓ ଟଡ୍‌ଙ୍କ ‘ଆନାଲ୍‌ସ ଆଣ୍ଡ ଆଂଟିକ୍ୱିଟିଜ ଅଫ ରାଜସ୍ଥାନ’ ଓ ମାଇକେଲ ମଧୁସୂଦନ ଦତ୍ତଙ୍କ ‘ମେଘନାଦ ବଧ’କୁ ଏଥିରେ ସେ ସମୀକୃତ କରିଛନ୍ତି । ଅମିତ୍ରାକ୍ଷର ଛନ୍ଦର ଉଦାତ୍ତ ସ୍ୱର ସହିତ ମିଶିଯାଇଛି କବି କଳ୍ପନାର ଶୀର୍ଷତମ ସ୍ତର । ଅସଂପୂର୍ଣ୍ଣ ରହିଯାଇଥିଲେବି ‘ମହାଯାତ୍ରା’ର ମହାକାବ୍ୟିକ ମହିମା ଏବେ ମଧ୍ୟ ମ୍ଳାନ ପଡ଼ିନାହିଁ । ‘ମହାଯାତ୍ରା’ ପରେ ରାଧାନାଥ ଆଉ ଏକ ନୂତନ ଧରଣର କାବ୍ୟ ରଚନା କରିଛନ୍ତି; ଯାହାର ଶୀର୍ଷକ ହେଉଛି ‘ଦରବାର’ । ‘ଦରବାର’ କାବ୍ୟରେ ଓଡ଼ିଶାର ପାରମ୍ପରିକ ସାମନ୍ତ ଓ ନୂତନ ମଧ୍ୟବିତ୍ତ ବର୍ଗ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରି ବିଲୟମାନ ଉତ୍କଳର ମହାନ୍ ଗୌରବକୁ କିପରି ଅଧୋପତନର ନିମ୍ନତମ ସ୍ତରକୁ ଓହ୍ଲାଇ ଆଣିଛନ୍ତି, ତା’ର ଚିତ୍ର ପ୍ରଦାନ କରାଯାଇଛି ।

ଓଡ଼ିଆ କବି ଭାବରେ ରାଧାନାଥ ବିଶେଷ ଭାବରେ ଓଡ଼ିଆ ସାହିତ୍ୟରେ ପରିଚର୍ଚ୍ଚିତ ହୋଇଥିଲେ ହେଁ ଗଦ୍ୟଶିଳ୍ପୀ ରାଧାନାଥ ପ୍ରାୟତଃ ରହିଯାଇଛନ୍ତି ଅନାଲୋଚିତ । ଅନୁଶୀଳନାତ୍ମକ, ଚିନ୍ତାପୂର୍ଣ୍ଣ ଓ ଚିନ୍ତା ଉଦ୍ରେକକାରୀ ଅଥଚ ମନଛୁଆଁ ଗଦ୍ୟ ରଚନାର ଚମତ୍କାର ଦୃଷ୍ଟାନ୍ତ ହେଉଛି ରାଧାନାଥଙ୍କ ଗଦ୍ୟରଚନା । ତାଙ୍କର ବିବେକୀ; ଇଂରାଜୀରେ ଯାହାକୁ କୁହାଯାଏ ‘ESSAY’, ତା’ର ଅନ୍ୟତମ ପ୍ରାଥମିକ ପ୍ରୟାସ ହେଉଛି ଏହି ରଚନାଟି । ଅବଶ୍ୟ ରାଧାନାଥଙ୍କ ପୂର୍ବରୁ ଓଡ଼ଆ ସାହିତ୍ୟରେ ପ୍ରବନ୍ଧ ରଚନାର ଭିତ୍ତି ପଡ଼ି ସାରିଥିଲା । ଗୌରୀଶଙ୍କର ରାୟ, ଫକୀରମୋହନ ସେନାପତି ଆଦି ସମକାଳୀନ ସମସ୍ୟାକୁ ଆଧାର କରି ଅନେକ ପ୍ରବନ୍ଧ ରଚନା କରିଥିଲେ । ଅର୍ଥାତ୍ ସେମାନେ ପ୍ରବନ୍ଧ ରଚନାର ଭିତ୍ତି ପକାଇଥିଲେ ସାମସମୟିକ ସମସ୍ୟା ଆଧାରିତ ପ୍ରବନ୍ଧାବଳୀ ମାଧ୍ୟମରେ । ମାତ୍ର ରାଧାନାଥଙ୍କ ‘ବିବେକୀ’ ପ୍ରବନ୍ଧର ମନସି୍ୱତା ବା ମନନଶୀଳତା, ଚାତୁର୍ଯ୍ୟ ପୂର୍ବରୁ ରଚନା କରାଯାଇଥିବା ପ୍ରବନ୍ଧଗୁଡ଼ିକରେ ପରିଲକ୍ଷିତ ହୋଇ ନ ଥିଲା । ‘ଉତ୍କଳ ଦର୍ପଣ’ ପୃଷ୍ଠାରେ ‘ଧନଞ୍ଜୟ ସିଂହ’ ଓ ‘ଇତାଲୀୟ ଯୁବା’ ମାଧ୍ୟମରେ ଆଧୁନିକ ରୀତିରେ ନଭେଲାର ଅୟମାରମ୍ଭ ହୋଇଥିଲା ଏବଂ ‘ଇତାଲୀୟଯୁବା’ର ଲେଖକ ଥିଲେ ରାଧାନାଥ ରାୟ ।

ରାଧାନାଥ କେବଳ ‘ମେଘଦୂତ’ର ଅନୁବାଦ କରି ନ ଥିଲେ; କାଳିଦାସଙ୍କ କାବ୍ୟକୁ ଆଧାରକରି ‘କାଳିଦାସ’ ଶୀର୍ଷକରେ ପ୍ରବନ୍ଧ ମଧ୍ୟ ରଚନା କରିଥିଲେ, ଯାହା ଥିଲା ସେତେବେଳେ ଜୀବନଚରିତ ଉପସ୍ଥାପନ ଓ କାବ୍ୟ ବିଶ୍ଳେଷଣର ପ୍ରାଥମିକ ପ୍ରବନ୍ଧ ରୂପ । ହୁଏତ ସବୁକ୍ଷେତ୍ରରେ ରାଧାନାଥ ପ୍ରଥମ ସୂରିର ମର୍ଯ୍ୟାଦା କାଳକ୍ରମ ଦୃଷ୍ଟିରୁ ନ ପାଇ ପାରନ୍ତି; ମାତ୍ର ଏହି ସମସ୍ତ ପ୍ରାରୂପକୁ ବ୍ୟାପ୍ତି, ଗଭୀରତା ପ୍ରଦାନ କରିବା କ୍ଷେତ୍ରରେ ତଥା ଉପସ୍ଥାପନଗତ କୌଶଳ ଦୃଷ୍ଟିରୁ ନୂତନ ସୌନ୍ଦର୍ଯ୍ୟ ଦେବାରେ ରାଧାନାଥ ଯେ ଅଗ୍ରଗଣ୍ୟ, ଏହାକୁ ଅସ୍ୱୀକାର କରାଯାଇ ନ ପାରେ ।

ବଙ୍ଗଳା କବିତାର କବିଭାବରେ ରାଧାନାଥ ବିଶେଷ ଖ୍ୟାତିଲାଭ କରିପାରି ନାହାନ୍ତି । ବଙ୍ଗଳା ସାହିତ୍ୟରେ ମାଇକେଲଙ୍କ ପରେ ଯେଉଁ ସୁବର୍ଣ୍ଣଯୁଗର ଆବିର୍ଭାବ ଘଟିଥିଲା, ସେହି ଯୁଗର ଅନ୍ୟ କାବ୍ୟକାରମାନଙ୍କ ଦୀପ୍ତି ନିକଟରେ ରାଧାନାଥଙ୍କ ଦ୍ୱାରା ରଚିତ ବଙ୍ଗଳା କବିତାର ଦୀପ୍ତି ଅନେକାଂଶରେ ମ୍ଳାନ ଓ ନିଷ୍ପ୍ରଭ । ସେ କେବଳ ମାଇକେଲ ମଧୁସୂଦନଙ୍କ ଅନ୍ୟତମ ଅନୁକାରୀ ସ୍ତରରେ ରହିଯାଇଛନ୍ତି । କବି ଜୀବନର ପ୍ରାରମ୍ଭରେ ତାଙ୍କର ବଙ୍ଗଳା କବିତାଗୁଡ଼ିକ ଲେଖାଯାଇଥିବାରୁ ଅନେକ ସମୟରେ ସେ ବହୁ ବ୍ୟବହୃତ କାବ୍ୟଭାଷା ଏବଂ ବିଷୟବସ୍ତୁକୁ ବ୍ୟବହାର କରିଛନ୍ତି; କିନ୍ତୁ ସ୍ୱତନ୍ତ୍ର ଭାବରେ ଅଧ୍ୟୟନ କଲେ ‘କବିତାବଲି’ ଦ୍ୱିତୀୟ ଭାଗର ଦୁଇଟି ଦୀର୍ଘ କବିତା ଓ ‘ଲେଖାବଳି’ର ପତ୍ର କବିତାଗୁଡ଼ିକ ଅନନ୍ୟସାଧାରଣ କାବ୍ୟଶୈଳୀର ଯେ ଅଧିକାରୀ, ସ୍ୱୀକାର କରିବାକୁ ପଡ଼ିବ । ରାଧାନାଥଙ୍କ ଓଡ଼ିଆ କାବ୍ୟର ଅନୁପୂରକ ହେଉଛି ତାଙ୍କର ବଙ୍ଗଳା ରଚନାଗୁଡ଼ିକ ।

ଓଡ଼ିଆ ସାହିତ୍ୟରେ ରାଧାନାଥ ଯେଉଁ କାବ୍ୟଶୈଳୀ ଓ ଧାରାର ପ୍ରୟୋଗ କରିଥିଲେ, ସମକାଳରେ ଅନେକ ଓଡ଼ିଆ କବି ତା’ର ଅନୁସରଣ କରିଥିଲେ । ତାଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ପାଶ୍ଚାତ୍ୟ ଭାବଧାରା ମାଧ୍ୟମରେ ସମକାଳୀନ କେତେକ ସ୍ରଷ୍ଟା ନିଜ ସୃଷ୍ଟିକୁ ନୂଆ ଭାବ ପ୍ରଦାନ କରିବାକୁ ପ୍ରଚେଷ୍ଟା କରିଛନ୍ତି । ବିଭିନ୍ନ କାରଣରୁ ରାଧାନାଥ ତାଙ୍କ ସମୟରେ ସମାଲୋଚିତ ହୋଇଥିଲେ ହେଁ, ସେ ଯେଉଁ ନୂତନ କାବ୍ୟ ସ୍ୱରଟି ଓଡ଼ିଆ କାବ୍ୟରାଜ୍ୟରେ ସଂଚାରିତ କରିଥିଲେ ତାହା ଆମ ପାରମ୍ପରିକ କାବ୍ୟଧାରାରେ ଆଣିଥିଲା ପରିବର୍ତ୍ତନ । ଏହି ପରିବର୍ତ୍ତନ ଆଧାରରେ ଓଡ଼ିଆ ସାହିତ୍ୟରେ ପରବର୍ତ୍ତୀ ସମୟରେ ଅନେକ ନୂଆ ସ୍ୱର ଓ ଭାବବସ୍ତୁ ଯୋଡ଼ି ହୋଇଯାଇଥିଲା । ତେଣୁ ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟ ଇତିହାସରେ ରାଧାନାଥ ନିଶ୍ଚିତ ଭାବରେ ଏକ ମାଇଲସ୍ତମ୍ଭ, ଏହାକୁ ଅସ୍ୱୀକାର କଲେ ଇତିହାସର ଅବମାନନା ହେବ । ଏହି ମହାନ୍ କାବ୍ୟସ୍ରଷ୍ଟାଙ୍କର ତିରୋଧାନ ହୋଇଥିଲା ଏପ୍ରିଲ ୧୭, ୧୯୦୮ ମସିହାରେ ।

Radhanath Ray

Radhanath Ray
Radhanath Ray

ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟ ଇତିହାସରେ କବିବର...