N Aa
Add to Library  

ଏକ ଭାବପ୍ରବଣତା, କିଛି ବ୍ୟକ୍ତି ସ୍ୱାର୍ଥ, ଅନେକ ଅସହିଷ୍ଣୁତା ଓ କ୍ଷମତା-ପଦବୀ ଦ୍ଵନ୍ଦ୍ଵକୁ ନେଇ ଗୋଟିଏ ଭାରତ ହୋଇଗଲା ଖଣ୍ଡ-ବିଖଣ୍ଡିତ ୲ ସକାଳେ ଯେଉଁ ଦୁଇଟି ସମ୍ପ୍ରଦାୟ ନିଜକୁ ଭାଇ ଡାକରେ ସମ୍ମୋହିତ କରିଦେଉଥିଲେ ମାତ୍ର କେତୋଟି ଘଣ୍ଟା ବ୍ୟବଧାନରେ ସେମାନେ ହୋଇଗଲେ ପରସ୍ପରର ପରମଶତ୍ରୁ ୲ ଇତିହାସର ଏହି କ୍ରୁର ଇଙ୍ଗିତରେ ବଳି ପଡ଼ିଥିଲେ ‘ହନି ମାଷ୍ଟର୍’ ପରି ଶହ ଶହ ସରଳ ଓ ମାଟିକୁ ନିଃସର୍ତ୍ତ ଭଲପାଉଥିବା ମଣିଷ ୲ କ’ଣ ଥିଲା ସେମାନଙ୍କ ଦୋଷ ୲ କାହିଁକି ସେମାନେ ଢାକକା , ସୁଲତାନଗଞ୍ଜ, ଖଲନା—-, ଯେଶୋର, ମୈମନ୍ ସିଂ, ନାରାୟଣଗଞ୍ଜ, ଟିଟାଗଙ୍ଗ – କେଉଁଠି ହେଲେ ଖୋଜି ପାଉନଥିଲେ ଜୀବନର ଉତ୍ସମୂଳ ୲ ସାମ୍ପ୍ରଦାୟିକ ଦଙ୍ଗା ମଣିଷ ପ୍ରାଣରୁ ପୋଛିଦେଉଥିଲା ଦୟା, ମମତା ଓ ଶ୍ରଦ୍ଧାର ଆବେଗାୟିତ ଭାବପ୍ରବଣତାକୁ ୲ ସେହି ସରଳ ମଣିଷ କେତୋଟି ବୁଝି ପାରୁନଥିଲେ ଯେଉଁ ଦେଶ, ମାଟି ତା’ ଜୀବନର ମୂଳଉତ୍ସ ଥିଲା, ସେଥିରୁ କିଏ ତାକୁ କଲା ବେଦଖଲ, ବଂଚିତ ଓ ନିର୍ବାସିତ ! କାହାଦ୍ୱାରା ଅଭିଶପ୍ତ ହୋଇ ଅଜ୍ଞାତବାସର ଦୈନକୁ ନେଇ ଫକୀରଟିଏ ହେବାକୁ ପଡିଲା ତାକୁ ୲ ରାଜନୈତିକ ଷଢ଼ୟନ୍ତ୍ର, କାମଳ ସାମ୍ବାଦିକତା ଓ ବ୍ୟକ୍ତିଗତ ଉଚ୍ଚାଭିଳାଷ ଜାତି ଏବଂ ଧର୍ମକୁ ନେଇ ଯେଉଁ ଭେଦ-ଭାବର ପାଚେରି ସୃଷ୍ଟି କରିଛି, ସେଥିରେ ବଳି ପଡିଯାଇଛନ୍ତି ହିନ୍ଦୁ-ମୁସଲମାନ-ଖ୍ରୀଷ୍ଟିୟାନ ଚେତନାର ଉର୍ଦ୍ଧ୍ଵରେ କେବଳ ମଣିଷକୁ ଭଲପାଉଥିବା ଉଦାର ଭାରତୀୟତାର ପ୍ରମୂର୍ତ୍ତ ମଣିଷଗୁଡ଼ିକ ୲ ସ୍ୱାଧୀନ ଭାରତବର୍ଷ କାହାର ? ଅମିତାଭ ପରି କପଟ ସାମ୍ବାଦିକର ନା ରେସ୍ତେରାଁ ମାଲିକ ପରି ନୀଚ୍ଚ ରାଜନୀତିକ ନେତା ଅଥବା ସାମ୍ପ୍ରଦାୟିକ ଦଙ୍ଗାରୁ ଫାଇଦା ଉଠାଇବାକୁ ଚାଁହୁଥିବା କିଛି ମୁଷ୍ଟିମେୟ ମଣିଷ ଶରୀରଧାରୀ ଅମଣିଷଙ୍କର ? କାହିଁକି ଯେଉଁ ହନି ମାଷ୍ଟର୍ ପାକିସ୍ଥାନ୍ କୁ ‘ନୂତନ ମକକା’ ଓ ମର୍ତ୍ତ୍ୟରେ ‘ଜନ୍ନତ୍’ ବୋଲି ଭାବୁଥିଲା, ତା’ର ହେଲା ମୋହଭଙ୍ଗ ୲ କେଉଁ ପରିବେଶ ଓ ଅମାନବିକ ଆଚରଣ ତାକୁ ବାଧ୍ୟ କରିଥିଲା ଭାବିବାକୁ ଯେ ମୁଷ୍ଟିମେୟ ଧର୍ମାନ୍ଧଙ୍କର କ୍ଷମତାଲିପ୍ସା ଅଖଣ୍ଡିତ ଭାରତକୁ କରିଥିଲା ଖଣ୍ଡିତ ଓ ରକ୍ତରଞ୍ଜିତ ? ଆକାଶ ତଥାପି ସୁନୀଳ ଥିବାବେଳେ, ତା’ର ଶ୍ୟାମଳିଆ ମୂଗ୍ଧତାର ହାତ ବଢ଼ାଇ ଦେଉଥିବାବେଳେ, ପୃଥିବୀ ହଠାତ୍ ସବୁଜିମା ହରାଇ କାହିଁକି ହୋଇପଡୁଛି ଗୈରିକ ଓ ରକ୍ତବର୍ଣ୍ଣ ? ଏହି ଅନେକ “କାହିଁକି”ର ଉତ୍ତର ପାଇବା ପାଇଁ ଆସନ୍ତୁ ଶୁଣିବା କ୍ଲାସିକ୍ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତିଙ୍କ ଅନ୍ୟତମ ମାନବବାଦୀ ଶେଷ୍ଠଗଳ୍ପ “ଆକାଶ ତଥାପି ସୁନୀଳ’ ୲

Comments