ଗ୍ରାମ୍ୟ ମହାଜନମାନଙ୍କର ଅମାନବିକତା, ଅର୍ଥଲାଳସା ସାଧାରଣ ମଣିଷଙ୍କ ଜୀବନରେ ଯେଉଁ ବିପର୍ଯ୍ୟୟର ସୂତ୍ରପାତ କରୁଥିଲା, ତାର ବାସ୍ତବ ଆଲେଖ୍ୟ ଦେଖିବାକୁ ମିଳିଥାଏ ଅଧର୍ମବିତ୍ତ ଗଳ୍ପରେ । କୁବେର ସାହୁ ସେହିପରି ଏକ ଚରିତ୍ର ଯା’ର ସଇତାନୀ ଋଣଜାଲରୁ ଖାତକଙ୍କର ମୁକ୍ତି ପାଇବା ଥିଲା ଅସମ୍ଭବ । ଧର୍ମ ନାମରେ ଶୋଷଣର ମାୟାଜାଲ ସୃଷ୍ଟିକରି ନିଜର ଅର୍ଥର ପାହାଡ଼କୁ ଆହୁରି ସୁଉଚ୍ଚ କରିବାର ସ୍ୱପ୍ନ ସେ ଦେଖେ । ଅଧିକ ଯୌତୁକ ଲୋଭରେ ଏକମାତ୍ର ପୁତ୍ର ବୌଦ ଇଲାକାର ଯୁଧିଷ୍ଠିର ସାହୁଙ୍କ କନ୍ୟା ସହିତ ବିବାହ କରିବାକୁ ସ୍ଥିର କରି ଖାତକମାନଙ୍କଠାରୁ କଳନ୍ତର ଓ କରଜ ଟଙ୍କା ଅମାନୁଷିକ ଭାବେ ଆଦାୟ କରିବାକୁ ଲାଗେ । ଧର୍ମପ୍ରାଣା ପତ୍ନୀ ଅନ୍ୟର ଦୁଃଖରେ ବିଚଳିତ ତଥା ସ୍ୱାମୀର ଅମାନବିକ ଆଚରଣ ଯୋଗୁଁ ଅନ୍ନ ଛାଡିଦେବା ସତ୍ତ୍ୱେ ତାର କୌଣସି ପ୍ରଭାବ ପଡ଼େ ନାହିଁ କୁବେର ସାହୁ ଉପରେ । ଧନରତ୍ନ, ଯାନିଯୌତୁକ ସହିତ ନଦୀ ପଥରେ ଫେରିବା ସମୟରେ ଅଚାନକ ବର୍ଷା ଓ ଝଡ଼ର ସାମ୍ନା କରିବାକୁ ପଡ଼େ କୁବେର ସାହୁକୁ । ଏହି ପ୍ରାକୃତିକ ଦୁୁର୍ବିପାକରେ ପୁଅ-ବୋହୁ ତଥା ଅର୍ଥଲୋଭୀ କୁବେର ସାହୁର ଶେଷ ପରିଣତି କିପରି ହେଲା ତାର ସବିଶେଷ ତଥ୍ୟ ଜାଣିବା ପାଇଁ ଶୁଣନ୍ତୁ ଫକୀରମୋହନଙ୍କର ଏହି ‘ଅଧର୍ମ ବିତ୍ତ’ ଗଳ୍ପଟିକୁ ।
One response to “Adharma Bitta”