ଜୀବନବାଦୀ ସୁରେନ୍ଦ୍ର ଜୀବନ-ବିରୋଧୀଙ୍କ ପ୍ରତି ସ୍ୱାଭାବିକ ଭାବରେ ତୀବ୍ର ପ୍ରତିକ୍ରିୟାଶୀଳ । ଜନ୍ମ, ମୃତ୍ୟୁ, ଜୀବନ ଓ ନିର୍ବାଣକୁ ନେଇ ବୋଦ୍ଧଧର୍ମର ଅଜବ ଯୁକ୍ତି ପ୍ରତି ସେ ସମ୍ପୂର୍ଣ ନିଷ୍ପୃହ। ଜୀବନ ହିଁ କାମ୍ୟ । ପୂର୍ବଜନ୍ମ ଓ ପରଜନ୍ମକୁ ନେଇ ଅଯଥା କାଳ୍ପନିକ ମିଥ୍ୟା ସମ୍ବନ୍ଧରେ ତାଙ୍କ ମନରେ ଅସୁମାରୀ ପ୍ରଶ୍ନ । ବୌଦ୍ଧଧର୍ମର ବିଲୁପ୍ତି ପାଇଁ କାମନାହୀନ କାମନା ଯେ ମୁଖ୍ୟତଃ ଦାୟୀ, ଏ ସମ୍ପର୍କରେ ସଚେତନ ଥିଲେ ଜୀବନକୁ ନିଷ୍ଠାର ସହ ଭଲ ପାଉଥିବା ସୁରେନ୍ଦ୍ର । ଏହି ଧର୍ମକୁ ନେଇ ତାଙ୍କର ପ୍ରଥମ ପ୍ରତିକ୍ରିୟାର କଳାତ୍ମକ ଅଭିବ୍ୟକ୍ତି ହେଉଛି ‘ସାରୀପୁତ୍ତ’ ଗଳ୍ପ । ମାତୃତ୍ୱର ବିକଳ ପ୍ରତୀକ୍ଷାକୁ ଅସ୍ୱୀକାର କରୁଥିବା ଏହି ଜୀବନବିରୋଧୀଙ୍କ ପାଇଁ ବିଧବା ରୂପଶ୍ରୀଙ୍କ ହୃଦୟରୁ ସନ୍ତାନ ପାଇଁ କେଉଁ ପ୍ରକାର ଆଶୀର୍ବାଦ ଆଶା କରାଯାଇପାରେ ? ଆସନ୍ତା ଫାଲଗୁନ ପୂର୍ଣ୍ଣମୀ ଦିନ ପୁତ୍ର ଫେରିଆସିବାର ବାର୍ତ୍ତାଟିଏ ଦେଇଥିଲା ବୌଦ୍ଧ ଶ୍ରମଣ । ବିଧବା ରୂପଶ୍ରୀର ଏକମାତ୍ର ପୁତ୍ର ସାରୀପୁତ୍ତ ସେଦିଅଁ ‘ନିର୍ବାଣ’ ନାଟକ ଦେଖିବା ପରେ ଗୃହତ୍ୟାଗ କରି ହୋଇଥିଲା ବୁଦ୍ଧଙ୍କ ଶିଷ୍ୟ-ଶିରୋମଣି ସାଧକଶ୍ରେଷ୍ଠ ସାରୀପୁତ୍ତ । ସେହିଦିନରୁ ସାରୀପୁତ୍ତର ଅପେକ୍ଷାରେ ବିଧବା ରୂପଶ୍ରୀର ଦୀର୍ଘ ଓ ଅକ୍ଲାନ୍ତ ପ୍ରତୀକ୍ଷା । ଅବଶେଷରେ ପୁତ୍ର ପ୍ରତ୍ୟାବର୍ତ୍ତନ କରେ । ପୁତ୍ର-ପ୍ରତୀକ୍ଷିତା ଏବଂ ତାର ଗାର୍ହସ୍ଥ୍ୟ ପରିକଳ୍ପନାରେ ବିଭୋର ରୂପଶ୍ରୀ ପୁର୍ଣିମାର ତିଳତଣ୍ଡୁଳିତ ଛାୟାଚ୍ଛନ୍ନତା ଭିତରେ ଯେଉଁ ସାରୀପୁତ୍ତଙ୍କୁ ଭେଟେ, ସେ କ’ଣ ତା’ର ସେଇ ଆକାଂକ୍ଷିତ ପୁତ୍ର ? ମାତାଙ୍କ ଇହକାଳ ଓ ପରକାଳକୁ ସାର୍ଥକ କରିବା ପାଇଁ କ’ଣ ଯାଚଜ୍ଞା ଥିଲା ପୁତ୍ରର ? ନିର୍ବାଣର ଅନନୁଭୂତ ପ୍ରାପ୍ତି ଏବଂ ବୌଦ୍ଧସଂଘ ସମ୍ପର୍କରେ ‘ବୁଦ୍ଧଂ ଶରଣଂ ଗଚ୍ଛାମି’ ଉଚ୍ଚାରଣ କରୁଥିବା ଶ୍ରମଣ ସାରୀପୁତ୍ତ ପାଇଁ କେଉଁ ପ୍ରକାର ଆଶୀର୍ବଚନ ଥିଲା ମାତା ରୂପଶ୍ରୀର ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଶୁଣନ୍ତୁ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଅନବଦ୍ୟ ଗଳ୍ପ ‘ସାରୀପୁତ୍ତ’।