N Aa

Budha Sankhari

Budha Sankhari
Laxmikanta Mohapatra

ସଂସାରରେ ପ୍ରେମ ହିଁ ଶ୍ରେଷ୍ଠନିଧି । ପ୍ରେମ...

Adhikar

Adhikar
Laxmikanta Mohapatra

ପ୍ରେମର ସ୍ଥିତି ବିଶ୍ୱାସ ଓ ଆତ୍ମସମର୍ପଣରେ ।...

Utkata Prema

Utkata Prema
Laxmikanta Mohapatra

ପ୍ରତ୍ୟେକ ମଣିଷ ନିଜର ପରିସର ଓ ଯୋଗ୍ୟତା...

Bachana Rakshya

Bachana Rakshya
Laxmikanta Mohapatra

ସମୟ ବଡ ବଳବାନ୍ । ସମୟ ସହିତ...

Bandhu Ra Sahajya

Bandhu Ra Sahajya
Laxmikanta Mohapatra

ସଂପର୍କ ପରିବର୍ତ୍ତିତ ପରିସ୍ଥିତିରେ କିପରି ରୂପ ପରିବର୍ତ୍ତନ...


09-Oct-1888 / 24-Feb-1953
Laxmikanta Mohapatra

କାନ୍ତକବି ଭାବରେ ପରିଚିତ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମହୁଏ ବର୍ତ୍ତମାନର ଭଦ୍ରକ ଜିଲ୍ଲା ସନ୍ନିକଟ ତାଳପଦାଠାରେ ୧୮୮୮ ମସିହା ଅକ୍ଟୋବର ୯ ତାରିଖରେ । ତାଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଓ ମାତା ରାଧାମଣି । ସେତେବେଳେ ଲକ୍ଷ୍ମୀକାନ୍ତ ବି.ଏ ପର୍ଯ୍ୟନ୍ତ ଅଧ୍ୟୟନ କରି ଜଣେ ଇଂରାଜୀ ଶିକ୍ଷିତ ଭାବରେ ବେଶ୍ ପରିଚିତ ହୋଇପାରିଥିଲେ । ବହୁମୁଖୀ ପ୍ରତିଭାର ଅଧିକାରୀ, ସୌନ୍ଦର୍ଯ୍ୟ ଓ ସୌଭାଗ୍ୟକୁ ନେଇ ଜନ୍ମ ହୋଇଥିବା ଏହି ସାରସ୍ୱତ ସାଧକ ଦୁରାରୋଗ୍ୟ ବ୍ୟାଧିର ଶିକାର ହୋଇ ଅନେକ କିଛି ହରାଇ ବସିଥିଲେ । ଏହା ସତ୍ତ୍ୱେ ନିଜର ସଂକଳ୍ପବଦ୍ଧତା ଓ ସାଧନା ପ୍ରତି ପ୍ରତିବଦ୍ଧତା ଓଡ଼ିଆ ସାହିତ୍ୟରେ ତାଙ୍କୁ ଜଣେ ଉଚ୍ଚକୋଟିର ସର୍ଜନଶୀଳ ସାହିତ୍ୟ ସ୍ରଷ୍ଟାରେ ପରିଣତ କରିଥିଲା । ବିଭିନ୍ନ ତିକ୍ତ ପ୍ରତିକୂଳତା ବିରୋଧରେ ସଂଗ୍ରାମ କରି ଜଣେ କିପରି ନିଜର ନାୟକତ୍ୱ ପ୍ରତିପାଦିତ କରିପାରେ, ଲକ୍ଷ୍ମୀକାନ୍ତ ହେଉଛନ୍ତି ତା’ର ଉଜ୍ୱଳ ଦୃଷ୍ଟାନ୍ତ । ଉଭୟ ଗଦ୍ୟ ଓ ପଦ୍ୟରେ ସେ ନିଜର ସାରସ୍ୱତ ପ୍ରତିଭାର ପରିଚୟ ଦେଇଛନ୍ତି । ଗୃହବିବାଦ, ରୋଗ-ବ୍ୟାଧି, କୋର୍ଟ-କଚେରୀ ତାଙ୍କ ସାଧନାରେ ପ୍ରତିବନ୍ଧକ ସୃଷ୍ଟି କରିପାରି ନାହିଁ । ନିଜ ଅନ୍ତର ଭିତରେ କାରୁଣ୍ୟର ମହାସ୍ରୋତ ପ୍ରବାହିତ ହେଉଥିଲେ ହେଁ, ତା’ର କାଣିଚାଏ ସୁଦ୍ଧା ଅନ୍ୟମାନଙ୍କୁ ଜାଣିବାକୁ ଦେଇନାହାନ୍ତି । ବରଂ ଅନ୍ୟକୁ ପ୍ରାଣମୁକୁଳା ହସରେ ବେଦମ କରି ଦେଇଛନ୍ତି ।

କୈଶୋର ଜୀବନ ପର୍ଯ୍ୟନ୍ତ ତାଙ୍କ ଜୀବନ ଥିଲା ଉତ୍ସାହ ଓ ଆନନ୍ଦର ମହାପାରାବାର । ନାଟ୍ୟାଭିନୟ, ସଂଗୀତ, କ୍ରୀଡ଼ା- ପ୍ରତ୍ୟେକ କ୍ଷେତ୍ରରେ ସେ ଥିଲେ ଅନନ୍ୟ । ସଂଘାତ ଓ ପ୍ରତିକୂଳ ପରିବେଶ ମଣିଷକୁ ଅନେକ କିଛି ଶିଖାଇଥାଏ । ଗୋଟିଏ ପାଖରେ ଗୃହବିବାଦ ଓ ଅନ୍ୟ ପାଖରେ ରୋଗପୀଡ଼ିତ ବିଡ଼ମ୍ବିତ ଜୀବନ-ଏହାରି ମଧ୍ୟରେ ସେ ସଂଗୀତ ଓ ସାହିତ୍ୟକୁ ପାଥେୟ କରି ବଞ୍ଚିବାକୁ ଶିଖିଛନ୍ତି । ପ୍ରତିଷ୍ଠା ହୋଇଛି ‘ଗୋପୀନାଥ ସଂଗୀତ ସମାଜ’ । ଆଦ୍ୟ ସାହିତ୍ୟ-ସାଧନା କାଳରେ ଫକୀରମୋହନ ଓ ରାଧାନାଥ ହୋଇଛନ୍ତି ତାଙ୍କର ଆଦର୍ଶ । ଫକୀରମୋହନଙ୍କ କଥାସାହିତ୍ୟ ଦ୍ୱାରା ସେ ବହୁଭାବରେ ଅନୁପ୍ରାଣିତ । ଇତିହାସ, ସମାଜ, ସଂସ୍କୃତି ଓ ନିଜର ପ୍ରାକୃତିକ ପରିବେଶ ତାଙ୍କ ଭାବବିଭୋର ମନକୁ ପ୍ରେରଣା ଯୋଗାଇଛି । ତାଙ୍କର ଅଧ୍ୟୟନ ଥିଲା ବହୁ ବିସ୍ତୃତ । ଇଂରାଜୀ, ବଙ୍ଗଳା, ହିନ୍ଦୀ ଓ ଓଡ଼ିଆ ସାହିତ୍ୟ ସହିତ ସେ ଥିଲେ ସୁପରିଚିତ । ତତ୍‌କାଳୀନ ଇଂରାଜୀ ସାହିତ୍ୟ ଏବଂ ଭାରତୀୟ ସାହିତ୍ୟରେ ଆସିଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରିଥିଲେ ଏବଂ ସେହି ଅନୁସାରେ ସେ ନିଜର ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାରଣ କରିଥିଲେ । ସମୟର ଆବଶ୍ୟକତାକୁ ଅନୁଭବ କରି ସେ ସୃଷ୍ଟି କରିଥିଲେ ରାଶି ରାଶି ଗଦ୍ୟ-ପଦ୍ୟ ସାହିତ୍ୟ ।

କାନ୍ତକବିଙ୍କ ସାହିତ୍ୟଜଗତ ବୈଚିତ୍ର୍ୟମଣ୍ଡିତ ଓ ବହୁ ବିଭାଯୁକ୍ତ । ପତ୍ରିକା ସମ୍ପାଦନା, ପାଠ୍ୟ-ପୁସ୍ତକ ରଚନା, ଶିଶୁସାହିତ୍ୟ, ନାଟ୍ୟସାହିତ୍ୟ, କବିତା, କଥାସାହିତ୍ୟ, ଲାଳିକା ଆଦିକୁ ଲକ୍ଷ୍ୟ କଲେ କାନ୍ତକବି କିପରି ଉଚ୍ଚକୋଟୀର ସାହିତ୍ୟପ୍ରାଣ ଓ ସାହିତ୍ୟ ପ୍ରତି ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ ଥିଲେ ତା’ର ପ୍ରମାଣ ମିଳିଥାଏ । ତାଙ୍କ ଦ୍ୱାରା ଚରିତ ‘ବନ୍ଦେ ଉତ୍କଳ ଜନନୀ’ ସମ୍ପ୍ରତି ଓଡ଼ିଶା ସରକାରଙ୍କଦ୍ୱାରା ରାଜ୍ୟ ସଂଗୀତର ମାନ୍ୟତା ଲାଭ କରିଛି । ଏହା କେବଳ କାନ୍ତକବିଙ୍କ ପାଇଁ ନୁହେଁ, ଆମ ପାଇଁ ମଧ୍ୟ ଗୌରବର ବିଷୟ । ତାଙ୍କର ଗୋଟିଏ ଗୋଟିଏ ସୃଷ୍ଟି ଏପରି ଉଚ୍ଚକୋଟୀକୁ ସ୍ପର୍ଶ କରିଯାଇଛି, ଯାହାକୁ ଆମେ କ୍ଲାସିକ୍ ସାହିତ୍ୟର ମର୍ଯ୍ୟାଦା ଦେଇପାରିବା ।

ସାହିତ୍ୟର ପ୍ରଚାର ଓ ପ୍ରସାରରେ ‘ପତ୍ରିକା’ର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା; ଏହା ଲକ୍ଷ୍ମୀକାନ୍ତ ଭଲ ଭାବରେ ଅନୁଭବ କରିଥିଲେ । ସେତେବେଳେ ଓଡ଼ିଆ ଭାଷାରେ ଅଳ୍ପ କେତୋଟି ପତ୍ରିକା ପ୍ରକାଶ ପାଉଥିଲା । ସାହିତ୍ୟ ପ୍ରତି ଉତ୍ସର୍ଗୀକୃତ ପ୍ରାଣ କାନ୍ତକବି ନିଜ ଉଦ୍ୟମରେ ପତ୍ରିକାଟିଏ ପ୍ରକାଶ କରିବାକୁ ଇଚ୍ଛା କରିଥିଲେ ଏବଂ ତା’ର ସାକାର ରୂପ ହେଉଛି ‘ଡଗର’ ପତ୍ରିକା । ଡଗର ନାମ ସହିତ ଆମେ ସମସ୍ତେ ସୁପରିଚିତ । ଅତୀତରେ ଖବର ନେବା ଆଣିବାରେ ଡଗରମାନେ ହିଁ ସଂପୃକ୍ତ ରହିଥିଲେ । ସମାଚାର ଓ ସାହିତ୍ୟ ବଣ୍ଟନ ଥିଲା ଡଗରର ଉଦ୍ଦେଶ୍ୟ । ଲକ୍ଷ୍ମୀକାନ୍ତଙ୍କ ଉଦ୍ୟମରେ ଏହା ପ୍ରକାଶ ପାଏ ଜ୍ୟେଷ୍ଠ ୧ ଦିନ ୧୩୪୪ ସାଲ ବା ଇଂରାଜୀ ଜୁନ୍‌-ଜୁଲାଇ ୧୯୩୭ରେ ଭଦ୍ରକର ଗୋପୀନାଥ ପ୍ରେସରୁ । ପ୍ରଥମେ ଏହା ଥିଲା ପାକ୍ଷିକ ଏବଂ ପୃଷ୍ଠା ସଂଖ୍ୟା ଥିଲା ଷୋହଳ । କାହାଣୀ, ହାସ୍ୟ-ବ୍ୟଙ୍ଗ ଏବଂ ରାଜନୀତିକ ଘଟଣା, ସମାଲୋଚନାକୁ ପ୍ରାଥମିକ ସ୍ତରରେ ଏହା ଗୁରୁତ୍ୱ ଦେଇଥିବାବେଳେ ପରବର୍ତ୍ତୀକାଳରେ ସାହିତ୍ୟର ଅନ୍ୟାନ୍ୟ ବିଭାଗ ଏହାକୁ ଋଦ୍ଧିମନ୍ତ କରିଛି । ପାକ୍ଷିକ, ସାପ୍ତାହିକ ଓ ମାସିକ ଭାବରେ ବିଭିନ୍ନ ସମୟରେ ଡଗର ତା’ର ରୂପ ବଦଳାଇଛି । ବିଭିନ୍ନ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶନ ଏହି ପତ୍ରିକାର ବିଶେଷତ୍ୱକୁ ପ୍ରକାଶ କରିଥାଏ । ଡଗରର ପ୍ରଚ୍ଛଦ ଚିତ୍ର ସର୍ବଦା ଏକ ବିଶେଷ ଅର୍ଥ ପ୍ରକାଶ କରୁଥିଲା । ଶିଳ୍ପୀ ଗୋପାଳ କାନୁନ୍‌ଗୋଙ୍କ ଦ୍ୱାରା ଏହା ଶିଳ୍ପିତ ହେଉଥିଲା । ଏହାର ସଂପାଦକୀୟ ଥିଲା ନିରପେକ୍ଷ ଏବଂ ଅନେକ ସମୟରେ ରାଜନୀତି ଘଟଣା ସମ୍ପର୍କିତ । ଏଥିରେ ସମ୍ବାଦ, ସାହିତ୍ୟ, ଜ୍ଞାନ-ବିଜ୍ଞାନ, ମନୋରଞ୍ଜନ ଆଦି ବହୁ ବିଷୟ ସ୍ଥାନ ପାଉଥିଲା । ଏହାର ମଧ୍ୟ କେତେକ ନିର୍ଦ୍ଦିଷ୍ଟ ସ୍ତମ୍ଭ ରହିଥିଲା । ଏହାର ଯେଉଁ ଦୁଇଟି ସ୍ତମ୍ଭ ବିଶେଷ ଲୋକପ୍ରିୟତା ଅର୍ଜନ କରିଥିଲା, ତାହା ହେଉଛି ‘ବିଲୁଆ ବିଚାର’ ଓ ‘ନାଗବଚ୍ଚା’ । ‘ବିଲୁଆ ବିଚାର’ ସ୍ତମ୍ଭ ରାଜନୀତିକ ବ୍ୟଙ୍ଗ ଆଧାରିତ ଥିବାବେଳେ ‘ନାଗବଚ୍ଚା ସ୍ତମ୍ଭଟି’ ମୁଖ୍ୟତଃ ଉଦ୍ଦିଷ୍ଟ ଥିଲା କିଶୋର-କିଶୋରୀମାନଙ୍କ ପାଇଁ । ଓଡ଼ିଆ ସମ୍ବାଦ ଓ ସାହିତ୍ୟ କ୍ଷେତ୍ରରେ ଡଗର ପତ୍ରିକାର ଭୂମିକା ଅତୀବ ପ୍ରଶଂସନୀୟ ।

ଜଣେ ପାଠ୍ୟପୁସ୍ତକ ଓ ଶିଶୁ ସାହିତ୍ୟ ରଚୟିତା ଭାବରେ ତାଙ୍କର ବେଶ୍ ଖ୍ୟାତି ରହିଥିଲା । ‘ପାଠମାଳା’, ‘ସାହିତ୍ୟ ସୁଧାକର’ ଆଦି ରଚନାଗୁଡ଼ିକ ଏ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ । ପିଲାମାନଙ୍କ ବୁଦ୍ଧି ଏବଂ ମାନସିକ ବିକାଶ ପାଇଁ ଏଥିରେ ଅନେକ ଖୋରାକ ରହିଥିଲା । ସେହିପରି ଆଗାମୀ ଦିନର ନାଗରିକ ଶିଶୁଙ୍କ ଉଦ୍ଦେଶ୍ୟରେ ସେ ବହୁ ମନୋରଞ୍ଜନଧର୍ମୀ ସାହିତ୍ୟ ସୃଷ୍ଟି କରିଥିଲେ । ମନୋରଞ୍ଜନ ସହିତ ବିିଭିନ୍ନ ପ୍ରକାର ଶିକ୍ଷା ପ୍ରଦାନ ଥିଲା ଏହି ସାହିତ୍ୟର ଉଦ୍ଦେଶ୍ୟ । ବାଳିକାମାନଙ୍କ ଭବିଷ୍ୟତ ଜୀବନ ପାଇଁ ଯାହା ଉପାଦେୟ, ସେହିପରି କବିତା ପୁସ୍ତକଟି ‘କୁମାରୀ’ ଶିରୋନାମାରେ ୧୯୨୪ ମସିହାରେ ପ୍ରକାଶ କରିଥିଲେ । ଏଥିରେ ବହୁ ନୀତିକଥା, ସ୍ୱାସ୍ଥ୍ୟରକ୍ଷା, ଶିଶୁପାଳନ, ଆଚାରବିଚାର ସମ୍ପର୍କୀୟ କବିତାମାନ ସ୍ଥାନ ପାଇଥିଲା । ୧୯୩୦ ମସିହାରେ ପ୍ରକାଶ ପାଇଥିଲା ‘ପିଲାଙ୍କ ଧର୍ମ ସଂଗୀତ ଓ ପ୍ରାର୍ଥନା’ । ସାଂପ୍ରଦାୟିକତାର ଊର୍ଦ୍ଧ୍ୱରେ ରହି ସାର୍ବଜନୀନ ପରମେଶ୍ୱରଙ୍କ କେତେକ ପ୍ରସ୍ତାବ ଓ ପ୍ରାର୍ଥନା ଏଥିରେ ସନ୍ନିବେଶିତ ହୋଇଛି । ୧୯୩୫ରେ ପ୍ରକାଶିତ ‘ସୁନାପୁଅ’ କବିତା ପୁସ୍ତକରେ ଶିଶୁଙ୍କ ମାନସିକ ବିକାଶ ଉଦ୍ଦେଶ୍ୟରେ ୭୭ଟି ଉପଦେଶପୂର୍ଣ୍ଣ କବିତା ରହିଛି । ପିଲାଙ୍କୁ ହସାଇ-ମଜାଇ କିଛି ଶିକ୍ଷା ଦେବା ଉଦ୍ଦେଶ୍ୟରେ ରଚିତ ହୋଇଛି ‘ଚିଡ଼ିଆଖାନା’ । କେବଳ ଶିଶୁକବିତା ନୁହେଁ, ସେ ଅନେକ ଶିଶୁକାହାଣୀ ମଧ୍ୟ ରଚନା କରିଛନ୍ତି । ସେହିପରି ଏକ ପୁସ୍ତକ ହେଉଛି ‘ପିଲାଙ୍କ କଥା’, ଯାହା ୧୯୩୦ ମସିହାରେ ପ୍ରକାଶ ପାଇଥିଲା । ‘ବାଳସହଚର ବୋଲି’ ଆବୃତ୍ତି ଉପଯୋଗୀ କବିତା ରହିଛି । ଓଡ଼ିଆ ଶିଶୁସାହିତ୍ୟର ବିକାଶରେ କାନ୍ତକବିଙ୍କ ଭୂମିକା ପ୍ରଶଂସନୀୟ ।

କଥାସାହିତ୍ୟ କ୍ଷେତ୍ରରେ ମଧ୍ୟ ଲକ୍ଷ୍ମୀକାନ୍ତ ମହାପାତ୍ର ନିଜର ବିଶେଷତ୍ୱ ପ୍ରତିପାଦନ କରିଛନ୍ତି । ‘ଉତ୍କଳ ସାହିତ୍ୟ’ ସମ୍ପାଦକଙ୍କ ଅନୁରୋଧରେ ତାଙ୍କର ପ୍ରଥମ ଗଳ୍ପ ‘ପ୍ରତିଦାନ’ ଲେଖା ଯାଇଥିଲା ଓ ତାହା ସେହି ପତ୍ରିକାରେ ପ୍ରକାଶ ପାଇଥିଲା । ଗଳ୍ପ ରଚନା କ୍ଷେତ୍ରରେ ଫକୀରମୋହନ ଥିଲେ ତାଙ୍କର ଆଦର୍ଶ । ପରବର୍ତ୍ତୀ କାଳରେ ରଚିତ ‘ଦେହିପଦ ପଲ୍ଲବ ମୁଦାରଂ’ ଗଳ୍ପରେ ନାରୀ ଓ ପୁରୁଷକୁ ସମାନ ଅଧିକାର ଏବଂ ଜୀବନକୁ ସମାନ ଭାବରେ ଉପଭୋଗ କରିବା ପାଇଁ ପରୋକ୍ଷ ପରାମର୍ଶ ଦିଆଯାଇଛି । ‘ନିଆଁହୁଳା’ ଗଳ୍ପରେ ପରକୀୟା ପ୍ରୀତି ସହିତ ଫ୍ରଏଡ଼ୀୟ ମନସ୍ତତ୍ତ୍ୱର ପରିପ୍ରକାଶ ଘଟିଛି । ‘ଉତ୍କଳ ପ୍ରେମ’ରେ ନାୟକର ହଟହଟା ହାସ୍ୟରସ ମାଧ୍ୟମରେ ପ୍ରକାଶିତ । ତାଙ୍କ ଗଳ୍ପରେ ସାମାଜିକ ପ୍ରତିବଦ୍ଧତାର ସ୍ୱର ଉତ୍‌କୀର୍ଣ୍ଣ । ହାସ୍ୟରସ ସହିତ ସାମାଜିକ ଭାବଚେତନାକୁ ଯୋଡ଼ି କିପରି ଚମତ୍କାର ଗଳ୍ପ ରଚନା କରାଯାଇପାରେ, ତା’ର ସୁନ୍ଦର ଉଦାହରଣ ଦେଖିବାକୁ ମିଳିଥାଏ ସିଆଇଡି, କିସ୍ତିମାତ, ଯେସାକୁ ତେସା, ଶେଷରକ୍ଷା, ବାଜି, ପ୍ରାୟଶ୍ଚିତ୍ତ, ପରିଣାମ ଆଦି ଗଳ୍ପରେ । ଲେଖକଙ୍କ ପ୍ରଗତିଶୀଳ ଦୃଷ୍ଟିଭଙ୍ଗୀର ପରିଚାୟକ ହେଉଛି ତାଙ୍କର ‘ଅଧିକାର’ ଗଳ୍ପଟି । ଏହା ମାର୍କସ୍‌ଙ୍କ ସାଧାରଣ ମଣିଷର ଅଧିକାର ଓ ଦାବି ଉପସ୍ଥାପନକୁ ପରୋକ୍ଷରେ ସମର୍ଥନ କରିଥାଏ । ଲକ୍ଷ୍ମୀକାନ୍ତଙ୍କ ‘ବୁଢ଼ା ଶଙ୍ଖାରି’ ଗଳ୍ପର ଆବେଦନ ସାର୍ବଜନୀନ । ମନେହୁଏ ଗଳ୍ପଟି କରୁଣ ରସର ଏକ ମହାକାବ୍ୟ । ଗୋଟିଏ ପିତୃହୃଦୟର ବାତ୍ସଲ୍ୟମମତା ସହିତ ମାନବିକ ସମ୍ବେଦନଶୀଳତାର ମହତ୍ତର ଉପଲବ୍‌ଧି ପାଠକଙ୍କୁ ଏଥିରେ ଚମକୃତ କରିଥାଏ । ସେହି କରୁଣତାର ଭିନ୍ନ ରୂପ ଦେଖିବାକୁ ମିଳିଥାଏ ‘ପ୍ରଜାପତିଙ୍କ ପ୍ରତିଶୋଧ’, ‘ଇଦ୍‌ର ଚାନ୍ଦ’, ‘ଖରିଦ୍‌ଦାର’, ‘ଲାଲା’, ‘ଭଲଲୋକ’ ଆଦି ଗଳ୍ପରେ । କାନ୍ତକବିଙ୍କ ଗଳ୍ପର ଚରିତ୍ର ସମକାଳ ସମାଜରୁ ଗୃହୀତ । ତେଣୁ ତାଙ୍କୁ ଖୋଜିବାକୁ ବେଶି ଦୂର ଯିବାକୁ ପଡ଼େ ନାହିଁ । ମଣିଷର ସ୍ୱାର୍ଥସର୍ବସ୍ୱତା, ଅହଂ ପୁଣି ପ୍ରେମ ଓ ସମ୍ବେଦନଶୀଳତା, ପ୍ରତିଶୋଧ ପରାୟଣ ମନୋବୃତ୍ତି, ଅଧିକାରବାଦ-ସମସ୍ତ ପ୍ରକାର ମାନବିକ ପ୍ରବୃତ୍ତିଗୁଡ଼ିକୁ ତାଙ୍କ ଗଳ୍ପରେ ଦେଖିବାକୁ ମିଳିଥାଏ । ଏତଦ୍‌ବ୍ୟତୀତ ହାସ୍ୟରସର ଫଲ୍‌ଗୁ ମଧ୍ୟ ତାଙ୍କ ଗଳ୍ପରେ ସ୍ୱାଭାବିକ ଭାବରେ ଲକ୍ଷ୍ୟ କରାଯାଇଥାଏ । କେତେକ ଗଳ୍ପରେ ମଣିଷର ଉଦ୍ଭଟ ପରିକଳ୍ପନାକୁ ଦେଖାଇ ଦେବାର ପ୍ରୟାସ କରାଯାଇଛି । ଏ କ୍ଷେତ୍ରରେ ‘ମଡର୍ଣ୍ଣ ତାଳବେତାଳ’, ‘ଲୋଭରୁ ମୃତ୍ୟୁ’, ‘ଧନୀ ହେବାର ସହଜ ଉପାୟ’ ଆଦିକୁ ଉଦାହରଣ ଭାବରେ ଗ୍ରହଣ କରାଯାଇପାରେ । କିଛି କିଛି ଛୋଟ କାହାଣୀକୁ ନେଇ ସେ କେତେକ ନାଟ୍ୟକଥା ରଚନା କରିଛନ୍ତି ଏବଂ ଯାହାର ବିଷୟବସ୍ତୁ ମୁଖ୍ୟତଃ ପୁରାଣ, ଇତିହାସ ତଥା ସମକାଳ ସମାଜରୁ ସଂଗୃହୀତ । ତାଙ୍କର ଅନେକ ଗଳ୍ପର ପ୍ରକାଶଭଙ୍ଗୀ ମଧ୍ୟ ନାଟକୀୟ । ପ୍ରେମ ମଧ୍ୟ ତାଙ୍କ ଗଳ୍ପର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଭାବ । ‘ଦେହିପଦ ପଲ୍ଲବ ମୁଦାରଂ ଓ ଅନ୍ୟାନ୍ୟ ମଜାକଥା’ରେ ତାଙ୍କର ବହୁ ଗଳ୍ପ ମଧ୍ୟରୁ ଚଉଦଟି ଗଳ୍ପ ସ୍ଥାନ ପାଇଛି । ସେ ୬୭ଟି ବିଭିନ୍ନ ସ୍ୱାଦର ଗଳ୍ପ ରଚନା କରିଛନ୍ତି । କେହି କେହି ୧୯୨୦-୨୧ ମସିହାର ଅସହଯୋଗ ଆନ୍ଦୋଳନ ପୃଷ୍ଠଭୂମିରେ ରଚିତ ‘ଅସହଯୋଗୀର ଆତ୍ମକଥା’କୁ ବିଦ୍ରୂପାତ୍ମକ ଉପନ୍ୟାସ କହିଥାନ୍ତି । ଆତ୍ମକାହାଣୀ ବିବୃତ ଢଙ୍ଗରେ ତତ୍କାଳୀନ କଂଗ୍ରେସକର୍ମୀ ଓ ଅସହଯୋଗୀଙ୍କ ସଂକୀର୍ଣ୍ଣ ମାନସିକତା ଏବଂ କାର୍ଯ୍ୟଧାରାକୁ ଏଥିରେ ବ୍ୟଙ୍ଗ କରାଯାଇଛି । ଅସହଯୋଗର ଦୋଷତ୍ରୁଟି ଏବଂ ଭାବଗତ ବିରୋଧୀତା ଯୋଗୁଁ ତାହା କିପରି ବିଫଳ ହୋଇଥିଲା, ତାହାକୁ ମନ୍ମୟ ଶୈଳୀରେ ବର୍ଣ୍ଣନା କରାଯାଇଥିବାରୁ କେତେକ ଆଲୋଚକ ଏହାକୁ ମନ୍ମୟଧର୍ମୀ ପ୍ରବନ୍ଧକ ଆଖ୍ୟା ଦେଇଛନ୍ତି । ଲକ୍ଷ୍ମୀକାନ୍ତଙ୍କ ‘କଣାମାମୁଁ’ ଉପନ୍ୟାସ ଅପୂର୍ଣ୍ଣାଙ୍ଗ ରହିଥିଲେ ହେଁ, ତା’ର ଭାବଭୂମି ସମକାଳୀନ ସମାଜର ଏକ ବୃହତ୍ ପ୍ରେକ୍ଷାପଟ୍ଟକୁ ଅପେକ୍ଷା ରଖିଥାଏ । ସେ ଚାହିଁଥିଲେ କଣାମାମୁଁକୁ ୧୯୪୨ ବିଦ୍ରୋହର ନେତା ଭାବରେ ଉପସ୍ଥାପିତ କରିବା ପାଇଁ । ମାତ୍ର କଣାମାମୁଁ କଣା ହୋଇ ରହିଗଲେ । ଉପନ୍ୟାସରେ ଯୁବଶକ୍ତି ଓ ଯୁବସଂଗଠନ ଉପରେ ଗୁରୁତ୍ୱ ଦିଆଯାଇଛି । ସ୍ୱାଧୀନତା ସଂଗ୍ରାମର ଚରମାବସ୍ଥାରେ ଉପନ୍ୟାସଟି ରଚିତ । ଯୁବସମ୍ପ୍ରଦାୟକୁ ଶାରୀରିକ କ୍ଷେତ୍ରରେ ଶକ୍ତ କରିବାକୁ ଆଖଡ଼ା ଘରେ ବିଭିନ୍ନ ପ୍ରକାର ବ୍ୟାୟାମ କରାଇଛନ୍ତି । ନିଜେ ଔପନ୍ୟାସିକ ହୋଇଛନ୍ତି କଣାମାମୁଁର ନାୟକ । ଜାତୀୟତାଭାବରେ ସେ ଯୁବସମାଜକୁ ଏକତ୍ରିତ କରିବାକୁ ଚାହିଁଛନ୍ତି । ସେ ଜେଲ୍ ଯାଇଛନ୍ତି । ତାଙ୍କର ଶେଷ ଲକ୍ଷ୍ୟ ଥିଲା ସ୍ୱାଧୀନତା ପ୍ରାପ୍ତି । ହୁଏତ ଉପନ୍ୟାସରେ ଘଟଣାଟି ପରିପୂର୍ଣ୍ଣ ରୂପ ନେବାରେ ସମର୍ଥ ହୋଇ ପାରିନାହିଁ; ମାତ୍ର ଔପନ୍ୟାସିକଙ୍କ ମହତ ଉଦ୍ଦେଶ୍ୟଟି ସ୍ପଷ୍ଟ ବାରି ହୋଇପଡ଼ିଥାଏ ।

କାନ୍ତକବି କେତେକ ପ୍ରବନ୍ଧ ରଚନା କରିଛନ୍ତି । ତାଙ୍କ ପ୍ରବନ୍ଧଗୁଡ଼ିକ ପ୍ରାୟତଃ ବ୍ୟକ୍ତିନିଷ୍ଠ । ସେ ତାଙ୍କର ନିଜସ୍ୱ ଅନୁଭୂତିକୁ ଶୈଶବ ସ୍ମୃତି, ବାଲ୍ୟସ୍ମୃତି, କୈଶୋର ସ୍ୱପ୍ନ, ଯୌବନପଥେ, ଗୋପବନ୍ଧୁ ସ୍ମୃତି, ଚିନ୍ତାମଣି ସ୍ମୃତି, ନବ ବସନ୍ତର ସମ୍ଭାଷଣ, ମଙ୍ଗଳ ମହୁରୀ, ନିଭୃତ ନିଶୀଥେ, ରୋଗଶଯ୍ୟା, ଜୀବନ୍ତମରଣ, ନବଜାଗରଣ, ନିଦାଘେ ଶାଳନ୍ଦୀ, ଶ୍ରାବଣେ ଶାଳନ୍ଦୀ, ଶରଦେ ଶାଳନ୍ଦୀ ଆଦିରେ ପ୍ରକାଶ କରିଛନ୍ତି । ଏଥିରେ ପ୍ରକୃତି ଭାବନା, ପ୍ରେମ ଭାବନା ଓ ବିିଭିନ୍ନ ସ୍ମୃତି ଚମତ୍କାର ଢଙ୍ଗରେ ରୂପାୟିତ ହୋଇଛି । ସେ ‘ସାହିତ୍ୟ ସୃଷ୍ଟିରେ ହାସ୍ୟରସ’ ଏବଂ ‘ହାସ୍ୟରସ’ ଶିରୋନାମାରେ ଚିନ୍ତାମୂଳକ ପ୍ରବନ୍ଧ ରଚନା କରିଛନ୍ତି, ଯେଉଁଥିରେ ତାଙ୍କ ବ୍ୟକ୍ତିଗତ ଜୀବନର ଅନୁଭୂତି ଶବଳିତ । ‘କବି ଓ କବିତ୍ୱ’, ‘ଓଡ଼ିଆ ସଂଗୀତ’ ଏହି ଶ୍ରେଣୀର ପ୍ରବନ୍ଧ । ‘ଶରୀର ମାଦ୍ୟଂ’ ସ୍ୱାସ୍ଥ୍ୟରକ୍ଷା ସମ୍ବନ୍ଧୀୟ ପ୍ରବନ୍ଧରେ ତାଙ୍କର ଶୈଳୀ ପାଠକଙ୍କୁ ସହଜରେ ଆକର୍ଷିତ କରିଥାଏ ।

ଲକ୍ଷ୍ମୀକାନ୍ତ ମହାପାତ୍ର ଅନେକ ନାଟକ, ଏକାଙ୍କିତା, ପ୍ରହସନ ଆଦି ରଚନା କରି ଏହି ବିଭାବଟିକୁ ସମୃଦ୍ଧ କରିଛନ୍ତି । ମୁଖ୍ୟତଃ ସମାଜସଂସ୍କାର, ଭକ୍ତିଭାବନା, ରାଜନୈତିକ ବ୍ୟଙ୍ଗ ଏଥିରେ ଦେଖିବାକୁ ମିଳିଥାଏ । ଫିଲିମିଷ୍ଟାର, ମହାମିଳନ, ସମସ୍ୟା, ସୁଇସାଇଡ୍‌, ଅଫିମଲୀଳା, ଶିକ୍ଷାନବିଶ ପ୍ରେମିକ, ପରୀକ୍ଷାର ଫଳ, ଲକ୍ଷ୍ମୀଚଣ୍ଡାଳୁଣୀ ଆଦି ଏକାଙ୍କିକାଗୁଡ଼ିକରେ ତାଙ୍କର ସମାଜସଂସ୍କାର ଭାବନା ପ୍ରତିଫଳିତ । ହାସ୍ୟରସ ମାଧ୍ୟମରେ ସମାଜ ଜୀବନକୁ ସୁଧାର କରିବା ଉଦ୍ଦେଶ୍ୟରେ ଏହା ରଚିତ । ଡିମ୍ବକ୍ରେସି ସଭା, ହନୁମନ୍ତର ବସ୍ତ୍ରହରଣ, ଜର୍ମାନ ଭୂତ, ବ୍ରିଟିଶ୍ ଦୂତଙ୍କ ପ୍ରଶ୍ନୋତ୍ତର, ଭବିଷ୍ୟ ଭାରତ, ପଞ୍ଚାମୃତ, ନବରାମାୟଣ ଆଦିରେ ତାଙ୍କ ରାଜନୀତିକ ଭାବଭାବନା ଓ ବ୍ୟଙ୍ଗ ପ୍ରତିଫଳିତ । କର୍ଣ୍ଣ, ବଜ୍ରବର୍ଜନ, କାଳୀୟଦଳନ ଆଦି ପୌରାଣିକ ନାଟକ ଓ ଅନ୍ୟାନ୍ୟ ନାଟକ, ଏକାଙ୍କିକା, ପ୍ରହସନ ଆଦି ରଚନା କରି କାନ୍ତକବି ଏହି ବିଭାଗଟିକୁ ସମୃଦ୍ଧ କରିଛନ୍ତି । ଲକ୍ଷ୍ମୀକାନ୍ତଙ୍କ ପ୍ରତିଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ତାଙ୍କର କବିତାସଂସାର । ତାଙ୍କ କବିତାରାଜ୍ୟ ବୈଚିତ୍ର୍ୟମୟ । ସେ ହାସ୍ୟରସାତ୍ମକ, ଆଧ୍ୟାତ୍ମିକ ଭାବସମ୍ବଳିତ କବିତା, ଜାତୀୟବାଦୀ କବିତା, ପ୍ରକୃତିଚେତନା ସମ୍ବଳିତ କରିବା, ଶୋକଗୀତିକା ଆଦି ବହୁ ଭାବ ସମ୍ବଳିତ କବିତା ରଚନା କରି ଏହି ବିଭାଗଟିକୁ ରୁଦ୍ଧିମନ୍ତ କରିଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନର ଅସହାୟତା, ଗୁରୁ ରାମଦାସଙ୍କ ଆଧ୍ୟାତ୍ମିକ ପ୍ରେରଣା, କୁଳଦେବତାଙ୍କ ପ୍ରତି ଭକ୍ତିରୁ ଏହିପରି କବିତାଗୁଡ଼ିକ ଜନ୍ମନେଇଛି । ‘ଜୀବନ ସଂଗୀତ’ରେ ସନ୍ନିବେଶିତ ଆଧ୍ୟାତ୍ମିକ ଭାବସମ୍ବଳିତ କବିତାରେ ଭକ୍ତି, ଭାବ ଓ କବିତ୍ୱର ସୁନ୍ଦର ସମନ୍ୱୟ ଘଟିଛି । ସେହିପରି ଓଡ଼ିଆ ଭାଷା ଓ ମାଟି ପ୍ରତି ଥିବା ତାଙ୍କ ଦରଦୀ ଦୃଷ୍ଟିଭଙ୍ଗୀ ପ୍ରତିଫଳିତ ହୋଇଛି ତାଙ୍କ ଜାତୀୟବାଦୀ କବିତାରେ । ‘ବନ୍ଦେ ଉତ୍କଳ ଜନନୀ’ ବ୍ୟତୀତ ସେ ଅନେକ ଜାତୀୟ ଉଦ୍‌ବୋଧନୀମୂଳକ କବିତା ରଚନା କରିଛନ୍ତି, ଯାହା ‘କାନ୍ତ ସାହିତ୍ୟମାଳା’ର ଦ୍ୱିତୀୟଖଣ୍ଡରେ ‘ଜାତୀୟ ସଂଗୀତ’ ନାମରେ ସଂକଳିତ ହୋଇଛି । କବି ନିଜ ବ୍ୟାଧିପୀଡ଼ିତ ଜୀବନରେ ବହୁ ହାସ୍ୟରସାତ୍ମକ କବିତା ଓ ଲାଳିକା ରଚନା କରିଛନ୍ତି । କବିସୂର୍ଯ୍ୟଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚଂପୂ’ ଅନୁସରଣରେ ସେ ରଚନା କରିଛନ୍ତି ‘ଚଟକ ଚନ୍ଦ୍ରହାସ ଚମ୍ପୂ’ । ବନମାଳୀ, ଗୋପାଳକୃଷ୍ଣ, ଅଭିମନ୍ୟୁ ଆଦିଙ୍କ କେତେକ କବିତା ବା କବିତାଂଶକୁ ସେ ଚମତ୍କାର ଲାଳିକାରେ ରୂପାନ୍ତରିତ କରିଛନ୍ତି । ସମକାଳୀନ ରାଜନୀତିକ ହଟଚମଟକୁ ଉପଲକ୍ଷ୍ୟ କରି ସେ ଅନେକ ସାଟାୟର ବା ବିଦ୍ରୂପାତ୍ମକ କବିତା ରଚନା କରିଛନ୍ତି । ଏହି କବିତା ରଚନାମୂଳରେ କାନ୍ତକବିଙ୍କ ସାମାଜିକ ସଂସ୍କାର, ବ୍ୟକ୍ତି ଚରିତ୍ରର ସଂଶୋଧନ ଓ ନୈତିକ ଜୀବନର ପୁନରୁତ୍‌ଥାନ ହୋଇଛି ମୂଳଲକ୍ଷ୍ୟ । ‘୧୯୪୦ ମସିହା କୋଇଲି’, ‘୧୯୪୩ ବର୍ଷ ବନ୍ଦନା’ ଆଦି କବିତା ଏହାର ଉଦାହରଣ । ୧୯୨୫ ମସିହାରେ ‘କଲ୍ଲୋଳ’ ଶିରୋନାମାରେ ପ୍ରକାଶ ପାଇଥିବା କବିତା ସଂକଳନରେ ବହୁ ପ୍ରକୃତିମୂଳକ, ବିଭୁଚେତନା ଓ ଜାତୀୟତାମୂଳକ କବିତା ରହିଛି । ‘ବିବିଧ କବିତା’ ଶିରୋନାମାରେ ପ୍ରକାଶିତ ସଂଚୟନରେ ରହିଥିବା ନିଭୃତ ନିଶୀଥ, ସଂସାର ସ୍ୱର୍ଗ, ସମୁଦ୍ରରେ ସୂର୍ଯ୍ୟୋଦୟ, ଚନ୍ଦ୍ର ଓ ସୂର୍ଯ୍ୟ, କମଳ ଓ କୁମୁଦ, କ୍ଷଣିକା ଆଦି ପ୍ରକୃତି ଚେତନାମୂଳକ କବିତା । ସେହିପରି ଶ୍ମଶାନରେ ରାଧାନାଥ, ଶ୍ମଶାନରେ ମଧୁସୂଦନ, ମହାପ୍ରୟାଣ (ଫକୀରମୋହନଙ୍କ ମହାପ୍ରୟାଣ ଉପଲକ୍ଷେ ରଚିତ) ଆଦି କବିତାଗୁଡ଼ିକୁ ଶୋକଗୀତିକା ପର୍ଯ୍ୟାୟଭୁକ୍ତ କରାଯାଇପାରେ । ବିବିଧ କବିତା ଶୀର୍ଷକରେ ପ୍ରକାଶିତ ୨୪ଟି କବିତା ମଧ୍ୟରୁ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ଅନୁଭୂତି ଶବଳିତ । ଗାନ୍ଧିଜୀ, ଗୋପବନ୍ଧୁ, ଚିନ୍ତାମଣି ଆଦିଙ୍କ ପରି ବ୍ୟକ୍ତିଙ୍କୁ ଏଥିରେ ଭକ୍ତି ଓ ସମ୍ମାନ ପ୍ରଦର୍ଶନ କରାଯାଇଛି । ଏହି ଦୃଷ୍ଟିରୁ ବିଚାର କଲେ କାନ୍ତକବିଙ୍କ ସାହିତ୍ୟଜଗତ ଯେପରି ବିଭିନ୍ନ ଭାବରେ ଐଶ୍ୱର୍ଯ୍ୟଶାଳୀ, ସେହିପରି ବୈଚିତ୍ର୍ୟପୂର୍ଣ୍ଣ । ଏହି ମହାନ୍ ସ୍ରଷ୍ଟାଙ୍କ ତିରୋଧାନ ଘଟେ ୧୯୫୩ ମସିହା ଫେବୃୟାରୀ ୨୪ ତାରିଖରେ ।

Budha Sankhari

Budha Sankhari
Laxmikanta Mohapatra

ସଂସାରରେ ପ୍ରେମ ହିଁ ଶ୍ରେଷ୍ଠନିଧି । ପ୍ରେମ...

Adhikar

Adhikar
Laxmikanta Mohapatra

ପ୍ରେମର ସ୍ଥିତି ବିଶ୍ୱାସ ଓ ଆତ୍ମସମର୍ପଣରେ ।...

Utkata Prema

Utkata Prema
Laxmikanta Mohapatra

ପ୍ରତ୍ୟେକ ମଣିଷ ନିଜର ପରିସର ଓ ଯୋଗ୍ୟତା...

Bachana Rakshya

Bachana Rakshya
Laxmikanta Mohapatra

ସମୟ ବଡ ବଳବାନ୍ । ସମୟ ସହିତ...

Bandhu Ra Sahajya

Bandhu Ra Sahajya
Laxmikanta Mohapatra

ସଂପର୍କ ପରିବର୍ତ୍ତିତ ପରିସ୍ଥିତିରେ କିପରି ରୂପ ପରିବର୍ତ୍ତନ...