ପୁରୀ ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରଙ୍ଗ ଶାସନରେ ୧ ଅକ୍ଟୋବର ୧୮୯୮ରେ ଜନ୍ମଲାଭ କରିଥିବା ଗୋଦାବରୀଶ ମହାପାତ୍ର ଓଡ଼ିଆ ସାହିତ୍ୟରେ ଜଣେ ବିସ୍ମୟଜନକ ପ୍ରତିଭା । ବାଲ୍ୟାବସ୍ଥାରେ ଅତ୍ୟନ୍ତ ଚପଳମତି ଥିଲେହେଁ , ମାଇନର ସ୍କୁଲ୍ ରେ ପାଠ ପଢ଼ିବା ସମୟରେ ତାଙ୍କ କବି ପ୍ରତିଭାର ପରିଚୟ ମିଳିଥିଲା । ବାଣପୁର ସ୍କୁଲ୍ ର ଛାତ୍ର ଥିବାବେଳେ ସେ ଲେଖିଥିବା ‘ ବାଣପୁର ’ ଲେଖାଟି ପୁରସ୍କୃତ ହୋଇଥିଲା । ସେହି ବାର୍ଷିକ ଉତ୍ସବରେ ସ୍ୱନାମଧନ୍ୟ ମୁକୁର ପତ୍ରିକାର ସମ୍ପାଦକ ଶ୍ରୀବ୍ରଜସୁନ୍ଦର ଦାସ ଥିଲେ ସଭାପତି । ସେହି ଲେଖାଟି ଦ୍ୱାରା ସେ ଏପରି ପ୍ରଭାବିତ ହୋଇଥିଲେ ଯେ , ଗୋଦାବରୀଶଙ୍କୁ ପ୍ରଶଂସା କରିବା ସହିତ ତାହାକୁ ୧୯୧୮ ମସିହାରେ ନିଜ ପତ୍ରିକାରେ ପ୍ରକାଶ କରାଇଥିଲେ । ଗୋଦାବରୀଶ ମିଶ୍ର ତାଙ୍କ ପ୍ରତିଭାରେ ମୁଗ୍ଧ ହୋଇଥିଲେ ଏବଂ ତାଙ୍କ ପ୍ରେରଣାରେ ଗୋଦାବରୀଶ ମହାପାତ୍ର ସତ୍ୟବାଦୀ ବନ ବିଦ୍ୟାଳୟରେ ଛାତ୍ର ହୋଇଥିଲେ । ଏହିଠାରେ ତାଙ୍କର ପରିଚୟ ହୋଇଥିଲା ପଣ୍ଡିତ ଗୋପବନ୍ଧୁ , ପଣ୍ଡିତ ନୀଳକଣ୍ଠ , ପଣ୍ଡିତ କୃପାସିନ୍ଧୁ ଓ ଆଚାର୍ଯ୍ୟ ହରିହରଙ୍କ ସହିତ । ସତ୍ୟବାଦୀ ବନ ବିଦ୍ୟାଳୟର ବିଭିନ୍ନ ଉତ୍ସବରେ ସେ କବିତା ଲେଖୁଥିଲେ । ୧୯୨୧ ମସିହାରେ ସ୍ୱାଧୀନତା ଆନ୍ଦୋଳରେ ଭାଗନେଇ ପାଠ ଛାଡ଼ିଥିଲେ । ୧୯୨୧ - ୨୮ ପର୍ଯ୍ୟନ୍ତ ଗୁରୁ ଗୋଦାବରୀଶଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ଅଞ୍ଚଳରେ ଗାନ୍ଧିଙ୍କର ବାର୍ତ୍ତା ତଥା ଗାନ୍ଧିଙ୍କର ଆଦର୍ଶ ଓ କାର୍ଯ୍ୟପନ୍ଥାର ପ୍ରଚାର ପ୍ରସାର କରାଇଥିଲେ ।
ଗୋଦାବରୀଶଙ୍କ ଉତ୍ସର୍ଗୀକୃତ କାର୍ଯ୍ୟଧାରାରେ ମୁଗ୍ଧ ହୋଇଥିଲେ ‘ ଆଶା ’ ପତ୍ରିକାର ସମ୍ପାଦକ ସ୍ୱାଧୀନତାସଂଗ୍ରାମୀ ଶଶିଭୂଷଣ ରଥ । ତାଙ୍କ ଡାକରାରେ ୧୯୨୮ ମସିହାରେ ଯାଇ ସେ ତାଙ୍କ ପତ୍ରିକାର ସହସମ୍ପାଦକ ରୂପେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ପୁରୀରୁ ପ୍ରକାଶ ପାଉଥିବା ‘ ପୁରୀବାସୀ ତରୁଣ ’ ଓ ‘ ବୈକୁଣ୍ଠ ଭିକାରୀ ’ ପତ୍ରିକାର ସମ୍ପାଦନା କାର୍ଯ୍ୟ କରିଥିଲେ । ଗୋଦାବରୀଶ ମିଶ୍ରଙ୍କ ‘ ଲୋକମୁଖ ’ ପତ୍ରିକା ପ୍ରକାଶନରେ ମଧ୍ୟ ସମ୍ପୃକ୍ତ ଥିଲେ । ୧୯୩୨ରେ ବାଣପୁରରୁ ପ୍ରକାଶିତ ‘ ବନଫୁଲ ’ ପତ୍ରିକାର ସମ୍ପାଦକ , ବ୍ରହ୍ମପୁରରୁ ପ୍ରକାଶିତ ‘ ଉତ୍କଳ ହିତୈଷିଣୀ ’ ର ସମ୍ପାଦକ କାର୍ଯ୍ୟ କରିଥିଲେ । ୧୯୩୮ ମାର୍ଚ୍ଚ ୧୨ ତାରିଖରେ କିଛିଦିନ ପାଇଁ ତାଙ୍କ ସମ୍ପାଦକତ୍ୱରେ ସେଠାରୁ ‘ ନିଆଁଖୁଣ୍ଟା ’ ପ୍ରକାଶ ପାଇଲା ଓ ପରେ ତାହା କଟକକୁ ସ୍ଥାନାନ୍ତରିତ ହୋଇଥିଲା । ହରିପୁରଠାରେ ନିଜ ଛାପାଖାନା ‘ କବିତାପ୍ରେସ ’ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ଗୋଦାବରୀଶ ‘ ସାରସ୍ୱତ ପ୍ରେସ ’ ରେ ନିଆଁଖୁଣ୍ଟା ପ୍ରକାଶ କରାଉଥିଲେ ।
ବାଣପୁର ହାଇସ୍କୁଲ୍ ଓ କଲେଜ ପ୍ରତିଷ୍ଠାରେ ତାଙ୍କର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ଶିକ୍ଷକ ଅଭାବ ଯୋଗୁଁ କିଛିଦିନ ହାଇସ୍କୁଲ୍ ରେ ନିଜେ ଶିକ୍ଷକତା କରିଥିଲେ । ତାଙ୍କ ସାଂସାରିକ ଜୀବନ ବେଶ ଉଠାପକାରେ ଚାଲିଥିଲା । ତିନୋଟି ପୁତ୍ର ସନ୍ତାନର ଅକାଳ ବିୟୋଗ ଘଟିଥିଲା । ଏହାସତ୍ତ୍ୱେ ପ୍ରତିକୂଳ ପରିବେଶରେ ମଧ୍ୟ ତାଙ୍କର ସାଧନା ଅବ୍ୟାହତ ରହିଥିଲା । ସେ ଥିଲେ ଅଜସ୍ରସ୍ରାବୀ ସ୍ରଷ୍ଟା । ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଦିଗରୁ ଓଡ଼ିଆ ସାହିତ୍ୟ ତାଙ୍କ ଲେଖନୀରେ ହୋଇଛି ସମୃଦ୍ଧ । ସ୍ୱାଧୀନତା ସଂଗ୍ରାମରେ ଝାସ ଦେବା ସହିତ ବହୁ ଅନୁଷ୍ଠାନ କାର୍ଯ୍ୟରେ ଓତପ୍ରୋତ ଜଡ଼ିତରହି ନିଜ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି । ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନ କରି ନିଜ ଅପୂର୍ବ ସିଦ୍ଧିର ସ୍ୱାକ୍ଷର ଛାଡ଼ି ଯାଇଛନ୍ତି । ସମ୍ପାଦକ , ରମ୍ୟରଚକ , କଥାକାର , କବି , ନାଟ୍ୟକାର , ବ୍ୟଙ୍ଗସାହିତ୍ୟ ରଚନାକାର , ପ୍ରାବନ୍ଧିକ , ଶିଶୁ ସାହିତ୍ୟିକ , ଇତିହାସ ସଂଗ୍ରାହକ , ସମାଜ ସଂସ୍କାରକ ଆଦି ଭାବରେ ସେ ନିଜର ଯେଉଁ ପରିଚୟ ଛାଡ଼ି ଯାଇଛନ୍ତି , ତାହା ଚିରଦିନ ଅମ୍ଲାନ ରହିବ । ତାଙ୍କର ବିଭିନ୍ନ ରଚନା ପାଠ୍ୟପୁସ୍ତକ ରୂପେ ତଳଶ୍ରେଣୀର ବିଦ୍ୟାଳୟମାନଙ୍କରେ ପ୍ରଚଳିତ ଥିଲା । ଶିଶୁମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶ ନିମିତ୍ତ ସେ କେବଳ ଶିଶୁସାହିତ୍ୟ ରଚନା କରି ନ ଥିଲେ ; ବରଂ ତାର ପ୍ରସାର ନିମିତ୍ତତ୍ତ ୧୯୫୭ ମସିହାରେ ‘ ଟୁଆଁଟୁଇଁ ’ ଶିଶୁପତ୍ରିକା ନିଜ ସମ୍ପାଦନାରେ ପ୍ରକାଶ କରୁଥିଲେ । ଶେଷ ପର୍ଯ୍ୟନ୍ତ ଓଡ଼ିଆ ଶିଶୁସାହିତ୍ୟ କମିଟିର ସଦସ୍ୟ ରହିଥିଲେ । ତାଙ୍କର ‘ ମୋ ଖେଳସାଥୀ ’ ପୁସ୍ତକଟି ଭାରତ ସରକାରଙ୍କଦ୍ୱାରା ପୁରସ୍କୃତ ହୋଇଥିଲା । ଏହି ପୁସ୍ତକ ବ୍ୟତୀତ ‘ ଛବିର କବିତା ’, ‘ କୁନିର ହାତୀ ’, ‘ ଶିଶୁ କଥାମାଳା ’, ‘ କି କଥା ?’ ‘ ପାଠଚୟନ ’, ‘ ଦେଶବିଦେଶର ଉପକଥା ’, ‘ ଟିକି ମହାଭାରତ ’, ‘ ଠେକୁଆ ଭାଇ ’ ଆଦି ବହୁ ଶିଶୁଗ୍ରନ୍ଥ ରରନା କରି ( ଉଭୟ ଶିଶୁକଥା ଓ ଶିଶୁକବିତା ) ଓଡ଼ିଆ ଶିଶୁସାହିତ୍ୟକୁ ସମୃଦ୍ଧ କରିବା ସହିତ ଶିଶୁମାନଙ୍କ ମାନସିକ , ବୌଦ୍ଧିକ ବିକାଶ ସହିତ ସେମାନଙ୍କ କଳ୍ପନାଜଗତକୁ ବିସ୍ତାରିତ କରିବାରେ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି । ଅନ୍ୟ ଭାବରେ କହିଲେ ଶିଶୁସାହିତ୍ୟର ବଳିଷ୍ଠ ଭିତ୍ତିଭୂମି ନିର୍ମାଣରେ ତାଙ୍କର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ।
କିଶୋରମାନଙ୍କ ମନୋଭୂମିର ବିକାଶ ନିମିତ୍ତ ବିଭିନ୍ନ ଆଦର୍ଶସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ଜୀବନକୁ ନେଇ ତେରଟି ଜୀବନଗ୍ରନ୍ଥ ପ୍ରଣୟନ କରିଛନ୍ତି । ସେହି ଗ୍ରନ୍ଥଗୁଡ଼ିକ ମଧ୍ୟରେ ରହିଛି ରାଣାପ୍ରତାପ , କପିଳେନ୍ଦ୍ରଦେବ , ଗୁରୁ ଗୋବିନ୍ଦ ସିଂ , ଅଗସ୍ତି , ଦଧିଚି , ଅଷ୍ଟବକ୍ର , ଚ୍ୟବନ , ମାଟ୍ ସିନୀ , ଖାରବେଳ , ପ୍ରତାପରୁଦ୍ରଦେବ , ନାରଦ , ଫକୀରମୋହନ ଓ ରାଜପୁତ କାହାଣୀ । ଏମାନେ ସମସ୍ତେ ଆଦର୍ଶପୁରୁଷ , ଜ୍ଞାନୀ , ବୀର ଏବଂ ସମାଜ ଦିଗ୍ ଦର୍ଶକ । କିଶୋରମାନଙ୍କର ଚରିତ୍ର ନିର୍ମାଣ କ୍ଷେତ୍ରରେ ଏହି ପୁସ୍ତକଗୁଡ଼ିକର ମହତ୍ତ୍ୱପୂର୍ଣ୍ଣ ଅବଦାନକୁ ଅସ୍ୱୀକାର କରାଯାଇ ନପାରେ ।
ଗୋଦାବରୀଶ ବହୁ ଗଳ୍ପଗ୍ରନ୍ଥର ରଚୟିତା । ସମାଜର ବିଭିନ୍ନ ସମସ୍ୟା , ଚରିତ୍ର , ଘଟଣା , ସମକାଳ ଜୀବନ ଓ ପରିବେଶକୁ ନେଇ ତାଙ୍କର ଗଳ୍ପଗୁଡ଼ିକ ରଚିତ । ତତ୍ କାଳୀନ ସମାଜର ଏପରି କୌଣସି ଘଟଣା , ଦୁର୍ଘଟଣା ବା ସମସ୍ୟା ନାହିଁ , ଯାହା ତାଙ୍କ ଗଳ୍ପର ପରିସରଭୁକ୍ତ ହୋଇନାହିଁ । ଜଣେ ସଚେତନ ସ୍ରଷ୍ଟାଭାବରେ ତଥା ସାମାଜିକ ପ୍ରତିବଦ୍ଧ ଲେଖକ ରୂପେ ସମସାମୟିକ ସମାଜର ବହୁଘଟଣାକୁ ରୂପାୟିତ କରିବା ସଙ୍ଗେସଙ୍ଗେ ସାମାଜିକ ଜୀବନକୁ ଦିଗ୍ ଦର୍ଶନ ଦେଇଛନ୍ତି ଏବଂ ତଥାକଥିତ ସମାଜରେ ପରିପୂରିତ କୁସଂସ୍କାର , ଅନ୍ଧବିଶ୍ୱାସ , ଜାତିଭେଦ ପ୍ରଥାର ଦୂରୀକରଣ ନିମିତ୍ତ ଉଗ୍ରସ୍ୱର ଉତ୍ତୋଳନ କରିଛନ୍ତି । ଶିଳ୍ପବିପ୍ଲବ ତଥା ବିଜ୍ଞାନର ଅଦ୍ଭୂତପୂର୍ବ ବିକାଶ ଦ୍ୱାରା ଗ୍ରାମୀଣ ଅର୍ଥନୀତି କିପରି ବିପର୍ଯ୍ୟସ୍ତ ହୋଇପଡ଼ିଛି , ତା ’ ର ଜୀବନ୍ତ ଚିତ୍ର ତାଙ୍କ ଗଳ୍ପଗୁଡ଼ିକରେ ପରିଲକ୍ଷିତ ହୋଇଥାଏ । ସାମାଜିକ ଚେତନା , ମାନବିକ ସମ୍ବେଦନଶୀଳତା , ଇତିହାସବୋଧ , ଜାତୀୟଚେତନା , ପ୍ରେମ ଓ ବାତ୍ସଲ୍ୟଭାବ , ରାଜନୀତିକ ଚେତନା , ନିମ୍ନମଧ୍ୟବିତ୍ତ ମଣିଷଙ୍କ ଯନ୍ତ୍ରଣା , ସାମାଜିକ କୁସଂସ୍କାର , ପଲ୍ଲୀମଣିଷଙ୍କ ଜୀବନଚିତ୍ର ଆଦି ବହୁ ଦିଗକୁ ସଚେତନ ପାଠକ ଆବିଷ୍କାର କରିଥାଏ ତାଙ୍କ ଗଳ୍ପରେ । ଆବେଗାୟିତ ଭାଷାବିନ୍ୟାସ , ମନୋଜ୍ଞ ଓ ବ୍ୟଙ୍ଗାତ୍ମକ ଶୈଳୀ , ବର୍ଣ୍ଣନାଧର୍ମିତା , ବିଭିନ୍ନରସର ଅବାରିତ ପ୍ରବାହ ତାଙ୍କ ଗଳ୍ପଗୁଡ଼ିକୁ ଏକ ଚମତ୍କାର ଭିତ୍ତିଭୂମି ପ୍ରଦାନ କରିଛି । ୧୯୨୩ ମସିହାରେ ମୁକୁର ପତ୍ରିକାରେ ପ୍ରକାଶିତ ‘ ମେଲାଡିହ ’ କୁ ତାଙ୍କର ପ୍ରଥମ ସାର୍ଥକ କ୍ଷୁଦ୍ରଗଳ୍ପର ମର୍ଯ୍ୟାଦା ପ୍ରଦାନ କରାଯାଇଥିଲେ ହେଁ ୧୯୧୯ ମସିହାରେ ‘ ବାଣୀ ’ ପତ୍ରିକାରେ ପ୍ରକାଶିତ ‘ ପରିମଳ ’ ହେଉଛି ଗୋଦାବରୀଶଙ୍କ ପ୍ରଥମ ଗଳ୍ପ । ତାଙ୍କର ଗଳ୍ପଗୁଡ଼ିକ ଏବେ ମଧ୍ୟ ବଞ୍ଚିଛି , ମୁଁ ଦିନେ ମନ୍ତ୍ରୀ ଥିଲି , ନୀଳମାଷ୍ଟ୍ରାଣୀ , ଶ୍ରୁତି ସଞ୍ଚୟନ , ତୀର୍ଥଯାତ୍ରୀ , କଥାକାହାଣୀ , ଈଶ୍ୱରଙ୍କ ପାଖକୁ ଚିଠି , ଗରିବର କାହିଁକି , ମାଟିର ମାୟା , ଆଲୋକ , ଗରିବର ଭଗବାନ , କଳାପାଣିର ବନ୍ଦୀ , ପଲ୍ଲୀଛାୟା , କୀର୍ତ୍ତିମାଳା , ମଦଦୋକାନର ଇତିହାସ , ଜୀବନରେ ସମ୍ଭବ , ଆମେ ଦୁହେଁ ସେ ଦୁହେଁ , ସବୁ କାଳର ଗଳ୍ପ , ହଠାତ୍ ଭାର୍ଯ୍ୟାଲାଭ , ଅସୁନ୍ଦର ପ୍ରେମ , ପ୍ରେମର ଇତିହାସ ଆଦିରେ ସଂକଳିତ ।
ଜଣେ ଔପନ୍ୟାସିକ ଭାବରେ ମଧ୍ୟ ଗୋଦାବରୀଶ ମହାପାତ୍ର ନିଜ ପାଇଁ ସୁରକ୍ଷିତ ସ୍ଥାନଟିଏ ସୃଷ୍ଟି କରିଯାଇଛନ୍ତି । ଇତିହାସ , ରାଜନୀତି , ସମାଜ , ସଂସ୍କୃତି , ସମକାଳିନତା , ମଣିଷର ମନସ୍ତାତ୍ତ୍ୱିକ ଚେତନା , ପାଶ୍ଚାତ୍ୟ ଶିକ୍ଷାର କୁପ୍ରଭାବ , ପ୍ରେମଚେତନା ଆଦି ବହୁବିଷୟକୁ ଅବଲମ୍ବନ କରି ଉପନ୍ୟାସ ରଚନା କରିଛନ୍ତି । ଜଣେ ସଚେତନ ସ୍ରଷ୍ଟା ଭାବରେ ସେ ଯାହା ଉପଲବ୍ ଧି କରିଛନ୍ତି ଏବଂ ଇତିହାସର କେଉଁ ବିଷୟରେ ବର୍ତ୍ତମାନର ପ୍ରେକ୍ଷାପଟରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ତାହାକୁ ଦୃଷ୍ଟିରେ ରଖି ସେ ତାଙ୍କ ଉପନ୍ୟାସର ଭାବଭୂମି ନିର୍ମାଣ କରିଛନ୍ତି । ତାଙ୍କ ପ୍ରତ୍ୟେକ କଥା ସୃଷ୍ଟିରେ ବ୍ୟଙ୍ଗ ରହିଥିଲେ ହେଁ ତା ’ ପଛରେ ଲୁଚିରହିଥାଏ ଗଭୀର ସମ୍ବେଦନଶୀଳତା । ସେ ମଣିଷକୁ ଭଲପାଆନ୍ତି , ମାନବତାକୁ ଆଦର୍ଶ ଭାବରେ ଗ୍ରହଣ କରନ୍ତି ; ମାତ୍ର ଅମାନବିକତା ଓ ମାନବବିଦ୍ୱେଷୀମାନଙ୍କ ପ୍ରତି ସେ ଉଗ୍ରସ୍ୱର ଉତ୍ତୋଳନ କରିଛନ୍ତି । ଅତୀତ ଇତିହାସ ଭିତରେ ବର୍ତ୍ତମାନକୁ ଦେଖିଛନ୍ତି । ମୂଲ୍ୟବୋଧହୀନ ରାଜନୀତି , ନୀତିହୀନ ଚରିତ୍ର , ସମାଜବିରୋଧୀ କାର୍ଯ୍ୟକଳାପ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ । ଜୀବନର ସକାରାତ୍ମକ ଦିଗପ୍ରତି ବେଶ୍ ଉଦାର ; ମାତ୍ର ଜୀବନବିରୋଧୀ ଭାବଧାରା ତାଙ୍କଦ୍ୱାରା ଅଗ୍ରହଣୀୟ ଓ ସେହି ଦୃଷ୍ଟିରୁ କଠୋର ସମାଲୋଚନାର ଶରବ୍ୟ । ସେ ଓଡ଼ିଶାର ଜାତୀୟ ଜୀବନର ଗୌରବମୟ ଦିଗକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ‘ ରାଜଦ୍ରୋହୀ ’, ‘ ବନ୍ଦୀରମାୟା ’ ଉପନ୍ୟାସ ଇତିହାସର ଭିତ୍ତିଭୂମି ଉପରେ ଗଢ଼ିଉଠିଛି । ରାଜଦ୍ରୋହୀ ଉପନ୍ୟାସରେ ଭୋଇ ରାଜବଂଶକାଳୀନ ଘଟଣା ରୂପ ପାଇଥିବା ସମୟରେ ‘ ବନ୍ଦୀରମାୟା ’ ଉପନ୍ୟାସରେ ମରହଟ୍ଟା ଶାସନକାଳୀନ ଚିତ୍ର ଶବଳିତ । ବିଂଶ ଶତକର ଆଦ୍ୟପାଦରେ ଯୁବମାନସିକତା , ପାଶ୍ଚାତ୍ୟ ଶିକ୍ଷାର କୁପରିଣତି ତଥା ସେହି ସମୟର ଆଉ କିଛି ଘଟଣା ‘ ପ୍ରେମ ପଥେ ’ ଓ ‘ ବିଦ୍ରୋହ ’ ଉପନ୍ୟାସରେ ରୂପ ପାଇଛି । ‘ ରକ୍ତପାତ ’ ଉପନ୍ୟାସଟି ଇଂରେଜ ଔପନ୍ୟାସିକା ମେରୀ କରେଲିଙ୍କ 'Vendetta' ଅନୁସରଣରେ ରଚିତ । ‘ ବୀର ଯୁବକ ’ ସାମାଜିକ ଉପନ୍ୟାସ ହେଲେ ହେଁ କିଛି ରୋମାଞ୍ଚକର ଘଟଣା ସ୍ଥାନ ପାଇଥିବାରୁ ତାହା ସୁଖପାଠ୍ୟ ହୋଇପାରିଛି । ପ୍ରତ୍ୟେକ ଉପନ୍ୟାସ ଗୋଦାବରୀଶଙ୍କ ଅନୁପମ ଶୈଳୀ ଯୋଗୁଁ ପାଠକୀୟ ଶ୍ରଦ୍ଧା ଓ ଆଦୃତି ଲାଭକରିଛି ।
ଓଡ଼ିଆ କବିତା କ୍ଷେତ୍ରରେ ସମକାଳରେ ଗୋଦାବରୀଶ ମହାପାତ୍ର ଥିଲେ ଅତ୍ୟନ୍ତ ପ୍ରତିଭାଶାଳୀ ଓ ପ୍ରଭାବଶାଳୀ । ଏମିତି କୌଣସି ଘଟଣା ନାହିଁ , ଯାହା ତାଙ୍କ କବିତା ପରିସରଭୁକ୍ତ ହୋଇନାହିଁ । ସାଧାରଣ ଘଟଣାଠାରୁ ଆରମ୍ଭ କରି ଅସାଧାରଣ ଘଟଣା ପର୍ଯ୍ୟନ୍ତ ପ୍ରତ୍ୟେକଟି ତାଙ୍କ କବିତାରାଜ୍ୟକୁ କରିଛି ବୈଚିତ୍ର୍ୟମଣ୍ଡିତ । ଇତିହାସଚେତନା , ସଂସ୍କାରଭାବନା , ଦେଶପ୍ରୀତି , ଜାତୀୟତା , ସଂସ୍କାରଲିପ୍ ସା ପ୍ରକୃତିଚେତନା , ବୈପ୍ଲବିକଚେତନା , ମାନବିକ ସମ୍ବେଦନଶୀଳତା , ଜୀବନଧର୍ମିତା ଏବଂ ସର୍ବୋପରି ସମକାଳୀନ ବହୁ ଘଟଣାକୁ ନେଇ ତାଙ୍କର କବିତାଜଗତ ବୈଚିତ୍ର୍ୟମଣ୍ଡିତ । କବିତାରେ ତାଙ୍କର ସିଦ୍ଧି ଓ ସାଧନା ଅତୀବ ପ୍ରଶଂସନୀୟ । ବାଣପୁର , ପ୍ରଭାତକୁସୁମ , ଆତ୍ମବଳି , ଚିଠି , ରୂପରେଖା , ଉଠକଙ୍କାଳ , ହେ ମୋର କଲମ , ହାଣ୍ଡିଶାଳର ବିପ୍ଲବ , କଣ୍ଟା ଓ ଫୁଲ , ପାହାଚ ତଳର ଘାସ , ବଙ୍କା ଓ ସିଧା , ଯେ ଫୁଲ ଫୁଟିଥିଲା ଆଦି କବିତା ସଂକଳନଗୁଡ଼ିକ ତାଙ୍କ କବି ପ୍ରତିଭାର ଯଥାର୍ଥ ସ୍ମାରକୀ । ତାଙ୍କର ଆଦ୍ୟ ଜୀବନର କବିତାରେ ରୋମାଣ୍ଟିକ୍ ଚେତନା ପରିଲକ୍ଷିତ ହୋଇଥିଲେ ହେଁ , ପରବର୍ତ୍ତୀ କାଳରେ ସମାଜ ସଚେତନତା ତାଙ୍କ କାବ୍ୟଭୂମିକୁ ପ୍ରଭାବିତ କରିଛି । ବ୍ୟଙ୍ଗାତ୍ମକ ଆଭିମୁଖ୍ୟ ତାଙ୍କ କବିତା ସଂସାରର ସବୁଠାରୁ ଆକର୍ଷଣୀୟ ଦିଗ । ବ୍ୟଙ୍ଗ ମାଧ୍ୟମରେ ସମାଜସଂସ୍କାର ଓ ବ୍ୟକ୍ତି ଚରିତ୍ରର ସୁଧାର ହୋଇଛି ତାଙ୍କର ପ୍ରଥମ ଆଭିମୁଖ୍ୟ । ଜୀବନ , ମଣିଷ , ସମାଜକୁ ସେ ଭଲ ପାଆନ୍ତି ଏବଂ ସାଧାରଣ ତଥା ସମାଜଅବହେଳିତ ମଣିଷଙ୍କ ପ୍ରତି ତାଙ୍କ ହୃଦୟରେ ଭରି ରହିଥାଏ ଗଭୀର ସମ୍ବେଦନଶୀଳତା । ତାଙ୍କର ଅକୁତୋଭୟତା ତାଙ୍କୁ ଜଣେ ସଂଗ୍ରାମୀ ଓ ବାସ୍ତବବାଦୀ କବି ଅଭିଧାରେ ଚିହ୍ନିତ କରିଛି । ତୀବ୍ର ସାମାଜିକ ସଂସ୍କାରଭାବନା ତାଙ୍କର ବହୁ କବିତାରେ ପ୍ରତିଫଳିତ । ସେ ତାଙ୍କର ‘ କଣ୍ଟା ଓ ଫୁଲ ’ କବିତାସଂକଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ‘ ବଙ୍କା ଓ ସିଧା ’ କବିତାସଂକଳନ ନିମିତ୍ତ ସାହିତ୍ୟ ଏକାଡେମୀ ପୁରସ୍କାର ( କେନ୍ଦ୍ର ସାହିତ୍ୟ ଏକାଡେମୀ ) ଲାଭ କରିଛନ୍ତି ।
ବ୍ୟଙ୍ଗ ପତ୍ରିକା ‘ ନିଆଁଖୁଣ୍ଟା ’ ର ସମ୍ପାଦକ ଭାବରେ ତାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ସମକାଳ ରାଜନୀତି ଏବଂ ରାଜନୀତିକ ବ୍ୟକ୍ତି ତଥା ବହୁ ଘଟଣାକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଏହି ପତ୍ରିକାରେ ପ୍ରକାଶକରି ସାମାଜିକ ପରିବର୍ତ୍ତନ ନିମିତ୍ତ ଆନ୍ତରିକ ଉଦ୍ୟମ କରିଛନ୍ତି । ଏଥିପାଇଁ ବହୁ ପ୍ରତିକୂଳ ପରିବେଶକୁ ସେ ସମ୍ମୁଖୀନ ହୋଇଥିଲେ ହେଁ କୌଣସି କ୍ଷେତ୍ରରେ ନିଜ କର୍ତ୍ତବ୍ୟବୋଧରୁ ଚ୍ୟୁତ ହୋଇନାହାନ୍ତି । ବାସ୍ତବରେ ନିଆଁଖୁଣ୍ଟା ପତ୍ରିକା ଥିଲା ସାମାଜିକ , ରାଜନୀତିକ ବ୍ୟଭିଚାର ବିରୋଧରେ ଏକ ସତର୍କପ୍ରହରୀ । ଜଣେ ନିର୍ଭୀକ - ସଚ୍ଚୋଟ ସାମ୍ବାଦିକ ଭାବରେ ତାଙ୍କର ରହିଥିଲା ସ୍ୱତନ୍ତ୍ର ପରିଚୟ । ଏଥିପାଇଁ ଅନେକ ଥର ବିଚାରାଳୟକୁ ତାଙ୍କୁ ଯିବାକୁ ପଡ଼ିଛି । ମାତ୍ର କୌଣସି କ୍ଷେତ୍ରରେ ସେ ତାଙ୍କ ସାମାଜିକ ପ୍ରତିବଦ୍ଧତା ଓ ସମାଜ ପ୍ରତି କର୍ତ୍ତବ୍ୟବୋଧକୁ ତ୍ୟାଗ କରିନାହାନ୍ତି । ସୀମା ଆନ୍ଦୋଳନ ହେଉ ଅଥବା ମନ୍ତ୍ରୀମାନଙ୍କର କାର୍ଯ୍ୟଧାରା ହେଉ , ପ୍ରତି କ୍ଷେତ୍ରରେ ଓଡ଼ିଶାର ମଙ୍ଗଳ ଓ ହିତ ପାଇଁ ଯାହା ଜରୁରୀ ଏବଂ ଆବଶ୍ୟକ ତାହା ସେ ତାଙ୍କ ପତ୍ରିକାରେ ପ୍ରକାଶକରି ଗଣଚେତନା ଜାଗ୍ରତ କରିବାରେ ସମର୍ଥ ହୋଇଥିଲେ । ଏଥିପାଇଁ ବହୁ ପାଠକ ଓଡ଼ିଶାର ସମାଜ , ରାଜନୀତି ତଥା ଅନ୍ୟାନ୍ୟ କ୍ଷେତ୍ରରେ କ ’ ଣ ଘଟିଚାଲିଛି , ତାହା ଜାଣିବାକୁ ନିଆଁଖୁଣ୍ଟାର ପ୍ରତିସଂଖ୍ୟା ପ୍ରକାଶକୁ ଅପେକ୍ଷା କରୁଥିଲେ । ଏହି ଯୋଗଜନ୍ମା ପୁରୁଷଙ୍କର ମହାପ୍ରୟାଣ ଘଟେ ୨୫ ନଭେମ୍ବର ୧୯୬୫ ମସିହାରେ । ତାଙ୍କ ତିରୋଧାନରେ ଓଡ଼ିଆ ସାହିତ୍ୟର ଗୋଟିଏ ଯୁଗର ଅବସାନ ଘଟିଲା ଏବଂ ଏବେ ମଧ୍ୟ ତାଙ୍କ ଅନୁପସ୍ଥିତି ଅନୁଭୂତ ହୋଇଥାଏ ।