N Aa
Add to Library  

ଓଡିଆ ସାହିତ୍ୟର ଅନନ୍ୟ କଥାଶିଳ୍ପୀ ସ୍ଵର୍ଗତଃ ଗୋଦାବରୀଶ ମାହାପାତ୍ର ପ୍ରତିଟି ଓଡିଆ ସାହିତ୍ୟପ୍ରେମୀଙ୍କ ପାଇଁ ଏକ ବରେଣ୍ୟ ଓ ସଶ୍ରଦ୍ଧ ନାମ । ବିଂଶ ଶତାବ୍ଦୀର ତୃତୀୟ ଓ ଚତୁର୍ଥ ଦଶନ୍ଧିରେ ଓଡିଆ ସାହିତ୍ୟକୁ ସଶକ୍ତ ଓ ସମୃଦ୍ଧ କରିବାରେ ଯେଉଁ କେତେ ଜଣ ସାରସ୍ଵତ ସାଧକ ସେମାନଙ୍କ ଅତୁଳନୀୟ ଅବଦାନ ପାଇଁ ଚିର ସ୍ମରଣୀୟ, ସେମାନଙ୍କ ମଧ୍ୟରୁ ସ୍ଵର୍ଗତଃ ମହାପାତ୍ର ଅନ୍ୟତମ । ୧୮୯୮ ରେ ଜନ୍ମିତ ଏଇ ବରେଣ୍ୟ କଥାକାର ତାଙ୍କର ଉଚ୍ଚାଙ୍ଗ ସାହିତ୍ୟିକ ପ୍ରତିଭା ପାଇଁ ଉଭୟ ସାହିତ୍ୟ ଅକାଦେମୀ ଓ ଓଡିଶା ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ ହେଇଛନ୍ତି । ୧୯୬୫ ରେ ଇହଲୀଳା ସମ୍ବରଣ କରିଥିବା ଏହି ପ୍ରଚଣ୍ଡ ସାହିତ୍ୟିକ ପ୍ରତିଭା ତାଙ୍କର ଅମଳିନ ସୃଷ୍ଟି ସମ୍ଭାର ପାଇଁ ଚିରଦିନ ମନେ ରହିଥିବେ ।
ସାଧାରଣ ମଣିଷର ଦୁଃଖଦୁର୍ଦ୍ଦଶା, ବିଷାଦ ବିଷର୍ଣ୍ଣତା, ସୁଖଶାନ୍ତି, ପୁଲକ ଓ ହିଲ୍ଲୋଳକୁ ନେଇ ଭାବପୂର୍ଣ୍ଣ କାହାଣୀ ପରିବେଷଣ କରିବାରେ ସିଦ୍ଧହସ୍ତ ଗାଳ୍ପିକ ଶ୍ରୀ ମହାପାତ୍ର । ତାଙ୍କ ରଚିତ କାହାଣୀ “ପଟନାୟକେ, ପଇସାଟିଏ” – ତତ୍କାଳୀନ ସମାଜରେ ଜଣେ ଲୁଣ୍ଠିତ ଓ ଜଣେ ଲୁଣ୍ଠନକାରୀର ଜୀବନରେ ଆସିଥିବା ବିଡମ୍ବନାକୁ ଅତି ନିଖୁଣ ଭାବରେ ପରିପ୍ରକାଶ କରେ । ଜୀବନରେ ସର୍ବସ୍ଵ ହରାଇଥିବା ସୁବୁଦ୍ଧି, ତା’ ଦୁର୍ଦ୍ଦଶାର ଚରମ କାରଣ ପଟନାୟକର ପ୍ରତିଛବିକୁ ପ୍ରତିଟି ମଣିଷ ଭିତରେ ଦେଖେ । ତେଣୁ ସେ ବସ୍ ଷ୍ଟାଣ୍ଡ ରେ ଭିକ ମାଗିବାବେଳେ ସମସ୍ତଙ୍କୁ ସେଇ ସମାନ ନାମରେ ସମ୍ବୋଧନ କରୁଥାଏ – “ପଟନାୟକେ, ପଇସାଟିଏ” । ନିଜର ଲୁଣ୍ଠିତ ଜୀବନର କଷ୍ଟ ଓ ଯନ୍ତ୍ରଣାରେ ସୁବୁଦ୍ଧି ଘାଣ୍ଟି ଚକଟି ହେଇ ଜରାଜୀର୍ଣ୍ଣ ହେଇ ପଡିଥିବା ବେଳେ ଅନ୍ୟ ପଟରେ ଲୁଣ୍ଠନକାରୀ, ସୁଧ ଖୋର୍ ମହାଜନ ପଟନାୟକ ଅଦୃଶ୍ୟ ଅଭିଶାପର ଶିକାର ହେଇ ହରାଇ ବସେ ନିଜର ମାନସିକ ସ୍ଥିତି । ଘଟଣାକ୍ରମେ କାହାଣୀର ଅନ୍ୟତମ ଚରିତ୍ର ଗାଳ୍ପିକ ନିଜେ ତାଙ୍କ ଭିତରେ ଏଇ ଦୁଇଟିଯାକ ବ୍ୟଥାତୁର ପ୍ରାଣ ସମ ତାଳରେ ନୃତ୍ୟ କରିବା ଅନୁଭବ କରନ୍ତି । ସମସ୍ତଙ୍କ ଭିତରେ ପଟନାୟକକୁ ଦେଖୁଥିବା ସୁବୁଦ୍ଧି, ପୁଣି ସମସ୍ତଙ୍କ ଭିତରେ ସୁବୁଦ୍ଧିକୁ ଦେଖୁଥିବା ପଟନାୟକ – ଏଇ ଦୁଇଜଣଙ୍କ ଜୀବନର ବ୍ୟଥା ଓ ବିଡମ୍ବନା ଅତି ସୂକ୍ଷ୍ମ ଓ ସାବଲୀଳ ଭାବରେ ଚିତ୍ରଣ କରାଯାଇଛି ।
ଘଟଣାର କ୍ରମ, ଚରିତ୍ରମାନଙ୍କ ନିଖୁଣ ଚିତ୍ରଣ ଓ କାହାଣୀର ଶୈଳୀ ଏତେ ମାର୍ମିକ ଓ ଜୀବନ୍ତ ଯାହାକୁ ଶୁଣି ଯେ କେହି ପାଠକ ବିମୋହିତ ହେବା ଅବଶ୍ୟମ୍ଭାବୀ । ଆସନ୍ତୁ ଶୁଣିବା, ଏଇ ମନୋଜ୍ଞ କାହାଣୀଟିକୁ । ଗଳ୍ପ – “ପଟନାୟକେ, ପଇସାଟିଏ” ଗାଳ୍ପିକ – ଗୋଦାବରୀଶ ମହାପାତ୍ର ।

2 responses to “Patanayke, Paisatie”

  1. 7608883762 says:

    very good♡♡♡♡♡♡

    (4/5)
  2. 7608883762 says:

    good♡♡♡♡♡♡

    (4/5)

Comments