ଏକ ଭୟଙ୍କର ଯୁଗ-ସଂକ୍ରାନ୍ତିର କଳାକୋଣାର୍କ ‘ମାଂସର କୋଣାର୍କ’ । କୁହାଯାଏ ଯିଏ ନିଜ ଶୋଷକୁ ଯେତେ ପରିମାଣରେ ଚିହ୍ନିଛି, ସେ ସେହିପରି ଦାର୍ଶନିକ ଓ କଳାକାର । କ୍ଷୁଧାର ସୁଦୀର୍ଘ ଯନ୍ତ୍ରଣା ମଣିଷକୁ ତା’ର ନୈତିକ ବିଚାରର ପୁନଃ ମୂଲ୍ୟାୟନ ପାଇଁ ବାଧ୍ୟ କରେ । ଜଠର କ୍ଷୁଧା ଓ ଯୌନକ୍ଷୁଧା ମଣିଷର ସବୁଠାରୁ ଦୁଇଟି ମାରାତ୍ମକ କ୍ଷୁଧା । ମଣିଷ ତା’ର ଜୈବିକ ଆବଶ୍ୟକତାକୁ ଅସ୍ୱୀକାର କରିପାରେ ନାହିଁ । ମଣିଷ ଯେମିତି ଛଳନାର ନାଗପାଶରେ ବନ୍ଦୀ । ବିଭବଶାଳୀ ମହାନଗର ଦିଲ୍ଲୀର ଏହି ସାଂସ୍କୃତିକ ଦ୍ଵନ୍ଦ୍ଵକୁ ଭେଟିଛନ୍ତି ଗଳ୍ପନାୟକ । ଡ୍ରାଇ ଡେ ସଂସ୍କୃତି ମଣିଷକୁ ଅଧିକ ମାତାଲ କରେ; ଯେମିତି ଛାଡ଼ଖାଇର ଆମିଷ ନିଶା । ଗୋଟେ ଦିନ ଆଚରନିଷ୍ଠ ଓ ସଚ୍ଚରିତ୍ର ଭାବରେ ବଂଚିବାକୁ ହେଲେ ସୁଧମୂଳ ଭାବରେ ତା’ପୂର୍ବଦିନ ବା ପରଦିନରେ ମନଭରି ଉପଭାଗ କରିବାର ଅଛି, ଏହି ବୌଦ୍ଧିକ ଶଠତା ଓ ଭାରତୀୟ ଆତ୍ମପ୍ରବଂଚନା ପ୍ରତି ଗଳ୍ପନାୟକ ଭୀଷଣ ଭାବରେ ପ୍ରତିକ୍ରିୟାଶୀଳ । ନୀତିବାଗୀଶଙ୍କର ଏହି ସୁପରିକଳ୍ପିତ ଚାଲବାଜିକୁ ବୁଝିଛନ୍ତି ବୋଲି ସେ ବାସ୍ତବବାଦୀ । ମଦ ବିରୋଧରେ ଭାଷଣ ଦେଉଥିବା ସନ୍ଥ ନେତାମାନେ ଏହି ବ୍ୟବସାୟୀଙ୍କଠାରୁ ମୋଟା ଅଙ୍କର ଚାନ୍ଦା ନିଅନ୍ତି । ଲଟେରୀ ଟିକେଟବାଲାର ସଂଘର୍ଷମୟ ଜୀବନ ଗଳ୍ପନାୟକଙ୍କୁ ଉଭୟ ପ୍ରତିକ୍ରିୟାଶୀଳ ଓ ଚିନ୍ତିତ କରେ । ନିର୍ଜନ ଫ୍ଲାଟରେ ଟିକେଟବିକାଳି ଗଳ୍ପନାୟକଙ୍କ ସହିତ ମଦ୍ୟପାନ ସମୟରେ କାନ୍ଥରେ ଅର୍ଦ୍ଧନଗ୍ନ ମହିଳାଛବି ଦେଖି ଉଲ୍ଲସିତ ହୋଇଛନ୍ତି ଓ ନିଜ ଫୋଲିଓ ବ୍ୟାଗରେ ହାତ କରିଛନ୍ତି ଭର୍ତ୍ତି । ସେହି ଫୋଲିଓ ବ୍ୟାଗରେ କ’ଣ ଥିଲା ? କାହିଁକି ଆଶ୍ଚର୍ଯ୍ୟ ଏବଂ ସମ୍ବେଦନଶୀଳ ହୋଇଉଠିଲେ ଟିକିଏ ପୂର୍ବରୁ ଲଟେରୀଟିକେଟକୁ ନେଇ ପ୍ରତିକ୍ରିୟାଶୀଳ ଗଳ୍ପନାୟକ ? ସେହି ଅବୋଧ୍ୟ ଇତିହାସର କିଏ ଥିଲେ ନାୟକ ? ଗଳ୍ପର ଏହି ଉତ୍କଣ୍ଠାର ସମାଧାନ ଜାଣିବା ପାଇଁ ଶୁଣନ୍ତୁ ସୁରେନ୍ଦ୍ର ମହାନ୍ତିଙ୍କର ଯୁଗଚେତନାକୁ ପ୍ରତିନିଧିତ୍ଵ କରୁଥିବା ଏହି ବାସ୍ତବବାଦୀ ଗଳ୍ପଟିକୁ ।